(ରାଗ-କଲ୍ୟାଣ ପଡ଼ିତାଳ)

କ୍ରମେ ପ୍ରବେଶ ହୋଇଲା ଶରଦ।
କମଳଧରେ ଦିଶିଲେ ବିଷଦ॥
କୃପଣ ହୋଇଲେ ଅମୃତଦାନେ।
କେବଳ ଉଦୟ ହେଲେ ଗର୍ଜନେ॥
କକୁଭ ନଭ ଦିଶିଲେ ଶୋଭା।
କଲେ ପ୍ରକାଶ ପୁଷ୍ପବନ୍ତେ ପ୍ରଭା॥ ୧॥

କଳୁଷ ନଦୀଜଳରୁ ତୁଟିଲେ।
କମଳ କୁମୁଦମାନେ ଫୁଟିଲେ॥
କେଳି କଲେ ହଂସ କୋକ ସାରସ
କାମିନୀମାନଙ୍କ ସଙ୍ଗେ ବିଶେଷ॥
କମଳା-ନେତ୍ର ଛଟକ ପ୍ରାୟେ।
କ୍ରୀଡ଼ନ୍ତି ଶଫରୀ କମ୍ପାଇ କାୟେ॥ ୨॥

କମନୀୟ ଦିଶେ ପୁଳିନ କୂଳ।
କଠିନ ହୋଇଲେ ମହୀ ଜମ୍ବାଳ॥
କୃଷ୍ଣ ଅଙ୍ଗରେ ପୀତବାସ ପ୍ରାୟେ।
କେଦାରେ ପକ୍ୱଶାଳୀ ଶୋଭାପାଏ॥
କୁମାରୀ ଗୀତ ଶୁଭେ ବହୁତ।
କରଇ ହରଷ ଜନଙ୍କ ଚିତ୍ତ॥ ୩॥

କଉଁଠାରେ ଶ୍ୱେତଛତ୍ର ଆକୃତି।
କମନୀୟ ଦିଶେ ଶିଳୀନ୍ଧ୍ର ପନ୍ତି॥
କାମଦେବ-ଶେତ-ଚାମର ପ୍ରାୟେ।
କାଶତଣ୍ଡି ଫୁଲ ଚଳନ୍ତି ବାୟେ॥
କୁସୁମବନ୍ତ ବନ୍ଧୁକ ଫୁଲ।
କାନ୍ତା କାନ୍ତ ଦନ୍ତବସନ ତୁଲ॥ ୪॥

କାନ୍ତ ରହିତ କାନ୍ତା ପ୍ରାୟେ ହୋଇ।
କଳାପୀ କଳାପ ଅଙ୍ଗୁ ପକାଇ॥
କେକା ଛାଡ଼ି ହେଲେ ମଉନ ବ୍ରତ।
କଲେ ହଂସ ମାନସର ତ୍ୟକତ॥
କଣ୍ଠକୁ ତାର-ଗ୍ରାମରେ ଯନ୍ତ୍ରୀ।
କୀରେ ଗଗନେ ଗମନ କରନ୍ତି॥ ୫॥

କପର୍ଦ୍ଦୀ ଯାନମାନେ ହେଲେ ମତ୍ତ।
କଲେ ଲୋଧ୍ରତରୁ କୁସୁମ ଜାତ॥
କୋରକିତ ହେଲେ ଅଗସ୍ତି ଦ୍ରୁମ।
କଳାକାର ଖଣ୍ଡ ପ୍ରାୟେ ସୁସମ॥
କୃପଣ ଲୋକ ଲୋକ ପରାୟେ।
କଷ୍ଟ ପାଇଲେ ଚାତକ ପକ୍ଷିଏ॥ ୬॥

କମଳ ମୋଦକ-କୁମାର-ଦିଶେ।
କୁମ୍ଭମୁନି-ସୁତ ରାତ୍ରରେ ଦିଶେ॥
କେତେ କହିବି ଶରଦ ବର୍ଣ୍ଣନା।
କହିଲେ ଅନେକ ହୋଇବ ସିନା॥
କମଳ ନେତ୍ର ଦେଖିଲେ ଦିନେ।
କୁମୁଦବନ୍ଧୁ ଉଦୟ ଗଗନେ॥ ୭॥

କରିଅଛି ସବୁ ଦିଗ ଧବଳ।
କମନୀୟ ଦିଶେ ମହୀମଣ୍ଡଳ॥
କର୍ପୂର ମୋତି ବିଞ୍ଚିଲା ପରାୟେ।
କି ଅବା କ୍ଷିତି ହେଲା କ୍ଷୀରମୟେ॥
କାହାର ଯଶ ପ୍ରକାଶ ହୋଇ।
କେତେ ଶୁକଳକୁ ଦେଲା ଲୁଚାଇ॥ ୮॥

କାଦମ୍ବକୁଳ ନୋହି ଦେଖା ଦେଖି।
କଳରବ କରି ହୁଅନ୍ତି ଦୁଖୀ॥
କୁଞ୍ଜର କୁଞ୍ଜ ନ ହେଲା ପରାୟେ।
କରାଇ ଜନମନକୁ ସଂଶୟେ॥
କେ ବୋଲେ କାହା ହୃଦକୁ ଚାହିଁ।
କୁବଳୟ ଫଳମାଳ ତୋ କାହିଁ॥ ୯॥

କେ କାହା ପାଶକୁ ଏହି ସମୟେ।
କରନ୍ତି ଗତି ବେଶ କରି କାୟେ॥
କରାଇଲା ପ୍ରତିବିମ୍ବ ବାରଣ।
କରେ ବାରଣକୁ ଯେହ୍ନେ ଆରଣ॥
କାହାର ପୁର ସୁଧା ଲେପନରୁ।
କରାଇ ନାହିଁ ପରତେ ଦୂରରୁ॥ ୧୦॥
-୦-
ଉକ୍ତ କବିତାଟି ଏନ୍‌ବିଟି ଦ୍ୱାରା ୨୦୨୧ ମସିହାରେ ପ୍ରକାଶିତ ତଥା କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ ‘ଦୀନକୃଷ୍ଣ ଦାସଙ୍କ ଶ୍ରେଷ୍ଠ କାବ୍ୟକୃତି’ ପୁସ୍ତକ ‘ରସକଲ୍ଲୋଳ’ କାବ୍ୟର ସପ୍ତଦଶ ଛାନ୍ଦରୁ ସଂଗୃହୀତ।