ନୂଆଗଡ଼ ରାଜା ବିନାୟକ ସିଂହ ମାନ୍ଧାତାଙ୍କୁ ଖଣ୍ଡପଡ଼ାର ରାଜା ନୃସିଂହ ମର୍ଦ୍ଦରାଜ ଭ୍ରମରବର ରାୟ ତାଙ୍କ ରାଜ୍ୟର ରାଜଗିରି ପର୍ବଖୋଲରେ ଏକ ଭୋଜିକୁ ଆମନ୍ତ୍ରଣ କରିଥିଲେ। ଦୁଇ ରାଜା ତ ଦୁଇ ଭାଇ ପରି। କିନ୍ତୁ ଦୁହିଙ୍କ ଦରବାରିଆମାନେ ଦୁହିଁଙ୍କୁ ଊଣା ଅଧିକ କରି ଦେଖନ୍ତି। ନୂଆଗଡ଼ ବଡ଼ରାଜ୍ୟ ହେଲେହେଁ ଭାଇ ହିସାବରେ ଖଣ୍ଡପଡ଼ା ତାଙ୍କୁ ସମାନ କରି ଦେଖନ୍ତି। ବିରାଟ ଭୋଜିର ଆୟୋଜନରେ ନାଚ, ପାଲା, କୀର୍ତ୍ତନ, ପାଇକ ଖେଳ ଆଦି ସବୁ ଯୋଜନା ଥାଏ। ଦରବାରିଆଙ୍କ ଆଖି ମୁଣ୍ଡ ଉପରେ।
ଖଣ୍ଡପଡ଼ା ମର୍ଦ୍ଦରାଜେ ହାତୀରେ ବସି ଘାଟି ପାର ହେଉଥାନ୍ତି। ସାଥିରେ ଶହ ଶହ ଛାମୁଆଁ ପଣ୍ଡିତ, ଖୁଣ୍ଟିଆ, ଦଳବେହେରା ଓ ପାଖଲୋକ ଥାନ୍ତି। ଉଠାଣି ରାସ୍ତାଟିରେ ହାତୀ ଝୁଲିଝୁଲି ଚାଲିଥାଏ। ତାର ଠିକ୍ ତଳକୁ ଏକ ଦଣ୍ଡା ରାସ୍ତାରେ ମାନ୍ଧାତା ତାଙ୍କର ଶହ ଶହ ପରିଜନଙ୍କ ସହିତ ସୁରମ୍ୟ ଏକ ତାମଯାନରେ ଚଢ଼ି ରାଜବିଧିରେ ଯାଉଥାନ୍ତି। ହସରସରେ ନିକାଞ୍ଚନ ବଣ ହସି ଉଠୁଥାଏ।
ଏତିକିବେଳେ ଖଣ୍ଡପଡ଼ାର ପଣ୍ଡିତ ଜଣେ ତାଙ୍କ ରାଜା ମର୍ଦ୍ଦରାଜଙ୍କ ଛାମୁଁରେ ବଡ଼େଇ କରି ମାନ୍ଧାତାଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖି ଗାଇଦେଲେ-
‘ସମୁଚ୍ଚମୁଚ୍ଚୈ ପ୍ରବଦନ୍ତି ସାଧବଃ
ଏଷୋସ୍ତି ସ୍ୱର୍ଗୋପିଚ ପାରିଜାତକଃ।’
ଏହାର ଅର୍ଥ ହେଲା–‘ଅତି ଦୃଢ଼ତାର ସହିତ ମହତ୍ ବ୍ୟକ୍ତିମାନେ କହିଥାନ୍ତି, ଅତି ଉଚ୍ଚରୁ ଉଚ୍ଚତମ ହେଉଛି ସ୍ୱର୍ଗ। ଐରାବତ ବଂଶର ସୁଉଚ୍ଚ ଏକ ହସ୍ତୀ ପାରିଜାତକ ମଧ୍ୟ ଏହି ସ୍ୱର୍ଗ ପରି।’
ଖଣ୍ଡପଡ଼ା ରାଜାଙ୍କର ଦନ୍ତାହାତୀ ନାଁ ପାରିଜାତକ ଥିଲା। ପଣ୍ଡିତଙ୍କ କଥାର ଉଦ୍ଦେଶ୍ୟ ‘ତୁମଠୁ ଆମ ରାଜା କେତେ ଉଚ୍ଚରେ ଏବଂ କେତେ ମହାନ୍ ଅଟନ୍ତି। ଆମେ କେତେ ବଡ଼, ତୁମେ କେତେ ସାନ?’
ମାନ୍ଧାତାଙ୍କ ଦଳ ଏ କଥା ଶୁଣି ଚମକି ପଡ଼ିଲେ। ଯଦୁମଣି ସେ ଦଳରେ ଥାନ୍ତି। ପ୍ରତ୍ୟୁତ୍ପନ୍ନମତି ଯଦୁମଣି ଟିକିଏ ଗଳା ଖଙ୍କାରି ଦେଇ ମଧୁର ଧ୍ୱନିରେ ଗାଇଦେଲେ। ‘ବୋଇଲେ –
‘ନିକିତି ତଉଲ ସାନବଡ଼କୁ
ଭାରୀ ଯେହୁ ସିଏ ହୁଏ ତଳକୁ।’
ଏକଥା ଶୁଣି ଖଣ୍ଡପଡ଼ା ଦଳର ନିଜ ନ୍ୟୂନତା ବୁଝି ଲଜ୍ଜିତ ହେଲେ ଏବଂ ମର୍ଦ୍ଦରାଜଙ୍କ ହାତୀ ଯଦୁମଣିଙ୍କ ନିକିତି ତଉଲ ଶୁଣି ତଳ ରାସ୍ତାକୁ ଖସି ଆସିଲା। ଭାଇ ଭାଇ ମିଶିଗଲେ। ଏହା ଦେଖି ସମସ୍ତେ ଯସୁମଣିଙ୍କୁ ଧନ୍ୟ ଧନ୍ୟ କଲେ। ପଣ୍ଡିତେ ମଧ୍ୟ ଆଶୀର୍ବାଦ କଲେ।
-0-
ଉକ୍ତ ଲେଖାଟି ଦାସ ବ୍ରଦର୍ସ ଦ୍ୱାରା ୧୯୬୫ ମସିହାରେ ପ୍ରକାଶିତ ତଥା ଚକ୍ରଧର ମହାପାତ୍ରଙ୍କ ସଙ୍କଳିତ ‘ଯଦୁମଣି ଗ୍ରନ୍ଥାବଳୀ’ ପୁସ୍ତକରୁ ସଂଗୃହୀତ।