ବଡ଼ ଦୁଃଖରେ ଚଳୁଥିବାରୁ ବୃଦ୍ଧ ବାପାଙ୍କ ସହିତ ଖର୍ଚ୍ଚବାର୍ଚ୍ଚ ଘେନି ଯଦୁମଣିଙ୍କ କଳହ ହୁଏ। ଘରେ ପଇସା ନ ଥାଏ। କାରଣ ରାଜା ଘରର କାମଦାମ ପଡ଼ିଲେ ଅବା ପାଞ୍ଚପଇସା ମିଳେ, ନ ହେଲେ ଗାଁ ଲୋକଙ୍କ ପାଇଟିପତର କରି ଯତ୍-ସାମାନ୍ୟ ରୋଜଗାର ହୁଏ। କିନ୍ତୁ ତାଙ୍କ ପିତା ବୃଦ୍ଧ ମୁକୁନ୍ଦ ମହାପାତ୍ର ପୁଅ ଆସିଲେ ପଇସା ଦେବ କହି ଯାହା ଯେଉଁଠି ଦେଖିଲେ କିଣିପକାନ୍ତି।
ଏହି ଘଟଣାରେ ଦିନେ ପାଚିଲା କଦଳୀ ଦୁଇ ଫେଣା କିଣିବାରୁ ଯଦୁମଣି ବାପାଙ୍କୁ କହିଲେ-‘ଘରେ ନ ଜଳଇ ଚୁଲି ନାଁ ଗାଣ୍ଡିଆଡ଼େ ପାଟଫୁଲି।’ ଏପରି ଅତ୍ୟନ୍ତ ଅପମାନସୂଚକ କଥା କହିବାରୁ ତାଙ୍କ ପିତା ମନଦୁଃଖରେ ରାଜାଙ୍କ ନିକଟରେ ପୁଅ ବିରୁଦ୍ଧରେ ଗୁହାରି କଲେ। ରାଜା ଯଦୁମଣିଙ୍କୁ ସେତେବେଳେକୁ ଚିହ୍ନିଗଲେଣି। ଯେଉଁ ପାରିଷଦମାନେ ଯଦୁମଣି ଦ୍ୱାରା ଲାଞ୍ଛିତ ହୋଇଥିଲେ ସେମାନେ ରାଜାଙ୍କ ମନରେ ଉତ୍ତେଜନା ସୃଷ୍ଟି କରି ବୁଢ଼ାକୁ ବସାଇ ପାଇକ ଦ୍ୱାରା ତାଙ୍କୁ ଡକାଇଲେ।
ଯଦୁମଣି ରାଜାଙ୍କ ଡକରା ବେଳେ ଘରଖରଚ ଚଳାଇବେ ବୋଲି ଷଢ଼େଇ ଫୋଡ଼ୁଥିଲେ ଅଣକ ତିଆରି କରି ବିକିବାକୁ। ପାଇକ ଡକରା ଶୁଣି ତାଳପତ୍ର ଖଣ୍ଡିକରେ ଲେଖି ଦେଲେ, ଲେଖନ ମୂନରେ ପଦଟିଏ। ପାଇକକୁ କହିଲେ ଯେ ତୋତେ ପଠେଇଛି, ତା ହାତରେ ଏହି ପତ୍ରଖଣ୍ଡ ଦେଇଦେବୁ।
ସେଥିରେ ଲେଖାଥିଲା-
‘‘ଅଣକ ଖୋଳୁଛି ପେଟ କଣକ ପାଇଁ
ସଭାରେ ବସିଛି ସେ ଜଣକ ପାଇଁ ।’’
ଏହାର ଅର୍ଥ ହେଲା-ପରିବାରର ପେଟର ସୂକ୍ଷ୍ମାଂଶ ଲାଗି ଅଣକ(ଷଢ଼େଇ ଡଙ୍କି) ଖୋଳୁଛି। ଏଥିରୁ ଅବସ୍ଥା ଜାଣିହେବ। ସେହି ଜଣକ ପାଇଁ ବାପାଙ୍କ ଲାଗି ସଭାରେ କି ରାଜ ଦରବାରରେ ବସିଛି କି ଢୁକିଛି। ବିଚାରର ଜଣେ ଆସାମୀ ହୋଇ ପଡ଼ିଛି। କିନ୍ତୁ କିପରି ଯିବି? ମୁଁ ଗଲେ ସେଇ ଜଣକ ସାଥିକୁ ଏଣେ କୁଟୁମ୍ବ ଯେ ଉପବାସରେ ରହିବେ?
ଏହି କବିତାଟି ପାରିଷଦମାନେ ପାଇ କୁପିତ ହୋଇ ରାଜାଙ୍କୁ ଦେଖାନ୍ତେ, ରାଜା ତାହା ପଢ଼ି ନୀରବ ହେଲେ ଏବଂ ପାରିଷଦମାନଙ୍କୁ ତା ସହିତ ନ ଲାଗିବାକୁ ପରାମର୍ଶ ଦେଇ ମୁକୁନ୍ଦଙ୍କୁ କିଛି ଅର୍ଥ ଓ ସଞ୍ଚାଟିଏ ଦେଇ ବିଦାୟ କରିଥିଲେ।
-0-
ଉକ୍ତ ଲେଖାଟି ଦାସ ବ୍ରଦର୍ସ ଦ୍ୱାରା ୧୯୬୫ ମସିହାରେ ପ୍ରକାଶିତ ତଥା ଚକ୍ରଧର ମହାପାତ୍ରଙ୍କ ସଙ୍କଳିତ ‘ଯଦୁମଣି ଗ୍ରନ୍ଥାବଳୀ’ ପୁସ୍ତକରୁ ସଂଗୃହୀତ।