ନମଇଁ ଦେବ ନିରଞ୍ଜନ
ସକଳ ଦେବ ଅଗ୍ରଗଣ୍ୟ॥
ଯାହାର ଆଜ୍ଞାରେ ତପନ
ଆଲୋକ କରଇ ପ୍ରଦାନ॥
ସପ୍ତସାଗର ମହୀଧର
କୂଳ ନ ଲଙ୍ଘି ରହେ ସ୍ଥିର॥
ଯାର ସଦୟେ ଜୀବଗଣ
ସୁଖେ କରନ୍ତି ବିଚରଣ॥

ସେ ଦେବଙ୍କ ପୟର
ପ୍ରଣାମ ଶର ସସ୍ରବାର॥
କରିଣ ଜଣାଉଛି ଏତେ
ଶିବ ଯେ ଶିବାଙ୍କ ଅଗ୍ରତେ॥
ଯେ ଗୂଢ଼ ଯାନ ଥିଲେ କହି
ତା ନାମ ତୁଳଭିଣା ହୋଇ॥
ପ୍ରକାଶ କରିବି ତା ଗୀତେ
ସୁଜନ ଜନଙ୍କ ହିତେ॥

ହେ ପ୍ରଭୁ ତୁହି ଯେ କରୁଣା
ନ କରି ମୋହଠାରେ ଊଣା॥
କିଞ୍ଚିତେ ମୋତେ ଦୟାକର
ଏହି ଯେ ପ୍ରାର୍ଥନା ମୋହର॥

ପାର୍ବତୀ ଉବାଚ

ବୋଲନ୍ତି ହୀମବନ୍ତି ଜେନା
ଭୋ ନାଥ କୁହ ତୁଳାଭିଣା॥
କେମନ୍ତ ହୋଇଲା ସଂସାର
ମନୁ ସଂଶୟ ଦୂରକର॥

ଈଶ୍ୱର ଉବାଚ

ମହାଶୂନ୍ୟ ଯେ ଜ୍ୟୋତିରୂପ
ଜ୍ୟୋତିରୁ ଜାତ ଠୁଳ ରୂପ॥
ଠୁଳରୁ ଅର୍ଦ୍ଧ ମାତ୍ରା କଲା
ମାତ୍ରାରୁ ଓଁକାର ଜନ୍ମିଲା॥
ଓଁ କାର ବ୍ରହ୍ମ ଏ ଜଗତ
ଶୁଣ ପାର୍ବତୀ ଦେଇ ଚିତ୍ତ॥
ପାର୍ବତୀ ଶୁଣି ତୋଷ ହେଲେ
ଈଶ୍ୱର ପାଦରେ ମିଳିଲେ॥

ପାର୍ବତୀ ଉବାଚ

ଶୁଣି ପାର୍ବତୀ ତୋଷ ହେଲେ
ପୁଣି ଶିବଙ୍କୁ ନିବେଦିଲେ॥
ଯାହା କହିଲ ବିଶ୍ୱନାଥ
ଶୁଣି ସନ୍ତୋଷ ନୁହେଁ ଚିତ୍ତ॥
ଓଁ କାର ବ୍ରହ୍ମଟି ଜଗତ
କିପରି ହେଲା କୁହ ସତ୍ୟ॥

ଈଶ୍ୱର ଉବାଚ

ଶୁଣ ତୁ ମୋର ପ୍ରିୟତମା
ତୋତେ କହିବା ତୁଳାଭିଣା॥
ଆନକୁ ନ କହନ୍ତି ମୁହିଁ
ତୁ ମୋର ପଞ୍ଚପ୍ରାଣ ସହୀ॥
ଅଣକାର ଯେ ଜ୍ୟୋତି ରୂପ
ସେଠାରେ ନାହିଁ ରୂପରେଖ॥

ଧୂମ୍ର ବର୍ଣ୍ଣର ପ୍ରାୟ ଦିଶେ
ଅନ୍ଧକାରଟି ସେ ପ୍ରକାଶେ॥
ବ୍ରହ୍ମାଣ୍ଡ ଅନ୍ଧକାର ହୋଇ
ଜ୍ୟୋତି ରୂପରେ ଥିଲା ରହି॥
ସେଠାରୁ ଓଁକାର ଜନ୍ମିଲା
ଓଁ କାରରୁ ସକାର ଯେ ହେଲା॥

ସକାରୁ ହୋଇଲା ମକାର
ମକାରୁ ଜନ୍ମିଲା ରାକାର॥
ଅନ୍ଧକାରଟି ଗୁପ୍ତ ହେଲା
ଓଁ କାର ବ୍ରହ୍ମ ପ୍ରକାଶିଲା॥
ଏମନ୍ତେ ହୋଇଲା ଦିବସ
ଦିବସୁ ଜଗତ ପ୍ରକାଶ॥
ଅର୍ଥରେ ବେ କହିଦେବା
ତୋ ମନୁ ସଂଶୟ ଫେଡ଼ିବା॥

ପାର୍ବତୀ ଉବାଚ

ପୁଣି ଗୋ ପଚାରନ୍ତି ଉମା
ଭୋ ନାଥ କହ ତୁଳାଭିଣା॥
ମହାମନ୍ତ୍ର ଯେ ତତ୍ତ୍ୱସାର
କହିବ ତହିଁର ବିଚାର॥
କାହାକୁ ମହାମନ୍ତ୍ର କହି
ତ୍ରୟ ବୀଜଟି କେ ବୋଲାଇ॥

ମହାମନ୍ତ୍ରର ପିତାମାତା
କେତେ ଅକ୍ଷରରେ ଗଣିତା॥
ସ୍ତିରୀ କେ ପୁରୁଷ କେ ହେଲା
କେମନ୍ତେ କାହୁଁ ସେ ଜନ୍ମିଲା॥
ଏହି ସକଳ ଭେଦ ଯେତେ
ସନ୍ତୋଷେ କହ ମୋ ଅଗ୍ରତେ॥

ଈଶ୍ୱର ଉବାଚ

ଶୁଣ ପାର୍ବତୀ ଦେଇ ମନ
ତୋତେ କହିବା ବ୍ରହ୍ମ ଜ୍ଞାନ॥
ମହାମନ୍ତ୍ରର ତତ୍ତ୍ୱ ଭେଦ
ଉତ୍ପତ୍ତି ସ୍ଥିତି ତତ୍ତ୍ୱବୋଧ॥
ଯେତେ ପ୍ରସନ୍ନ କଲୁ ତୁହି
ଆନକୁ ନ କହନ୍ତି ମୁହିଁ॥

ତୋତେ ଗୋ କହିବି ପାର୍ବତୀ
ତୁ କାହିଁ ନ କରିବୁ ଖ୍ୟାତି॥
ଅବ୍ୟକ୍ତ ବ୍ରହ୍ମଶୂନ୍ୟ ଜ୍ୟୋତି
ତା ତହୁଁ ବିନ୍ଦୁ ଉତପତି॥
ସେ ବିନ୍ଦୁ ଶୂନ୍ୟେ ଅଛି ରହି
ଅର୍ଦ୍ଧ ମାତ୍ରାଟି ଅଛି ବହି॥
ମାତ୍ରାର ତଳେ ସେ ଓଁକାର
ତହୁଁ ସେ ତ୍ରିଗୁଣ ବିଚାର॥

ଓଁକାରୁ କ୍ଲୀୟଂ ଜାତ ହେଲା
କ୍ଲୀୟଂରୁ ଶ୍ଲୀୟଂ ଜନ୍ମ ହେଲା॥
ବିରାଟ ସୁରାଟ ମୁରାଟ
ଏ ତିନିକ୍ଷରେ ପାଉ ଭେଟ॥
କ୍ଲୀୟଂ ଅକ୍ଷରଟି ବିରାଟ
ହ୍ଲୀୟଂ ଅକ୍ଷରଟି ମୁରାଟ॥
ଶ୍ଲୀୟଂ ଅକ୍ଷରତି ସୁରାଟ
ଏମନ୍ତେ ତିନି ଅକ୍ଷର ଶ୍ରେଷ୍ଠ
ସକଳ ମନ୍ତ୍ର ଯନ୍ତ୍ର କହି
ଏ ତିନି ଅକ୍ଷର ମିଶାଇ।

କ୍ଲୀୟଂରୁ କୃଷ୍ଣ ଜାତ ହୋଇ
ଶ୍ଲୀୟଂରୁ ରାମ ବେନି କହି॥
ହ୍ଲୀୟଂରୁ ହରେ ବେନିକ୍ଷର
ଏ ଷଡ଼ ଅଷର ବିଚାର॥
ଏ ଷଡ଼ାକ୍ଷର ମହାମନ୍ତ୍ର
ଶୁଣ ଏହାଙ୍କ ତାତ ମାତ॥

-୦-
ଉକ୍ତ କବିତାଟି ଧର୍ମଗ୍ରନ୍ଥ ଷ୍ଟୋର୍‌ ଦ୍ୱାରା ପ୍ରକାଶିତ ଭକ୍ତକବି ଜଗନ୍ନାଥ ଦାସଙ୍କ କୃତ ତୁଳାଭିଣା କାବ୍ୟର ପ୍ରଥମ ଅଧ୍ୟାୟରୁ ସଂଗୃହୀତ।

କବିଙ୍କ ବିଭିନ୍ନ ରଚନା ମଧ୍ୟରୁ ତୁଳାଭିଣା କାବ୍ୟ ଏକ ସ୍ୱତନ୍ତ୍ର ରଚନା। ଶିବ ଓ ପାର୍ବତୀଙ୍କ କଥୋପକଥନ ମାଧ୍ୟମରେ ଉତ୍କଳୀୟ ବୈଷ୍ଣବ ଧର୍ମର ଗୂଢ଼ ତତ୍ତ୍ୱ, ଯୋଗ ସାଧନା ଏବଂ ଜୀବନ ଦର୍ଶନ ବିଷୟରେ ଆଲୋଚନା କରାଯାଇଛି।