ଯସୁମଣିଙ୍କ ଗାଁ ‘ଇଟାମାଟିରେ’ ତେଲିସାହିର ନିଧି ମହାପାତ୍ର ଜଣେ ତେଲି ମହାଜନ। ସେ ନିଜକୁ ଜଣେ ଧର୍ମପ୍ରାଣ ବ୍ୟକ୍ତି ବୋଲି ରାଜାଙ୍କ ନିକଟରେ ନାନା ଘଟଣାରେ ପରିଚୟ ଦେଇ ବହୁତ ଟଙ୍କା ରାଜକୋଷରୁ ଲାଭକଲା। ଏଣେ ରାଜାଙ୍କ ନାଁରେ ବକଲମ ଚଲାଇ ଗାଁ ଗାଁରୁ ବେଠି ବାଡ଼େଇ ଗୋଟିଏ ଠାକୁର ମଣ୍ଡପ ତିଆରି କରାଇଲା। ସମୟ କ୍ରମେ ସେହି ମଣ୍ଡପଟି ନିଧି ମହାପାତ୍ର ନାମରେ ପ୍ରତିଷ୍ଠା କରାହେଲା।
ରାଜଦ୍ୱାରକୁ ସମସ୍ତେ ତ ଯା-ଆସ କରନ୍ତି ନାହିଁ। ଭିତର କଥା କିଏ ଜାଣୁଛି। ଯେଉଁ ଜଣକର ହଳଶଗଡ଼ ଅଛି ତାଙ୍କୁ ହୁକୁମ ଶୁଣାଏ ‘ହେ ନିଶଙ୍କ, ଛାମୁତ ହୁକୁମ ଦେଇଛନ୍ତି, ତୁମେ ଦଶ ଗାଡ଼ି ବାଲି ବୋହିଦବ। ସେପରି ଆଉଜଣକୁ କହେ, ତୁମେ ପଚିଶି ଗାଡ଼ି ପଥର ବୋହିଦବ। ଦେଉଳ ପ୍ରତିଷ୍ଠା ସରିଲେ ମଧ୍ୟ ବେଠି କମିଲା ନାହିଁ। ସେ ନିଜର ଆବଶ୍ୟକତା ଘେନି ଠାକୁରଙ୍କ ନାଁରେ ବେଠି ଚଲାଇ ଥାଏ। ଏ ଘଟଣାରେ ବହୁ ଲୋକ ଉତ୍ତ୍ୟକ୍ତ ହୋଇଗଲେ। କିନ୍ତୁ କେହି କିଛି ମାତ୍ର ପ୍ରତିକାର କରି ପାରିଲେ ନାହିଁ। ଯଦୁମଣି ଏ ଘଟଣାରେ ଏକାନ୍ତ ବିବ୍ରତ ହୋଇ ଗୋଟିଏ କବିତା ରଚନା କରି ହୁରିଆ ପିଲାଙ୍କୁ ଶିଖାଇ ଦେଲେ। ପିଲାଏ ସେ ଗୀତ ସଞ୍ଜ , ସକାଳ ଓ ଦିପହରେ ଚାରିଆଡ଼େ ଗାଇ ଚାଲିଲେ।
‘ସରିଲା ରାଜାଙ୍କ ଗଣ୍ଠି
ପରଜାଏ କଲେ ବେଠି
ଏମନ୍ତ ମଣ୍ଡପ ପ୍ରତିଷ୍ଠା ଚାଉଳ
ତେଲି ମୁଣ୍ଡେ ହେଲା ବୃଷ୍ଟି।
ଦାଣ୍ଡିକି ଦାଣ୍ଡି
ତେଲି ଘଣା ତଳେ ମଣ୍ଡପ ଦାଣ୍ଡ
ଦକ୍ଷିଣ ସାହିରେ ହାଟ
ଉତ୍ତର ସାହିରେ ମାଳୀ କଟାଘର
ବସି କାଟୁଥାଏ କାଠ।’
ଏହି ବ୍ୟଙ୍ଗ କବିତାରେ ନିଜର ନିରନ୍ତର ଅପମାନ ହେବାର ଦେଖି ନିଧି ମହାପାତ୍ର ଦୁର୍ବାସାପରି ମୁଣ୍ଡରୁ ବାଳ ଛିଣ୍ଡେଇ ରାଜଦ୍ୱାରରେ ଫେରାଦି ହେଲେ। ଫଳରେ ଯଦୁମଣିଙ୍କୁ ତଲବ କରାଗଲା; କିନ୍ତୁ ବିଚାରରେ ଶହ ଶହ ଲୋକ ଜମାହୋଇ ଯେଉଁ ସାକ୍ଷ୍ୟ ଦେଲେ, ସେଥିରେ ନିଧି ମହାପାତ୍ରକୁ ଛାମୁଁ ମନାହେଲା। ପ୍ରଜା ବେଠିରୁ ତ୍ରାଣ ପାଇଲେ। ଏମନ୍ତ କି ନିଧି ମହାପାତ୍ର ଜମି ବିକି ରାଜଦଣ୍ଡରୁ ବରଷକରେ ମୁକୁଳିଲେ। ତାଙ୍କ ଅଙ୍ଗରୁ ଗୋପୀ ତିଳକର ଦ୍ୱାରକା ଛାପା କୁଆଡ଼େ ଲିଭିଗଲା।
-୦-
ଉକ୍ତ ଲେଖାଟି ଦାସ ବ୍ରଦର୍ସ ଦ୍ୱାରା ୧୯୬୫ ମସିହାରେ ପ୍ରକାଶିତ ତଥା ଚକ୍ରଧର ମହାପାତ୍ରଙ୍କ ସଙ୍କଳିତ ‘ଯଦୁମଣି ଗ୍ରନ୍ଥାବଳୀ’ ପୁସ୍ତକରୁ ସଂଗୃହୀତ।