(ରାଗ-କଲ୍ୟାଣ ପଡ଼ିତାଳ)

ଏଥୁ ଅନନ୍ତରେ ସୁସାଧୁ ଜନେ
ଆନନ୍ଦ ମନ ହୋଇ ଏକତାନେ।
ଉଲାଗି ହୋଇ ସନ୍ଧ୍ୟାଧୂପ ବେଶ
ବଡ଼ ଶିଙ୍ଘାରେ ବିଜେ ଜଗଦୀଶ।

ବିଚିତ୍ର ବାସ କର୍ପୂର ହେଉଛି
ବିଚିତ୍ରେ ଲାଗି ହୁଅନ୍ତି ସେ କାଛି।
ଏଥି ଉତ୍ତାରୁ ଚତୁସମ ଲାଗି
ଚାହୁଁ ଯେ ଥାନ୍ତି ଲୋକେ ଯାହା ଜଗି।

ଚିତ୍ତରେ ହୋଇଥାଉଁ ଯେଉଁ ସୁଖ
ମନ ଜାଣଇ ଜାଣେ ପଦ୍ମମୁଖ।
ଛଇଳବର ପଣରେ କେ ସରି
ପରିହରଣ ଝୀନ ପତନି କରି।

ଅନେକ ଫୁଲ ଅନେକ ପ୍ରକାରେ
ଆସି ଯେ ଥାଇ ଅନେକ ଯତ୍ନରେ।
ଅନେକ ପ୍ରକାରେ ତାଙ୍କ ବାସନା
ଏ ଘେନି ଶ୍ରୀଅଙ୍ଗେ ଲାଗନ୍ତି ସିନା।

ଆହା ସେ ଧନ୍ୟ କର୍ପୂର ଜାଇ
ଅଧର ତଳେ କି ଭାଗ୍ୟରୁ ଥାଇ।
କେ ରହେ ଶିରେ କେ ରହେ ହୃଦରେ
କେ ରହେ ଲଲାଟ ପଟ ତଟରେ।

କେ ଯାଇ ଲାଗେ ଅଭୟେ ଚରଣେ
କେ ରହେ କରେ ସୁବାସନ ଗୁଣେ।
କାହିଁକି ତପ କଲେ ସେ ସୁମନେ
କୈବଲ୍ୟ ଦାନୀ ଘେନନ୍ତି ସୁମନେ।

ଏକେ ଛଇଳ ଫୁଲ ବିନୋଦିଆ
ଫୁଲ ବେଶରେ ଫୁଲୁ ଥାଇ ହିଆ।
ଫୁରୁଣାରେ ଲୋକେ ନେତ୍ର ଭ୍ରମର
ପାଇ ଲୋଭେ ଚୁମ୍ବି ନୋହେ ଅନ୍ତର।

ଫୁଲରେ ଅତି ବଡ଼ ସରାଗ
ନାନାରୂପେ ଫୁଲେ କରନ୍ତି ଭୋଗ।
ଗର୍ଭକୁ ଆଦି ବେଷ୍ଟିତ ଲମ୍ବିତ
ଚୂଳମାଳରେ ସହଜେ ବିଦିତ।

ଫୁଲରେ ଚାରିବିଧି ଆଭରଣ
ଆବିଧ ବନ୍ଧ ଆରୋପ କ୍ଷେପଣ।
ଫୁଲର ଭାବ ଜାଣନ୍ତି ସେହି
ଫୁଲକୁ ୟେଡ଼େ କରିଅଛି ବିହି।

ଫୁଲ କୁଣ୍ଡଳ, ଫୁଲରେ ମୁକୁଟ
ଫୁଲ ଅଙ୍ଗଦ କଙ୍କଣ ପ୍ରକଟ।
ଫୁଲେ ଫୁଲେ ହାର ପଦକ ଶୋହେ
ଫୁଲ ଅଳଙ୍କାର ଜଗତ ମୋହେ।

-୦-

ଉକ୍ତ କବିତାଟି ଏନ୍‌ବିଟି ଦ୍ୱାରା ୨୦୨୧ ମସିହାରେ ପ୍ରକାଶିତ ତଥା କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ ‘ଦୀନକୃଷ୍ଣ ଦାସଙ୍କ ଶ୍ରେଷ୍ଠ କାବ୍ୟକୃତି’ ପୁସ୍ତକ ‘ଜଗମୋହନ ଛାନ୍ଦ’ କାବ୍ୟର ତୃତୀୟ ଛାନ୍ଦରୁ ସଂଗୃହୀତ।