ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସାହିତ୍ୟ ପତ୍ରିକାର ଉପଯୋଗିତା

ଜ୍ଞାନ ମନୁଷ୍ୟ ଜାତିର ବିଷେଷତ୍ୱ ଏବଂ ସର୍ବାପେକ୍ଷା ଅଧିକ ସ୍ପୃହଣୀୟ। ଏହି ଜ୍ଞାନ ଲାଭ କରିବାର ନାନା ଉପାୟ ଅଛି। ଉକ୍ତ ଉପାୟମାନଙ୍କୁ ଦୁଇଟି ପ୍ରଧାନ ଭାବରେ ଭିଭକ୍ତ କରାଯାଇପାରେ:-ଅବୁଭବ ଓ ଅଧ୍ୟୟନ। ଅଭିନିବେଶ ଓ ବିଚାର ସହକାରେ ଉକ୍ତ ଉଭୟ ଉପାୟରେ ଲବ୍ଧ ଜ୍ଞାନ ମାର୍ଜିତ ଓ ପୁଷ୍ଟ ହୋଇଥାଏ। ପ୍ରତ୍ୟେକ ଉପାୟ ଅପରର ସାହାଯ୍ୟ ସମ୍ପାଦନ କରେ। ଅଧ୍ୟୟନ ଦ୍ୱାରା ଅନ୍ୟୋପାର୍ଜିତ ଜ୍ଞାନ ଯେପରି ଲାଭ କରାଯାଏ, ସେହିପରି ଅନୁଭବ ଓ ପରିଦର୍ଶନର ପ୍ରଣାଳୀ ମଧ୍ୟ ଶିକ୍ଷା କରାଯାଏ।

ସଂସାରରେ ମନୁଷ୍ୟ ନିଜେ ସବୁ କରିପାରେ ନାହିଁ। ଅନେକ ବିଷୟରେ ଜାଣି ଅବା ନ ଜାଣି ସେ ଅନ୍ୟର ସାହାଯ୍ୟ ଗ୍ରହଣ କରେ। ଜ୍ଞାନ-ଲାଭ ବିଷୟରେ ମଧ୍ୟ ସେହିପରି ଲୋକ ଅପର ମୁଖରୁ ଶୁଣି ନୂତନ ବିଷୟ ଶିକ୍ଷା କରେ, ଅଥବା ପୂର୍ବବର୍ତ୍ତୀ ସମସାମୟିକ ଜ୍ଞାନୀମାନେ ସ୍ୱରଚିତ ଗ୍ରନ୍ଥାଦିରେ ଯେଉଁ ଜ୍ଞାନ ସଞ୍ଚୟ କରି ରଖିଥାନ୍ତି, ତାହା ଗ୍ରହଣ କରେ। ଦିଓଟି ଉପାୟରେ ଲିପିବଦ୍ଧ ଜ୍ଞାନ ଅର୍ଜନ କରାଯାଇପାରେ। ପୋଥି ବା ପୁସ୍ତକ ଓ ପତ୍ରିକା ଉଭୟରୁ ହିଁ ଜ୍ଞାନ ଲାଭ କରାଯାଇପାରେ। ତଥାପି ଦୁହିଁଙ୍କ ମଧ୍ୟରେ କିଞ୍ଚିତ୍‌ ପ୍ରଭେଦ ଅଛି।

ଖଣ୍ଡିଏ ପୁସ୍ତକରେ ସାଧାରଣତଃ ଗୋଟିଏ ବିଷୟରେ ଆଲୋଚନା କରାଯଇଥାଏ। କିନ୍ତୁ ଖଣ୍ଡିଏ ପତ୍ରିକାରେ ନାନା ବିଷୟରେ ଆଲୋଚନା ଥାଏ, ସୁତରାଂ ଖଣ୍ଡିଏ ପତ୍ରିକା-ପାଠରୁ ନାନା ପୁସ୍ତକ-ପାଠର ଜ୍ଞାନ ନ୍ୟୂନାଧିକ ପରିମାଣରେ ମିଳେ। ପୁଣି, ପାଞ୍ଚଖଣ୍ଡ ପୁସ୍ତକ କିଣିବା ଅସମ୍ପନ୍ନ ଲୋକ ପକ୍ଷରେ କଠିନ ହୋଇପାରେ। ଅଥର ପତ୍ରିକା ଖଣ୍ଡିଏ କିଣିବା ସେତେଦୂର କଠିନ ନ ହୋଇପାରେ। ପତ୍ରିକା ଖଣ୍ଡିକରେ ନାନା ବିଷୟକ ପ୍ରବନ୍ଧର ସମାବେଶ ଥିବାରୁ ବିଷୟ-ପରିବର୍ତ୍ତନ କିୟତ୍‌ ପରିମାଣରେ ମାନସିକ କ୍ଳାନ୍ତି ନିବାରଣ କରେ ଓ ଆଗ୍ରହ ସଞ୍ଚାର କରେ। ଭୋଜନ, ଦର୍ଶନ, ଶ୍ରବଣ ପ୍ରଭୃତି ବିଷୟରେ ନବୀନତା ବା ପରିବର୍ତ୍ତନର ଫଳ କିପରି ରୁଚିକର, ଅନେକେ ଅନୁଭବ କରିଥିବେ।

ପ୍ରବନ୍ଧ ସମ୍ବନ୍ଧରେ ମଧ୍ୟ ତଦ୍ରୂପ। ଏକାଧିକ ବ୍ୟକ୍ତି ମିଳିତ ହୋଇ ଖଣ୍ଡିଏ ପତ୍ରିକାର ଗ୍ରାହକ ହେବା ଅନେକ ସ୍ଥଳେ ଦେଖାଯାଏ। କିନ୍ତୁ, ଏକାଧିକ ବ୍ୟକ୍ତି ମିଳିତ ହୋଇ ଖଣ୍ଡିଏ ପୁସ୍ତକ ବା ପତ୍ରିକା କ୍ରୟ କରି ପଢ଼ିବାର ଉଦାହରଣ ବିରଳ। ପୁସ୍ତକପାଠରେ କୌଣସି ପାଠକ ଯେଉଁ ଆୟାସ ଅନୁଭବ କରନ୍ତି, ପତ୍ରିକା-ପାଠରେ ତାହା ସେତେ ପରିମାଣରେ ଅନୁଭୂତ ହୁଏ ନାହିଁ। ଏହା ବୋଲି ପୁସ୍ତକ-ପାଠ ହେୟ ଓ ପତ୍ରିକା-ପାଠ ହିଁ ଉପାଦେୟ, ଏହା ବୋଲିବା ଆମ୍ଭମାନଙ୍କ ଅଭିପ୍ରାୟ ନୁହେଁ। ପୁସ୍ତକ-ପାଠର ମଧ୍ୟ ଉପଯୋଗିତା ଅଛି, କିନ୍ତୁ ତାହା ଅଦ୍ୟ ଆଲୋଦ୍ୟ ବିଷୟ ନୁହେଁ।

ପତ୍ରିକା-ପାଠର ଆଉ କେତେକ ସୁଫଳ ଏଠାରେ ଉଲ୍ଲେଖ କରାଯାଉଛି। ପାଠକମାନଙ୍କ ମଧ୍ୟରୁ କାହାରି ମନରେ ରଚନାତ୍ମକ ପ୍ରବନ୍ଧର ପ୍ରଭାବ ସହଜରେ ଅଙ୍କୁରିତ ହୁଏ। ପୁସ୍ତକ-ପାଠରେ ସେପରି ହେଉଥିବାର ଦେଖାଯାଏ ନାହିଁ। ଏପରି ପାଠକ, ତନ୍ମଧ୍ୟରେ ବିଶେଷତଃ ତରୁଣ ବୟସ୍କ ପାଠକ, ପ୍ରବନ୍ଧ ସହିତ ଲେଖକର ନାନା ଲିପିବଦ୍ଧ ଦେଖିବାକୁ ଅଭିଳାଷୀ ହୋଇ ରଚନାର ‘ସିଦ୍ଧିରସ୍ତୁ’ ଆରମ୍ଭ କରିଥାନ୍ତି। ଏପରି ଅଭିଳାଷ ସାହିତ୍ୟ-ବିକାଶର ଅନୁକୂଳ, ଏଣୁ ସମ୍ବୋଧନୀୟ।

ସତ୍ୟତଃ ଦେଶମାନଙ୍କରେ ନବୀନ ବକ୍ତା ଓ ଲେଖକମାନେ ଏହିପରି ବକ୍ତୃତା ଓ ରଚକତାର ମୁଳପତ୍ତନ ଶିକ୍ଷା କରି ପରିଣାମରେ ପ୍ରବୀଣ ସ୍ଥପତିତ୍ୱର ଲକ୍ଷଣ ପ୍ରଦର୍ଶନ କରିଅଛନ୍ତି। ଏହି ପତ୍ରିକାମାନ ପ୍ରଧାନତଃ ଦୁଇ ଶ୍ରେଣୀର ବିଭକ୍ତ। ଏକ ଶ୍ରେଣୀରେ ଦୈନିକ ଓ ସାପ୍ତାହିକ ପତ୍ରିକାମାନ, ଅପର ଶ୍ରେଣୀରେ ମାସିକ ପ୍ରଭୃତି। ଉଭୟେ ଗୁରୁ କିନ୍ତୁ ଭିନ୍ନ ଭିନ୍ନ ଭାବରେ। ଦୈନିକ ଓ ସାପ୍ତାହିକ ପତ୍ରିକା ସାମୟିକ ସମ୍ଭାଦରେ ଓ ସାମୟିକ ଘଟନାମାନଙ୍କର ଆଲୋଚନାରେ ପୂର୍ଣ୍ଣ। ଅପରିବିଧ ପତ୍ରିକାରେ ଉଚ୍ଚତର ବିଷୟର ଆଲୋଚନା ଲିପିବଦ୍ଧ ହୋଇଥାଏ।

ଏହି ଅପର ଶ୍ରେଣୀର ପତ୍ରିକା ମଧ୍ୟରେ ମାସିକ ପତ୍ରିକାର ସଂଖ୍ୟା ଓ ପ୍ରଚାର ଅଧିକ। ମାସିକ ପତ୍ରିକା ବିଜ୍ଞାନ, ଇତିହାସ ଓ ସାହିତ୍ୟର ଅନ୍ତର୍ଗତ ଅନ୍ୟାନ୍ୟ ବିଷୟରେ ଲୋକମାନଙ୍କୁ ଅଳ୍ପଶଃ ଶିକ୍ଷାଦିଏ, ଏବଂ ଶିକ୍ଷିତ ମଣ୍ଡଳୀର ସାହିତ୍ୟଲାଳସା କିୟତ୍‌ ପରିମାଣରେ ତୃପ୍ତ କରେ। ମାସିକ-ପତ୍ର ସାହିତ୍ୟ-ବିକାଶର ନାୟକ ଏବଂ ତାହା ସମାଜର ସାହିତ୍ୟ-ବୃଦ୍ଧିର ପରିଚାୟକ।
-୦-
ଏହି ପ୍ରବନ୍ଧଟି ଗ୍ରାମସେବକ ସମବାୟ ପ୍ରକାଶନ, କଟକ ପକ୍ଷରୁ ଅନ୍ନପୂର୍ଣ୍ଣା ମହାରଣା ଓ ଶରତ୍‌ଚନ୍ଦ୍ର ମହାରଣାଙ୍କ ଦ୍ୱାରା ପ୍ରକାଶିତ ‘ଚନ୍ଦ୍ରମୋହନ ଗ୍ରନ୍ଥାବଳୀ’ରୁ ସଂଗୃହୀତ। ଏହି ଲେଖାଟି ଉତ୍କଳ ସାହିତ୍ୟ ପତ୍ରିକାର ପ୍ରଥମ ଭାଗ, ପ୍ରଥମ ସଂଖ୍ୟା-୧୮୯୭ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା।

ପାଠକୀୟ ଆଦୃତି

18 ଦୃଷ୍ଟି ଆକର୍ଷଣ
୦ ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଚନ୍ଦ୍ରମୋହନ ମହାରଣା

ଓଡ଼ିଆ ସାହିତ୍ୟର ଏକ ବହୁ ପରିଚିତ ନାମ ମଧ୍ୟରେ ଚନ୍ଦ୍ରମୋହନ ମହାରଣା(୧୮୭୦-୧୯୨୯) ନ ଥିଲେ ମଧ୍ୟ ତାଙ୍କର ଲେଖାର ସ୍ବତନ୍ତ୍ର ବିଶେଷତ୍ବ ରହିଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ମହାରଣାଙ୍କ ଉଦ୍ୟମ ଅନସ୍ବୀକାର୍ଯ୍ୟ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ନବୋଦ୍ୟମ’, ସହିତ ତାଙ୍କ ରଚିତ ପାଠ୍ୟପୁସ୍ତକ ମଧ୍ୟରେ ‘କଥାବଳି-ପ୍ରଥମ ଓ ଦ୍ୱିତୀୟ ଭାଗ’, ‘ଓଡ଼ିଆ ବ୍ୟାକରଣ-ପ୍ରଥମ ଓ ଦ୍ୱିତୀୟ ଭାଗ’ ସହିତ‘ରଚନା ଶିକ୍ଷା’ ଆଦି ଓଡ଼ିଆ ସାହିତ୍ୟ ପାଇଁ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସୃଷ୍ଟି।

ସେତେବେଳର ଅନେକ ପରିଚିତ ସାରସ୍ୱତ ସାଧକମାନଙ୍କୁ ନେଇ ୧୮୯୩ ମସିହାରେ ଗଠିତ ‘ଆଲୋଚନା ସଭା’ର ପ୍ରଥମ ସମ୍ପାଦକ ଥିଲେ ଚନ୍ଦ୍ରମୋହନ ଏବଂ ସଭାପତି ଥିଲେ ମଧୁସୁଦନ ରାଓ। ଏହି ଅନୁଷ୍ଠାନଟି ପରବର୍ତ୍ତୀ ସମୟରେ ୧୯୦୩ ମସିହାରେ ‘ଉତ୍କଳ ସାହିତ୍ୟ ସମାଜ’ ନାମରେ ନାମିତ ହୋଇଥିଲା। ଏହି ଅନୁଷ୍ଠାନର ଅନେକ ବୈଠକରେ ଚନ୍ଦ୍ରମୋହନ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କୀତ ନିଜ ରଚିତ ଅନେକ ଉପାଦେୟ ପ୍ରବନ୍ଧ ପାଠ କରିଥିଲେ।

ଅଧ୍ୟୟନଠାରୁ ଆରମ୍ଭ କରି ଅଧ୍ୟାପନା, ପରିଦର୍ଶନ, ରଚନା-ପଦ୍ଧତି, ଭାଷା ପ୍ରୟୋଗ ଆଦି କ୍ଷେତ୍ରରେ ସେ ଅନେକ କାର୍ଯ୍ୟ କରିଛନ୍ତି। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶେଷ କରି ପାଠ୍ୟ ପୁସ୍ତକ କ୍ଷେତ୍ରରେ ସୁଧାର ନିମନ୍ତେ ଚନ୍ଦ୍ରମୋହନ ଅନେକ ପାଠ୍ୟପୁସ୍ତକ ରଚନା କରିଥିଲେ। ଘରପୋଡ଼ିରେ ତାଙ୍କର ୩୦/୩୫ଟି ପାଣ୍ଡୁଲିପି ପୋଡ଼ି ନଷ୍ଟ ହୋଇଯାଇଥିବାରୁ ତାଙ୍କର ଅନେକ କୃତି ଲୋକ ଲୋଚନକୁ ଆସି ପାରିନାହିଁ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଓଡ଼ିଆ ଭାଷାରେ କେତେକ ବିଭ୍ରାଟ

ଅନେକ ଲେଖାରେ ଓ ଛାପାରେ ଚନ୍ଦ୍ରବିନ୍ଦୁଯୁକ୍ତ ଉଚ୍ଚାରଣବିଶିଷ୍ଟ ଅକ୍ଷରମାନଙ୍କ ଉପରେ ଚନ୍ଦ୍ରବିନ୍ଦୁଯୁକ୍ତ ଉଚ୍ଚାରଣବିଶିଷ୍ଟ ଅକ୍ଷରମାନଙ୍କ ଉପରେ ଚନ୍ଦ୍ରବିନ୍ଦୁ ଚିହ୍ନ ଦିଆଯାଉ ନଥିବା ଦେଖାଯାଏ।

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP