ଅଷ୍ଟାଦଶବର୍ଷୀୟ ଯୁବକ ପ୍ରାଙ୍ଗଣରେ ବସି ବନ୍ଧୁକ ଖଣ୍ଡିଏ ସଜାଡ଼ୁଅଛି। ମାତାଙ୍କ ଆଦେଶ ଅନୁସାରେ ବନକୁ ଶିକାର କରିବାକୁ ଯିବାପାଇଁ ଉଦ୍ୟତ।
ଦ୍ରୁତପଦରେ ଜଣେ ରାଜପୁତ୍ ସୈନିକ ଆସି ସେଠାରେ ପହଞ୍ଚି ଅତି କାତର ସ୍ୱରରେ କହିଲେ,‘‘ଶତ୍ରୁ ଭୟରେ ମୁଁ ପଳାଇ ଆସିଛି, ମୋର ପ୍ରାଣ ବଞ୍ଚାଅ, ଦୁଇଜଣ ଅଶ୍ୱାରୋହୀ ପଛେ ପଛେ ଦୌଡ଼ୁଛନ୍ତି, ଏହିକ୍ଷଣି ପହଞ୍ଚିଯିବେ, କେଉଁଠି ଲୁଚିଯିବି ଶୀଘ୍ର ଦେଖାଇ ଦିଅ।’’
ବାଳକଟି ଅତି ତେଜସ୍ୱୀ, ଭୀଲ ସର୍ଦ୍ଦାରର ପୁତ୍ର; ପିତା କୃଷି କ୍ଷେତ୍ରରେ କାର୍ଯ୍ୟ କରିବାକୁ ସକାଳୁ ଯାଇଅଛନ୍ତି, ଘରେ ମାତା ପୁତ୍ର ଦୁହେଁ ଅଛନ୍ତି, କ’ଣ କରିବ ହଠାତ୍ କିଛି ଠିକ୍ କରି ନ ପାରି ଗୋଟାଏ କ୍ଷୁଦ୍ର ଗୃହ ଦେଖାଇ ଦେଲେ, ସୈନିକ ପୁରୁଷ ପଲକ ମାତ୍ରକେ ତହିଁ ମଧ୍ୟରେ ଲୁଚିଗଲେ।
ଏଣେ ବୀର ବାଳକ ଘରୁ ପିତାଙ୍କ ଖଡ୍ଗ ଆନି ନିକଟରେ ରଖି ଦ୍ୱାରଦେଶରେ ନିଶ୍ଚିନ୍ତ ମନରେ ବସିଅଛି, ହାତରେ ବନ୍ଧୁକ ଧରି ପରିଷ୍କାର କରୁଅଛି, ଚିନ୍ତା ନାହିଁ, ଶଙ୍କା ନାହିଁ, ଧୀରଭାବରେ ସ୍ୱକାର୍ଯ୍ୟରେ ନିଯୁକ୍ତ ରହିଅଛି।
ଦୁଇଜଣ ସଶସ୍ତ୍ର ଅଶ୍ୱାରୋହୀ ତତ୍କ୍ଷଣାତ୍ ଆସି ଉପସ୍ଥିତ ହେଲେ, ରୁକ୍ଷସ୍ୱରରେ ବାଳକକୁ ପଚାରିଲେ, ‘‘ପଳାତକ ସୈନିକଟି ଏଣିକି ଆସିଥିଲା, କୁଆଡ଼େ ଗଲା?’’ ବାଳକ ନୀରବ। ଆଉ ଥରେ ବଜ୍ର-ନିର୍ଘୋଷରେ ପ୍ରଶ୍ନ ହେଲା, ‘‘କାହିଁ ସୈନିକ, କେଉଁଠି ଲୁଚିଛି ଦେଖାଅ, ନ ହେଲେ ବିପଦ-’’
ସଦର୍ପରେ ବାଳକ ଖଡ୍ଗ ଧରି ଉଠି କହିଲା, ‘‘ସୈନିକ ମୋର ଶରଣାଗତ, ମୁଁ ପ୍ରାଣ ଗଲେ ସୁଦ୍ଧା ତାହାର ଲୁଚିବା ସ୍ଥାନ ଦେଖାଇବି ନାହିଁ, ମିଥ୍ୟା କହି ମୁଁ ଭିଲ୍ କୁଳରେ କଳଙ୍କ ଲଗାଇବି ନାହିଁ, ଆସ ମୋ ଅସ୍ତ୍ର ଆଗରେ କିଏ ଠିଆ ହେଉଅଛ ହୁଅ॥’’
ଭୀଷଣ ବେଗରେ ଅସୀ ସଞ୍ଚାଳନ କରି ପ୍ରଥମ ଅଶ୍ୱାରୋହୀର ମସ୍ତକରେ ଆଘାତ କଲା, ସେ ଭୂତଳେ ପତିତ ହେଲା। ଏହି ବିଶୃଙ୍ଖଳା ମଧ୍ୟରେ ଦ୍ୱିତୀୟ ଅଶ୍ୱଟି ସଂଯତଭାବରେ ଠିଆ ହୋଇ ନ ପାରି ଆରୋହୀକୁ ଘେନି ଦ୍ରୁତ ପଦରେ ପଳାୟନ କଲା।
କୃଷି କ୍ଷେତ୍ରରୁ ପିତା ଠିକ୍ ସମୟରେ ଆସି ଉପସ୍ଥିତ ହେଲେ, ଦେଖିଲେ ଦ୍ୱାର ଦେଶରେ ହତ ସୈନିକ ପୁରୁଷ ପତିତ। କେଜାଣି କି ବିପଦ ଘଟିଛି, ମନେ କରି ଦୃଷ୍ଟି ସଞ୍ଚାଳନ କରି ଦେଖିଲେ, ଦ୍ୱାର ଦେଶରେ ନିଜ ଖଡ୍ଗ ଶୋଣିତାକ୍ତ ହୋଇ ପଡ଼ିଅଛି ଏବଂ ପୁତ୍ର ଅଦୂରରେ ଦଣ୍ଡାୟମାନ। ‘ପିତଃ ନ୍ୟାୟ ଅନ୍ୟାୟ, ଭଲ ମନ୍ଦ କିଛି ଜାଣି ନାହିଁ, ସୈନିକ ଜଣେ ପଳାଇ ଆସି ଶରଣ ପଶିଥିଲା, ସେ ଘରେ ତାହାକୁ ଆଶ୍ରୟ ଦେଇ ତାହାର ଶତ୍ରୁମାନଙ୍କ ମଧ୍ୟରୁ ଜଣକୁ ହତ୍ୟା କରିଅଛି, ଆଉ ଜଣେ ଭୟରେ ପଳାଇଲା’ କରଯୋଡ଼ରେ ପିତୃସମୀପରେ ଏହା ନିବେଦନ କଲା।
ପିତା କିଛି ନ କହି ସସ୍ନେହରେ ଖଡ୍ଗଟିକୁ ଉତ୍ତୋଳନ କରି ରଖିଲେ ଏବଂ ନୀରବରେ ସେହି କ୍ଷୁଦ୍ର ଗୃହଆଡ଼କୁ ଅଗ୍ରସର ହେଲେ, ପୁତ୍ର ପଛେ ପଛେ ଚାଲିଅଛି; ଉଭୟେ ଗୃହ ନିକଟରେ ଉପସ୍ଥିତ ହେଲେ।
ପଳାତକଠାରେ ପିତାଙ୍କ ଦୃଷ୍ଟି ପଡ଼ନ୍ତେ ପିତା ଚକିତ ହୋଇ ପଛକୁ ହଟି ଗଲେ। ପୁତ୍ର ଆଡ଼କୁ ବିସ୍ମିତ ନେତ୍ରରେ ଚାହିଁଲେ; ପୁତ୍ର ମଧ୍ୟ ସଶଙ୍କ ଭାବରେ ପିତାଙ୍କ ଆଡ଼କୁ ଚାହିଁଥାଏ। ପିତା ହଠାତ୍ ପଳାତକ ସୈନିକ ପୁରୁଷଙ୍କ ପାତତଳେ ଭକ୍ତିପୂର୍ବକ ଜୁହାର କଲେ ଏବଂ ସେହିପରି କରିବାକୁ ପୁତ୍ରକୁ ମଧ୍ୟ ଇଙ୍ଗିତ କଲେ।
ପଳତକଟି ମହାରାଜା ବିଜୟ ସିଂହଙ୍କ ପୁତ୍ର ବୀର ସିଂହ। ବୀର ସିଂହ ସେହି ଲୁଚିବା ସ୍ଥାନରୁ ବାହାରି ଆସି ଭିଲ୍ ବାଳକର ହସ୍ତ ଧାରଣ କରି କହିଲେ, ‘‘ଆଜିଠାରୁ ତୁମ୍ଭେ ମୋହର ସହଚର ହେଲ, ତୁମ୍ଭର ବୀରତ୍ୱ ଦେଖି ମୁଁ ଚମତ୍କୃତ ହେଲି, ଦିନେ ତୁମ୍ଭେ ମୋହର ସେନାପତି ହେବ।’’
ବୃଦ୍ଧ ପିତା ବାଷ୍ପ ଗଦ୍ଗଦ୍ ସ୍ୱରରେ କହିଲେ, ‘ରାଜପୁତ୍ର! ଛାମୁଙ୍କ ଅନୁଗ୍ରହ; ଭିଲ୍ ବଂଶର ମର୍ଯ୍ୟାଦା ଆଜି ମୋର ପୁତ୍ର ରକ୍ଷା କରିଅଛି, ବିପନ୍ନ ଶରଣାଗତକୁ ରକ୍ଷା କରିବା ଆମ୍ଭର କୁଳଧର୍ମ।’’
ରାଜପୁତ୍ର ସ୍ୱୀୟ ଅଙ୍ଗୁରୀୟଟି କାଢ଼ି ଭିଲ୍ ପୁତ୍ରର ଅଙ୍ଗୁଳିରେ ପିନ୍ଧାଇ ଦେଲେ ଏବଂ ସପ୍ତାହ ମଧ୍ୟରେ ରାଜଧାନୀରେ ସାକ୍ଷାତ୍ କରିବାକୁ କହି ତତ୍କ୍ଷଣାତ୍ ଭିନ୍ନ ପଥରେ ଅଦୃଶ୍ୟ ହୋଇଗଲେ।
-୦-
ଉକ୍ତ ଗଳ୍ପଟି ‘ଉତ୍କଳ ସାହିତ୍ୟ’ ପତ୍ରିକାର ଦଶମ ଭାଗ, ଦ୍ୱାଦଶ ସଂଖ୍ୟାରେ ୧୯୦୬ ମସିହାରେ ପ୍ରକାଶିତ ହୋଇଥିଲା।
ଏହି ଗଳ୍ପଟି ୧୯୦୭ ମସିହାରେ କଟକ ସମ୍ମିଳନୀ ପ୍ରେସ୍ ଦ୍ୱାରା ପ୍ରକାଶିତ ତଥା ଲେଖକଙ୍କର ପ୍ରକାଶିତ ପ୍ରଥମ ଗଳ୍ପ ସଂକଳନ-‘ଚିତ୍ର’ ରୁ ସଂଗୃହୀତ।