ରଥଯାତ୍ରାକୁ ଏ ବର୍ଷ ନାନା ଦିଗରୁ ନାନା ଯାତ୍ରୀ ଆସିଥିଲେ, ଯାତ୍ରା ଶେଷରେ ଯେ ଯାହା ଘରକୁ ଲେଉଟି ଗଲେ, ରାମେଶ୍ୱର ଜଣେ ପଶ୍ଚିମା, ଅଯୋଧ୍ୟାବାସୀ, ଖୁବ୍‌ ବଳିଷ୍ଠ, ତେଜସ୍ୱୀ; ମନେ କଲା, ଆଉ ଫେରିଯିବ କଣ, ସେଠା କାର୍ଯ୍ୟ ଆଉ ଭଲ ଲାଗୁ ନାହିଁ। ଏ ପୁଣ୍ୟ କ୍ଷେତ୍ରରେ ରହିଯାଏଁ, କିଛିଦିନ କାର୍ଯ୍ୟ କରି କିଛି ଉପାର୍ଜ୍ଜନ କରିବି, ହାତରେ କିଛି ପାଣ୍ଠି କରି ଘରକୁ ପଠାଇଦେବି। ‘‘ମୁଁ ତୀର୍ଥବାସ’ କରିବି’’ ଏହି ମର୍ମରେ ଘରକୁ ପତ୍ର ଲେଖିଦେଇ କର୍ମ ଅନ୍ୱେଷଣରେ ବହିର୍ଗତ ହେଲା।

ସମୁଦ୍ରକୂଳରେ ବୁଲୁଛି, ଏମନ୍ତ ସମୟରେ ରାଧାଶ୍ୟାମ ଡେପୁଟୀ ମାଜିଷ୍ଟ୍ରେଟ ବୁଲି ବାହାରିଥିଲେ, ତାଙ୍କ ସହିତରେ ସାକ୍ଷାତ ହେଲା, ନାନା କଥା ପରେ ସେ ତାହାକୁ ନିଜର ଭୃତ୍ୟ ପଦରେ ନିଯୂକ୍ତ କଲେ। ଭୃତ୍ୟଟିର ଆଉ ବିଶେଷ କିଛି କାମ ନ ଥିଲା। କେବଳ ତାହାଙ୍କର ୩ ବର୍ଷର ପିଲାଟିକୁ କାଖେଇ ବୁଲାଇ ନେବା ବା କେତେବେଳେ ଠେଲାଗାଡ଼ିରେ ବସାଇ ବୁଲାଇନେବା ତହାର କାର୍ଯ୍ୟ ବୋଲି ନିର୍ଦ୍ଦିଷ୍ଟ ହେଲା।

ଏଜିପରି କାର୍ଯ୍ୟ ଚାଲିଛି, ସମସ୍ତେ ରାମେଶ୍ୱରଠାରେ ସନ୍ତୁଷ୍ଟ, ରାମେଶ୍ୱର ବିଶ୍ୱାସୀ, ସାହସୀ ଓ କର୍ମଠ ଥିଲେ। ଡେପୁଟୀ ବାବୁ ଗସ୍ତରେ ମଫସଲ ବାହାରିଲେ, ଜଣେ ଧାତ୍ରୀ ଓ ତାହାଙ୍କର ସ୍ତ୍ରୀ, ଏହି ନବଜାତ ଶିଶୁପୁତ୍ର ଓ ରାମେଶ୍ୱର ମଧ୍ୟ ସାଙ୍ଗରେ ଗଲେ। ଗୋଟିଏ ନଦୀକୂଳରେ ଡେପୁଟୀ ବାବୁଙ୍କ ଡେରା ପଡ଼ିଲା, ଘୋର ବନ୍ୟା ପରେ ଡେପୁଟୀବାବୁ ଦେଶର ଅବସ୍ଥା ପରିଦର୍ଶନ କରିବା ପାଇଁ ପ୍ରତିଦିନ ମଫସଲ ଆଡ଼କୁ ଯାଆନ୍ତି ଏବଂ ସନ୍ଧ୍ୟାଗମରେ ଡେରାକୁ ଫେରି ଆସନ୍ତି।

ଦିନେ ରାମେଶ୍ୱର ପୁତ୍ରଟିକୁ ଠେଲା ଗାଡ଼ିରେ ବୁଲେଇ ନେଇ ଯାଇଛନ୍ତି, ଡେରାରେ ଆଉ କେହି ନାହାନ୍ତି, କେବଳ ପିଲାଟିର ଜନନୀ ଓ ଧାତ୍ରୀ। ଅନେକ ଦୂର ଏହିପରି ବୁଲୁବୁଲୁ ପିଲାଟି ଠାଏ ଜିଦ୍‌ କରି ବସିଲା ଏବଂ ଅନବରତ କାନ୍ଦିଲା, ନଈକୂଳରେ ଥିବା ଗୋଟିଏ କଦମ୍ବ ଗଛରୁ ଗୋଟିଏ ଫୁଲ ଆଣିଦେ ବୋଲି ଚିତ୍କାର କରି କାନ୍ଦିଲା। କୌଣସି ପ୍ରକାରରେ ରାମେଶ୍ୱର ତାକୁ ବନ୍ଦ କରି ପାରିଲେ ନାହିଁ। ଅଗତ୍ୟା ନାନାପ୍ରକାରରେ ବୁଝାଇ କହିଲେ, ‘ ଏଇଠି ବସିଥା, ପାଣି ପାଖକୁ ଯିବୁ ନାହିଁ, ମୁଁ ଯାଇ ଗଛରେ ଚଢ଼ି ଆଣୁଛି।’’

କଥାନୁସାରେ କାର୍ଯ୍ୟ ହେଲା, ବାଳକର ଦୃଷ୍ଟି ବର୍ତ୍ତମାନ ଆମ୍ବ ଗଛରୁ ଯାଇ ନଈ ପାଣି ଉପରେ ପଡ଼ିଲା; ରାମେଶ୍ୱର ଗଛରେ ଅନେକ ଦୂର ଚଢ଼ି ଯାଇଛନ୍ତି। ଏମନ୍ତ ସମୟରେ ପିଲାଟି ଚାଞ୍ଚଲ୍ୟବଶତଃ ନଈ ପାଣିରେ ଯାଇ ଗୋଡ଼ ଦେଇଛି, ଏମନ୍ତ ସମୟରେ ଗୋଡ଼ ଖସିଗଲା, ପିଲାଟି ଭାସିଗଲା, ଭାସିଗଲାବେଳେ ଟିକିଏ କାନ୍ଦିଉଠିଲା। କାନ୍ଦର ଶବ୍ଦ ଶୁଣି ରାମେଶ୍ୱର ଏଣେତେଣେ ଚାହିଁ ତରତର ହୋଇ ଖସିପଡ଼ିଲା। ଯାଇ ଦେଖେ ଗାଡ଼ିରେ କେହି ନାହାନ୍ତି, ଡାକି ଡାକି, ଖୋଜି ଖୋଜି କିଛି ପାଇଲା ନାହିଁ। ରାତିଯାକ ଖୋଜା ହେଲା, କେହି କିଛି ପତ୍ତା ପାଇଲେ ନାହିଁ।

ସମସ୍ତେ ବିମର୍ଷ ହୋଇ ଫେରିଗଲେ, ନଈଆଡ଼କୁ କାହାର ମନ ଗଲା ନାହିଁ। କେତେ ଲୋକଙ୍କର, ବିଶେଷରେ ବାଳକର ମାତାର ମନରେ ସନ୍ଦେହ ହେଲା ଯେ, ଅଳଙ୍କାର ଲୋଭରେ ପୁଅକୁ ରାମେଶ୍ୱର କେଉଁଆଡ଼କୁ ନେଇଯାଇ ମାରିପକାଇଲା।

ରାମେଶ୍ୱର ପ୍ରତି ଲୋକଙ୍କର ପୂର୍ବ ଆସ୍ଥା କମିଗଲା, ଯାହାପାଇଁ ତାକୁ ରଖିଥିଲେ ସେ ତ ଗଲା, ଆଉ ତାକୁ କିଏ ପଚାରୁଛି। ସେ ମଧ୍ୟ ଦେଖିଲା ଯେ ଆଉ ତାହାର ସେଠାରେ ବେଶି ଦିନ ରହିବାର ଉଚିତ ନୁହେଁ, ସମସ୍ତେ ତାକୁ କ୍ରମେ କ୍ରମେ ଅନାଦର କଲେଣି। ତାହାର ମନ ମଧ୍ୟ କ୍ରମେ କ୍ରମେ ଦିନକୁଦିନ ବେଶି ଖରାପ ହେବାକୁ ଲାଗିଲା। ପିଲାଟି କିପରି କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ସେ କଥା ସେ କିଛି ନିଜେ ବୁଝିପାରେ ନାହିଁ। ମନରେ ଭୟଙ୍କର ଦୁଃଖ ଜାତ ହେଉଥାଏ, ସେ ମଧ୍ୟ ସବୁବେଳେ ଚିନ୍ତା କରି ଶୀର୍ଣ୍ଣ ହୋଇଗଲା।

ପିଲାଟିର ମାତା ତାହାକୁ ଅନେକ ଥର ଏଥି ମଧ୍ୟରେ କହିଲେଣି-‘‘ଯାହା କହିବୁ ଦେବି, କ’ଣ କଲୁ କହ’’, ଏ କଥା ଶୁଣି ଶିଶୁର ପିତା କହନ୍ତି-‘‘ରାମେଶ୍ୱର ସେପରି ଲୋକ ନୁହେଁ, ଆମର ଅଦୃଷ୍ଟ, ତା’ର କି ଦୋଷ ଅଛି, ସେ ତାକୁ ନିଜ ପୁଅ ପରି ଦେଖୁଥିଲା,।’’ ଯାହା ହେଉ ରାଧାଶ୍ୟାମ ଦିନେ ଦିନେ ‘‘ଅଜ୍ଞାତକୁଳଶୀଳସ୍ୟ ବାସୋଦେୟୋ ନ କସ୍ୟଚିତ୍‌’’ ମନେ କରି ଦୀର୍ଘନିଃଶ୍ୱାସ ପକାଉଥିଲେ। ଅତ୍ୟନ୍ତ ସନ୍ତପ୍ତ ହୃଦୟରେ ରାମେଶ୍ୱର ସମସ୍ତଙ୍କଠାରୁ ବିଦାୟ ନେଇ କାନ୍ଦି କାନ୍ଦି ନିଜ ଦେଶକୁ ଚାଲିଗଲା।

ରାମେଶ୍ୱର ଘରକୁ ଫେରିଆସି ଦେଖେ ନିଜର ପୁଅଟି ବଢ଼ିଯାଇଛି, ରୂପଲାବଣ୍ୟରେ ଠିକ୍‌ ଡେପୁଟି ବାବୁଙ୍କ ପୁଅ ପରି। ମନେକଲା ମୋର ଅସାବଧାନତାରୁ ପ୍ରଭୁ ପୁତ୍ର ନଷ୍ଟ ହେଲା। ମୁଁ ଆଉ କେଉଁ ମନରେ ପୁତ୍ର ସୁଖ ଭୋଗ କରିବି। ଘରଦ୍ୱାର ସମ୍ପତ୍ତି ବିକି କିଣି ପୁଅକୁ ନାନା ଅଳଙ୍କାରରେ ନାନା ପୋଷାକ ପରିଚ୍ଛଦରେ ଭୂଷିତ କରି ବଢ଼ାଇବାକୁ ଲାଗିଲା। ଦିନେ ହଠାତ୍‌ ଦାରୁଣ ଦୁର୍ଯୋଗ ଉପସ୍ଥିତ, ନିଜର ସ୍ତ୍ରୀଟି ଅକସ୍ମାତ୍‌ ବିସୂଚିକା ରୋଗରେ ପଞ୍ଚତ୍ୱ ପ୍ରାପ୍ତ ହେଲେ।

ରାମେଶ୍ୱର ମନରେ ବୈରାଗ୍ୟ ହେଲା, ସେ ଦିନେ ପୁଅକୁ ନେଇ ରାଧାଶ୍ୟାମଙ୍କ ଘରଠାରେ ଉପସ୍ଥିତ ହେଲା। ସବେଗରେ ଅନ୍ତଃପୁର ମଧ୍ୟରେ ପ୍ରବେଶ କରି ଗୃହକର୍ତ୍ତୀଙ୍କୁ କହିଲା, ‘‘ମା, ମୁଁ ନରାଧମ, ତୁମ୍ଭର ପୁଅକୁ ଲୁଚାଇ ରଖିଥିଲି, ତୁମ ପୁଅ ତୁମେ ନିଅ।’’ ମାତ୍ରା ପୁତ୍ର ମୁଖ ଚୁମ୍ବନ କରି ତାକୁ କୋଳରେ ଧରି କ୍ଷଣକାଳ ଆତ୍ମବିସ୍ମୃତ ହୋଇ ରହିଥିଲେ। ମୁହୂର୍ତ୍ତକ ପରେ ସମ୍ମୁଖକୁ ଚାହିଁ ଦେଖିଲେ, ରାମେଶ୍ୱର ନାହିଁ, ଅନେକ ଖୋଜାଖୋଜି କଲେ, ତାକୁ କେଉଁଠାରେ ପାଇଲେ ନାହିଁ। ସେ ପୃଥିବୀର ଅନନ୍ତ କ୍ରୋଡ଼ରେ ଯାଇ କାହିଁ ଲୀନ ହୋଇଗଲା।

-୦-
ଏହି ଗଳ୍ପଟି ୧୯୦୭ ମସିହାରେ କଟକ ସମ୍ମିଳନୀ ପ୍ରେସ୍‌ ଦ୍ୱାରା ପ୍ରକାଶିତ ତଥା ଲେଖକଙ୍କର ପ୍ରକାଶିତ ପ୍ରଥମ ଗଳ୍ପ ସଂକଳନ-‘ଚିତ୍ର’ ରୁ ସଂଗୃହୀତ।