ଓଡ଼ିଆ ଭାଷା ଓ ସାହିତ୍ୟରେ ପରିଲକ୍ଷିତ କେତେଗୁଡ଼ିଏ ତ୍ରୁଟି ଓ କେତେକ ଆବଶ୍ୟକ ସଂସ୍କାର ସମ୍ବନ୍ଧେ ମୋ ମନରେ ଯେଉଁ ଭାବମାନ ଉଦିତ ହେଲା, ତାହା ଆପଣଙ୍କ ପତ୍ରିକାରେ ପ୍ରକାଶିତ ହେଲେ ତହିଁର ସମ୍ୟକ ଆଲୋଚନା ହୋଇପାରିବ, ଏହି ଆଶାରେ ଏହି ଲେଖା ଲେଖୁଛି।
୧. ଛାପାରେ ଓ ଲେଖାରେ ଆମ୍ଭେମାନେ ‘ଡ’ ଓ ‘ଡ଼’ ର ପ୍ରଭେଦ ରକ୍ଷା କରୁ ନଥାଇଁ। ‘ଡ’ ସ୍ଥାନରେ ‘ଡ଼’ ଓ ‘ଡ଼’ ସ୍ଥାନରେ ‘ଡ’ ର ବ୍ୟବହାର ଅନେକ ସ୍ଥାନରେ ପାଠକର ଦୃଷ୍ଟିଗୋଚର ହେଉଅଛି। ଆପଣ ଯେ କୌଣସି ମୁଦ୍ରିତ ପୁସ୍ତକ ବା ପାଣ୍ଡୁଲିପି ଦେଖନ୍ତୁ, ତହିଁରେ ଏ ଦୋଷ ବହୁତଃ ଲକ୍ଷ୍ୟ କରିପାରିବେ।
୨. ଆମ୍ଭେମାନେ ଯେଉଁ ଯେଉଁଠାରେ ହସନ୍ତ ଉଚ୍ଚାରଣ କରୁଁ ଓ ବିଶେଷତଃ ଇଂରାଜୀ, ଆରବୀ, ଫାରସୀ ଆଦି ବୈଦେଶିକ ଭାଷାରୁ ଆଗତ ଶବ୍ଦମାନଙ୍କୁ ଲେଖିଲାବେଳେ ବା ଛାପିଲାବେଳେ ତଦ୍ଭତ୍ ଓ ହସନ୍ତ୍ ଚିହ୍ନର ବ୍ୟବହାର କରୁ ନ ଥାଇଁ।
ଓଡ଼ିଆ ଭାଷାର ଗୋଟିଏ ବୈଶିଷ୍ଟ୍ୟ ଏହି ଯେ, ଓଡ଼ିଆ ଶବ୍ଦମାନ ଯେଉଁପରି ଲେଖାଯାଏ ସେହିପରି ଉଚ୍ଚାରିତ ହୁଏ। ‘ପାନ’ ଶବ୍ଦ ଓଡ଼ିଆରେ, ବଙ୍ଗଳାରେ ଓ ହିନ୍ଦୀରେ ‘ପାନ’ ରୂପେ ଲିଖିତ ହୁଏ, କିନ୍ତୁ ଉଚ୍ଚାରଣ କଲାବେଳେ ବଙ୍ଗଳାରେ ଓ ହିନ୍ଦୀରେ ‘ପାନ୍’ ଉଚ୍ଚାରିତ ହୁଏ, କିନ୍ତୁ ଓଡ଼ିଆରେ ‘ପାନ’ ରୂପେ ଉଚ୍ଚାରିତ ହୁଏ। ବଙ୍ଗଳା ଓ ହିନ୍ଦୀ ଲେଖାକୁ ପଢ଼ିବା ଲୋକ ଅଧିକାଂଶ ସ୍ଥଳରେ ଶବ୍ଦ ଶେଷରେ ଥିବା ଅକାରଯୁକ୍ତ ବର୍ଣ୍ଣକୁ ହସନ୍ତ ଉଚ୍ଚାରଣ କରନ୍ତି। ଏଥିପାଇଁ ତଦ୍ଭତ୍ ଭାଷାର ରୀତି ଜାଣି ନ ଥିବା ପାଠକଙ୍କୁ ଉକ୍ତ ଦୁଇ ଭାଷାର ଲେଖା ବା ଛାପାକୁ ପଢ଼ିବା ପାଇଁ ଆୟାସ ପାଇବାକୁ ହୁଏ।
‘ଆମି କାଲ ଏକଟା କାଲ କୁକୁର ଦେଖ୍ଲାମ’ ବଙ୍ଗଳାରେ ଏହି ବାକ୍ୟକୁ ପଢ଼ିବା ଲୋକ ‘ଆମି କାଲ୍ ଏକ୍ଟା କାଲ କୁକୁର୍ ଦେଖି ଲାମ୍’ ରୁପେ ପଢ଼ିବେ, ଅଥଚ ଏହି ବାକ୍ୟରେ ଥିବା ଦୁଇଟି ‘କାଲ’ ମଧ୍ୟରୁ ପ୍ରଥମଟିରେ ହସନ୍ତ ‘ଲ’ ଓ ଦିତୀୟ ‘କାଲ’ ରେ ହସନ୍ତହୀନ ‘ଲ’ ଉଚ୍ଚାରଣର ପାର୍ଥକ୍ୟ ଲେଖାରେ ଚିହ୍ନିତ ହୋଇ ନ ଥାଏ। ଓଡ଼ିଆ ଭାଷାରେ ଚିରାଗତ ଏହି ହସନ୍ତ ଚିହ୍ନ ସମ୍ବନ୍ଧେ ଉଚ୍ଚାରଣ ଓ ଲେଖା ମଧ୍ୟରେ ଥିବା ପାର୍ଥକ୍ୟ ରୂପବୈଶିଷ୍ଟ୍ୟକୁ ଅକ୍ଷୂଣ୍ଣ ରଖିବା ଆଧୁନିକ ଲେଖକ ଓ ମୁଦ୍ରାକରମାନଙ୍କର ଉଚିତ ବୋଲି ମୁଁ ମନେକରେଁ। ବିଶେଷତଃ ବୈଦେଶିକ ଭାଷାମାନଙ୍କରୁ ଓଡ଼ିଆ ଭାଷାକୁ ଆସିଥିବା ବିକୃତ ବା ଅବିକୃତ ଶବ୍ଦମାନଙ୍କୁ ଲେଖିବା ବା ଛାପିବାବେଳେ ଯେଉଁ ଯେଉଁ ଅକ୍ଷର ‘ହସନ୍ତରୂପେ’ ଉଚ୍ଚାରିତ ହୁଏ, ସେହି ସେହି ଅକ୍ଷରକୁ ‘ହସନ୍ତ ଚିହ୍ନିତ’ କରିବା ଉଚିତ ବୋଲି ମୁଁ ମନେ କରୁଛି।
ଉଦାହରଣସ୍ୱରୂପ ‘ଇଂରାଜୀ ‘Ravenshaw College First Year Class’ ଆମ୍ଭେମାନେ ‘ରାଭେନ୍ସା କଲେଜ୍ ଫାଷ୍ଟ୍ ଇୟର୍ କ୍ଲାସ୍’ ଉଚ୍ଚାରଣ କରୁଁ, କିନ୍ତୁ ଅଧିକାଂଶ ଲେଖା ଓ ଛାପାରେ ଏହି ପଦରେ ଥିବା ଜ, ଷ୍ଟ, ର ଓ ସ ବର୍ଣ୍ଣମାନଙ୍କରେ ହସନ୍ତ ଚିହ୍ନ ରଖାଯାଉ ନ ଥିବାର ଦେଖିବାକୁ ମିଳେ। ଏହିପରି କରିବା ଦ୍ୱାରା ଫଳ ଏହା ହେଉଛି ଯେ, କାଳର ଗତିକ୍ରମେ ଓଡ଼ିଆ ଭାଷା ଏହାର ଉଚ୍ଚାରଣ ଓ ଲେଖା ମଧ୍ୟରେ ଥିବା ସାମଞ୍ଜସ୍ୟ ହରାଉଅଛି ଓ ପରିଶେଷରେ ଏ ବିଷୟରେ ଏହା ବଙ୍ଗଳା ଓ ହିନ୍ଦୀ ପରି ହେବ। ସମ୍ବଲପୁରରେ ହିନ୍ଦୀ ଭାଷାର ପ୍ରଭାବରୁ ଏବଂ ଉତ୍ତର ଓଡ଼ିଶା ଓ ମେଦିନୀପୁରରେ ବଙ୍ଗଳା ଭାଷାର ପ୍ରଭାବରୁ ଓଡ଼ିଆମାନେ ଅନେକ ଶବ୍ଦକୁ ହସନ୍ତ ବର୍ଣ୍ଣଯୁକ୍ତ କରିସାରିଲେଣି।
୩. ଅନେକ ଲେଖାରେ ଓ ଛାପାରେ ଚନ୍ଦ୍ରବିନ୍ଦୁଯୁକ୍ତ ଉଚ୍ଚାରଣବିଶିଷ୍ଟ ଅକ୍ଷରମାନଙ୍କ ଉପରେ ଚନ୍ଦ୍ରବିନ୍ଦୁଯୁକ୍ତ ଉଚ୍ଚାରଣବିଶିଷ୍ଟ ଅକ୍ଷରମାନଙ୍କ ଉପରେ ଚନ୍ଦ୍ରବିନ୍ଦୁ ଚିହ୍ନ ଦିଆଯାଉ ନଥିବା ଦେଖାଯାଏ। ଉଦାହରଣସ୍ୱରୂପ ‘ନା’ (ନାବ ବା ଡଙ୍ଗା) ଶବ୍ଦରେ ଥିବା ‘ନା’ ର ଅନୁନାସିକ ଉଚ୍ଚାରଣରୁ ‘ନା୍ଁ’ (ନାହିଁ ଓ ନାମ) ଶବ୍ଦରେ ଥିବା ଅନୁନାସିକ ଉଚ୍ଚାରଣ ପୃଥକ୍ ଅଟେ। କିନ୍ତୁ ସାଧାରଣତଃ ଲେଖକ ଓ ମୁଦ୍ରାକରମାନେ ଅନୁନାସିକ ଅକ୍ଷର ଉପରେ ଚନ୍ଦ୍ରବିନ୍ଦୁ ଦେବା ପ୍ରତି ସର୍ବଦା ଦୃଷ୍ଟି ରଖନ୍ତି ନାହିଁ। ମୋର ମତ ଯେ, ଚନ୍ଦ୍ରବିନ୍ଦୁର ବ୍ୟବହାର ପ୍ରତି ଆମ୍ଭେମାନେ ସତର୍କ ଦୃଷ୍ଟି ରଖିବା ଉଚିତ ଅଟେ।
୪. ଆମ୍ଭମାନଙ୍କ ମୁହଁରେ କେତେଗୁଡ଼ିଏ ଉଚ୍ଚାରଣ-ବିଭ୍ରାଟ ଘଟୁଥିବାର ଦେଖାଯାଏ। ସେ ବିଭ୍ରାଟମାନଙ୍କ ପ୍ରତିକାରପାଇଁ ସାହିତ୍ୟିକ ବ୍ୟକ୍ତି ଓ ସଂଘମାନଙ୍କ ପକ୍ଷରୁ ଚେଷ୍ଟା ହେବା ଉଚିତ।
କୃଷ୍ଣ କୁ ଆମ୍ଭେମାନେ କୃଷ୍ଟଁ
ବାହ୍ୟ କୁ ବାଝ୍ୟ
ବ୍ରାହ୍ମଣ କୁ ବ୍ରାମ୍ଭଣ
ସିଂହ କୁ ସିଂଘ
କ୍ଷ କୁ ଖ୍ୟ
ଯ କୁ ଜ ରୂପେ ଉଚ୍ଚାରଣ କରୁଥାଇଁ ଓ ଶ, ଷ, ଓ ସ ର ଉଚ୍ଚାରଣରେ ପ୍ରଭେଦ ରକ୍ଷା କରୁ ନ ଥାଇଁ। ପ୍ରାକୃତ ଭାଷାରେ ଓ ହିନ୍ଦୀରେ ଏହି ୩ ‘ସ’ କାରର ଉଚ୍ଚାରଣର ପାର୍ଥକ୍ୟ ରଖାଯାଉ ନ ଥିବାରୁ, ଦେଶଜ ଶବ୍ଦମାନଙ୍କରେ ତଦ୍ଭତ୍ ଭାଷାରେ ଗୋଟିଏ ‘ଶ’ ର ବ୍ୟବହାର ଚଳିଥିବାର ଦେଖାଯାଏ।