
ରାଗ-ଆହାରୀ (ବାଳ ଚରିତ ବାଣୀରେ)
ଶୁଣ ମନ ନିବେଶି ସୁଧୀରେ ଧୀରେ।
ସୁରସିକ ଚାଟୁ ସ୍ନେହାକରେ କରେ ॥୧॥
ଶିବ ଯୋଗ ଭଙ୍ଗିନୀ ରମଣୀମଣି।
ସୁରଶରେ ଗଞ୍ଜୁଛି ମୋ ଆଣି ଆଣି ॥୨॥
ଶଙ୍କା ଜଳେ ଭାସୁଛି ସୁମୁହୀଁ ମୁହିଁ।
ସୁଭେଳାତୁ ଭେଟାଇଲା ବହି ବହି ॥ ୩॥
ସେବକ ହେଲି ମୁଁ ତୋ ପାଦରେ ଦରେ।
ଶଶୀ ହାସୀ ଚାହଁ ଅନାଥରେ ଥରେ ॥୪॥
ସେବକର ଊଣାଟି ପ୍ରଭୁରେ ଭୂରେ।
ସରୁ ଅଛି ଆସି ତୋ ଛାମୁରେ ମୁଁରେ ॥୫॥
ଶରଣ ମୁଁ ତୋର ନିରେଖରେ ଖରେ।
ଶମ୍ଭୁ ଅନୁଗତେ ବିଷଧରେ ଧରେ ॥୬॥
ଶଶ ଆଶ ନାଶେ ଶଶ ଅଙ୍କ ଅଙ୍କ।
ସେହି ପରା ଆଶାୟୀ ଆଲୋକ ଲୋକ ॥୭॥
ସତ୍ୟ ସତ୍ୟ ମୋର ଗଜ-ଗତି ଗତି।
ସୁଦୟାରେ ଘେନ ମୋ ବିନତି ନତି ॥୮॥
ଶୁଣି ଦୟାନିଧି ନା ପ୍ରସିଦ୍ଧି ସିଦ୍ଧି।
ସଖୀ ଆସିଛି କଲେ ଅବିଧି ବିଧି ॥୯॥
ସବୁ ନିନ୍ଦା ହେବଟି ଜନରେ ନରେ।
ସତ କଉଛି ଘେନ ସୁଧୀରେ ଧୀରେ ॥୧୦॥
ସ୍ମିତାଧରୁ ପୀୟୁଷ ନିଦାନ ଦାନ।
ସହି ଦେଇ ରଖ ପରିଜନ ଜନ ॥୧୧॥
ଶଶୀ ବିଜିତ ବଦନା ଟେକ ଟେକ।
ସୁଖି ହେଉ ତୋ ପରିଚାରକ ରଙ୍କ ॥୧୨॥
ସଖି ଘେନ ପୀରତି ସଂସାର ସାର।
ସବୁ ରୂପେ କୃପାରୁ ବିସ୍ତାର ତାର ॥୧୩॥
ଶୁଣି ପଟୁ ଚାଟୁ ସୁରମଣୀ ମଣି।
ସୀଉକାର ନେତ୍ରେ କଲା ପୁଣି ପୁଣି ॥୧୪॥
ସୁରସିକ ଜାଣି ଧରି ଅଙ୍କେ ଅଙ୍କେ।
ଶ୍ରୀକରକୁ ନିବେଶେ ଚିବୁକେ ବୁକେ ॥୧୫॥
ସେ କାଳରୁ ବଢ଼ିଲା ଆନନ୍ଦ ନଦ।
ଶୁଭେ ଅଭିମନ୍ୟୁ ଧୀକୁମୁଦ ମୁଦ ॥୧୬॥
– ୦ –
ଉପରୋକ୍ତ କବିତାଟି କବିଙ୍କ ଦ୍ୱାରା ମହାଭାରତ କାହାଣୀ ଆଧାରରେ ଲିଖିତ ‘ସୁଲକ୍ଷଣା’ କାବ୍ୟର ଷଷ୍ଠ ଛାନ୍ଦରୁ ସଂଗୃହୀତ।
