ନମଇଁ ଶ୍ରୀଗୁରୁ ଚରଣ। ଅଶେଷ ବିଘ୍ନ ବିନାଶନ॥
ଯାହାର କରୁଣାରୁ କରି। ଏ ଭବ ସିନ୍ଧୁ ତରି॥
ମୂଢ଼େ ଜାଣିମେ ଏହା କାହିଁ। ଯାହାର ଆଦି ଅନ୍ତ ନାହିଁ॥
କୃଷ୍ଣ ମହିମା କେହିମାନେ। ଜାଣନ୍ତି ଅବା ଭକ୍ତ ଜନେ॥
ଗୁରୁଙ୍କ ତତ୍ତ୍ୱ ନ ଜାଣନ୍ତି। ମନୁଷ୍ୟ ପରାଏ ମଣନ୍ତି॥
ତାଙ୍କର ଗତି ଲେଶ ନାହିଁ। ନରକେ ପଡ଼ନ୍ତି ସେ ଯାଇଁ॥
ଗୁରୁ ମହିମା ଭାଗବତେ। ଶୂଣି ତ ଅଛୁ ତୁ ସାକ୍ଷାତେ॥
ଉଦ୍ଧବେ କହେ ହୃଷିକେଶ। ଏକାଦଶ ସ୍କନ୍ଧେ ଉଦ୍ଦେଶ॥
ମୁଁ ଆଉ କହିବାକୁ ନାହିଁ। କହିବା ଯୋଗ୍ୟ ହେବି କାହିଁ॥
ଭକତ ଜନଙ୍କ ମୁଖରୁ। ଯେତେ ପୁରାଣ ସଂହିତାରୁ॥
ଶୁଣିଛି କହିବଇଁ ତାହା। ମୋ ହୃଦେ ପ୍ରକାଶୁଛି ଯାହା॥
ସୁଜନେ! ନ ଧରିବା ଦୋଷ। ତୁମ୍ଭ କରୁଣା ମୋ ସାହସ॥
ତଥାପି ମୁଁ ନୁହେଁ ପଣ୍ଡିତ। ନାହିଁ ମୋ କହିବା ଶକତ॥
ମୋହର ମନକୁ ବୁଝାଇ। ଗୁରୁ ମହିମା କିଛି ଗାଇ॥
ହେ ଗୁରୁ ତୁମ୍ଭେ କଳ୍ପଦ୍ରୁମ। ତୁମ୍ଭ ଚରଣେ ନମୋ ନମଃ॥
କେ କରୁ ତୁମ୍ଭଙ୍କୁ ଗୋଚର। ନର ଦୈବତ ନିଶାଚର॥
ତୁମ୍ଭର ଚିତ୍ତ ଉପଦେଶେ। ପରମ ବ୍ରହ୍ମ ମିଳେ ପାଶେ॥
ଯାହାକୁ ନ କର ସୁଦୟା। ତାହାକୁ ବନ୍ଦି କରେ ମାୟା॥
ସଂସାର କୂପେ ପଡ଼ି ମରେ। ବନ୍ଦୀ ଯେସନେ ବନ୍ଦିଘରେ॥
ପାମରେ ନ ଯାଣନ୍ତି ଏହା। ଯାହା କରମେ ଥାଇ ଯାହା॥
ତା ଭୁଞ୍ଜି ଦିନକୁ ହରନ୍ତି। ଅନ୍ତେ ନରକେ ହୋଏ ସ୍ଥିତି॥
ଦାରୁଣ ଦୁଃଖକୁ ସହନ୍ତି। ପୁଣି ହିଁ ଯୋନିଜନ୍ମ ହୋନ୍ତି॥
ଶ୍ୱାନ ଶୃଗାଳ ହୟ ଖର। ବ୍ୟାଘ୍ର ଭଲ୍ଲୁକ ଅଜଗର॥
ଗାବ ମହିଷ ନାନା ମତେ। ଜନ୍ମନ୍ତି ପାପ ଅନୁଗତେ॥
ଯେ ବା ଯେମନ୍ତ କର୍ମେ ଥାଇ। ସେ ଅନୁସାରେ ଜନ୍ମପାଇ॥
ଯେତେ ଯାତନା ଜନ୍ମ ମୃତ୍ୟୁ। ମୂଢ଼ ନ କରେ ତାହା ହେତୁ॥
ଶୁଣିତ ଅଛୁ ଆରେ ମନ। ତୃତୀୟ ସ୍କନ୍ଧରେ ବର୍ଣ୍ଣନ॥
କପିଳ ଦେବ କହିଛନ୍ତି। ଶୁଣି ଅଛନ୍ତି ଦେବହୂତି॥
ଦେଖ ଏ ସଂସାର ସାଗର। ବିଷୟ ଲହରୀ ପ୍ରଖର॥
ଏଥିରେ ପଡ଼ି ଗଲୁ ନାଶ। ନ କଲୁ ଗୁରୁ ପାଦେ ଆଶ॥
ରେ ମନ! କାହା ଭରସାରେ। ରହିଛୁ ଅନିତ୍ୟ ଦଶାରେ॥
ସ୍ୱତଃ କଳତ୍ର ଧନ ପାଇ। ଗର୍ବେ ଗୁରୁଙ୍କ ସେବୁ ନାହିଁ॥
ଯମର ଦୂତେ ଯେତେବେଳେ। ଫାଶକୁ ଦେବେ ତୋର ଗଳେ॥
ଅତ୍ୟନ୍ତ କ୍ରୋଧେ ଧରି ନେବେ। ଜାଣିମା କେ ତୋ ସଙ୍ଗେ ଯିବେ॥
ସାକ୍ଷାତେ ଦେଖୁଛୁ ନୟନେ। ମରୁ ଅଛନ୍ତି ଯେଉଁମାନେ॥
ସଙ୍ଗରେ କି ନେଉ ଅଛନ୍ତି। ଅର୍ଜିଲା ଧନ ଛାଡ଼ି ଯାନ୍ତି॥
ବନ୍ଧୁ ସୋଦର ତାତ ମାତ। ସୁତ ଦୁହିତାଦି କଳତ୍ର।
ଏ ସର୍ବେ ରହନ୍ତି ଇହରେ। ମରଣେ ନ ଯାନ୍ତି ସଙ୍ଗରେ॥
-୦-
ଉକ୍ତ କବିତାଟି ପ୍ରାଚୀନ କବି ଭକ୍ତ ଚରଣ ଦାସଙ୍କ ରଚିତ ତଥା ଶ୍ରୀ ଭକ୍ତିବିନୋଦ ପାଠାଗାର, ବାରିପଦା, ମୟୁରଭଞ୍ଜ ଦ୍ୱାରା ୧୯୬୨ ମସିହାରେ ପ୍ରକାଶିତ ‘ମନଃଶିକ୍ଷା’ ପୁସ୍ତକର ପ୍ରଥମ ଅଧ୍ୟାୟରୁ ସଂଗୃହୀତ।
