(ରାଗ – ଆହାରୀ, ରୋଡ଼ାବାଣୀ)
ଚନ୍ଦ୍ରବତ କୀରତି ରାମଚନ୍ଦ୍ର।
ଈନ୍ଦ୍ର ବିପଦହାରୀ ରାଜଇନ୍ଦ୍ର।୧।
ଶୀତାଂଶୁ ଶିତାମ୍ବୁଜମୁଖୀ ସୀତା।
ନିତାନ୍ତ ଯାହାର ପ୍ରିୟବନିତା।୨।
ରଥିମାନଙ୍କ ଶ୍ରେଷ୍ଠ ଦାଶରଥି।
ପଥିକ ବନେ ଦୈତ୍ୟ ପରିପନ୍ଥୀ।୩।
ଦରନାଶନ ଦ୍ୱାସଜିତଦର।
ଧରଣୀକରତା କୋଦଣ୍ଡଧର।୪।
ହରିଜିତଠାଣୀ ସାକ୍ଷାତ ହରି।
କରିକି ଗତିକି ସମାନ କରି।୫।
କଞ୍ଜ ନୟନ ଚରଣ ପଙ୍କଜ।
ଭଞ୍ଜ ଉପଇନ୍ଦ୍ରର ଦୁଃଖ ଭଞ୍ଜ।୬।
ଏ ସ୍ତୁତି ବୁଧେ ବୁଧଙ୍କୁ ପଚାର।
ଗୁପ୍ତ ଅଦ୍ୟ ପ୍ରାନ୍ତେ ବେନି ଅକ୍ଷର।୭।
ପଦଗୁପ୍ତ ଲକ୍ଷଣେ ଏ ଲକ୍ଷିତ।
ପୂର୍ବ କବିଙ୍କରେ ଯେଣୁ ବିଦିତ।୮।
ଏଣୁ ଏ କବି ବିଚାରଇ ଚିତ୍ତେ।
କଲି ମୁଁ ଅନେକ ପ୍ରକାଶ ଗୀତେ।୯।
ଅଶେଷ ଚଉତିଶା ଚଉପଦୀ।
ତାହା କେତେ ଯେ କହିବି ସମ୍ପାଦି।୧୦।
ଗାହା ଦୋହୋ ଷୋଡ଼ଶେନ୍ଦ୍ର ଛପୋଇ।
ଇତ୍ୟାଦି କବିତ୍ୱ ଗଣନା ନାହିଁ।୧୧।
ରସ କୃଷ୍ଣ ବିଷୟ ଯେତେ ଗ୍ରନ୍ଥ।
ଚିତ୍ତୋଇ ତହୁଁ କିଛି ଲେଖେ ଏଥ।୧୨।
ପୁରାଣ ଛାଇ କଳ୍ପନା ମାଧୁରୀ।
ଚାରୁ ଚିତ୍ରଲେଖା ହେମ ମଞ୍ଜରୀ।୧୩।
ରସଲେଖା କାମକଳା ରଚିତ।
ମନୋରମା ପ୍ରେମଲତା ସୁଗୀତ।୧୪।
ଭାବବତୀ ମୁକ୍ତାମତୀ ପ୍ରମାଣ।
ବରଜଲୀଳା ଯେ ଛାନ୍ଦ ଭୂଷଣ।୧୫।
ଷଡ଼ଋତୁ କଳା କଉତୁକର।
କନିୟମ ସାଦ୍ୟ ଶୁଭଦା ସାର।୧୬।
ବୈଦେହୀଶ ବିଳାସ ସେହି ବାଦ୍ୟ।
ପ୍ରସିଦ୍ଧ ଅବନା ଦ୍ୱାଦଶ ଛାନ୍ଦ।୧୭।
ରାମଲୀଳାମୃତ ଶେଷ ଚରିତ।
ପ୍ରେମ ସୁଧାନିଧି ଯମକେ ସ୍ଥିତ।୧୮।
ରସିକା ହାରାବଳୀ ନାମେ ଗୀତ।
କୁଞ୍ଜବିହାରାଦି ଶ୍ୟାମ ଚରିତ।୧୯।
ଅଳଙ୍କାର ରୀତି ରସପଞ୍ଚକ।
ଲାବଣ୍ୟବତୀ ରସିକ ତୋଷକ।୨୦।
ପୁରୁଷୋତ୍ତମ ମାହାତ୍ମ୍ୟ ରଚନ।
ନାନା କୋଷ ଶବ୍ଦେ ଗୀତାଭିଦାନ।୨୧।
ଛାନ୍ଦ କୋଟି ତାରା ଚନ୍ଦ୍ରମା ପରି।
ଯା ନାମ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ।୨୨।
ତ୍ରୈଲୋକ୍ୟ ମୋହିନୀ ଆଦି ଯେ ଗୀତ।
ନିର୍ମିତ ଛାନ୍ଦ ପୋଥି ପାଞ୍ଚ ସାତ।୨୩।
ସେ ଅର୍ଥ ପାର୍ଥିବ ମାର୍ଗେଣ ପୁଣ।
ହୋଇଛି ଯେଣୁ କରି ବିତରଣ।୨୪।
ବାଲ୍ମୀକେ ମହାନାଟକ ପ୍ରକାରେ।
ଦତ୍ତ ହେଲା ପ୍ରାୟ ହନୁମନ୍ତରେ।୨୫।
ସେ ଏଣୁ ଲେଖା ନୋହିଲା ଲେଖାରେ।
ନଗ୍ରହିଁ ନାଦଧନ ଭୂଲେଖାରେ।୨୬।
ଏତେ ପ୍ରକାରେ କରି ଛନ୍ଦଗୀତ।
ଚିତ୍ର କବିତ୍ୱେ ବଳାଇଲି ଚିତ୍ତ।୨୭।
ଚିତ୍ର ବୋଲି କହି ଏତେ କଥାକୁ।
ଏକେ କେ ମୋହି ପାରନ୍ତି ମନକୁ।୨୮।
ଛାନ୍ଦ ବନ୍ଧ ହୋଇ ବେନି ପ୍ରକାର।
କେ କେତେ ଛନ୍ଦ କେତେ ବନ୍ଧସାର।୨୯।
ଶାର୍ଦ୍ଦୁଳ କ୍ରୀଡ଼ିତ ମଣ୍ଡୁକ ପ୍ଲୁତି।
ଲୋମ ବିଲୋମ ତୁରଙ୍ଗମ ଗତି।୩୦।
-0-
ଉକ୍ତ କବିତାଟି ନାରାୟଣ ଚନ୍ଦ୍ର ଦାସଙ୍କ ଦ୍ୱାରା ପ୍ରକାଶିତ ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ଚିତ୍ରକାବ୍ୟ ବନ୍ଧୋଦୟ’ର ପ୍ରଥମ ଛାନ୍ଦରୁ ଗୃହୀତ। କବି ସମ୍ରାଟଙ୍କ ଦ୍ୱାରା ରଚିତ ବିଭିନ୍ନ କାବ୍ୟ ଓ ଅନ୍ୟ ଲେଖା ସମ୍ପର୍କରେ ସମ୍ୟକ୍ ବିବରଣୀ ‘ଚିତ୍ରକାବ୍ୟ ବନ୍ଧୋଦୟ’ ମାଧ୍ୟରେ ପ୍ରଦାନ କରାଯାଇଛି।
