(ରାଗ – ଚକ୍ରକେଳି)

ଜୟ ଗୋବିନ୍ଦ ଗୋକୁଳ-ସୁନ୍ଦର
ଜୟ ରାମ-ଅନୁଜ ଦାମୋଦର।୧।

ଜୟ କଂସାରୀ ଜଗତ-ତାରଣ
ଜୟ ମାଧବ ନନ୍ଦକ ଧାରଣ।୨।

ଜୟ ରମାରମଣ ଦଇତାରି
ଜୟ ଅନନ୍ତ ଅଖିଳ ବିହାରୀ।୩।

ଜୟ ଗରୁଡ଼ାସନ ପୀତବାସ
ଜୟ ବକାରି ନରକ ନିବାସ।୪।

ଜୟ ଭଗତ ବତ୍ସଳ ମୁରାରି
ଜୟ କାରଣ ସଲିଳ ବିହାରୀ।୫।

ଜୟ ଜଗତ ଜୀବନ ମୋହନ
ଜୟ ନୃସିଂହ ହିରଣ୍ୟ ଧ୍ୱଂସନ।୬।

ଜୟ ଯାଦବ ବରଜ ଚନ୍ଦ୍ରମା
ସର୍ବ କାରଣକୁ ତୁ ବିଶ୍ୱକର୍ମା।୭।

ନାନା ରୂପ ଅରୂପ ତୁହି ହଉ
ପ୍ରାଣୀମାନଙ୍କ ହିତେ ଦେହ ବହୁ।୮।

ଗୋରୁ ବ୍ରାହ୍ମଣ ରକ୍ଷଣେ ତୋ ଜାତ
କେହି ନ ଜାଣେ ଆଦି ମଧ୍ୟ ଅନ୍ତ।୯।

ସର୍ବ ଆତ୍ମାରେ ତୁହି ଆତ୍ମାରାମ
ତୋର ବିହୁନେ ନାହିଁ କର୍ମାକର୍ମ।୧୦।

ତୁ ସେ ଆଦି ଅନାଦି ନିରାକାର
ଶ୍ରୁତି ସ୍ମୃତିକି ନାହିଁ ଗୋଚର।୧୧।

ତୋର ଆଜ୍ଞା ଶିରେ ଧରି ବିରଞ୍ଚି
ଚତୁର୍ଦ୍ଦଶ ଭୁବନ ଅଛି ରଞ୍ଚି।୧୨।

ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା
ତୋର ସୃଜିଲାରୁ ଏହି ବକତା।୧୩।

ତୋହୋ ନକଲା ଆଉ ନାହିଁ କେହି
ତୁ ସେ ସର୍ବ କରତା ଭାବଗ୍ରାହୀ।୧୪।

ଏଣୁ ମନରେ କରଇ ବିଚାର
ତୋହ ବ୍ୟତ୍ରକେ ଗତି ନାହିଁ ମୋର।୧୫।

ଯେବେ ସୁଦୟା କରିବ ମୋହରେ
ମନ ରଖାଇ ପଙ୍କଜ ପୟରେ।୧୬।

ଆଉ ସମ୍ପଦେ ନାହିଁ ପ୍ରୟୋଜନ
ଭକ୍ତି ବିନେ ମୋ ଦରିଦ୍ର ଜୀବନ।୧୭।

ସୁଜ୍ଞ ଜନଙ୍କ ମୁଖରୁ ଶୁଣିଲି
କୃଷ୍ଣ ଭଜିଲେ ତରନ୍ତି ଜାଣିଲି।୧୮।

ଜ୍ଞାନ ସ୍ମରଣେ ପଠନ ଶ୍ରବଣେ।
ପୂର୍ବେ ତରିଅଛନ୍ତି ମୁନିଗଣେ।୧୯।

ସେହୁ ପୁରାଣେ ହୋଇଛି ଲେଖନ।
ମିଥ୍ୟା ନୁହଇ ପ୍ରମାଣ ବଚନ।୨୦।

ନିଶି ଦିବସେ ଯେ ହରି ଭଜନ୍ତି
ଭବ କଳୁଷ ସନ୍ତାପ ତେଜନ୍ତି।୨୧।

(ଶବ୍ଦାର୍ଥ: ଧ୍ୱଂସନ-ଧ୍ୱଂସକାରୀ, ଦେହ ବହୁ-ଦେହ ଧାରଣ କରିବା, ଆତ୍ମାରାମ-ଆତ୍ମାରେ ବିଳାସକାରୀ, କର୍ମାକର୍ମ-କାର୍ଯ୍ୟ ଅକାର୍ଯ୍ୟ, ଶ୍ରୁତି-ବେଦ ଉପନିଷଦ, ସ୍ମୃତି-ମନୁ, ଯାଜ୍ଞବଳକ୍ୟ ଆଦି ରଚିତ ଧର୍ମଶାସ୍ତ୍ର, ବିରଞ୍ଚି-ବ୍ରହ୍ମା, ବ୍ୟତ୍ରକେ-ବ୍ୟତୀତ)
-0-

ଉକ୍ତ କବିତାଟି ‘ମଥୁରା ମଙ୍ଗଳ’ କାବ୍ୟର ପ୍ରଥମ ଛାନ୍ଦର ଏକ ଅଂଶ। କବିତାଟି ଭକ୍ତଚରଣ ଦାସଙ୍କ ରଚିତ ତଥା ଡଃ ଦେବେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ଏବଂ ବିଦ୍ୟା ପ୍ରକାଶନ ଦ୍ୱାରା ୨୦୧୮ ମସିହାରେ ପ୍ରକାଶିତ ‘ମଥୁରା ମଙ୍ଗଳ’ କାବ୍ୟରୁ ସଂଗୃହୀତ।