(ରାଗ-କଳହଂସକେଦାର)

ପ୍ରସ୍ରବଣ-ଶଇଳେ କଲେ ବସତି
ସୌମିତ୍ରି ସଙ୍ଗେ ପ୍ରଭୁ ରାଘବପତି;
ବହଇ ଗୋଦାବରୀ ସେ ଗିରିପାଦେ
ଶିଳା ବନ୍ଧୁର ଶେଯେ ଝର୍ଝରନାଦେ ।୧।

ଏକ ସୁନ୍ଦର ଗିରି ଝର-ଶିରାଳ,
ଦୁଜେ ମହୀରେ ବିଜେ ବରଷାକାଳ।
ମେଘମାଳେ ମେଦୁର ଦେଖି ବିତାନ
କହନ୍ତି ଲକ୍ଷ୍ମଣକୁ ଶୀ ରଘୁରାଣ-।୨।

‘ଲକ୍ଷ୍ମଣ, ଘନ ଦେଖି ନାଚଇ କେକୀ,
ଭକତ ଯଥା ଭବମାୟା ଉପେକ୍ଷି,
ବିତରେ ଅକାତରେ ଜୀବନ ଘନ
ଧନ୍ୟ ଯେ ଦାତା ଜାଣେ ଯାଚକ-ମନ।୩।

ନୀଳ ନୀରଦମାଳେ ଖେଳେ ଚପଳା,
ଖଳ-ପୀରତି ପ୍ରାୟେ ସଦା ଚପଳା,
ବର୍ଷନ୍ତି ମହୀମୁଖେ ନଇଁ ଅମ୍ବୁଦେ,
ବିଦ୍ୟା-ସମ୍ପଦେ ଯଥା ନମନ୍ତି ବୁଧେ।୪।

ବେନି କୋଟିକି ନିହି ବେନି ଶିଖରେ
ତ୍ରିବର୍ଣ୍ଣ-ଜ୍ୟୋତି-ସ୍ରୋତ ସୃଜି ଅମ୍ବରେ,
ମଣ୍ଡେ ଜୀମୂତ ଭାଲ ଶକ୍ର-କାର୍ମୁକ,
ଆଶା ଉଜଳେ ଯଥା ଆସ୍ତିକ ମୁଖ।୫।

ଠାବେ ଠାବେ ଶଇଳ ନୀଳ ବିଗ୍ରହେ
ଧବଳ ଅଭ୍ରଖଣ୍ଡ କି ଶୋଭା ବହେ!
ଚିତ୍ତେ ହୁହଇ ପ୍ରତେ ପଡ଼ିଛି ଟିକି,
କ୍ଷୀରୋଦ-ଫେଣ ବିଷ୍ଣୁ ଅଙ୍ଗେ ଛିଡ଼ିକି।୬।

ଜଳପ୍ରପାତ ଗର୍ଜି ଗଭୀର ରବେ,
ତୁଙ୍ଗ ଭୃଗୁରୁ ଡେଇଁପଡ଼େ ଭୈରବେ,
ସେ ରାବେ ପ୍ରତିରାବ ଦିଅଇ ଦରୀ,
ଧର୍ମଶାସନେ ହୃଦୁଁ ବିବେକ ପରି।୭।

ସହନ୍ତି ଧାରା-ପାତ ଶଇଳଗଣ,
ଖଳ ବଚନ ଯଥା ସହେ ସୁଜନ,
ଫିଟିଛି ଝର, ଦେଖ ଟାଙ୍ଗର-ଅଙ୍ଗେ,
ପାଷାଣ୍ଡେ ହରି-ପ୍ରେମ ଯଥା ସୁସଙ୍ଗେ।୮।

ଚାଲନ୍ତି ପୂଳ ଲଙ୍ଘି ଗିରି-ସରିତେ,
ମତ୍ତ ପାମର ଯଥା ଅଳପ ବିତ୍ତେ।
ଗୋଦାବରୀକି ସର୍ବେ କରନ୍ତି ଗତି,
ମହତ ଆଶ୍ରା ବିନୁ କାହିଁ ମୁକତି? ।୯।

ଆବିଳ ନବଜଳ ପରଶି ମହୀ,
ମାୟାରେ ଜୀବ ଯଥା ଜଡ଼ି ହୁଅଇ।
ନିରତେ ନୀର-ପାତେ ପୂରିଲା ସର,
ସାତ୍ତ୍ୱିକ ଗୁଣେ ଯଥା ସାଧୁ ଅନ୍ତର ।୧୦।

ନିମ୍ନଗା-ନୀର ବେଗେ ସାଗରେ ଧାଏଁ,
ଶାଶ୍ୱତେ ଭକ୍ତ-ଜନ-ମନ ପରାୟେ,
ସାଗରେ ନିଜ ଗୋତ୍ର ଯାଏ ବିସ୍ମରି,
ଭକ୍ତି ତନ୍ମୟ ଯଥା ଲଭିଲେ ହରି ।୧୧।

ଉପୁଡ଼ି ପଡ଼େ ତୀର-ବିଟପୀ ନୀରେ,
ବିଟପୀ-ମନ ଯଥା ଲମ୍ପଟ-ଗିରେ।
ମାତ୍ର ଶଇଳ, ଦେଖ ଉଭା ଅଟଳେ,
କାମୀ ଚାଟୁରେ ସତୀ-ମନ କି ଟଳେ? ।୧୨।

ଲଙ୍ଘଇ ନଦୀସ୍ରୋତ ସେତୁ ବନ୍ଧନ,
ରାଜଦ୍ରୋହୀ ଯେସନ ରାଜଶାସନ।
ବହି ଯାଉଛି ବାରି ଭେଦି କିଆରୀ,
ମର୍ଯ୍ୟାଦା ଲଙ୍ଘେ ଯଥା ସ୍ୱତନ୍ତ୍ରା ନାରୀ ।୧୩।

ଦର୍ଦ୍ଦୁର-ରବ ଶୁଣି ନୀରବ ପିକ,
ମୂଢ଼-ସଭାରେ ମୂକ ଯଥା ଧାର୍ମିକ।
ଡାହୁକ ବଂଶକୁଞ୍ଜେ ନିରତେ ରାବେ,
ବହୁଭାଷୀ ଯେଜନ ଜଳ୍ପେ ସ୍ୱଭାବେ ।୧୪।

ହରିତ ଦୁର୍ବାଦଳେ ହୋଇ ମଣ୍ଡନ,
ନିଦାଘରୁକ୍ଷ ମହୀ ଦିଶେ ଯତନ,
ସରସ ସାଧୁ ହୃଦ ହୁଏ ଯେପରି,
ଶୁଷ୍କ ବୈରାଗ୍ୟେ ଭକ୍ତିରସ ସଞ୍ଚରି ।୧୫।

ପଲ୍ଲବ କଅଁଳିଲା ବୃକ୍ଷେ ଅନେକ,
ସାଧକ-ହୃଦେ ଯଥା ଉଦେ ବିବେକ।
ଅର୍କ-ପାଦପ ହେଲା ପତ୍ର-ବିହୀନ,
ସୌରାଜ୍ୟେ ଖଣ୍ଟେ ଯଥା ହୁଅନ୍ତି ଦୀନ ।୧୬।

କଦମ୍ବ ବିକଶିଲା ଗିରି-କାନନେ,
କଦମ୍ବ-ବନ୍ଧୁ ମେଘ-ମନ୍ଦ୍ର ନିଃସ୍ୱନେ ;
ଭକତବନ୍ଧୁ ହରିନାମ କୀର୍ତ୍ତନୁ
ହର୍ଷ ପୁଲକେ ଯଥା ଭକତତନୁ ।୧୭।

ଗୁଳ୍ମ ଗହଳେ ପଥ ଗଲାଟି ହରି
ବିଧର୍ମୀ ରାଜପଣେ ଶାସ୍ତ୍ର ଯେପରି ।
ଶସ୍ୟେ ବସୁଧା କେଡ଼େ ଶୋଭା ଆସ୍ପଦ,
ଉପକାରୀ ଜନର ଯେହ୍ନେ ସମ୍ପଦ ।୧୮।

ଉଭେଇ ଗଲେ ନଭୁଁ ଜ୍ୟୋତିଷ୍କଗଣେ;
ଜ୍ୟୋତି ଦେଖାଇ ହେଲେ ଜ୍ୟୋତିରିଙ୍ଗଣେ,
ମୁର୍ଖରାଜ୍ୟେ ଯେସନ ବଢ଼େ ଆଦର
ନିର୍ଗୁଣେ, ଗୁଣି-ଜନେ ହୁଅନ୍ତି ପର ।୧୯।

କୃଷକେ ଉପାଡ଼ନ୍ତି ବାଳୁଙ୍ଗା କ୍ଷେତୁଁ
ସାଧୁ ଯେସନ ଆତ୍ମବଡ଼ିମା ଚେତୁଁ,
ସଲିଳୁଁ ପଳାଇଲେ କୋକେ ତ୍ୱରିତେ,
ଅବୁଝାରାଜା ରାଜ୍ୟୁଁ ଯଥା ପଣ୍ଡିତେ ।୨୦।

ନ ଉଠେ ନୀର-ସତ୍ତ୍ୱେ ତୃଣ ଉଷରେ,
ବିକାରେ କାମ ପ୍ରାୟେ ସନ୍ଥ-ଅନ୍ତରେ,
ଜନ୍ତୁ-ସଙ୍କୁଳ ବନସ୍ଥଳୀ ସମ୍ପ୍ରତି,
ସୌରାଜ୍ୟେ ପ୍ରଜା-ପୂର୍ଣ୍ଣ ରାଷ୍ଟ୍ର ଯେମତି ।୨୧।

ବାଟୋଇ ଠାବେ ଠାବେ ଅଟକି ରହେ,
ଇନ୍ଦ୍ରିୟ ଯଥା ଦିବ୍ୟ-ଜ୍ଞାନ ଉଦୟେ,
ପ୍ରବଳ ବାୟୁ କେବେ ତଡ଼େ ଜଳଦ;
କୁପୁତ୍ର ଯଥା କୁଳ-ଧର୍ମ, ସମ୍ପଦ ।୨୨।

କ୍ଷଣେ ନିବିଡ଼ତମ ଗ୍ରାସଇ ଧରା,
କ୍ଷଣେ ଉପୁଜେ ପୁଣି ପ୍ରଚଣ୍ଡ ଖରା,
କୁସଙ୍ଗ ଏହିପରି ସୁଜ୍ଞାନ ନାଶେ,
ସୁସଙ୍ଗ ଏପରି ଜ୍ଞାନ ପ୍ରକାଶେ ।୨୩।

ଦେଖ, ମଳିନ ହୋଇ ଆଶ୍ରମ-ସର
ନ ବହେ ହୃଦେ ଛବି ତୀର-ବନର,
ମତିକି କଳୁଷିତ କଲେ ଯେସନେ
ଅକ୍ଷମ ଜନେ ପର ଗୁଣ ଗ୍ରହଣେ ।୨୪।

ଦେଖ ଦେଖ ଅଗ୍ରତେ ସରସୀଜଳେ
ପଡ଼ି ମଣ୍ଡୁକ-କ୍ରୂର-ଅହି-କବଳେ
ବିକଳେ ରାବୁଁ ରାବୁଁ, ଊର୍ଦ୍ଧେ ଉଡ୍ଡୀନ
ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ।୨୫।

କାଳ-କବଳେ ସିନା ଏରୂପେ ଭାଇ,
ଆରତେ ନର ଘାରି ହେଉଣ ଥାଇ,
ତେବେହେଁ ମନାସଇ ଲଭି ଏ ଦଶା
ମେଣ୍ଟାଇବାକୁ ଭବ-ଭୋଗ-ଲାଳସା ।୨୬।

ବରଷାକାଳ ଅଟେ ଉଦ୍ଭିଦ ମିତ୍ର,
ମାତ୍ର ପଙ୍କଜ ମଲା, ନୋହେ ବିଚିତ୍ର !
ଜଳ-ଗହଳ ହେଲା ତା ପକ୍ଷେ ଯମ,
ଅତି-ସମ୍ପଦ, ବାବୁ, ମହାବିଷମ ।୨୭।

-୦-
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୯୮୧ ମସିହାରେ ପ୍ରକାଶିତ ତଥା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ସାହିତ୍ୟ: ଗଦ୍ୟ ଓ ପଦ୍ୟ ସଙ୍କଳନ’ରୁ ଏହି କବିତାଟି ସଂଗୃହୀତ। ଏହି କବିତାଟି ରାଧାନାଥଙ୍କ ରଚିତ ‘ତୁଳସୀ ସ୍ତବକ’ କାବ୍ୟର ଏକ ଅଂଶ।