(ରାଗ-ତୋଡ଼ି ପରଜ, ତାଳ-ଆଡ଼ତାଳୀ)
ଲୋ ସଜନି! କି ଦେଖିଲା ଆଜ ନେତ୍ର।
ହେ ମାଧବ! ସେ ଅନୁରାଗିଣୀ-ରାଧା।
ତୁମ୍ଭ ପ୍ରେମରସ, ପ୍ରସଙ୍ଗେ ନ ମାନେ
ତିଳେ ଗୁରୁଜନ ବାଧା॥ ଘୋଷା॥
କୁତୁକରେ ତାକୁ, ସମ୍ଭାଷଣ କରୁଁ
ତବ କଥା ସଂଗୋପନେ।
ପ୍ରେମ ଅଶ୍ରୁଧାରେ ବହିଗଲା ତାର,
ନେତ୍ର-ଯୁଗଉ ସଘନେ॥ ୧॥
କନକ-ମୁକୁର-କାନ୍ତି କଳେବରା
ହୋଇଗଲା ପୁଲକିତା।
ଭାବ ଭୋଳେ ପୁଣି, ଅଙ୍ଗ ମ୍ଳାନେ ଧନୀ,
ବାରମ୍ବାର ବିକମ୍ପିତା॥ ୨॥
ନୀଳାକାଶ ମାର୍ଗେ, ଅନାଇ ସରାଗେ
ବୃଷଭାନୁ ଜେମାଦେଈ।
କବରୀ ମୁକୁଳା, ସଜେ ନରବାଳା
ଉରେ ଲଦି କି ପାଞ୍ଚଇ॥ ୩॥
ଯା ଦେଖି ଅଇଲି ପ୍ରୀତି ରସବଲ୍ଲୀ
ଉନମାଦ ଚେଷ୍ଟାଯାକ।
ତାହା ଠୁଳେ କହି ନ ପାରେ ବୁଝାଇ
ଅନୁଭବ ବୋଧ୍ୟ ବାକ୍ୟ॥ ୪॥
ତପତି ନିବୃତ୍ତ-ନ ହେଉଁ ଶ୍ରୀମତୀ
ଉଦ୍ଭ୍ରାନ୍ତେ ଲୋଟଇ ମହୀ।
ତୁମ୍ଭ ଅଙ୍ଗସଙ୍ଗ ବିନୁ ହେ ଶ୍ରୀରଙ୍ଗ।
ଏ ଦଶା ବହିଛି ବିହି॥ ୫॥
ତା’ ପ୍ରେମ ଳାଳସା ବଢ଼ାଇଲ ଖାସା
ବ୍ରଜବଧୁ ଚିତ୍ତ ଚୋରୀ।
କହଇ ଗୋପାଳ-କୃଷ୍ଣ କୁଞ୍ଜେ ଚାଲ
ମିଳାଇବି ଧୀରା ହୀରା॥ ୬॥
-୦-
ଉକ୍ତ କବିତାଟି ଦାଶରଥି ପୁସ୍ତକାଳୟ, କଟକ ଦ୍ୱାରା ୧୯୬୦ ମସିହାରେ ପ୍ରକାଶିତ ତଥା ବୈଷ୍ଣବ ଚରଣ ଦାସ ଗୋସ୍ୱାମୀଙ୍କ ଦ୍ୱାରା ସଂଶୋଧିତ ଓ ସମ୍ପାଦିତ ‘ଗୋପାଳକୃଷ୍ଣ ଗ୍ରନ୍ଥାବଳୀ-ଦ୍ୱିତୀୟ ଭାଗ’ ପୁସ୍ତକରୁ ସଂଗୃହୀତ।