ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଚତୁର ବିନୋଦ କଥା

କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା। ସେ ଅତ୍ୟନ୍ତ ବଳବନ୍ତ ଅଟଇ। ତା’ ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରେ କେହି ନ ଥିଲେ। ସେ ଶର ବିନ୍ଧିଲେ ମତ୍ତ ହସ୍ତୀ ପ୍ରାଣ ହରଇ। ସେ କ୍ଷେତ୍ରପାଳ ଅହିପୁର ନାମେ ପର୍ବତରେ ଘର କରିଥାଏ। ସେ ବାଟରେ ଯିବା ଆସିବା ମହାଜନମାନଙ୍କଠାରୁ ଧନରତ୍ନ ଲୁଟ୍‌ କରି ନେଇ ରାଜା ସମାନ ସମ୍ପଦ କରିଥାଇ। ପାଞ୍ଚଶ ଲୋକ ଯାଉଥିଲେ ମୃଗ ପଲରେ ସିଂହ ପଶି ମନ୍ଥିଲା ପରି ଲୁଟ୍‌ କରଇ।

ଏରୂପେ ଅନ୍ୟାୟ କରିବାରୁ ସେ ପଥ ନ ଚଳିଲା। ବାଣିଜ୍ୟ ନ ଚଳିବାରୁ ମହାଜନମାନେ ବଡ଼ ଦୁଃଖ ପାଇଲେ। କିଛି ଜିନିଷ ନ ମିଳିବା ଯୋଗୁଁ ପ୍ରାଣୀମାନଙ୍କର କାର୍ଯ୍ୟ ଅଚଳ ହେଲା। ସେ ତ ମଧ୍ୟ ସ୍ଥାନ। ଯେଉଁ ଦିଗରେ ଅଇଲେ ସେଇ ବାଟରେ ମିଳିବ। ଆନ ଦିଗରେ ଆତଯାତ କରିବା ସହଜ ନୁହଁଇ। କେମନ୍ତେ ସେ ବାଟ ଗତାଗତ ହେବ, ମହାଜନମାନେ ବସି ବିଚାର କଲେ, ଚାଲ କ୍ଷେତ୍ରପାଳ ସଙ୍ଗେ ଆମ୍ଭେ ପ୍ରୀତି କରିବା, ନୋହିଲେ ଚଳି ପାରିବା ନାହିଁ।

ଏମନ୍ତେ ଦଶବିଂଶ ମହାଜନ ସଙ୍ଗ ହୋଇ ତାଠାକୁ ଯାଇ କହିଲେ ହେ କ୍ଷେତ୍ରପାଳ! ଆମ୍ଭେ ତୁମ୍ଭଠାରେ ମିଳିଲୁଁ, ତୁମ୍ଭେ ଯେଉଁରୂପେ ବୋଲିବ, ସେ ରୂପେ ଧନ ଦେବୁଁ, ଆଉ ବାଟରେ ଆମ୍ଭ ଧନ ଲୁଟ୍‌ କରିବ ନାହିଁ। ଏ ରୂପେ ନାନା ଉପହାର ଦ୍ରବ୍ୟମାନ ଦେଇ କ୍ଷେତ୍ରପାଳ ସଙ୍ଗେ ପ୍ରୀତି କରିଲୁ। ସେ ଯେଉଁ ରୂପେ କହଇ, ସେହି ରୂପେ ଧନ ସାରଣା କରି ବାଣ୍ଟି ଦିଅନ୍ତି। ସେହି ଦିନୁଁ ସେ ବାଟରେ ନିର୍ଭୟରେ ଜଣେ ଦୁଇଜଣ ଆତଯାତ ହୋଇ କାରବାର କଲେ।

କ୍ଷେତ୍ରପାଳଠାରେ ବେଳୁବେଳୁ ଅଧିକ ପ୍ରୀତି କରି ଅପୂର୍ବ ପଦାର୍ଥ ମିଳିଲେ ଆଗ ତାକୁ ଦେଇ ପଛେ ଖାଆନ୍ତି; ଭୟରେ ଇଷ୍ଟବନ୍ଧୁ ପ୍ରାଏ ତା’ଠାରେ ଭାବନା ରଖିଥାଆନ୍ତି। ଏହାକୁ ଦୁଷ୍ଟପ୍ରୀତି କହି। କଲେ ଅକାର୍ଯ୍ୟ ହୁଅଇ, ନ କଲେ ଚଳି ନ ପାରଇ, ଏ ଘେନି ଦୁଷ୍ଟଲୋକ ଥିବାଠାରେ ବାସ ନ କରିବ। ଯେବେ ଅନ୍ତର ହୋଇ ନ ପାରିବ, ତେବେ ଉପର ମନରେ ପ୍ରୀତି ରଖିଥିବ; ଏ ଦୁଷ୍ଟ ପ୍ରୀତି ଅଟଇ।

ଏବେ ନିଚପ୍ରୀତି ଯେ ରୂପେ ତାହା କହିବା ଶୁଣ। ଚନ୍ଦ୍ରଜ୍ୟୋତି ନାମେ ଏକ ରାଜହଂସ ଥିଲା, ସେ ଏକ ଦିନକରେ ମାନସ ସରୋବରରୁ ଗଙ୍ଗାକୁ ଆସୁଥିଲା। ବାଟରେ ଆସନ୍ତେ ଠାଏ ଦେଖିଲା ଏକ ଦିବ୍ୟ ପୁଷ୍କରିଣୀ ଅଛି। ବିଚାରିଲା, ଏଠାରେ ମୃଣାଳ ଖାଇବି। ଏମନ୍ତେ ସେ ଜଳରେ ପଶି ମୃଣାଳମାନ ଆହରଣ କରନ୍ତେ, କୃଷପାଦ ନାମେ ଏକ ବକ ସେ ହଂସକୁ ଦେଖି ବିଚାର କରୁଛି, ଏହା ଦେହ ଏଡ଼େ ପୃଥୁଳ କାହିଁକି ହେଲା, ମୁଁ କାହିଁକି ଏଡ଼େ ଦୁର୍ବଳ ହେଲି। ବର୍ଣ୍ଣରେ ତ ମୁଁ ଏହାଠାରୁ ଉଜ୍ଜ୍ୱଳ, ଚକ୍ଷୁ ହିଁ ତ ମୋହୋର ସୁନ୍ଦର, ପକ୍ଷମାନେ ଅତି ଉତ୍ତମ, କେବଳ ଥଣ୍ଟ, ବେକ, ପାଦ, ଏମାନେ ଟିକିଏ ସରୁ ସରୁ ବୋଲି ଚାଲିବା ବେଳକୁ ମାନୁ ନ ଥିବ।

ମୋର ଯେବେ ଏହାପରି ଦେହ ମୋଟ ହେବ, ତେବେ ଏହାଠାରୁ ଅତି ସୁନ୍ଦର ହେବି, ବକମାନଙ୍କ ଉପରେ ରାଜା ପ୍ରାଏ ଦିଶିବି। ଏବେ ଏହା ସଙ୍ଗେ ପ୍ରୀତି କରି, ଏ ଯାହା ଖାଉଛି, ମୁଁ ତାହା ଖାଇବି। ଏମନ୍ତ ବିଚାର କରି ଡାକିଲା, ଆହେ ମରାଳବର, ତୁମ୍ଭେ ଏ ଦିଗେ ଆସି ଜଳକେଳି କର; ତେଣେ ବ୍ୟାଧମାନେ ଫାଶ ବସାଇଥା’ନ୍ତି, ପକ୍ଷୀମାନଙ୍କୁ ଧରି ପ୍ରାଣ ନିଅନ୍ତି, ଏବେ ସତ୍ୱର ହୋଇ ଏଣିକି ଆସ। ଏହା ଶୁଣି ଚନ୍ଦ୍ରଜ୍ୟୋତି ହଂସ କାତର ହେଲା।

ବିଚାରିଲା, ଏ ବକ ବଡ଼ ଦୟାଳୁ ପ୍ରାଣୀ, ଉପକାରୀ, ବଡ଼ ସଙ୍କଟରୁ ରକ୍ଷା କଲେ, ଏବେ ମୁଁ ଏହାଙ୍କ ସଙ୍ଗେ ପ୍ରୀତି କରିବି। ଏମନ୍ତ ବିଚାରି କୃଶପାଦ ବକ ନିକଟକୁ ଆସି କହିଲା, ଭୋ ମହାତ୍ମା ବକରାଜ, ତୁମ୍ଭେ ବଡ଼ ଦୟାଳୁ, ମୋହର ପ୍ରାଣଦାନ ଦେଲ, ଏ ସକାଶୁଁ ତୁମ୍ଭ ଓ ମୋ ପ୍ରୀତିପଣ ହେଲା, ଏଥିରେ ଅନ୍ୟନାହିଁ। ବକ କହିଲା, ଏ ତୋ ମୋର ଭାଗ୍ୟ କଥା, ମାତ୍ର ମୁଁ ଯାହା ପଚାରିବି ତାହା ନିର୍ମଳ କରି କହିବ। ଏହା ଶୁଣି ହଂସ ବୋଇଲା ପଚାରିବା ହେଉ। ବକ କହିଲା , ଆପଣ କି ଦ୍ରବ୍ୟ ଖାଅ, ମୋତେ ତାହା କହ, ମୁଁ ଖାଇବି। ହଂସ କହିଲା, ଆମ୍ଭେ ଯାହା ଖାଉଁ, ଏଠାରେ ସେ ପଦାର୍ଥମାନ କାହୁଁ ମିଳିବ? କେବଳ ସୁରଗଙ୍ଗାରେ ସେ ଥାଏ। ଯେବେ ତୁମେ ଖାଇବାକୁ ଇଚ୍ଛା କଲ, ତେବେ ମୁଁ ଆଣି ଦେବି।

ଏମନ୍ତ ବକ ସଙ୍ଗେ ପ୍ରୀତି କରି ହଂସ ମେଲାଣି ହୋଇ ସେଠାରୁ ଚଳିଲା। ଗଙ୍ଗାରେ ପ୍ରବେଶ ହୋଇ କିଛିଦିନ ବିହାର କରି, ଭକ୍ଷ୍ୟ ପଦାର୍ଥମାନ ଥଣ୍ଟରେ ଧରି କୃଶପାଦ ବକଠାକୁ ଅଇଲା। ଦେଖିଲା, ସେହି ପୁଷ୍କରିଣୀରେ ବକ ମୀନ ଜଗିଛି, ହଂସ ତା’ ପାଶେ ପ୍ରବେଶ ହୋଇ ମାନ୍ୟ କଲା। କହିଲା ତୁମ୍ଭପାଇଁ ଭକ୍ଷ ପଦାର୍ଥମାନ ଆଣିଛି। ଏହା ପାନ କର। ଏମନ୍ତେ ଚଞ୍ଚୁରୁ କାଢ଼ି ତଳେ ଥୋଇ ଚିହ୍ନାଇ ଦେଲା-

ଏ ମୃଣାଳ ରସ, ଏ ପୁଷ୍କର ରସ,
ଏ କୁମୁଦ ରସ, ଏ କମଳ ମକରନ୍ଦ
ଏ କନକ ପଙ୍କ, ଏ ମୋତି ରଜକ।
ଏ ନାମମାନ ହଂସଠାରୁ ଶୁଣି ମହା ଆନନ୍ଦ ହେଲା କୃଶପାଦ ନାମେ ବକ।

ଏ ନିମନ୍ତେ ହରଷ ହୋଇ ସେ ରସମାନ ଖାଇଲା; ବିଚାରିଲା ଏଥର ମୁଁ ଅତି ପୃଥୁଳ ହେବି। ଏ ରୂପେ ହଂସ ପାଞ୍ଚ ସାତଥର ଆହାର ଆଣି ଦେଲା, ବକ ଓଷଧ ଖାଇଲା ପ୍ରାୟ ଖାଉଥାଏ। ଦିନକୁ ଦିନ ଦେହକୁ ଚାହିଁ ବିଚାରୁଥାଏ, ମୁଁ ତ ମୋଟ ହେଲି ନାହିଁ। ହେ ଜନମାନେ! ବିଚାର କର, ବକ କି ହଂସ ପ୍ରାଏ ହୁଅନ୍ତା! ଯହୁଁ ଦେହ ନ ବଢ଼ିଲା ବିଚାରିଲା, ଏ ହଂସ ପ୍ରୀତିରୁ ମୋର କି କାର୍ଯ୍ୟ ଅଛି! କେବଳ ପଙ୍କ, ପଥର, ଧୂଳିଗୁଡ଼ାଏ ମାତ୍ର ଖାଇଲି। ଏତିକି ହେଲା ଯେ, ହଂସ ଅଇଁଠା ଖାଇଲି, ଖୁଣ୍ଟା ରହିଲା। ବକମାନେ ଶୁଣିଲେ ନିନ୍ଦା କରିବେ, ଅଜାତି କରି ରଖିବେ, ଏବେ ହଂସକୁ ମୁଁ ଅଇଁଠା ଖୁଆଇଲେ ସିନା ହେବ।

ଏମନ୍ତେ ହଂସ ଏକ ଦିନକରେ ପ୍ରବେଶ ହୋଇ ଥଣ୍ଟରୁ ଆହାର ତଳେ ରଖି ବକକୁ କୋଳ କଲା। ବକ କହିଲା, ହେ ମରାଳବର, ତୁମ୍ଭ ଦ୍ରବ୍ୟ ତ ମୁଁ ବହୁତ ଖାଇଲିଣି। ତୁମ୍ଭକୁ କିଛି ନ ଖୁଆଇ ପାରିଲି। ଏ ବଡ଼ ଅସୁନ୍ଦର ହୋଉଛି। ପ୍ରୀତି ଦୁଇଆଡ଼ୁ ହେଲେ ସିନା ସୁନ୍ଦର, ମୁଁ ଯାହା ଦେବି ତୁମ୍ଭେ ତାହା ପାନ କରିବ। ହଂସ ବୋଇଲା କାହିଁକି ନ ଖାଇବି, ତେବେ ଦିଅ। ବକ କହିଲା, ମୁଁ ଯାଇ ଆଣେ, ତୁମ୍ଭେ ଦଣ୍ଡେ ମାତ୍ର ବସ। ଏହା କହି ଯାଇଁ, ଗାଡ଼ିଆଟାକେ ପଶି ଗେଣ୍ଡା, ଶାମୁକା, ଭେକ, ଜୋକ, ମୀନ, ଏରୂପେ ମାରି ତହୁଁ ଖଣ୍ଡେ ଖଣ୍ଡେ ଖାଇ ଆଉ ଖଣ୍ଡମାନ ଥଣ୍ଟରେ ଧରି ହଂସ ପାଶେ ପ୍ରବେଶ ହେଲା। ଥଣ୍ଟରୁ କାଢ଼ି ତଳେ ଥୋଇ କହିଲା, ଏହା ତେବେ ପାନ କର।

ହଂସ ସେ ଦୁର୍ଗନ୍ଧରୁ କହିଲା; ଏହା ପାନକରି ନ ପାରିବି ପରା ! ବକ କହିଲା, ଏ ତ ଉତ୍ତମ ଦ୍ରବ୍ୟ, ମୋଠାରେ ଯେବେ ସୁଖ ଥିବ ତେବେ ଭୋଜନ କରିବ। ହଂସ ତ ମହା ସୁଜନ, ବକ କଥାରେ ବିଶ୍ୱାସ କରି ତହୁଁ ଖଣ୍ଡେ ଖଣ୍ଡେ ଗିଳି ଦିଅନ୍ତେ ପେଟରେ ପଡ଼ି ଦେହ ମନ୍ଥି ହେଲା। ହଂସ ବଡ଼ ବିକଳ ହୋଇ ବାନ୍ତି କରି ପକାଇଲା।

ମୀନ ଦୁର୍ଗନ୍ଧରେ ଅନ୍ତ ଘାଣ୍ଟି ହେଉଛି; ବକକୁ ବୋଇଲା, ମୋ ପ୍ରାଣ ଗଲା, ଏ ବିକଳ ସହି ନୋହିବ। ସେଠାରୁ ବକ କହିଲା, ମୁଁ ତୁମ୍ଭ ଅଇଁଠା ଖାଇଲି, ଏ ବକ କୁଳକୁ ବଡ଼ ଅସୁନ୍ଦର ହେଲା, ତୁମ୍ଭେ ମୋ ଅଇଁଠା ନ ଖାଇଲେ କି ରୂପେ ଯାଆନ୍ତ? ଏବେ ତୁମ୍ଭ ପ୍ରୀତିରୁ ମୋର କିଛି ଫଳ ନାହିଁ। ବକ ଅଇଁଠା କେଡ଼େ ସୁଆଦିଆ ଏହା ତ ଜାଣିଲୁ! ବକମାନେ ଅଇଲେ ଖୁଣ୍ଟି ପକାଇବେଟି, ଏଠାରୁ ବେଗେ ପଳା। ଏହା ଶୁଣି ହଂସ କାତର ହୋଇ ପ୍ରାଣ ଭୟରେ ସେଠାରୁ ପଳାଇଲା।

ଏରୂପେ ନୀଚ ଲୋକ ସଙ୍ଗେ ପ୍ରୀତି କଲେ ଉତ୍ତମ ଲୋକ ବିପଦରେ ପଡ଼ଇ। ଏ ସକାଶୁଁ ନୀଚ ଲୋକ ସଙ୍ଗେ ପ୍ରୀତି ନ କରିବା। ଏହାକୁ ନୀଚ ପ୍ରୀତି କହଇ।
-0-

ପାଠକୀୟ ଆଦୃତି

323 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ବ୍ରଜନାଥ ବଡ଼ଜେନା

ବ୍ରଜନାଥ ବଡ଼ଜେନା(୧୭୩୦-୧୭୯୫) ତାଙ୍କ ସମୟର ଜଣେ ପ୍ରଭାବଶାଳୀ ଲେଖକ, ଚିତ୍ରକର ଓ ଶିଳ୍ପୀ ଥିଲେ। ତାଙ୍କର ସଂସ୍କୃତ, ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଭାଷାରେ ପାଣ୍ଡିତ୍ୟ ଥିଲା। ତାଳପତ୍ର, କାଗଜ, କାଠପଟା ଓ ଅଭ୍ର ଆଦିରେ ଚିତ୍ରାଙ୍କନ ଏବଂ ମୂର୍ତ୍ତି ନିର୍ମାଣରେ ସେ ସୁଦକ୍ଷ ଥିଲେ।

୧୭୫୫ ରୁ ୧୭୭୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ‘ବିଚକ୍ଷଣ’, ‘କେଳି କଳନିଧି’, ‘ତ୍ରିଭୁବନ ସୁନ୍ଦରୀ’ ସହିତ ବିଭିନ୍ନ ଚଉପଦୀ- ‘ଚଣ୍ଡିମାଳଶ୍ରୀ’, ‘କୃଷ୍ଣଲୀଳା’, ‘ଗୋପୀ ବିଳାସ’, ‘ଅମ୍ବିକା ବିଳାସ’ ଆଦି ଗ୍ରନ୍ଥ ରଚନା କରିଥିଲେ। ସେ ତାଙ୍କ ଜୀବନର ଶେଷ ଭାଗରେ ‘ସମରତରଙ୍ଗ’, ‘ରାଜସଭା’ ସହିତ ହିନ୍ଦୀରେ ‘ଗୁଣ୍ଡିଚାବିଜେ’ ଆଦି ରଚନା କରିଥିଲେ।

ବିଭିନ୍ନ ସଂସ୍କୃତ ଗ୍ରନ୍ଥ ଆଧାରରେ ତାଙ୍କ ରଚିତ ‘ହାସବିନୋଦ’, ‘ରସବିନୋଦ’, ‘ନୀତିବିନୋଦ’ ଓ ‘ପ୍ରୀତିବିନୋଦ’ ର ସମାବେଶରେ ‘ଚତୁର ବିନୋଦ’ ନାମକ ଏକ ନୀତି ଓ ଉପଦେଶାତ୍ମକ ଗ୍ରନ୍ଥ ରଚନା କରିଥିଲେ। ଚତୁର ବିନୋଦର ରଚନା ଶୈଳୀ ଓ ଭାଷାର ସରଳତା ଯୋଗୁଁ ଏହା ଓଡ଼ିଆ ଭାଷାରେ ଏକ ଅଦ୍ୱିତୀୟ ଗ୍ରନ୍ଥ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଅନ୍ଧାରୁଆ

ବେକରେ ହାଡ଼ ବାନ୍ଧିଲା। ଦାନ୍ତରେ ତିରଣ ଦେଲା। ଜିଭ ଥାଉ ଥାଉ ଖନା ହୋଇ ପହଲି ପଧାନ ବାରଦୁଆର ଶୁଣ୍ଢିପିଣ୍ଡା ବୁଲି ଖପରା ପତେଇଲା।

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP