ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସାହିତ୍ୟର ଗୁଣ

ଉତ୍କଳ ସାହିତ୍ୟର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ତଥାପି ଯେଉଁମାନେ ଏହି ସାହିତ୍ୟର ଅନୁଶୀଳନରେ ବ୍ରତୀ, ସେମାନେ ଜାଣନ୍ତି, ଆମ୍ଭମାନଙ୍କ ମାତୃଭାଷାର ସାହିତ୍ୟରେ କ’ଣ ଅଛି ଏବଂ କି ଅଭାବ ଅଛି। ଅଭାବ କାହିଁକି, ବହୁତ ଅଭାବ ଯେ ଅଛି, ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ। ଆଜିକାଲି ଏ ଦେଶର ପ୍ରାୟ ଯାବତୀୟ ଶିକ୍ଷିତ ବ୍ୟକ୍ତି ନ୍ୟୂନାଧିକ ପରିମାଣରେ ଇଂରାଜୀ ଭାଷାରେ ଅଭିଜ୍ଞତା ଲାଭ କରିଅଛନ୍ତି। ଶିକ୍ଷିତ ଓଡ଼ିଆମାନେ ଅନେକ ବଙ୍ଗଳା ଭାଷାର ଚର୍ଚ୍ଚା କରିଥାନ୍ତି। କତିପୟ ଶିକ୍ଷିତ ବ୍ୟକ୍ତି ସଂସ୍କୃତ ଭାଷାର ଅନୁରାଗୀ ବୋଲି ତଦ୍‌ଭାଷାରେ ରଚିତ କାବ୍ୟଅଳଙ୍କାର ଦର୍ଶନ ଶାସ୍ତ୍ରାଦିର ଚର୍ଚ୍ଚାରେ ମଧ୍ୟ ରତ। ଏହି ଭାଷାମାନଙ୍କର ଆଲୋଚନାରୁ ଶିକ୍ଷିତ ଓଡ଼ିଆମାନେ ମାତୃଭାଷାରେ ଅଭାବ ଅନାୟସରେ ଅନୁଭବ କରିପାରୁଥିବେ। ଏହି ଅଭାବ ପୂରଣ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ। ଏହି ଅଭାବ-ପୂରଣକୁ ଜୀବନର ଗୋଟିଏ ବ୍ରତ କରିଥିବାର ଲକ୍ଷଣ କୌଣସି କୌଣସି ବ୍ୟକ୍ତିଙ୍କଠାରେ ଦୃଷ୍ଟିଗୋଚର ହେଲାଣି। କେହି କେହି ପୁରାତନର ପକ୍ଷପାତୀ, ତନ୍ମଧ୍ୟରୁ କେହି ଅନ୍ଧଭାବରେ ପକ୍ଷପାତୀ।

ପକ୍ଷାନ୍ତରେ, କେହି କେହି ପୁରାତନକୁ ହେୟ ମନେ କରି ଅବଜ୍ଞାର ଚକ୍ଷୁରେ ଦେଖନ୍ତି ଏବଂ ନୂତନର ଏକାନ୍ତ ପକ୍ଷପାତୀ ଅଟନ୍ତି। ବିଜ୍ଞ ବ୍ୟକ୍ତି ଏ ଉଭୟ କୋଟୀ ପରିତ୍ୟାଗ କରି ଧୀର ଚିତ୍ତରେ ଯୋଗ୍ୟ ମଧ୍ୟମ ଭାବ ଅବଲମ୍ବନ କରନ୍ତି। ଯେଉଁମାନେ ପୁରାତନର ପକ୍ଷପାତରେ ଅବିଚାରୀ, ସେମାନେ କହନ୍ତି, ଆମ୍ଭମାନଙ୍କର ନଥିଲା କ’ଣ? ସେମାନଙ୍କ ମତରେ ଆମ୍ଭମାନଙ୍କର ଅଭାବ ନାହିଁ। ମାତ୍ର ଏତାଦୃଶ୍ୟ ଅନ୍ଧ ପକ୍ଷପାତର ସମୟ ଓଡ଼ିଶାରେ ବୋଧହୁଏ ଆଉ ନାହିଁ। ବର୍ତ୍ତମାନ ଚକ୍ଷୁ ଫିଟିଲାଣି; ଶିକ୍ଷିତ ଓଡ଼ିଆମାନେ ମାତୃଭାଷାରେ ଅଭାବ ଉତ୍ତମରୂପେ ହୃଦୟଙ୍ଗମ କଲେଣି। କର୍ମକ୍ଷେତ୍ରରେ ପ୍ରବେଶ କରି ଅଧ୍ୟବସାୟ ସହକାରେ ଅଭାବ ପୂରଣ କରିବାପାଇଁ ମାତୃଭାଷା ବର୍ତ୍ତମାନ ସନିର୍ବନ୍ଧ ଆହ୍ୱାନ କଲାଣି। କାବ୍ୟକୁ ସଂସ୍କୃତ ଭାଷାର ଆଳଙ୍କାରିକମାନେ ଚତୁର୍ବର୍ଗ ଫଳଦାୟୀ ବୋଲି ଉଲ୍ଲେଖ କରିଅଛନ୍ତି। ଏହି ଉକ୍ତିର ଯାଥାର୍ଥ୍ୟ ବିଚାର କରିବାର ପ୍ରୟୋଜନ ବର୍ତ୍ତମାନ ନାହିଁ। ତେବେ ଏଥିରେ ଅନ୍ତତଃ ଏତିକି ସତ୍ୟ ନିହିତ ଅଛି ଯେ ସତ୍‌-କାବ୍ୟ ପ୍ରଣୟନରେ ସିଦ୍ଧହସ୍ତ ବ୍ୟକ୍ତି ସୁକୌଶଳରେ ସ୍ବ-କାବ୍ୟରେ ଅତି ଉପାଦେୟ ଉପଦେଶମାନ ଯଥାଯୋଗ୍ୟ ସ୍ଥାନରେ ସନ୍ନିବେଶିତ କରି ମାନବ ହୃଦୟକୁ ବିମଳ ଆନନ୍ଦରେ ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ତାହାର ଆଧ୍ୟାତ୍ମିକ ଉନ୍ନତି ସାଧନ କରନ୍ତି।

କାବ୍ୟର ଏହି ମାନଦଣ୍ଡ ପ୍ରୟୋଗ କଲେ ଇଂରାଜୀ ଭାଷାର ଅନେକଗୁଡ଼ିଏ, ବଙ୍ଗଳାଭାଷାର କେତେଗୁଡ଼ିଏ କାବ୍ୟ ଆବର୍ଜନାରେ ନିକ୍ଷିପ୍ତ ହେବ। ସଂସ୍କୃତ ଭାଷାରେ ପ୍ରଥମେ ବେଦ ଓ ଉପନିଷଦ୍‌ ରଚିତ ହୋଇଥିଲା ଏବଂ ପଣ୍ଡିତମାନେ ତାହାରି ଚର୍ଚ୍ଚା ଓ ଅଧ୍ୟାପନାରେ ସମୟ ଅତିବାହିତ କରିଥିଲେ। ଯୁଗଜନ୍ମା ଓ ଯୁଗପ୍ରବର୍ତ୍ତକ ବାଲ୍ମୀକି ବେଦ ଓ ଉପନିଷଦ୍‌କୁ ଜନ ସାଧାରଣର ଅତି ଦୁର୍ବୋଧ୍ୟ ଜାଣି, ଆଦିକାବ୍ୟ ରାମାୟଣ-ପ୍ରଣୟନରେ ବ୍ରତୀ ହେଲେ। ଓଡ଼ିଶାରେ ଅଦ୍ୟାପି କାବ୍ୟାତିରିକ୍ତ ସ୍ଥାୟୀ ଲେଖା ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ। ସେଥିରେ ପୁଣି କୌଣସି କାବ୍ୟ ବାଲ୍ମୀକି ରାମାୟଣର ସମାନ ସ୍ଥାନ ଅଧିକାର କରିଥିବା ମୋତେ ଜଣା ନାହିଁ। ତାହାର କାରଣ ଏହି ଯେ, ପ୍ରାଚୀନ ଓଡ଼ିଆ କାବ୍ୟ ପ୍ରଣେତା ସମସ୍ତେ ଅଥବା ସେମାନଙ୍କର ଅଧିକାଂଶ ପ୍ରଥମାବସ୍ଥାରେ ସଂସ୍କୃତ ଭାଷାର ଚର୍ଚ୍ଚା କରି, ପଶ୍ଚାତ୍‌ ଓଡ଼ିଆ ଭାଷାରେ ଲେଖନୀ ଧାରଣ କଲେ।

ସୁତରାଂ ସଂସ୍କୃତ ଭାଷାରେ ଯାହାର ଯେଉଁ ଆଦର୍ଶ ଥିଲା, ତାହାକୁ ସେ ଅନ୍ତଶ୍ଚକ୍ଷୁର ସମକ୍ଷରେ ରଖି ଆପଣା କାବ୍ୟ ରଚନା କଲେ। ଏହାର ଯେ ବିଶେଷ-ବିଧି ନାହିଁ, ତାହା ମୁଁ ଅବଶ୍ୟ କହୁନାହିଁ। ଭଞ୍ଜକବି ନୈଷଧକାରଙ୍କର ପଟ୍ଟଶିଷ୍ୟ; ‘ବୈଦେହୀଶ ବିଳାସ’ରେ ‘ନୈଷଧ’ର ଛାୟା ପଡ଼ିଅଛି। ତାହା ବୋଲି ଭଞ୍ଜେ ଯେ ପ୍ରସାଦଗୁଣ ସମ୍ପଦ ପଦାବଳୀ ରଚନା କରିବାକୁ କ୍ଷମ ନଥିଲେ, ତାହା ନୁହେଁ। ତାଙ୍କ ପ୍ରଣୀତ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ପ୍ରଭୃତି କତିପୟ କାବ୍ୟର କୌଣସି କୌଣସି ସ୍ଥାନରେ ପ୍ରସାଦ ଗୁଣ ସନ୍ଦର୍ଶନ କଲେ ତାହା ଆଧୁନିକ ଲେଖା ବୋଲି ପାଠକଙ୍କର ଭ୍ରମ ହେବ।

‘ବ୍ରହ୍ମାଣ୍ଡ ଚିନ୍ତାମଣି’ର ପ୍ରଣେତା ବୈଷ୍ଣବ କବି; ତାଙ୍କ କାବ୍ୟରେ ବୈଷ୍ଣବ ଧର୍ମଶାସ୍ତ୍ରର ବା ବୈଷ୍ଣବ-ଦର୍ଶନର ଛାୟା ପତିତ ହୋଇଅଛି। ପକ୍ଷାନ୍ତରେ, ଦୀନକୃଷ୍ଣ ଏପରି ଆଦର୍ଶର ପକ୍ଷପାତୀ ନୁହନ୍ତି ବୋଲି ତାଙ୍କର ପଦାବଳୀ ସୁବୋଧ ହୋଇଅଛି। ଜଗନ୍ନାଥ ଦାସ ସ୍ୱତନ୍ତ୍ର ଶ୍ରେଣୀର ଲେଖକ। ସେ ସ୍ୱୟଂ ବୈଷ୍ଣବ; ବ୍ୟାସଦେବଙ୍କ ପ୍ରଣୀତ ସଂସ୍କୃତ ଭାଷାର ‘ଶ୍ରୀମଦ୍‌ ଭାଗବତ’କୁ ସେ ଓଡ଼ିଆ ପଦ୍ୟାକାରରେ ଲିପିବଦ୍ଧ କରିଯାଇଅଛନ୍ତି। ସଂସ୍କୃତ ‘ଶ୍ରୀମଦ୍‌ ଭାଗବତ’ର ପ୍ରାଣ ଜଗନ୍ନାଥ ଦାସଙ୍କ ‘ଭାଗବତ’ରେ ଅଛି। କିନ୍ତୁ ଅସ୍ଥି ମଜ୍ଜା ପ୍ରଭୃତି ବିଭିନ୍ନ। ଅନେକଙ୍କ ମତରେ ଓଡ଼ିଆ ଭାଷାର ଏହି ‘ଭାଗବତ’ ଇଂରାଜୀ ଭାଷାର ଷ୍ଟାଣ୍ଡାର୍ଡ଼ ‘ବାଇବେଲ୍‌’ର ସ୍ଥାନ ଅଧିକାର କରିଅଛି। ଭଞ୍ଜ, ଦୀନକୃଷ୍ଣ, ସାରଳା ଦାସ, ଜଗନ୍ନାଥ ଦାସ, ସାମନ୍ତସିଂହାର ପ୍ରଭୃତିଙ୍କ ପୂର୍ବବର୍ତ୍ତୀ ଯୁଗର ଲେଖକମାନଙ୍କର ଲେଖା ଆଜି ଯାଏ ମୁଦ୍ରିତ ଓ ପ୍ରକାଶିତ ହୋଇନାହିଁ। କେବେ ତାହା ପ୍ରକାଶିତ ହେଲେ, ତତ୍‌ ସହିତ ଟୀକା ବା ଅନୁବାଦ ଆବଶ୍ୟକ ହେବ।

ସାହିତ୍ୟ ହେଉଛି ଦର୍ପଣ ସ୍ୱରୂପ। ସେଥିରେ ଆମ୍ଭେମାନେ ସମାଜର ଓ ସମସାମୟିକ ଘଟନାବଳୀ ପ୍ରତିବିମ୍ବ ଅବଲୋକନ କରୁଁ। କୌଣସି ଭାଷାର ଧାରାବାହିକ ସାହିତ୍ୟ ଲିପିବଦ୍ଧ ଓ ପ୍ରକାଶିତ ହେଲେ, ସେଥିରୁ ତୀକ୍ଷ୍‌ଣଧି ପାଠକ ଅନେକ ବିଷୟ ଅବଗତ ହୋଇପାରିବେ। ଭାଷାର ଇତିହାସ, ବ୍ୟାକରଣ ଓ କୋଷର ପ୍ରଣୟନରେ ଏହା ପ୍ରଧାନ ସହାୟକ। ସମାଜର ରୀତିନୀତି, ବୈଷୟିକ, ମାନସିକ, ଆଧ୍ୟାତ୍ମିକ ଆଦି ନାନା ବିଷୟରେ ପ୍ରଧାନ ପ୍ରଧାନ ଅନୁଷ୍ଠାନ ଓ ଯୁଗୋଚିତ ସଂସ୍କାର ବା ପରିବର୍ତ୍ତନ ସାହିତ୍ୟରେ ନ୍ୟୂନାଧିକ ପରିମାଣରରେ ପ୍ରତିବିମ୍ବିତ ହୁଏ। ଜାତୀୟ ସାହିତ୍ୟ ଗୋଟିଏ ମହାଭଣ୍ଡାର ଏବଂ ଏହି ମହାଭଣ୍ଡାରରେ ଅନେକ ରତ୍ନ ସହିତ ଅନେକ ଚିତ୍ର ସଂରକ୍ଷିତ ହୋଇଥାଏ। ବ୍ୟାସ ପ୍ରଣୀତ ମହାଭାରତ ଖଣ୍ଡିଏ ମହାକାବ୍ୟ ମାତ୍ର, ଗୋଟିଏ ଜାତିର ସମଗ୍ର ସାହିତ୍ୟ ନୁହେଁ। ଏହି ମହାକାବ୍ୟ ଖଣ୍ଡିକରୁ ହିଁ ତତ୍କାଳିକ ସମାଜର ଅବସ୍ଥା, ରୀତିନୀତି, ଶସ୍ତ୍ରବିଦ୍ୟା ଓ ଶାସ୍ତ୍ରରେ ପାରଦର୍ଶିତା, ଆଧ୍ୟାତ୍ମିକ ଚର୍ଚ୍ଚା, ମନୁଷ୍ୟମାନଙ୍କର ରୁଚି ପ୍ରଭୃତି ନାନା ବିଷୟ ଆମ୍ଭେମାନେ ଅବଗତ ହେଉଁ। ଏହି ମହାସମୁଦ୍ରରୁ ଚଳୁଏ ଚଳୁଏ ଜଳ ଗ୍ରହଣ କରି ପୂର୍ବକାଳର ଓ ଏ କାଳର ଅନେକ ସୁଲେଖକ ମହାକବି ଆଖ୍ୟା ପ୍ରାପ୍ତ ହୋଇ ଅଛନ୍ତି।

ଦେହ ନଶ୍ବର, ଦେହି ଅନଶ୍ବର। ସ୍ଥୂଳ ଶରୀର କ୍ଷୟପ୍ରାପ୍ତ ହୋଇ ନଷ୍ଟ ହୋଇଯାଏ; ଆତ୍ମାର ବିନାଶ ନାହିଁ। ଏହା ଦାର୍ଶନିକ ପଣ୍ଡିତମାନଙ୍କର ମତ। ଜନସାଧାରଣ ମଧ୍ୟ ଏ ମତ ଗ୍ରହଣ କରନ୍ତି। ପ୍ରାୟ ପ୍ରତ୍ୟେକ ଅପର କୌଣସି ବ୍ୟକ୍ତିଙ୍କର ଆଧିନ୍ୟ ସ୍ୱୀକାର କରିଥାନ୍ତି, ସେହି ବ୍ୟକ୍ତିଙ୍କ ସ୍ୱୀକାର ଚାଳିତ ହୁଅନ୍ତି। ଏକ ଗୃହରେ ଏକାନ୍ନରେ ଯେଉଁମାନେ ବାସ କରନ୍ତି, ସେମାନେ ଗୃହକର୍ତ୍ତାଙ୍କର ଅଧିନ ହୋଇଥାନ୍ତି। ରାଜ୍ୟରେ ବାସ କଲେ ରାଜାର ଅଧିନ ହେବାକୁ ହୁଏ। ଯେ ବ୍ୟକ୍ତି କୌଣସି ସମାଜର ଅନ୍ତର୍ଗତ, ସେ ସେହି ସମାଜର ନେତାଙ୍କର ନେତୃତ୍ୱ ସ୍ୱୀକାର କରେ।

ଯେଉଁଠାରେ ଦୀକ୍ଷା ଗ୍ରହଣ ପ୍ରଥା ପ୍ରଚଳିତ ଅଛି, ସେଠାରେ ଶିଷ୍ୟମାନଙ୍କୁ ଦୀକ୍ଷାଗୁରୁଙ୍କୁ ଅଧୀନ ହେବାକୁ ହୁଏ। ବ୍ୟକ୍ତିର ଜୀବନରେ, ସମଷ୍ଟି, ଜାତି ବା ସମାଜରେ ଜଣ ଜଣଙ୍କର ପ୍ରଭାବ ବା କର୍ତ୍ତୃତ୍ୱ ପରିଲକ୍ଷିତ ହୋଇଥାଏ। ମାନବ ଜୀବନରେ ଧର୍ମ-ପ୍ରବର୍ତ୍ତକଙ୍କ ପ୍ରଭାବ ସର୍ବାପେକ୍ଷା ଅଧିକ ଓ ସ୍ପଷ୍ଟ। ଧର୍ମପ୍ରବର୍ତ୍ତକଙ୍କ ତଳକୁ କବିଙ୍କର, ସାହିତ୍ୟ ରଥୀଙ୍କର ଆସନ। ମାତ୍ର କବି ବା ସାହିତ୍ୟ ରଥୀଙ୍କର ପ୍ରଭାବ ଧର୍ମ-ପ୍ରବର୍ତ୍ତକଙ୍କ ପ୍ରଭାବ ପରି ସୁସ୍ପଷ୍ଟ ନୁହେଁ। ବାଗ୍ନୀ ଓ କବି ପ୍ରାୟ ସମଶ୍ରେଣୀର ଲୋକ; ପ୍ରଭେଦ ଏହି ଯେ, ବାଗ୍ମୀଙ୍କ ପ୍ରଭାବ ଶ୍ରୋତାଙ୍କ ଧମନୀରେ ତଡ଼ିଦ୍‌ ଗତିରେ କାର୍ଯ୍ୟ କରେ, କିନ୍ତୁ ତାହା କ୍ଷଣପ୍ରଭା ତୁଲ୍ୟ ଅଚିରସ୍ଥାୟୀ; ସୁକବିଙ୍କ ପ୍ରଭାବ ଯୁଗଯୁଗାନ୍ତର ସ୍ଥାୟୀ। ତେବେ ଯେଉଁ ବାଗ୍ନୀଙ୍କ ବକ୍ତୃତା ଜାତୀୟ ସାହିତ୍ୟରେ ସ୍ଥାନପ୍ରାପ୍ତ ହୁଏ, ତାହା ଜାତୀୟ ସମ୍ପତ୍ତି ହୁଏ ଓ ସ୍ଥାୟୀ ହୋଇ ରହେ।

କବିଙ୍କର, ମହାକବିଙ୍କର ପ୍ରଭାବ ଯେ ସ୍ଥାୟୀ, ଏଥିରେ ବୋଧହୁଏ ମତଭେଦ ହେବ ନାହିଁ। ସେହି ପ୍ରଭାବ ତାଙ୍କର ନଶ୍ବର ଶରୀରେ ନ ଥାଏ; ଥାଏ ତାଙ୍କର ଅମର ଆତ୍ମାରେ, ତାଙ୍କ କାବ୍ୟରେ, ତତ୍‌କୃତ ସାହିତ୍ୟ-ଗ୍ରନ୍ଥରେ। ତାଙ୍କ ଲେଖାବଳୀରେ ତାହାଙ୍କର ଆତ୍ମା ପ୍ରତିବିମ୍ବିତ ବା ଅନୁସୃତ ହୋଇଥାଏ। ସେହି ଲେଖା, ସେହି କାବ୍ୟ, ସେହି ସାହିତ୍ୟରେ ସେ ଅମର ହୋଇ ରହନ୍ତି। ବାଲ୍ମୀକି, ବ୍ୟାସ, ବାଲ୍ମୀକି, କାଳିଦାସ, ଉପେନ୍ଦ୍ର, ଦୀନକୃଷ୍ଣ, ସାରଳା ଦାସ, ହୋମର୍‌, ଭର୍ଜିଲ, ଶେକ୍‌ସପିଅର, ମିଲ୍‌ଟନ୍‌, ସକ୍ରେଟିସ୍‌, କବିସୂର୍ଯ୍ୟ ପ୍ରଭୃତି ଯଶୋଦେହରେ ଆୟୁଷ୍ମାନ୍‌ ହୋଇ ରହିଅଛନ୍ତି। ଶ୍ମଶାନ ସେମାନଙ୍କର କେବଳ ନଶ୍ବର କଳେବରକୁ ଗ୍ରାସ କରିଅଛି। ଏମାନେ ଯେଉଁ ଯେଉଁ ଜାତିରେ ଜନ୍ମଗ୍ରହଣ କରିଥିଲେ, ସେହି ସେହି ଜାତିର ସାହିତ୍ୟ ଧରଣୀ ପୃଷ୍ଠରେ ଯାବତ୍‌ ବିଦ୍ୟମାନ୍‌ ଥିବ, ତାବତ୍‌ ଏମାନେ ଅମର ହୋଇ ରହିବେ।
-0-

ଏହି ଲେଖାଟି ଲେଖକଙ୍କ ଦ୍ବାରା ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ୧୯୨୬ ମସିହାରେ ଆୟୋଜିତ ସଭାରେ ପ୍ରଦତ୍ତ ଅଭିଭାଷଣର ଅଂଶବିଶେଷ ଯାହାର ଗୁରୁତ୍ବ ଆଜି ମଧ୍ୟ ରହିଛି।

ପାଠକୀୟ ଆଦୃତି

405 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଚନ୍ଦ୍ରମୋହନ ମହାରଣା

ଓଡ଼ିଆ ସାହିତ୍ୟର ଏକ ବହୁ ପରିଚିତ ନାମ ମଧ୍ୟରେ ଚନ୍ଦ୍ରମୋହନ ମହାରଣା(୧୮୭୦-୧୯୨୯) ନ ଥିଲେ ମଧ୍ୟ ତାଙ୍କର ଲେଖାର ସ୍ବତନ୍ତ୍ର ବିଶେଷତ୍ବ ରହିଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ମହାରଣାଙ୍କ ଉଦ୍ୟମ ଅନସ୍ବୀକାର୍ଯ୍ୟ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘କବିତାବଳୀ’, କଥାବଳୀ’, ‘ଓଡ଼ିଆ ବ୍ୟାକରଣ’ ଆଦି ଓଡ଼ିଆ ସାହିତ୍ୟ ପାଇଁ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସୃଷ୍ଟି।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଅନ୍ଧାରୁଆ

ବେକରେ ହାଡ଼ ବାନ୍ଧିଲା। ଦାନ୍ତରେ ତିରଣ ଦେଲା। ଜିଭ ଥାଉ ଥାଉ ଖନା ହୋଇ ପହଲି ପଧାନ ବାରଦୁଆର ଶୁଣ୍ଢିପିଣ୍ଡା ବୁଲି ଖପରା ପତେଇଲା।

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP