‘And wherefore do the poor complain?”
The rich man asked of me.
‘Come, walk abroad with me’ I said,
‘And I will answer thee’.
– Southey
ଜ୍ୟେଷ୍ଠ ମାସର ମଧ୍ୟ ଭାଗ, ଭାରି ଗ୍ରୀଷ୍ମ, କିନ୍ତୁ ହଠାତ୍ ଅପରାହ୍ଣରେ ଆକାଶ ମେଘାଛନ୍ନ ହେଲା, ସୂର୍ଯ୍ୟଦେବଙ୍କର ପ୍ରଚଣ୍ଡତା ହ୍ରାସ ପାଇଗଲା, ମେଘାନ୍ତରାଳରେ ଲୁକ୍କାୟିତ ଥାଇ ସ୍ୱକୃତ ପାପର ପରିଣାମ ଭୋଗ କରୁଅଛନ୍ତି। ଅତି ଦର୍ପର ପତନ ନିଶ୍ଚୟ ଅଛି, ଏହି କଥା ଭାବି ମ୍ରିୟମାଣ ହୋଇ ରହିଅଛନ୍ତି।
ଜୀବକୂଳ ମଧ୍ୟାହ୍ନର ଭୋଗ କରି ସନ୍ତାପ ଚିତ୍ତରେ କାଳ ଯାପନ କରୁଥିଲେ। ବର୍ତ୍ତମାନ ସୁଖ ବୋଧ ହେବାରୁ ଯେ ଯାହା କାର୍ଯ୍ୟରେ ସ୍ୱଚ୍ଛନ୍ଦରେ ନିଯୁକ୍ତ ହେଲେ। ମୁଁ କିନ୍ତୁ କାର୍ଯ୍ୟାଭାବରୁ ଶୂନ୍ୟ ମନରେ ଗୃହରୁ ନିଷ୍କ୍ରାନ୍ତ ହେଲି, ଏଠି ସେଠି ବନ୍ଧୁମାନଙ୍କ ପାଖରେ ଟିକିଏ ଆଳାପ କରି, ଲକ୍ଷବିହୀନ ଭାବରେ ପୁନଶ୍ଚ ରାଜପଥରେ ବହିର୍ଗତ ହେଲି।
ଦୁଇ ପାର୍ଶ୍ୱରେ ବିପଣୀମାନଙ୍କର ଶୋଭା ଦେଖୁ ଦେଖୁ କ୍ରମେ କ୍ରମେ ଅଗ୍ରସର ହେଉଥିଲି। ଯାଇ ଯାଇ ଛକ ମୁଣ୍ଡରେ ପହୁଞ୍ଚିଲି, ମୁହୂର୍ତ୍ତକେ, ପଲକମାତ୍ରକେ ଏକ ଭୀଷଣ ଘୂର୍ଣ୍ଣି ବାୟୁ ଆରବ୍ଧ ହେଲା, ଧୂଳିରାଶିରେ ଆକାଶ ଅନ୍ଧକାରମୟ ହୋଇଗଲା, ପଥିକମାନଙ୍କ ପକ୍ଷରେ ପାଦେ ମାତ୍ର ଅଗ୍ରସର ହେବା ସଙ୍କଟର ବିଷୟ ହୋଇ ପଡ଼ିଲା। ଝଙ୍କାର ଟିକିଏ କମିଗଲା ଏବଂ ଝୁପୁରୁ ଝୁପୁରୁ ମେଘ ବର୍ଷିଲା। ବିପଦ ମଣି ଆଶ୍ରୟ ଖୋଜିଲି। ଦେଖିଲି, ସମ୍ମୁଖରେ ଏକ ପ୍ରକାଣ୍ଡ ଦ୍ୱିତଳ ଗୃହ। ଭିତରର ସୌନ୍ଦର୍ଯ୍ୟରାଶି ଦର୍ଶନ କରିବାର ଆକାଙ୍କ୍ଷା ଜାତ ହେଉଥିଲେ ମଧ୍ୟ ତାହା ପୂର୍ଣ୍ଣ କରିବା ସୁକଠିନ ମଣି ଆକାଙ୍କ୍ଷାକୁ ଦମନ କରିବାକୁ ହେଲା।
ଇତ୍ୟବସରରେ ଦେଖିଲି, ବାମ ପାର୍ଶ୍ୱରେ ଏକ ସୁନ୍ଦର କୋଠରି, ଦୁଇ ଖଣ୍ଡ କାଷ୍ଠାସନ ଓ ଖଣ୍ଡିଏ ଖଟିଆ ପଡ଼ିଅଛି। ତହିଁରେ ଉକ୍ତ ଦ୍ୱିତଳନିବାସୀ ଧନୀ ସନ୍ତାନଙ୍କ ଦ୍ୱାରପାଳ ସୁସଜ୍ଜିତ ବେଶରେ, ଭୀଷଣ ମୂର୍ତ୍ତିରେ ଦଣ୍ଡାୟମାନ ହୋଇଅଛି। ଉକ୍ତ ଗୃହଟି ଗ୍ରୀଷ୍ମ ଓ ବର୍ଷା କାଳରେ ତାହାର ଆଶ୍ରୟସ୍ଥାନ ସ୍ୱରୂପ ନିର୍ଦ୍ଦିଷ୍ଟ ହୋଇଅଛି। ସେହି ସ୍ଥାନରେ ଆଶ୍ରୟ ଦେବାକୁ ମନ ବଳାଇଲି। କରୁଣ ଦୃଷ୍ଟିରେ ତାହା ଆଡ଼କୁ ଟିକିଏ ଅନାଇଲି।
ଅନାଇବା ମାତ୍ରକେ ଏକ ପ୍ରଚଣ୍ଡ ହୁଙ୍କାର! ଶୁଣିବା ମାତ୍ରକେ ଛାତି ଧଡ଼ପଡ଼ ହେଲା, ଅଗତ୍ୟା ମୁଖ ଫେରାଇ ସେ ସ୍ଥାନ ତ୍ୟାଗ କରିବାକୁ ଉଦ୍ୟତ ହେଲି। ଇତ୍ୟବସରରେ ମୋହର ପରିଚ୍ଛଦ ସାମାନ୍ୟ ଭାବରେ ଆର୍ଦ୍ର ହୋଇ ଯାଇଅଛି। କେଜାଣି କାହିଁକି, ସଦୟ ହୋଇ ଦ୍ୱାରପାଳଟି ପଛରେ ଡାକି ସେଠାରେ ମୋତେ ଆଶ୍ରୟ ଦେଲା, ଉପବେଶନ କରିବାକୁ କାଷ୍ଠାସନ ଖଣ୍ଡିଏ ପାଇଲି। ଦ୍ୱାରପାଳଟିର ନାମ ‘ରାଘବା’, ଲୋକଟି ସରଳାନ୍ତଃକରଣ ବିଶିଷ୍ଟ, ଉପବେଶନ ମାତ୍ରକେ ଆପଣାର କୀର୍ତ୍ତି, ସାହସ ଓ କାର୍ଯ୍ୟଦକ୍ଷତାର ପରିଚୟ ଦେବାକୁ ଲାଗିଲା, ନିଜ ପ୍ରଭୁଙ୍କର ତାହା ପ୍ରତି ପ୍ରବଳ ସ୍ନେହର କେତେ ନିଦର୍ଶନ ଦେବାକୁ ଲାଗିଲା, ମୁଁ ସ୍ତମ୍ଭିତ ଭାବରେ ସବୁ ଶୁଣିବାକୁ ଲାଗିଲି।
ଅବିଶ୍ରାନ୍ତ ଭାବରେ ଅସରାକୁ ଅସରା ମେଘ ବର୍ଷୁଥିବାରୁ ରାଜପଥମାନଙ୍କରେ ଆଣ୍ଠୁଏ ଲେଖାଏଁ ପାଣି ଜମି ଗଲାଣି। ମଧ୍ୟେ ମଧ୍ୟେ ଧଡ଼ ଧଡ଼ କରି ଖଣ୍ଡିଏ ଜୀର୍ଣ୍ଣ ଶକଟ ଚାଲିଛି। ଜନପ୍ରାଣୀଙ୍କର ଆଉ ବିଶେଷ କୋଳାହଳ ନାହିଁ। କେବଳ ବୃଷ୍ଟିଧାରାର ଝର ଝର ଶବ୍ଦ ଛଡ଼ା ଆଉ କିଛି ଶ୍ରୁତିଗୋଚର ହେଉ ନ ଥିଲା। କିଛି କାଳ ଏହିପରି ଅତିବାହିତ ହେଲା ପରେ ବର୍ଷା ଟିକିଏ କମି ଗଲା, ଏ ଆଡ଼େ ସେ ଆଡ଼େ ପ୍ରୟୋଜନାନୁସାରେ ଲୋକେ ଯେ ଯାହା କାର୍ଯ୍ୟରେ ଯିବା ଆସିବା କରିବାକୁ ଲାଗିଲେ।
ଏମନ୍ତ ସମୟରେ ଗୋଟିଏ ବୃଦ୍ଧା ସ୍ତ୍ରୀ, ଏକ ଅନାଥ ବାଳକ ସହିତ ଆସି ଗୃହ ସମ୍ମୁଖସ୍ଥ ଦେବଦାରୁ ବୃକ୍ଷ ମୂଳରେ ଦଣ୍ଡାୟମାନ ହେଲା। ବାଳକ ମୁଖରେ ଅନବରତ ଏକ କଥା ‘‘ବାବା! ଅନ୍ଧୁଣୀ ବୁଢ଼ୀକୁ କିଛି ମିଳୁ’’, ମଧ୍ୟେ ମଧ୍ୟେ ବୃଦ୍ଧାର କାତରୋକ୍ତି। ଦୁହିଁଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ପରିଧେୟ ବସ୍ତ୍ର ଅତ୍ୟନ୍ତ ଜୀର୍ଣ୍ଣ, ମଳିନ, କୌଣସି ପ୍ରକାରେ ଅତି କଷ୍ଟରେ ଲଜ୍ଜା ନିବାରିତ ହେଉଅଛି। ତହିଁରେ ପୁଣି ସମସ୍ତ ଜଳସିକ୍ତ ଓ କର୍ଦ୍ଦମମୟ; ବାଟରେ ଆସୁ ଆସୁ ଅନେକ ସ୍ଥଳରେ ଗୋଡ଼ ଖସି ଯାଇଥିବାର ପରିଚୟ ମିଳୁଅଛି। ବାଳକଟିର ଶରୀରର ବହୁ ସ୍ଥାନରୁ ରକ୍ତଧାରା ବହୁଅଛି। ବୃଦ୍ଧାର ନାସିକାରୁ ଏକ କ୍ଷୀଣ ରକ୍ତଧାରା ବହୁଥିବାର ଦେଖିଲି!
ସନ୍ନିକଟରେ ଆମ୍ଭମାନଙ୍କ ସ୍ୱର ଶୁଣି ବୃଦ୍ଧା ତାହାର ଦୁର୍ଦ୍ଦଶାର କାହାଣୀ କହିବାକୁ ଲାଗିଲା। ବୃଦ୍ଧାର କେହି ନାହିଁ, ଘର ନାହିଁ, ଦ୍ୱାର ନାହିଁ, ଆଶ୍ରୟ କେବଳ ବୃକ୍ଷମୂଳ; ପୁତ୍ର ପୁତ୍ରବଧୂ ଥିଲେ, ଅନାହାରରେ ରୋଗରେ ମରି ଯାଇଅଛନ୍ତି। ଦୁଃଖର ସ୍ମୃତିସ୍ୱରୂପ କେବଳ ମାତ୍ର ଏହି ସନ୍ତାନଟିକି ରଖିଯାଇଅଛନ୍ତି। ଆହୁରି ମଧ୍ୟ୍ୟ ଗୋଟିଏ କନ୍ୟା ଥିଲା, ଆଶା ଭରସା ଥିଲା, ମାଗିଯାଚି ଆଣୁଥିଲା, ବୃଦ୍ଧାକୁ ପଦାକୁ ବାହାରିବାକୁ ଦେଉ ନଥିଲା; କିନ୍ତୁ ହା! ଦିନାକାତେ ହେଲା ତାହାର ଦେଖାନାହିଁ।
ଏହା କହି ବୃଦ୍ଧା କରୁଣ ସ୍ୱରରେ ବାହୁନି ବାହୁନି ବହୁତ କାନ୍ଦିଲା; କହିଲା ଆଜି ସକାଳୁ ଭିକ ମାଗିବାକୁ ବାହାରି ଅଛି, ବହୁତ କଷ୍ଟରେ ଅନେକ ବାଟ ବୁଲି ବୁଲି କେବଳ ମାତ୍ର ଚାରିଟା ପଇସା ମିଳିଥିଲା, ତହିଁରୁ ଅଧଲାକର ମୁଢ଼ି କିଣି ଦୁହେଁଯାକ ଖାଇଥିଲୁ। ପିଲା ପାଇଁ ରାତିକି ପଇସାକର ଭୁଜା କିଣି ନେବି ବୋଲି ପାଞ୍ଚିଥିଲି, ଛିଣ୍ଡା କାନିରେ ପଇସା ବନ୍ଧା ଥିଲା, ଖୋଜିଲି ପାଇଲି ନାହିଁ।
କହିବା ମାତ୍ରକେ ଗଗନଭେଦୀ ଆର୍ତ୍ତସ୍ୱରରେ କ୍ରନ୍ଦନ, ସେ କ୍ରନ୍ଦନ ଶୁଣି କୌଣସି ସହୃଦୟ ବ୍ୟକ୍ତି ସେଠାରେ ରହି ପାରିବ ନାହିଁ। କେତେ ବିକଳ ହୋଇ ସେହିଠାରେ ଦୁହେଁଯାକ କାନ୍ଦି କାନ୍ଦି ରହିଲେ। ଏଣେ ସନ୍ଧ୍ୟା ସମାଗତପ୍ରାୟ, ଧନୀ ଲୋକଙ୍କ ଗୃହରେ ଆନନ୍ଦର ରୋଳ ଶୁଣା ଯାଉଅଛି, ଆଲୋକମାଳାରେ ବିଭୂଷିତ ହୋଇ ଗୃହ ଅପୂର୍ବ ଶ୍ରୀ ଧାରଣ କରିବାକୁ ଲାଗିଲାଣି। ପରିଚାରକ ପରିଚାରିକାମାନେ ଥରକୁଥର ଘରୁ ବାହାରକୁ ଆସୁଅଛନ୍ତି ଏବଂ ଦୋକାନମାନଙ୍କରୁ ନାନାବିଧ ଜିନିଷପତ୍ର କିଣି ନେଇ ଯାଉଅଛନ୍ତି।
ବିବିଧ ବିଳାସ ସାମଗ୍ରୀ, ବହୁବିଧ ମିଷ୍ଟାନ୍ନ, ନାନାଜାତୀୟ ସରସ ଫଳମୂଳ ପ୍ରଭୃତି ଗୃହକୁ ବୁହା ଲାଗିଅଛି। ବାଳକଟି ବୃଦ୍ଧାର ଇଙ୍ଗିତ ମାତ୍ରକେ ବିକଳ ସ୍ୱରରେ ପ୍ରତ୍ୟେକ ଦାସଦାସୀକୁ ତାହାର ଅବସ୍ଥା ଜଣାଇ, କିଞ୍ଚିତ୍ ଖାଦ୍ୟଦ୍ରବ୍ୟ ମାଗି ବହୁର ଦୂରକୁ ସେମାନଙ୍କ ପଛେ ପଛେ ଦୌଡ଼ୁଥାଏ। କିନ୍ତୁ କ’ଣ ହେବ, ସବୁ ବିଫଳ, ଭ୍ରୁକୁଟି, ତିରସ୍କାର, ତର୍ଜନ ଗର୍ଜନ ଛଡ଼ା ଆଉ କିଛି ଲାଭ ହେଲା ନାହିଁ।
ଶେଷରେ ଦ୍ୱାରପାଳଟି ଆପଣାର ଅକର୍ମଣ୍ୟତା-ଜନିତ ଦଣ୍ଡର ଆଶଙ୍କା କରି ସେମାନଙ୍କୁ ସେଠାରୁ ବାହାର କରିବାକୁ ଚେଷ୍ଟା କରୁଅଛି, ଏମନ୍ତ ସମୟରେ ପ୍ରସାଦ ଅଭ୍ୟନ୍ତରରୁ ଏକ ବୃହତ୍ ଅଶ୍ୱଯାନ ଘଡ଼ ଘଡ଼ ଶବ୍ଦ କରି ବାହାରି ଆସିଲା, ସମ୍ମୁଖରେ ଦୁଇ ଜଣ, ‘ହେ’ ‘ହେ’ ପାଟି କରି ଦୌଡ଼ୁଅଛନ୍ତି। ବୃଦ୍ଧାଟି ସୁଯୋଗ ମଣି ଗାଡ଼ି ପାଖକୁ ପାଟି କରି ଦୌଡ଼ି ଗଲା, କିନ୍ତୁ ସଜୋର ଚାବୁକାଘାତରେ ନିକଟବର୍ତ୍ତୀ ନର୍ଦ୍ଦମାରେ ଯାଇ ଗଡ଼ି ଗଡ଼ି ପଡ଼ିଲା। ଅଭାଗାର ଛାତି ଉପରେ ଭାଗ୍ୟବାନ୍ର ଐଶ୍ୱର୍ଯ୍ୟ-ଶକଟ-ଦୃଶ୍ୟ ନିତ୍ୟ!
ପୁନଶ୍ଚ କବିଙ୍କ କଥାରେ ଉପସଂହାର-
“You asked me why the poor complain,
And these have answered thee!”
-୦-
ଉକ୍ତ ଗଳ୍ପଟି ଏନ୍ବିଟି ଦ୍ୱାରା ୨୦୧୯ ମସିହାରେ ପ୍ରକାଶିତ ତଥା ମନୋରଞ୍ଜନ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ ‘ଚନ୍ଦ୍ରଶେଖର ନନ୍ଦଙ୍କ ଶ୍ରେଷ୍ଠ ଗଳ୍ପ’ ପୁସ୍ତକରୁ ସଂଗୃହୀତ। ଗଳ୍ପଟି ୧୯୦୪ ମସିହାରେ ପ୍ରକାଶିତ ସେତେବେଳର ବହୁଳ ପ୍ରସାରିତ ‘ଉତ୍କଳ ସାହିତ୍ୟ’ ପତ୍ରିକାର ଅଷ୍ଟମ ଭାଗ ଦ୍ୱିତୀୟ ସଂଖ୍ୟାରେ ପ୍ରକାଶିତ ହୋଇଥିଲା।