‘ନ ମରି ମୁଁ କାହିଁକି ବଞ୍ଚିଛି, ଏ କପାଳରେ ଆଉ କେତେ କ’ଣ ଅଛି! ଏତେ କରୁଚି, ମୋର ଦୋଷ କଅଣ, ଏ ଦିହ କେତେ ସହିବ? ହା ବିଧାତା! ଟିକିଏ ଦୟା ନାହିଁ, ମାୟା ନାହିଁ।’
ଏକ ଧ୍ୟାନରେ ଏକ ମନରେ ସାଧ୍ୱୀ ପତିପ୍ରାଣା ସୌଦାମିନୀ ଏହିପରି କେତେ ଭାବି ଭାବି ନୀରବରେ ଅଶ୍ରୁପାତ କରେ। ହାୟ! ଶତ ଦୁଃଖ ମଧ୍ୟରେ ଦିନକପାଇଁ ସୁଦ୍ଧା ସ୍ୱାମୀଙ୍କଠାରୁ ମିଷ୍ଟବଚନ ପାଇଥିଲେ ସେ ଆପଣାକୁ ସୁଖୀ ବୋଲି ମନେ କରୁଥାନ୍ତା। ସେ ସରଳା, ପତିପ୍ରାଣା; ତାହାର ଧନରେ ଇଚ୍ଛା ନାହିଁ, ସ୍ୱର୍ଗସୁଖ ତା’ ନିକଟରେ ଅକିଞ୍ଚିତ୍କର-କେବଳ ସ୍ୱାମୀଙ୍କର ସୁଖ, ତା’ ପକ୍ଷରେ ସ୍ୱର୍ଗସୁଖ ସଦୃଶ।
ଦ୍ୱିପ୍ରହର ଅତୀତ ହୋଇ ଯାଉଅଛି, ଚିରଦୁଃଖିନୀ ସୌଦାମିନୀ ତାହାର ଏକମାତ୍ର ନୟନର ମଣି ପ୍ରିୟତମା କନ୍ୟା କମଳାକୁ କ୍ରୋଡ଼ରେ ଧାରଣ କରି ଅଶ୍ରୁସିକ୍ତ ନୟନରେ ଆପଣାର ଅନଶନ କ୍ଳେଶ ସହ୍ୟ କରୁଅଛି।
ଏହି ସମୟରେ କବାଟରେ କିଏ ଧକ୍କା ମାରି ଚିତ୍କାର କରି ଡାକିଲା ‘କବାଟ ଫିଟା!’
ଅନେକ ଦିନ ହେଲା ସ୍ୱାମୀ ଜଳଧରଙ୍କ ଦେଖା ନ ଥିଲା, ପତିପ୍ରାଣା ସୌଦାମିନୀ ଏକାକୀ ଅନଶନରେ ଭଗ୍ନ ଗୃହ ମଧ୍ୟରେ ପ୍ରାଣପ୍ରିୟା କମଳାକୁ ନେଇ ସ୍ୱାମୀଙ୍କର ପ୍ରତୀକ୍ଷାରେ କାଳାତିପାତ କରୁଥିଲା।
ଆଜି ସାତ ଦିନରେ ଜଳଧର ଘରକୁ ଫେରି ଆସି ‘କବାଟ ଫିଟା’ ବୋଲି ଚିତ୍କାର ଆରମ୍ଭ କରି ଦେଇଅଛନ୍ତି।
‘ଏତେ ଦିନରେ ଆସି ଆସିଅଛନ୍ତି!’ ଏହା ଭାବି ଭାବି ଦୁଃଖିନୀ କବାଟ ଫିଟାଇ ଦେଲା।
କିନ୍ତୁ ସର୍ବନାଶ! ଏ କ’ଣ! ସେ ଅବ୍ୟବସ୍ଥା ମୂର୍ତ୍ତି ଦେଖି ସୌଦାମିନୀ ସ୍ତମ୍ଭିତ!
କିନ୍ତୁ ହେଲେ କ’ଣ ହେଲା, ଅତି ସଂଯତ ଚିତ୍ତରେ, ସସମ୍ଭ୍ରମରେ ସୌଦାମିନୀ ପତିଙ୍କର ଶ୍ରାନ୍ତି ଅପନୟନାର୍ଥ ଏକ ଜଳପୂର୍ଣ୍ଣ ପାତ୍ର ତାଙ୍କ ସମ୍ମୁଖରେ ସ୍ଥାପନ କଲା।
ପଦାଘାତରେ ପାତ୍ରଟି ନିକ୍ଷିପ୍ତ ହେଲା। ଭୟରେ ସୁଷୁପ୍ତା କନ୍ୟା କମଳା କ୍ରନ୍ଦନ କରି ଉଠିଲା।
ସୌଦାମିନୀ ଧୀରେ ଧୀରେ ବାଳିକାଟିକି କ୍ରୋଡ଼ରେ ଧରି ହୃହାନ୍ତରରେ କାନ୍ଦି କାନ୍ଦି ପ୍ରାଣରେ ଟିକିଏ ଶାନ୍ତି ଅନୁଭବ କଲା।
ସ୍ୱାମୀଙ୍କ ପାଇଁ ଭୋଜନର ବ୍ୟବସ୍ଥା କରି ଦେବା ଏକାନ୍ତ କର୍ତ୍ତବ୍ୟ ମନେ କରି ଦେଖେ ଯେ ଘରେ ଗୋଟିଏ ଚାଉଳ ନାହିଁ। କ’ଣ କରିବ? ହାତରେ ପାହୁଲାଟିଏ ସୁଦ୍ଧା ନାହିଁ। ମାଗିଲେ ତ କେହି କିଛି ଦେବେ ନାହିଁ। ଅନନ୍ୟୋପାୟ ହୋଇ କନ୍ୟାଟିକୁ କାଖେଇ ସାଇପଡ଼ିଶାମାନଙ୍କ ପାଖରୁ କିଛି ମାଗିବାକୁ ଗଲା। କିଏ କେତେ ବନେଇ ବନେଇ କହିଲେ, କେହି କିଛି ଦେଲେ ନାହିଁ। କିନ୍ତୁ ଯାହାହେଉ ଜଣେ ସମୃଦ୍ଧ ବ୍ୟକ୍ତିର କନିଷ୍ଠା ପୁତ୍ରବଧୂ ଶ୍ୱଶ୍ରୁଦେବୀଙ୍କର ଅଜ୍ଞାତରେ କିଛି ସାମଗ୍ରୀ ତାହାକୁ ଦେଇଥିଲେ। ସୌଦାମିନୀ ସେଥିରେ ଅତି ଯତ୍ନରେ ଆହାର ପ୍ରସ୍ତୁତ କଲା।
ଯାଇ ଦେଖିଲା ଯେ, ସ୍ୱାମୀ ଭୂତଳଶାୟୀ, ଅତି ବିନୀତ ଭାବରେ ପାର୍ଶ୍ୱରେ ଦଣ୍ଡାୟମାନ ହୋଇ କରୁଣ ସ୍ୱରରେ ଖାଇବାକୁ ଅନୁରୋଧ କଲା। ଜଳଧରଙ୍କ ଜ୍ଞାନ ନାହିଁ। ଅନେକ ଚେଷ୍ଟାରେ ରୋଷକଷାୟିତ ନେତ୍ରରେ ଉତ୍ତର କଲେ, ‘ଦୂର ହୋ। କ’ଣ, ରହ, ରହ, ଦେଖିବୁ।’
ସଶଙ୍କ ଚିତ୍ତରେ କେତେ ତିରସ୍କାର, କେତେ ଅପମାନ ସହ୍ୟ କରି କୌଣସି ପ୍ରକାରେ ସ୍ୱାମୀଙ୍କ ଉଠେଇଲା। ଜଳଧର ଖାଇବାକୁ ବସିଲେ। ମହୋଲ୍ଲାସରେ ସୌଦାମିନୀ କଷ୍ଟୋପାର୍ଜିତ ଅନ୍ନ ପତିଙ୍କ ସମ୍ମୁଖରେ ସ୍ଥାପନ କଲା। ସେ କିଛିମାତ୍ର ଖାଇ ପାରିଲେ ନାହିଁ। କିନ୍ତୁ ଅଭାଗିନୀ ପ୍ରତି ଅଯଥା କଟୁବାକ୍ୟ ବର୍ଷଣ କଲେ। ଅବଳାର ହୃଦୟ ଆଉ କେତେ ସହିବ! ତାହାର ଭରସା ଏକ ସ୍ୱାମୀ ଭିନ୍ନ ଆଉ କେହି ନାହିଁ-ସେ ସ୍ୱାମୀ ଭିନ୍ନ ଆଉ କାହାକୁ ଜାଣେ ନାହିଁ-ସୁତରାଂ ସେହି ସ୍ୱାମୀଙ୍କର ଚରଣ ଧରି କାନ୍ଦି କାନ୍ଦି କହିଲା, ‘‘ତୁମେ ମୋର ସ୍ୱାମୀ, ତୁମ ଭିନ୍ନ ମୋର ଆଉ କିଏ ଅଛି? ତୁମ ଗୋଡ଼ତଳେ ପଡ଼ୁଛି, ମୋର କିଛି ଦୋଷ ଥିଲେ କ୍ଷମାକର, ମତେ ଆଉ ଏପରି ମାର ନା, ବଡ଼ କଷ୍ଟ ହେଉଛି!’’
x x x x x x
ଆଜି ଅମାବାସ୍ୟାର ରାତ୍ରି, ସେଥିରେ ପୁଣି ଆକାଶ ଘନ ମେଘାଛନ୍ନ, ସୁ ସୁ ପବନ ବହୁଅଛି। ଏପରି ସମୟରେ ସୁଦୂରବର୍ତ୍ତୀ ଭଗ୍ନ ଗୃହରେ କିଏ ଅସ୍ପଷ୍ଟ ଦୀପାଲୋକରେ ବସି ରୋଦନ କରୁଅଛି।? ସେ ସେହି ହତଭାଗିନୀ। ଆହା! ଆଉ ଏ କୋମଳ ପ୍ରାଣରେ ତପ୍ତ ହୁତାଶନ ସହ୍ୟ ହେଲା ନାହିଁ କି?
ସୌଦାମିନୀ ରୋଗ ଶଯ୍ୟାରେ ଶାୟିତା-ପାଖରେ ସ୍ନେହର ପ୍ରତିମା କମଳା ବସି କାନ୍ଦୁଅଛି। କ୍ରମଶଃ ରଜନୀ ଗମ୍ଭୀର ପ୍ରକୃତି ଧାରଣ କଲା। କୌଣସିଠାରେ ଜନପ୍ରାଣୀର କିଛି ଶବ୍ଦ ଶୁଣା ଯାଉ ନାହିଁ। ଚତୁର୍ଦିଗରେ ବିକଟ ନିସ୍ତବ୍ଧତା! କେବଳ ସେହି ଏକ କ୍ଷୁଦ୍ର ଗୃହରେ ସୌଦାମିନୀ କମଳାକୁ ବକ୍ଷରେ ଧାରଣ କରି ଭୟରେ ଦୁଃଖରେ ଅଶ୍ରୁପାତ କରୁଅଛି।
ମନେ ମନେ ଭାବୁଅଛି, ‘କାହିଁକି ଆଜି ସୁଦ୍ଧା ଏତେବେଳଯାକେ ଆସିଲେ ନାହିଁ! କ’ଣ ହେଲା! କି ବିପଦ ଘଟିଲା!’