କାନନ ମଧ୍ୟରେ ଗିରିଗୁହା-ଗୃହେ
ପାଷାଣ ସୌଧରେ ଧନୀ
ନିକାଞ୍ଚନେ ବାସେ ସଦା ପ୍ରଣୟିନୀ
ନିବସଇ ପ୍ରତିଧ୍ୱନି।
ଏକାକୀ ଅରୂପା ସଦା ଜାଗରୂକା
ଥାଏ ତହିଁ ନୀରବରେ;
କଣ୍ଠୁଁ ଅବା ଯନ୍ତ୍ରୁ ବାହାରିଲେ ଧ୍ୱନି
ତା’ସତ୍ତା ପ୍ରକାଶ କରେ।
ସୁକୁମାରୀ ହୃଦତନ୍ତ୍ରୀ ବାଜି ଉଠେ
କ୍ଷଣେଁ ସମବେଦନାରେ;
ପର ସୁଖ ଦୁଃଖ-କୌତୁକ ଦେଖିଲେ
ମୌନେ ସେ ରହି ନପାରେ।
ଆଗରେ ତାହାର ଅଟ୍ଟହାସ କଲେ
କରେ ସେହୁ ଅଟ୍ଟହାସ।
ଛିଙ୍କିଲେ କୃମ୍ଭିଲେ ଛିଙ୍କଇ ଜୃମ୍ଭଇ,
କାସଇ ଶୁଣିଲେ କାସ।
ଡାକଇ ଡାକିଲେ, କାନ୍ଦଇ କାନ୍ଦିଲେ,
ଗାଇଲେ ଶୁଣି ସେ ଗାଏ,
ଶୁଣିଲେ କାହାରି ବାହୁନିବା, ସେହୁ
ସେପରି ବାହୁନୁଥାଏ।
ତହାକୁ କହିବ ଯେଉଁ କଥା, ସେହୁ
ଫେରାଇ ସେ କଥା କହେ;
କଥା ଦୋଷ ଗୁଣ ନ କରେ ଗ୍ରହଣ;
ତା’ଠାରେ କିଛି ନ ରହେ।
ତା’ଠାରୁ ଅନ୍ତର ହେଲେ ପୂର୍ବ ପରି
ମଉନରେ ସେ ରହଇ।
କାନନେ, କନ୍ଦରେ ପାଷାଣ-ସୌଧରେ
ଆକାଶରେ ଲୀନ ହୋଇ।
-୦-
ଉକ୍ତ କବିତାଟି ଗ୍ରାମସେବକ ସମବାୟ ପ୍ରକାଶନ, କଟକ ପକ୍ଷରୁ ଅନ୍ନପୂର୍ଣ୍ଣା ମହାରଣା ଓ ଶରତ୍ଚନ୍ଦ୍ର ମହାରଣାଙ୍କ ଦ୍ୱାରା ପ୍ରକାଶିତ ‘ଚନ୍ଦ୍ରମୋହନ ଗ୍ରନ୍ଥାବଳୀ’ରୁ ସଂଗୃହୀତ। କବିତାଟି ଚନ୍ଦ୍ରମୋହନ ମହାରଣାଙ୍କ ରଚିତ ‘କଥାବଳି ପଦ୍ୟାଂଶ-୨ୟ ଭାଗ’ ସଙ୍କଳନରେ ପ୍ରଥମେ ପ୍ରକାଶିତ ହୋଇଥିଲା।
୰ ଚନ୍ଦ୍ରମୋହନ ମହାରଣା
ଓଡ଼ିଆ ସାହିତ୍ୟର ଏକ ବହୁ ପରିଚିତ ନାମ ମଧ୍ୟରେ ଚନ୍ଦ୍ରମୋହନ ମହାରଣା(୧୮୭୦-୧୯୨୯) ନ ଥିଲେ ମଧ୍ୟ ତାଙ୍କର ଲେଖାର ସ୍ବତନ୍ତ୍ର ବିଶେଷତ୍ବ ରହିଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ମହାରଣାଙ୍କ ଉଦ୍ୟମ ଅନସ୍ବୀକାର୍ଯ୍ୟ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ନବୋଦ୍ୟମ’, ସହିତ ତାଙ୍କ ରଚିତ ପାଠ୍ୟପୁସ୍ତକ ମଧ୍ୟରେ ‘କଥାବଳି-ପ୍ରଥମ ଓ ଦ୍ୱିତୀୟ ଭାଗ’, ‘ଓଡ଼ିଆ ବ୍ୟାକରଣ-ପ୍ରଥମ ଓ ଦ୍ୱିତୀୟ ଭାଗ’ ସହିତ‘ରଚନା ଶିକ୍ଷା’ ଆଦି ଓଡ଼ିଆ ସାହିତ୍ୟ ପାଇଁ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସୃଷ୍ଟି।
ସେତେବେଳର ଅନେକ ପରିଚିତ ସାରସ୍ୱତ ସାଧକମାନଙ୍କୁ ନେଇ ୧୮୯୩ ମସିହାରେ ଗଠିତ ‘ଆଲୋଚନା ସଭା’ର ପ୍ରଥମ ସମ୍ପାଦକ ଥିଲେ ଚନ୍ଦ୍ରମୋହନ ଏବଂ ସଭାପତି ଥିଲେ ମଧୁସୁଦନ ରାଓ। ଏହି ଅନୁଷ୍ଠାନଟି ପରବର୍ତ୍ତୀ ସମୟରେ ୧୯୦୩ ମସିହାରେ ‘ଉତ୍କଳ ସାହିତ୍ୟ ସମାଜ’ ନାମରେ ନାମିତ ହୋଇଥିଲା। ଏହି ଅନୁଷ୍ଠାନର ଅନେକ ବୈଠକରେ ଚନ୍ଦ୍ରମୋହନ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କୀତ ନିଜ ରଚିତ ଅନେକ ଉପାଦେୟ ପ୍ରବନ୍ଧ ପାଠ କରିଥିଲେ।
ଅଧ୍ୟୟନଠାରୁ ଆରମ୍ଭ କରି ଅଧ୍ୟାପନା, ପରିଦର୍ଶନ, ରଚନା-ପଦ୍ଧତି, ଭାଷା ପ୍ରୟୋଗ ଆଦି କ୍ଷେତ୍ରରେ ସେ ଅନେକ କାର୍ଯ୍ୟ କରିଛନ୍ତି। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶେଷ କରି ପାଠ୍ୟ ପୁସ୍ତକ କ୍ଷେତ୍ରରେ ସୁଧାର ନିମନ୍ତେ ଚନ୍ଦ୍ରମୋହନ ଅନେକ ପାଠ୍ୟପୁସ୍ତକ ରଚନା କରିଥିଲେ। ଘରପୋଡ଼ିରେ ତାଙ୍କର ୩୦/୩୫ଟି ପାଣ୍ଡୁଲିପି ପୋଡ଼ି ନଷ୍ଟ ହୋଇଯାଇଥିବାରୁ ତାଙ୍କର ଅନେକ କୃତି ଲୋକ ଲୋଚନକୁ ଆସି ପାରିନାହିଁ।
କ୍ରମେ ସବିଶେଷ →