ଜଳଦ! ଅଟୁରେ ତୁହି ଗଗନ-ବିହାରୀ;
ତୋର ଯେ ଜନକ, ତୁହି ଜନକ ତାହାରି।

ଦେଖୁଁ ଶୁଣୁଅଛୁଁ ଜଳୁଁ ଜନମ ତୋହର;
ବର୍ଷୁ ଜଳ, ହେଉ ଅଛି ନୟନ ଗୋଚର।

କେତେବେଳେ ବହୁଦୂରେ ଭ୍ରମୁ ଆକାଶରେ,
କେବେ ବା ପରଶି ଯାଉ ଧରଣୀ ଦେହରେ;
କେବେ ଅବା ଗିରିଶୃଙ୍ଗ କରୁ ଆବରଣ,
କଳା ମୁଣ୍ଡେ ଧଳା ଟୋପି ଯେସନ।

ବହୁରୂପୀ ଅଟୁ ମେଘ! ଯେତେ ପରକାରେ,
ରଚିଲେ ବିଧାତା ବର୍ଣ୍ଣ, ଦେଖୁଁ ତୋହଠାରେ।

କଳା ରୂପ ଧରି ଯେବେ ଘୋଟୁ ତୁ ଅମ୍ବର,
ଚମକେ ବିଜୁଳୀ ଗର୍ଜେ ବଜ୍ର ଭୟଙ୍କର।

ଦେଖିଲେ ସେ ରୂପ ତୋର ଉପୁଜଇ ଭୟ,
ସତେ ଅବା ଘଟାଇବୁ ତୁ ମହା ପ୍ରଳୟ।

ଶରଦରେ ନୀଳାକାଶେ ଧଳା ରୂପ ତୋର,
ନିରୀଖିଲେ ଅହ୍ଲାଦରେ ପୂରେ ହୃଦ ମୋର।

ଦିନାନ୍ତେ ବୁଡ଼ଇ ଯେବେ ପଶ୍ଚିମରେ ରବି,
କେଡ଼େ ରମଣୀୟ ଆହା ଦିଶଇ ତୋ ଛବି;
ଝଲଇ ଲୋହିତ ପୀତ ଆଦି ବରଣରେ;
କେ ଚିତ୍ରି ପାରିବ, ଅବା କହି ବଚନରେ?

ସପ୍ତବର୍ଣ୍ଣ ସୁବିଶାଳ ଚାରୁ ଇନ୍ଦ୍ରଧନୁ,
ମଣିମୟ ହାର ପରି ମଣ୍ଡଳ ତୋ ତନୁ।

ନିଶାକାଳେ ଚନ୍ଦ୍ର ତାରା ଖେଳନ୍ତି ଗଗନେ
ତୋହ କୋଳେ ଲୁଚକାଳି-ଖେଳ ନିକାଞ୍ଚନେ।

ତୋ ଦେହୁଁ ବରଷେ ଘନ! ଯେଉଁ ବାରିଧାରା,
ଧରା କଳେବର କରେ ନୟନର କାରା।

ଫଳେ ଦୁର୍ବାଦଳେ ପୁଣି ଶସ୍ୟ କ୍ଷେତ୍ରେ ପର୍ଣ୍ଣେ,
ମଣ୍ଡଇ ଧରଣୀ ତନୁ ଚାରୁ ଶ୍ୟାମ ବର୍ଣ୍ଣେ।

ତର୍ଜ୍ଜୁ ଗର୍ଜ୍ଜୁ ତଥାପି ତୁ ପର ଉପକାରୀ,
କୋଟି ପ୍ରାଣି ପ୍ରାଣ ରକ୍ଷା କରେ ତୋର ବାରି।

-୦-
ଉକ୍ତ କବିତାଟି ଗ୍ରାମସେବକ ସମବାୟ ପ୍ରକାଶନ, କଟକ ପକ୍ଷରୁ ଅନ୍ନପୂର୍ଣ୍ଣା ମହାରଣା ଓ ଶରତ୍‌ଚନ୍ଦ୍ର ମହାରଣାଙ୍କ ଦ୍ୱାରା ପ୍ରକାଶିତ ‘ଚନ୍ଦ୍ରମୋହନ ଗ୍ରନ୍ଥାବଳୀ’ରୁ ସଂଗୃହୀତ। କବିତାଟି ଚନ୍ଦ୍ରମୋହନ ମହାରଣାଙ୍କ ରଚିତ ‘କଥାବଳି ପଦ୍ୟାଂଶ’ ସଙ୍କଳନରେ ପ୍ରଥମେ ପ୍ରକାଶିତ ହୋଇଥିଲା।