ତୁ ତ ନୋହୁ ନିଶାକର ଅଟୁ ଦିନକର
ଯେଣୁ ଦୀନ କରୁଅଛୁ ମୋତେ
ମିତ୍ରୋଦୟେ ହୋଏ ମ୍ଳାନ କୁମୁଦେ ପ୍ରସନ୍ନ
କଳଙ୍କୀ ହୋଇଲୁ ସର୍ବ ମତେ॥ ।୧।

ଘନ ପ୍ରୀତିରେ ପ୍ରକାଶ ନୋହୁ ମିତ୍ର ନାଶ
ଏବେ କରୁ ମୋତେ ଜାଣି ବିଧୁ।
ଏହି ହିଂସୁ କରିଦିନ ଗୋଟିଏ ସମ୍ପୂର୍ଣ୍ଣ
ହୋଇ ନରହୁ ତାମସୀ ବନ୍ଧୁ॥ ।୨।

ତନୁ ହୀନ ଯେଣୁ ନାମ ନିଶ୍ଚେ ଅଟେ ତମ
କଳାକରୁ ଗ୍ରାସୁଅଛି ମୋତେ
ସୁର ତରଙ୍ଗିଣୀ ରସେ ମଜ୍ଜିଲେ ବିଶେଷେ
ଦ୍ୱିଜବରେ ଦାନ ଦେବି ତୋତେ॥ ।୩।

କୁଚ ଶମ୍ଭୁ ଶିରେ ପାଣି ପଦ୍ମ ଦେବି ପୁଣି
କେତେ ସମାର୍ଜନା କରି କରେ
ଦ୍ୱିଜମାନଙ୍କୁ ପୀୟୁଷ ଗ୍ରାସ ଦେବି ବାସ
ଦେଇ ମୁଁ ରହିବି ଦିଗମ୍ବରେ॥ ।୪।
ବାଳା ଯେତେବେଳେ ଆସି ଲୀଳା ଳୋଳେ ହସି
ଗଳାରେ ଶ୍ରୀଭୂଜ ମାଳା ଦେବ
କୋଟି କୁବେର ସମ୍ପତ୍ତି ସଞ୍ଚି ଶଚୀପତି
ପଦ ପାଦତଳେ ଲୋଟାଇବ॥ ।୫।

ଶ୍ୟାମଘନେ ଶଶୀ ପରି ପରିରମ୍ଭେ ଗୋରୀ
ପଶି ନ ଦିଶିବ ମୋ ଅଙ୍ଗରେ
ପଦ୍ମେ ଭ୍ରମର ରହିଲା ପରାଏ ଛଇଳା
ଅଙ୍ଗେ ମୁଁ ରହିବି ଥରେ ଥରେ॥ ।୬।

ପୁଣି ରମଣୀ ରତନ କହି ଚାଟୁମାନ
ମନକୁ ମୋହିବ ଯେତେବେଳେ
ଚଉଷଠି ବନ୍ଧେ ରତି ରସରେ ଯୁବତୀ
ବର ବସାଇବି ତେତେବେଳେ॥ ।୭।

କାମରସେ ରସରାଶି ସତେ ଏହି ନିଶି
ବିଧୁ ବିଲୋକନେ ଉଛୁଳିବ
ହେବ ସୁତନୁ ସୁରସେ ତରଙ୍ଗ ବିଶେଷେ
କୁଳ ମର୍ଯ୍ୟାଦାହିଁ ନ ରହିବ॥ ।୮।

ନେତ୍ର ଛାଡ଼ିବ ନିମିଷ ଦେଖିବ ସେ ରସ
ବନ୍ଧୁ ବନ୍ଧୁ ଇନ୍ଦୁମୁଖ ଶୋଭା
କର୍ଣ୍ଣଯିବ ମୁକ୍ତହୋଇ ଆଜ ପିଇ ପିଇ
ସ୍ନେହବାଣୀ ସୁଧା କେତେ ଅବା॥ ।୯।

ରାଧା ସୁଧାନିଧି ମୁହୀଁ ବନ୍ଧୁ ଧନ ସେହି
ଏହି କାମ୍ୟମାନ ମୁଖେ ଘୋଷି
ବୋଲେ କବି ବ୍ରଜନାଥ ସେହି ମନ ମଥ
ଶରେ ସରୋଷେ ବଚନ ଭାଷି॥ ।୧୦।
-0-

ଉକ୍ତ କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୬୫ ମସିହାରେ ପ୍ରକାଶିତ ‘ବ୍ରଜନାଥ ଗ୍ରନ୍ଥାବଳୀ’ ପୁସ୍ତକର ‘ଦଶପୋଈ’ କାବ୍ୟର ତୃତୀୟ ପୋଇରୁ ସଂଗୃହୀତ।