ଆହେ ବିଶ୍ୱମ୍ଭର, ଦୟାର ଆଧାର
ଘୋର ପାପ ଭାର, କର କର ଦୂର॥
ଛିଞ୍ଚି ହୃଦେ ପ୍ରେମ, ଆହେ ପ୍ରାଣାରାମ
ବୁଣି ଆଶାବୀଜ ତାପ ଦୂର କର॥
ସଂସାରର ଦୁଃଖ, ନ କରୁ ବିମୁଖ
ତବ ଆଜ୍ଞା ପାଳି, ଧନ୍ୟ ହେଉ ନର॥
ମୁଁ ଯାହାକୁ ମଣିଥାଏଁ ଆପଣାର
କରନ୍ତୁ ମତେ ବା ନ କରନ୍ତୁ ପର,
ତାକୁ ସୁଖ ଶାନ୍ତି ଦିଅ ନିରନ୍ତର
ବିଶ୍ୱପ୍ରେମେ ତାଙ୍କୁ କର ଜର ଜର॥
ଦିଅ ହେ ବିଶ୍ୱାସ ନ ହୁଏଁ ନିରାଶ
ଏ ନିରସ ପ୍ରାଣେ, ଆଶା ଆଣି ଭର॥
ଯେତେ ଦୁଃଖ ତାପ, ଦିଅ ହେ ଅମାପ
ତାହା ସହିବାକୁ, ମନେ ଦିଅ ବଳ॥
ତୁମ୍ଭରି ଗାରିମା, ନାହିଁ ତାର ସୀମା
ତାହା ଅନୁଭବୁ ଜୀବନରେ ନର॥
ରଟୁ ତବ ନାମ ଜପୁ ତବ ପ୍ରେମ
ବିଶ୍ୱହିତ ପାଇଁ କାନ୍ଦୁ ଏ ଅନ୍ତର॥
ଜଗତ ମଙ୍ଗଳ ସାଧିବାକୁ ବଳ
ଧନ, ମନ, ବେଳ, ଦିଅ ହେ ଈଶ୍ୱର॥
-୦-
ଉକ୍ତ କବିତାଟି କଟକ ଟେଡିଙ୍ଗ୍ କମ୍ପାନୀ ପକ୍ଷରୁ ପଣ୍ଡିତ ଆକୁଳ ମିଶ୍ର କାବ୍ୟତୀର୍ଥଙ୍କ ଦ୍ୱାରା ସମ୍ପାଦିତ ଏବଂ ୧୯୨୬ ମସିହାରେ ପ୍ରକାଶିତ ତଥା ଗୋପାଳ ଚନ୍ଦ୍ର ପ୍ରଜରାଜଙ୍କ ଲିଖିତ ‘ବାଇଦାସଙ୍କ ଭଜନ’ ପୁସ୍ତକରୁ ସଂଗୃହୀତ। ଏହି ଭଜନଟି ସେତେବେଳର ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇବା ପରେ ଅନ୍ୟ ଲେଖା ସହିତ ସଙ୍କଳନ ଭାବେ ପ୍ରକାଶିତ ହୋଇଥିଲା।
୰ ଗୋପାଳ ଚନ୍ଦ୍ର ପ୍ରହରାଜ
ଓଡ଼ିଆ ଭାଷାରେ ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ଭାବେ ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ସୁପରିଚିତ। ତାଙ୍କ ଦ୍ବାରା ସଙ୍କଳିତ ପୁର୍ଣ୍ଣଚନ୍ଦ୍ର ଭାଷାକୋଷ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷାର ଏକ ଅମୂଲ୍ୟ ଏବଂ ସ୍ବତନ୍ତ୍ର ସୃଷ୍ଟି, ଯାହାର ବିକଳ୍ପ ନାହିଁ। ତାଙ୍କ ରଚିତ ରମ୍ୟରଚନା ସଙ୍କଳନ ମଧ୍ୟରେ ‘ଭାଗବତ ଟୁଙ୍ଗିରେ ସନ୍ଧ୍ୟା’, ‘ନନାଙ୍କ ବସ୍ତାନି’, ‘ବାଇ ମାହାନ୍ତି ପାଞ୍ଜି’, ‘ଆମଘରର ହାଲ୍ଚାଲ୍’ ଆଦି ତାଙ୍କର କାଳଜୟୀ ସୃଷ୍ଟି।
ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ହୋଇଥିଲେ ସୁଦ୍ଧା ସେହି ଲେଖାର ଗୁରୁତ୍ବ ଏବଂ ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି। ଲେଖକଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ହେଉଛି ‘ଉତ୍କଳ କାହାଣୀ’। ଏହା ସହିତ ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲୋକ ମୁଖରେ ପ୍ରଚଳିତ ଢଗ, ଢମାଳି, ପ୍ରବଚନ, ଆପ୍ତବଚନ, ପ୍ରବାଦ, ଉପଦେଶ ଆଦିକୁ ନେଇ ରଚନା କରିଥିଲେ ‘ଢଗ ଢମାଳି ସଂଗ୍ରହ’ ଏବଂ ‘ପ୍ରବଚନ ଓ ସାର ବଚନ’।
ତାଙ୍କର ସାହିତ୍ୟିକ ଜୀବନ ବିଭିନ୍ନ ବୈଚିତ୍ରତାରେ ପରିପୂର୍ଣ୍ଣ। ସେ କବିତା, କାହାଣୀ, ରମ୍ୟରଚନା, ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଭାଷା-ଚର୍ଚ୍ଚା, ପତ୍ରିକା ସମ୍ପାଦନା ସହିତ ଜୀବନୀ ଓ ଆତ୍ମଜୀବନୀ ଆଦି ଲେଖିବା ସହିତ ଅନେକ ଲେଖକଙ୍କର ପ୍ରକାଶିତ ସଙ୍କଳନ ନିମନ୍ତେ ମୁଖବନ୍ଧ ମଧ୍ୟ ଲେଖିଥିଲେ।
କ୍ରମେ ସବିଶେଷ →