(ରାଗ-ମଙ୍ଗଳ)
ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ
ପୁଣ୍ୟ ପୁଣ୍ୟଜନେ କଲେ ସଂସାରୁ ହତ॥୧॥
ମହୀ ମହୀଶଙ୍କ ତାପ ଅମାପ ହେଲା
ନାଗ ନାଗରେ ଅବନୀ ବୁହା ନ ଗଲା॥୨॥
ପର ପରଜାଙ୍କ ବିତ୍ତ ହରିଲେ ବଳେ
ସୁର ସୁରଦ୍ୱେଷ-ତ୍ରାସେ ବିରସ ହେଲେ॥୩॥
ନରଙ୍କ ନରକ ଅତିଶୟ ହୋଇଲା
ତପ ତପବନ୍ତଙ୍କର ଥୟ ନୋହିଲା॥୪॥
ବିଧିରେ ବିଧୀରେ ମୁନି ଯାଇ କହିଲେ
ଅସୁର ଅସୁର ଦର୍ପେ ଦେବେ ତ ହେଲେ॥୫॥
ଲୋକେ ଲୋକେଶ ଯେ ଦୟା କରି ବିଚାରି
ସର୍ବ ସର୍ବସୁର ମୁନି ଘେନି ବାହାରି॥୬॥
ଚିତ୍ତେ ଚିନ୍ତେ କ୍ଷୀରସିନ୍ଧୁ ତୀରେ ବିଧାତା
ହର ହରଷରେ ହରି ସକଳ ଚିନ୍ତା॥୭॥
ଅନନ୍ତ ଅନନ୍ତ-ଶୟନରେ ତା ଜାଣି
‘‘ଲୋକେ ଲୋକେ ଜନମି ତାରିବି ମୁଁ ପୁଣି॥୮॥
ନିଦରେ ନିଦରେ ଥାଅ’’, ବିଧିରେ କହି
ସିତା ସିତାଙ୍ଗଜ ରୋମ ଦେଲେ ଯେ ତହିଁ॥୯॥
ବ୍ରହ୍ମା ବ୍ରହ୍ମାଣ୍ଡକରତା ଆଦେଶ ପାଇ
ଚିତ୍ତେ ଚିନ୍ତେ ଏରୂପେ ଜନ୍ମିବେ ଗୋସାଇଁ॥୧୦॥
ସୁମନସେ ସୁମନସେ ବିଧାତା ହୋଇ
ଦର ଦରଧର ବିନାଶିବେ ବୋଲଇ॥୧୧॥
ଅରି ଅରି ଧରି ହରି କରିବେ ନାଶ
ଶ୍ରବଣେ ଶ୍ରବଣେ ସୁର ମୁନିଏ ତୋଷ॥୧୨॥
‘‘ଜୟ ଜୟ’’ କହି ନିଜ ପୁରକୁ ଗଲେ
ସାତ୍ତ୍ୱତ ସାତ୍ତ୍ୱତ କୁଳେ ଜାତ ଇଚ୍ଛିଲେ॥୧୩॥
ଦେବକୀ ଦେବକିନ୍ନର ତାରଣ ପାଇଁ
ଜନନିବାସ ଜନନୀବାସକୁ ଧ୍ୟାୟୀ॥୧୪॥
ଲୋକେ ଲୋକେ ଜନ୍ମବାଦ ପ୍ରକାଶକରି
ଧରାଧରା ଜାତ ମାତା ଧରାର ପୁରୀ॥୧୫॥
ଜନକ ଜନଙ୍କ ନ ଜାଣିବାରେ ନେଇ
ଗୋପେ ଗୋପ୍ୟେ ନନ୍ଦଘରେ ବହନ ଥୋଇ॥୧୬॥
ନନ୍ଦନନ୍ଦନ ଯେ ମାୟା ଆଶ୍ରିତ ହୋଇ
ଜାତ ଯାତନାକୁ ଥିଲେ ସ୍ୱହିତେ ପାଇ॥୧୭॥
ଅଙ୍ଗ ଅଙ୍ଗ ଘନ-ବିଦ୍ୟୁତ ପ୍ରାୟେ ମିଶିଲା
ପର ପରାମାତ୍ମାରେ କି ଜୀବ ପଶିଲା॥୧୮॥
ଶକ୍ତି ଶକ୍ତିବନ୍ତ ତାତେ ପାଲଟ ଦେଲେ
ମାୟା ମାୟାରେ ତା ବସୁଦେବ ଯେ ନେଲେ॥୧୯॥
କଂସ କଷଣ ବିହିଲା ପ୍ରାଣେ ତା ଜାଣି
ଖରେ ଖରେ ଅନ୍ତର୍ଦ୍ଧାନ ସେ ଠାକୁରାଣୀ॥୨୦॥
-୦-
ଉକ୍ତ କବିତାଟି ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ନିର୍ଦ୍ଦେଶାଳୟ ଦ୍ୱାରା ୧୯୭୭ ମସିହାରେ ପ୍ରକାଶିତ ତଥା ଗୌରୀ କୁମାର ବ୍ରହ୍ମାଙ୍କ ଦ୍ୱାରା ସମ୍ପାଦିତ ‘ଅଭିମନ୍ୟୁ ସାମନ୍ତସିଂହାର ଗ୍ରନ୍ଥାବଳୀ’ର ‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ଦ୍ୱିତୀୟ ଛାନ୍ଦରୁ ସଂଗୃହୀତ।
‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ଦ୍ୱିତୀୟ ଛାନ୍ଦରେ କବି ଶ୍ରୀକୃଷ୍ଣଙ୍କ ଜନ୍ମର କାରଣ, ଜନ୍ମର ସ୍ୱରୂପ ଆଦି ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲାବେଳେ ଏହାର ପ୍ରତ୍ୟେକ ପାଦରେ ‘ଆଦ୍ୟଯମକ’ ଅଳଙ୍କାର ହୋଇଛି।
