ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ତୀର୍ଥରେ ସ୍ନାହାନ କରି ବିଶ୍ୱନାଥଙ୍କୁ କଲେ ସ୍ତୁତି
କାଳ ଅଙ୍ଗି ମହାଲିଙ୍ଗ ଜୟ ତୁ କାଶୀପତି।
ଉତ୍‌ପତ୍ତି ପ୍ରଳୟ ତୋ ତହୁଂ ନାହିଁ ଆନ
ଅନେକ ବିଦାରଣ ଜୟ ତୁ ତ୍ରିଲୋଚନ।
ବଇଲ ବାହାନେ ଭ୍ରମଣି ଅନୁବ୍ରତେଣ ମତି ଭୋଳା
ଭଇରବ ରୂପ ଧରି ପାତିଲୁ ମହାଖଳା।
କମଳାର ନନ୍ଦନ ଅନଙ୍ଗ କାମଦେବ
ତାହାକୁ ଦହିଲୁ ତୁ ପିତାର ଅଭାବ।
ନିରାଲମ୍ବ ପୁରୁଷ ତୁ ନ ଜାଣୁ ଦେବ କିଛି
ନାରାୟଣର ଅଭାବେ ତୁ କାଳକୂଟ ଭକ୍ଷି॥ ।୧୦।

ସ୍ୱାମୀ କାଶିପତି ନାଶ ଗଲା ତୋହୋର କୁଟବୁଦ୍ଧି
ଦୟାସାଗର ନାଥ ତୁ ଶୃଙ୍ଗାର ବାରାନିଧି।
ୟେକା ଚରଣେକ ଚତୁର୍ଭୁଜ ତ୍ରିଲୋଚନ ପଞ୍ଚୁ ସେ ବଦନ
ନାମ ବିଶ୍ୱନାଥ ତୁ ଗଙ୍ଗାର ରମଣ।
ଖପର କୋଠାର ଘେନି ମହାମତ୍ତ ଭୋଳା
ଡିବି ଡିବି ଡମ୍ବରୁ ମତୁଆଳ ଖେଳା।
ଚଣ୍ଡିକା ମତୁଆଳ ଯୋଗ୍ନୀ ଘୋର ରଡ଼ି
ପ୍ରେତ ପିଚାଶ ବେତାଳମାନନ୍ତ ଘେନି ଖେଡ଼ି।
ରକ୍ତବର୍ଣ୍ଣେ ତ୍ରାସ ସୁନ୍ଦର କପାଳୀ
ରକ୍ତ ବସନ ସିନ୍ଦୂର ରକତ ମନ୍ଦାରମାଳୀ॥ ।୨୦।

ଅପୂର୍ବକର ନାଟ କୀର୍ତ୍ତି କାଳାନ୍ତ ଭୋଳା
ବୃଷଭ ବାହାନ ନାଥ ତେଜ ଅନ୍ତର୍ଗଳା।
ଅସାଷ୍ଟମ ମହାତମା କାୟ ମହାମତ୍ତା
ଅଚିନ୍ତା ପୁରୁଷ ନାଥ ପର ଦୁଖେଣ ଚିନ୍ତା।
ସିନ୍ଦୁର ବିଲୋପନ ଅଣାକାର ରୂପ
କ୍ଷଣେ ବୃଦ୍ଧ କ୍ଷଣେ କନ୍ଦର୍ପ ସ୍ୱରୂପ।
କେମାତ ପିତା କେ ଭାରିଯା କେ ଭଗିନୀ
ନାଚନ୍ତି ଗାବନ୍ତି ଭଣ୍ଡ ଗୀତ ଘେନି।
କଡ଼ା ଦାଉଣ୍ଡି ଯେ ଟହ ଟହ ଘୁମୁରା
କେ କୋଳାହଳ କରନ୍ତି କେ ନାଚନ୍ତି ତ୍ରିପୁରା॥ ।୩୦।

ତ୍ରିଣାୟେକ ବୀଣାୟେକ ହେରମ୍ଭ ଗଣପତି
ନନ୍ଦୀ ମହାକାଳ ଚଣ୍ଡ ପ୍ରଚଣ୍ଡ ସେନାପତି।
ଜୟନ୍ତକ ଅଜୟନ୍ତକ ଜାତୁ ମଲ୍ଲ କ୍ଷେତ୍ରପାଳ
ଉନମତ୍ତର କାଳ କାଦମ୍ବରୀ ପାନେ ମତ୍ତଭୋଳ।
ଧୁଧୁକାର ତାଣ୍ଡବ ପରପଞ୍ଚ ଯେ ଯୋଗୀ
ଅବଧୂତ ନାଥ ପିଙ୍ଗଳ ବଇରାଗୀ।
ବଳି ଭୋଜା ମାୟେଂସ ଭୋଜା ଆବର ପୋଡ଼ାବଳି
ଶଉର୍ଯ୍ୟବନ୍ତ ଭୋଳାନାଥ ନାନ ରଙ୍ଗେଣ କେଳି।
ଗିରିଜାର ବଲ୍ଲଭ ମହା ଭଇରବ ମୂରତି
ଶୂଦ୍ର ମୁନି ସାରୋଳ ଦାସ ଅଟଇଅ ପ୍ରକୃତି। ।୪୦।
-0-
ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।କବିତାଟି ସାରଳା ଦାସଙ୍କ ‘ମହାଭାରତ’, ଆଦିପର୍ବର ଏକ ଅଂଶ।

ପାଠକୀୟ ଆଦୃତି

ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଆଦିକବି ସାରଳା ଦାସ

ଓଡ଼ିଆ ସାହିତ୍ୟ ସୌଧକୁ ବଳିଷ୍ଠ ଭିତ୍ତିଭୂମି ପ୍ରଦାନ କରି ନୂତନ ସ୍ବାକ୍ଷର ଦେଇଥିବା ବରେଣ୍ୟ କବି ହେଉଛନ୍ତି ଶୂଦ୍ରମୂନୀ ସାରଳା ଦାସ, ଯିଏକି ଓଡ଼ିଆ ଭାଷା ତଥା ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ପ୍ରାନ୍ତୀୟ ସାହିତ୍ୟ ସମାଜରେ ସମ୍ମାନୀୟ ସ୍ଥାନରେ ଅଧିତିଷ୍ଠ କରି ପାରିଥିଲେ। ଓଡିଆ ସାହିତ୍ୟକୁ ଚିରାଚରିତ ସଂସ୍କୃତ କାବ୍ୟାଦର୍ଶରୁ ମୁକ୍ତିକରି ସାଧାରଣ ଜନତାର ଭାବବୋଧରେ ବିନ୍ୟସ୍ତ କରବାରେ ସେ ପ୍ରଥମ ସ୍ରଷ୍ଟା। ସେଥିପାଇଁ ଏ ଜାତି ତାଙ୍କ ସାଧନାକୁ ସ୍ବୀକୃତି ଦେଇ ଆଦି କବିର ମାନ୍ୟତା ପ୍ରଦାନ କରିଛି।

ସାରଳାଙ୍କ କାଳ:

ସାରଳା ନିଜ ସାହିତ୍ୟରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଓ ଶ୍ରେଷ୍ଠ ଗୌରବ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ପ୍ରଶସ୍ତି ଗାନ କରିଥିବାରୁ ତାଙ୍କୁ ଗଜପତିଙ୍କ ସମସାମୟିକ (୧୪୩୫ ଖ୍ରୀ. ଅ. ରୁ ୧୪୬୬ ଖ୍ରୀ. ଅ. ମଧ୍ୟରେ)ହୋଇଥିବା ଅନୁମାନ କରାଯାଏ।

ବାଲ୍ୟ ଜୀବନ:

ସାରଳା ଦାସ ‘ଶୂଦ୍ର’ କୁଳରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପୈତୃକ ନାମ ଥିଲା ‘ସିଦ୍ଧେଶ୍ବର’। ତାଙ୍କ ଜନ୍ମସ୍ଥାନ ହେଉଛି ଜଗତସିଂହପୁର ଜିଲ୍ଲାର ‘ଯଙ୍ଖେରପୁର ପାଟଣା’ (ସାଂପ୍ରତିକ ‘ଝଙ୍କଡ’)। ପିଲାଟି ଦିନରୁ ପିତୃମାତୃହୀନ ଓ ନିଜ ଅଗ୍ରଜଙ୍କ ଦ୍ବାରା ସେ ଲାଳିତ ପାଳିତ ହେଉଥିଲେ। ଏଣୁ ବାଲ୍ୟଜୀବନ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଅତିବାହିତ ହୋଇଥିଲା।

ପରିବାର ଓ ବ୍ୟକ୍ତିଗତ ଜୀବନ:

ସାରଳା ତାଙ୍କ ରଚନାରେ କେବଳ ମାତ୍ର ପିତା ‘ଯଶୋବନ୍ତ’ ଏବଂ ଅଗ୍ରଜ ‘ପର୍ଶୁରାମ’ ବୋଲି ଜଣାଯାଏ। ପରିବାରର ଅନ୍ୟ କୌଣସି ବ୍ୟକ୍ତି ସମ୍ପର୍କରେ ଉଲ୍ଲେଖ କରିନାହାଁନ୍ତି। ସେ ପରିଡ଼ା କୂଳରେ ଜନ୍ମ ଏବଂ କୃଷିକାରୀ ଥିଲେ। ସେ ଦେବୀ ସାରଳାଙ୍କର ଶ୍ରେଷ୍ଠ ଉପାସକ ଥିଲେ। ତାଙ୍କରି ଅପାର କରୁଣାରୁ ସେ ସାହିତ୍ୟ ସୃଷ୍ଟି କରିବା କଥା ଉଲ୍ଲେଖ କରିଛନ୍ତି ଏବଂ ନିଜକୁ ‘ସାରଳା’ ନାମରେ ପରିଚିତ କରିଛନ୍ତି।

ଶିକ୍ଷା:

କବି ସାରଳା ଶିକ୍ଷା କିମ୍ବା ବ୍ୟକ୍ତିଗତ ଜୀବନ ସମ୍ପର୍କରେ ନୀରବ ହେଲେହେଁ ସେ ଯେ ଅସାଧାରଣ ଜ୍ଞାନୀ ଓ ପଣ୍ଡିତ ବ୍ୟକ୍ତି ଥିଲେ ସନ୍ଦେହ ନାହିଁ। ସେ ସଂସ୍କୃତ ଭାଷା ଶାସ୍ତ୍ରମାନଙ୍କ ସମ୍ବନ୍ଧରେ ଅବିହିତ ଥିବାର ସୂଚନା ମିଳେ। କାବ୍ୟଶାସ୍ତ୍ର, ଦର୍ଶନଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, ବାସ୍ତୁଶାସ୍ତ୍ର, ବୈଦ୍ୟଶାସ୍ତ୍ର, ଅସ୍ତ୍ରଶାସ୍ତ୍ର ପ୍ରଭୃତି ଅନୁଶୀଳନ କରି ଅନନ୍ତ ସମୁଦ୍ର ମନ୍ଥନ ଭଳି ସେ ଯେଉଁ ଅମୃତ ସଂଗ୍ରହ କରିଥିଲେ ତାହା ଓଡ଼ିଆ ପାଠକଙ୍କ ନିମନ୍ତେ ପରିବେଷଣ କରିଥିଲେ। ପ୍ରତିଭାର ଅର୍ନ୍ତଦୃଷ୍ଟି ଓ ପ୍ରତ୍ୟକ୍ଷ ବାସ୍ତବ ଅଭିଜ୍ଞତା ଯୋଗୁଁ ଜୀବନକୁ ତନ୍ନତନ୍ନ କରି ଯେପରି ଜାଣିଥିଲେ ସେପରି ଚିତ୍ରଣ କରିଛନ୍ତି ତାଙ୍କ ଲେଖାରେ।

ସାରସ୍ବତ ଜୀବନର ଆରମ୍ଭ:

ସାରଳା ସଂସ୍କୃତ ଭାଷାର ‘ଅଦ୍ଭୂତ ରାମାୟଣ’ ଅବଲମ୍ବନରେ ‘ବିଲଙ୍କା ରାମାୟଣ’ ରଚନା କରି ସାରସ୍ବତ ଜୀବନର ଆରମ୍ଭ କରିଥିଲେ। ଅନ୍ତତଃ ଛଅଜଣ ତେଲଗୁ କବିଙ୍କଦ୍ବାରା ଏହା ଅନୁବାଦିତ ହୋଇଥିବା ଜଣାଯାଏ। ଦେବୀ ସାରଳାଙ୍କ ପ୍ରତ୍ୟକ୍ଷରେ ସେ ‘ବିଲଙ୍କା ରାମାୟଣ’ ରଚନା କରି ସାରସ୍ବତ ଜୀବନ ଆରମ୍ଭ କରିଥିଲେ। ମହାଭାରତରେ ସେ ବାସ୍ତବ ଯୁଦ୍ଧ ବର୍ଣ୍ଣନାରେ ଯେଉଁ କଳା ନିପୁଣ୍ୟର ପରିଚୟ ପ୍ରଦାନ କରିଛନ୍ତି ସେଥିରୁ ଅନୁମାନ କରାଯାଏ ସେ ସେନା ବାହିନୀରେ କାର୍ଯ୍ୟ କରିଥିଲେ।

ସାଧନା ଓ କୃତି:

ସାରଳାଙ୍କ କାଳଜୟୀ ସୃଷ୍ଟି ‘ମହାଭାରତ’ ଓଡ଼ିଆ ଭାଷା ଓ ସାହିତ୍ୟର ସର୍ବୋତ୍ତମ ସାରସ୍ବତ ସମ୍ପଦ। ପଞ୍ଚଦଶ ଶତାଦ୍ଦୀର ରଚିତ ଏହି ମହାକାବ୍ୟ ଉତ୍କଳୀୟ ଜନମାନସରେ ସୃଷ୍ଟି କରିଥିଲା ଏକ ଅନନ୍ୟ ଚେତନା। ବ୍ୟାସଦେବଙ୍କ ‘ମହାଭାରତ’ ଅନୁସରଣରେ ସାରଳା ମହାଭାରତ ସୃଷ୍ଟି କଲେ ହେଁ ଏଥିରେ ତାଙ୍କର ମୌଳିକତା ପ୍ରଦର୍ଶିତ। ସେ ମୂଳଗ୍ରନ୍ଥର କେବଳ କଙ୍କାଳଟି ମାତ୍ର ସଂଗ୍ରହ କରି ସ୍ବକଳ୍ପନା ଶକ୍ତି ବଳରେ ରକ୍ତମାଂସ ସଂଯୋଗ କରି ଶତାଧିକ ଉପାଖ୍ୟାନ ମାଧ୍ୟମରେ ଓଡ଼ିଆ ମହାଭାରତ ଗ୍ରନ୍ଥକୁ ସମୃଦ୍ଧ କରିଥିଲେ। ଏହା ଲୋକ ସାହିତ୍ୟର ଗନ୍ତାଘର। ସେ ଏଥିରେ କୌରବ ଶତଭ୍ରାତାଙ୍କ ନାମ କରଣରେ ‘ଦ’ ଅକ୍ଷରର ପ୍ରୟୋଗ କରି ସ୍ବତନ୍ତ୍ରତା ପ୍ରଦର୍ଶନ କରିଛନ୍ତି। ବ୍ୟାସଦେବ ଲକ୍ଷେ ଶ୍ଳୋକରେ ଅଷ୍ଟାଦଶ ପର୍ବରେ ମହାଭାରତ ରଚନା କରିଥିଲାବେଳେ ସାରଳା ଏକଲକ୍ଷ ଚାଳିଶିହଜାର ପଦରେ ‘ମହାଭାରତ’ ରଚନା କରି ସ୍ବକଳ୍ପନା ବିଳାସିତାର ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି। ସାରଳା ମଧ୍ୟପର୍ବ, ଗଦାପର୍ବ, କାହିଁଷିକା ପର୍ବ ତିନୋଟି ନୂତନ ପର୍ବର ଅବତାରଣ କରି ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି। ଏହି ମହାନ ସୃଷ୍ଟିସମ୍ଭାର ମଧ୍ୟରେ ଓଡ଼ିଆ ଜାତିର ପ୍ରାଣର ଭାଷା ତତ୍କାଳୀନ ଓଡ଼ିଆ ସମାଜ ଓ ଓଡ଼ିଶାର ପ୍ରାକୃତିକ ଚିତ୍ରର ଜ୍ବଳନ୍ତ ପ୍ରତିଛବି ପ୍ରକଟିତା ହୋଇଛି। ସର୍ବୋପରି ସାରଳାଙ୍କ ରଚିତ ମହାଭାରତକୁ ଓଡ଼ିଆ ଜାତିର ପ୍ରତିନିଧିରୂପେ ଗ୍ରହଣ କଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଆ ଭାଷାର ଚିର ଅନ୍ଧକାର କାବ୍ୟ ରାଜ୍ୟରେ ସାରଳା ଦାସଙ୍କ ମହାଭାରତ ହେଉଛି ଦୀପ୍ତିମନ୍ତ୍ରିତ ଏକ ଆଲୋକ ସ୍ତମ୍ଭ। ଯଥାର୍ଥରେ ସାରଳା ମହାଭାରତ ଏ ଦେଶର ଜାତୀୟ ମହାକାବ୍ୟ। ତାଙ୍କର ଅନ୍ୟାନ୍ୟ ସୃଷ୍ଟି ମଧ୍ୟରେ ‘ସପ୍ତକାଣ୍ଡ ରାମାୟଣ’, ‘ଆଧ୍ୟାତ୍ମ ରାମାୟଣ’, ‘ଚଣ୍ଡୀପୁରାଣ’ ଓ ଲକ୍ଷ୍ମୀନାରାୟଣୀ ବଚନିକା ଆଦି ଅନ୍ୟତମ।

ସମ୍ମାନ:

ସାରଳାଙ୍କୁ କେଉଁ ସମ୍ମାନରେ ସେ ଯୁଗ ସମ୍ମାନିତ କରିଥିବ ତା’ର ବିବରଣୀ ଉପଲବ୍ଧ ନ ହେଲେହେଁ ଏ ବସୁଧା ଥିବା ପର୍ଯ୍ୟନ୍ତ ସେ ଯେ ପୂଜିତ ହେଉଥିବେ ଏଥିରେ ସନ୍ଦେହ ନାହିଁ। ୧୯୮୭ ମସିହାରେ ଆଦିକବି ସାରଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାରଳା ସାହିତ୍ୟ ସଂସଦ ସୃଷ୍ଟି। ଓଡ଼ିଶାର ଏହି ମହାନ ସାରସ୍ବତ ସଂଗଠନ ବିଭିନ୍ନ ପ୍ରକାଶନ କରି ସାରଳା ସାହିତ୍ୟର ଗବେଷଣାକୁ ଅବ୍ୟାହତ ରଖିଛନ୍ତି। ଆଦିକବି ସାରଳା ଦାସ ଜଣେ ମହାକବି ମାତ୍ର ନୁହଁନ୍ତି ପ୍ରାଚୀନ ଓଡ଼ିଆ ସାହିତ୍ୟର ଆଧୁନିକ କବି ଏବଂ ସମଗ୍ର ଭାରତୀୟ ସାହିତ୍ୟରେ ଅନନ୍ୟା ସାଧାରଣ ବୋଲି ଗୃହିତ।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP