ଏସନ କାଳେ ଦେବତାଙ୍କ ଆଳେ ଶଙ୍ଖ ଶବଦ ସୁଭିଲା
ରଜନୀ ଶେଷେ ଅରୁଣ ପ୍ରକାଶେ ତାରା ଥୋକାଏ ଲିବିଲା।
ଗୋପର ଯୁବତୀ ଶେଯୁ ଉଅଠନ୍ତି ଘରଦ୍ୱାର ସଜ କରି
ଦୀପନ୍ତ ଜାଳନ୍ତି ଶେଯନ୍ତ ତୋଳି ଦହି ମହିତ ସୁନ୍ଦେରୀ।
ସଭାବେ ବାଳୀ କାଳି କେ ଗୋରୀ ବନମାଳି ଦେହ ଲାଗି
ରୂପ ଯୌବନ ଷୋଳଶା ସମ୍ପୂନ୍ୟ ସ୍ୱାମୀଙ୍କର ସୌଭାଗୀ।
ଦୀପ ତରାସେ ମୁଖ ବିକାଶେ ଚନ୍ଦ୍ର ବିଜୁଳି ବିରାଜି
ଖୁଆ ଦଉଡ଼ି ଧରି ଉଚ୍ଛଡ଼ନ୍ତେ ଭୁଜର କଙ୍କଣ ବାଜି।
ନାନା ରତନ ଅଳଙ୍କାରମାନ ଝଲଝଲ ଝଟକନ୍ତି
ମୁକୁତା ମାଣିକ ନିଳା ପୋଏଳା କଣ୍ଠମାଳ ବୋଳି ହ୍ୱନ୍ତି।
ଫୁଲମାନେ ଆସି ଖୋପାରୁ ଖସି ପିଠ କତିକି ଓହୋଳେ
ହଲନ୍ତି ସ୍ତନେ ନିତମ୍ବମାନେ କୁଣ୍ଡଳ ହାନ୍ଦୋଳି ଦୋଳେ।
କୀରତି କରେ କୃଷ୍ଣ ସୁମରେ କୃଷ୍ଣଗୀତ ଗୋପି ଗାନ୍ତି
ରଜନୀ କାଳେ ଶୀତଳ ବେଳେ ଶବଦେ ସ୍ୱର୍ଗକୁ ଯାନ୍ତି।
ସ୍ୱର୍ଗକୁ ଶୁଭି ବୁଡ଼େ ଦୁନ୍ଦୁଭି ଶୁଣି ସୁରଗଣେ ତୋଷ
ଦହି ମହିବାର ଶବଦ ଶୁଭଇ କିଜାଣି ଶାହେର ଘୋଷ।
ବୋଲନ୍ତି ଦେବେ ନିସ୍ତରିଲୁ ଆମ୍ଭେ ଶୁଣିଲୁ ହରିଚରିତ
ଜଗତଜନଙ୍କ ମୁଖରୁ ଶୁଣିଲୁ ଏଣୁ ଅଧିକ ପବିତ୍ର।
ସ୍ୱର୍ଗରେ ସୁର ଏହେନ୍ତୁ ବିଚାର ରହିଣ ଶୁଣନ୍ତି ଗୀତ
ଏସନ ସମୟେ ରଜନୀ ପାହିଲା ଉଦୟେ ହୋଏ ଆଦିତ୍ୟ।
-୦-
ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ। କବିତାଟି ଲେଖକଙ୍କ ରଚିତ ‘ଉଦ୍ଧବ ଗୀତା’ ପ୍ରଥମ ଅଧ୍ୟାୟରୁ ଗୃହୀତ।