ଦୀନ ବାନ୍ଧବ ହେ, ମୋ ଦୁଃଖ ନ ଗଲା ଯେ
ତୁମ୍ଭେ ଦୀନବନ୍ଧୁ ମୋତେ ପାଶୋରିଲେ ମୋ ବନ୍ଧୁ ହୋଇବ କିଏ?
ତୁଳସୀର ମାଳ, ତୁଳସୀର ଚୂଳ, ତୁଳସୀ ମଥାରେ ଦେଇ
ତୁଳସୀ ଚଉଁରା ମୂଳେ ଅନାଇଲେ ନୀଳଚକ୍ର ଦିଶୁଥାଇ।
ଚୂଳର ଉପରେ ସେବତୀର ଗଭା ଦେଖିଲେ ମାଡ଼ଇ ଭୟେ
ଦୀନବନ୍ଧୁ ଠାରେ ବିପତ୍ତି ନ ଥାଇ ଯେଣେ ଯାଉଥିଲେ ଜୟେ।
ଦୀନବନ୍ଧୁ ବୋଲି ଯାହାକୁ ବୋଲନ୍ତି ସେହି ଯେ ପରମ ଯୋଗୀ
ଯୋଗୀମାନଙ୍କର ଆତଙ୍ଗ ନାଶନ ଦୁଃଖୀମାନଙ୍କର ଭୋଗୀ।
ଆଦି ଅନାଦିରେ ବନ୍ଧନ ପଡ଼ିଛି ମାୟାମୋହ ଲାଗି ଧନ୍ଦ
ଶୂନ୍ୟ ପୁରୁଷ ଯେ ଶୂନ୍ୟରେ ଯାଉଛି ପଞ୍ଜରୀ ପଡ଼ିବ ବନ୍ଦ।
ଏ ଭବ ସାଗରୁ ତରିବା ନିମନ୍ତେ ପଥର ବାନ୍ଧିଛ ଭେଳା
ତୁମେ ନ ରଖିଲେ ଭାସି ମୁଁ ଯାଉଛି ରଖ ରଖ ଚକାଡୋଳା।
ଭଗତ ଭାବରୁ ପ୍ରସନ୍ନ ହେବାରୁ ଭାବ ବିନୋଦିଆ ଯେଣୁ
ବଳରାମ ଦାସ ଅନ୍ନ ନ ମାଗଇ ଚରଣ ତେଣୁ।
-0-
ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।