ଆଉ ଏଣିକିରେ ମନ ଭୂଲୁ କାହିଁକି?
ଉଡ଼ୁଛି କାଳ ଛଞ୍ଚାଣ ମନେ କାହିଁକି?
ଅଇରି ତୋ କଳ ପଣା ଛେଦିପକା ବେନି ଡେଣା
ଶୂନ୍ୟରେ ବାଜୁଛି ବୀଣା ଶୁଣା ନାହିଁକି?
ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକହାକ
ହାଟ ସରିଲେ ବଣିକ ଆଉ ଥାଇ କି?
ସୁନା ପଞ୍ଜୁରୀରେ ଶୁଆ ଦିନା କେତେ ନୂଆ ନୂଆ
ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି?
ଭ୍ରୂଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନା
ହଜିଲେ ପରମ ସୁନା ଆଉ ପାଇ କି?
ଓ କାର ମଧ୍ୟରେ ଦେଖ ଓଲଟି ରହିଛି ହଂସ
କହେ ଜଗନ୍ନାଥ ଦାସ ଅନୁସରି କି?
-୦-
ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।