ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

(ରାଗ-କୌଶିକ)

କୁଞ୍ଜବନେ କଳାନିଧି କଳାନିଧି କଳାନିଧି କଳା ଶ୍ରୀହରି,
କହନ୍ତି ସକଳ କଳକଣ୍ଠ ପାଶେ କଳକଣ୍ଠୀ ପ୍ରୀତି ସୁମରି।
କୋକିଳମ୍ କି କରୁଥିବ ରାମାମଣୀ,
କୁସୁମ-ଶାୟକ ସାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି।୧।

(କୁଞ୍ଜବନରେ ବ୍ରଜଚନ୍ଦ୍ରମା, କାମକଳାସାଗର, କଳାମାଣିକ କାଳିଆ କାହ୍ନୁ କଳଧ୍ୱନିଯୁକ୍ତ କୋକିଳ ପାଶରେ
କୋକିଳ ବଚନା ରାଧାର ପ୍ରୀତି ମନେ ପକାଇ କହୁଛନ୍ତି-ରେ କୋକିଳ, ମୋ ରାଧା ବର୍ତ୍ତମାନ କ’ଣ କରୁଥିବ?
ତାକୁ ନାଶ କରିବା ସମର୍ଥ କନ୍ଦର୍ପ ତା’ର ପାଞ୍ଚ ଶରକୁ ଯୋଖି ତା’ ଉପରକୁ ଟାଣରେ ବିନ୍ଧୁଥିବ।)

ଖଞ୍ଜନ-ନୟନୀ କଟକ କଟକ କଟକ କଟକ ଶୋଭିନୀ,
ଖେଦକ ଘେନିବ ହାଟକ ହାଟକ ହାଟକ ସୁମନ-ମୋହିନୀ,
କୋକିଳ, କ୍ଷିତିମଣ୍ଡନା କଞ୍ଜାନନୀ,
ଖଞ୍ଜିଥିଲା ପ୍ରୀତି କଟକ କଟକ କଟକ କଟକ ସୁସ୍ୱନାଗମନୀ।୨।

(ରେ କୋକିଳ, ସେ ଖଞ୍ଜନ ନେତ୍ରୀ ନିତମ୍ବ ଯୋଗୁଁ ତା’ର ସ୍ୱର୍ଣ୍ଣକଙ୍କଣ ଯୋଗୁଁ ଓ ଦୀପ୍ତିମନ୍ତ ନାସାମଣି ଯୋଗୁଁ ଶୋଭାପାଏ।
ସେ ହଟଯୋଗୀ ମନମୋହିନୀ ଓ ଦୀପ୍ତିମନ୍ତ ସ୍ୱର୍ଣ୍ଣାଙ୍ଗୀ ସର୍ବଦା ଦୁଃଖ କରୁଥିବା। ମୋ ଧରାମଣ୍ଡନା, ପଦ୍ମବଦନା, ନୁପୂର ଯୋଗେ
ଗମନକାଳରେ ସୁମଧୁର ସ୍ୱର ରଚନାକାରିଣୀ, ବ୍ରଜପୁରରେ ଓ ପାହାଡ଼ର କଟି ପ୍ରଦେଶରେ ମୋ ସହିତ ପ୍ରୀତି ରଚନା କରିଥିଲା।)

ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ,
ଗଉରୀ ନ କରି ପ୍ରିୟକ ପ୍ରିୟକ ପ୍ରିୟକ ମୋହିନୀ ବସିବ,
କୋକିଳ, ଗୁଣମଣି କେହ୍ନେ ବଞ୍ଚିବ
ଗୁରୁସମ ଡୋଳା ତରଳ ତରଳ ତରଳ ତରଳ ତା’ର ହେଉଥିବା।୩।

(ରେ କୋକିଳ, ମୋ ଗଳାହାର ରାଧା, ଭ୍ରମର, କୁଙ୍କୁମ, କଦମ୍ବ, ନୀଳଅଶୋକମାନଙ୍କୁ ଦେଖିବ, ମୋ ମୋହିନୀ ଗୋରୀ
ଗମନ ନ କରି ପ୍ରୀତିପଦ ବିଷୟ ନ ପକାଇ ଓ ଗୋରଚନା ନ ଲଗାଇ ଏକ ସ୍ଥାନରେ ଚିନ୍ତାମଗ୍ନା ହୋଇ ବସିଥିବ।
ତା’ର ଦୁର୍ବଳ ଢଳଢଳ ଡୋଳା, ଚଞ୍ଚଳ ଓ ଥରଥର ହେଉଥିବ।)

ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ,
ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ପରା ସେ ହୋଇବ,
କୋକିଳ, ଘୋଷୁଥିବ ପ୍ରୀତି ନିକର,
ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର।୪।

(ରେ କୋକିଳ ସେ ବିରହତାପ ନାଶାର୍ଥେ ଶ୍ୱେତକମଳ ଓ ଛୁରୀଅନା ଫୁଲ ଧରିଥିବ;
ଅଣ୍ଡିରାହାତୀ ଓ ପୁରୁଷଶ୍ରେଷ୍ଠଙ୍କୁ ଦେଖିଲେ ଚମକି ପଡ଼ିବ।
ଜଳଦକେଶାର ଶରୀରକୁ ସେ ପରା ଦୁଃଖଦାୟୀ ଓ ବେଦନାଦାୟୀ କୁନ୍ତଘାତ ପରି ହେବ।
ସେ ସର୍ବଦା ପ୍ରୀତି ଲୋଡ଼ିଥିବ। ସେ ଗଜଗମନାର ଧୈର୍ଯ୍ୟ ସମୂହକୁ କଦମ୍ବଫୁଲ ଘନେ ନାଶ କରୁଥିବ।)

ନ ଚାହୁଁଥିବ ସେ ଗଣିକା ଗଣିକା ଗଣିକା ଗଣିକା-ଗାମିନୀ,
ନୟନ ଅମଳ ନଳୀନ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣି,
କୋକିଳ, ନିଶ୍ଚେ ଶୋଇଥିବ ଅବନୀ
ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ-ଗାମିନୀ।୫।

(ରେ କୋକିଳ, ସେ ଗଜଗମନା ବେଶ୍ୟାକୁ ଯୂଇଫୁଲକୁ ଓ ଲଳିତାକୁ ଚାହୁଁ ନଥିବ, ତା’ର ପବିତ୍ର ନୀଳପଦ୍ମସମ ନୟନରେ
ଜଳ ଦେଖାଯାଉଥିବ, ସେ ଶ୍ରେଷ୍ଠଗମନା, ତିଳେହେଲେ ଚନ୍ଦନ, ସିନ୍ଦୁର ଓ ମଥାମଣି ନ ଲଗାଇ ଭୂମି ଉପରେ ଶୋଇଥିବ।)

-୦-
ଉକ୍ତ କବିତାଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ଯମକରାଜ ଚଉତିଶା’ ତଥା ବିଶ୍ୱନାଥ କରଙ୍କ ଦ୍ୱାରା ସଙ୍କଳିତ ଏବଂ ଜୟଗୁରୁ ପ୍ରତିଷ୍ଠାନ, କଟକ ଦ୍ୱାରା ପ୍ରକାଶିତ ପୁସ୍ତକରୁ ସଂଗୃହୀତ।

କବି ସମ୍ରାଟଙ୍କ ‘ଯମକରାଜ ଚଉତିଶା’ ଏକ ଅନନ୍ୟ ସଙ୍କଳନ, ଯେଉଁଥିରେ ପ୍ରତି ପଦରେ ଥିବା ୪ଟି ଧାଡ଼ି ମଧ୍ୟରୁ ପ୍ରଥମ ଓ ଶେଷ ଧାଡ଼ିରେ ଅଲଗା ଅଲଗା ଅର୍ଥ ଥିବା ଗୋଟିଏ ଶବ୍ଦକୁ ଚାରିଥର ବ୍ୟବହାର କରାଯାଇଛି। ପାଠକମାନଙ୍କ ସୁବିଧାପାଇଁ ପ୍ରତି ପଦର ଅର୍ଥ ପଦ ଶେଷରେ ଦିଆଯାଇଛି।

ପାଠକୀୟ ଆଦୃତି

୧୧ ଦୃଷ୍ଟି ଆକର୍ଷଣ
୦ ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

ଓଡ଼ିଆ ସାହିତ୍ୟରେ କବି ସମ୍ରାଟଭାବେ ଉପେନ୍ଦ୍ର ଭଞ୍ଜ ପରିଚିତ। ଜଣେ ରାଜ ବଂଶଜ ହୋଇ ମଧ୍ୟ ସେ ନିଜ ଜୀବନକାଳ ମଧ୍ୟରେ ଅନେକ ଘାତ ପ୍ରତିଘାତ ସହ୍ୟ କରି ଓଡ଼ିଆ ସାହିତ୍ୟକୁ ଅନେକ ସାରସ୍ୱତ କୃତି ମାଧ୍ୟମରେ ପ୍ରସାରିତ ଓ ପ୍ରଚାରିତ କରିଯାଇଛନ୍ତି। ସପ୍ତଦଶ ଶତାବ୍ଦୀର ଶେଷଭାଗରୁ ଅଷ୍ଟଦଶ ଶତାବ୍ଦୀର ଆଦ୍ୟଭାଗ ପର୍ଯ୍ୟନ୍ତ କବିଙ୍କର ଜୀବନ କାଳ ରହିଥିଲା।

ଭଞ୍ଜଙ୍କ ରଚନାବଳୀ ପରିମାଣ ଦୃଷ୍ଟିରୁ ବିପୁଳ ଏବଂ କାବ୍ୟ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବୈଚିତ୍ରମୟ ବୋଲି ସମାଲୋଚକମାନେ ମତ ଦେଇଛନ୍ତି। କବି ରାମତାରକ ମନ୍ତ୍ର ସାଧନା କରି ପ୍ରଚଣ୍ଡ ପ୍ରତିଭାଶାଳୀ ହୋଇଥିବା କୁହାଯାଏ। ତାଙ୍କର ଅନବଦ୍ୟ ଓ ଅନନ୍ୟ ରଚନା ମଧ୍ୟରେ ‘ବୈଦେହୀଶ ବିଳାସ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ଲାବଣ୍ୟବତୀ’, ‘ପ୍ରେମ ସୁଧାନିଧି’, ‘ରସିକ ହାରାବଳୀ’, ‘ଶୁଭଦ୍ରା ପରିଣୟ’, ‘କଳାକଉତୁକ’, ‘ଚିତ୍ରକାବ୍ୟ ବନ୍ଧୋଦୟ’, ‘ରସ ପଞ୍ଜକ’ ଆଦି କାବ୍ୟ ଅନ୍ୟତମ।

ତାଙ୍କ ଦ୍ୱାରା ଗୀତରେ ଲିଖିତ ଅଭିଧାନ-‘ଗୀତାବିଧାନ’ ଏକ ଅନନ୍ୟ ପ୍ରୟାସ। ଏହା ସହିତ ‘ଯମକରାଜ ଚଉତିଶା’, ‘ଚଉପଦୀ ଚନ୍ଦ୍ର’, ‘ଦଶପୋଈ’ ଆଦି ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟ ରହିଛି। ଓଡ଼ିଆ ସାହିତ୍ୟରେ ବିଭିନ୍ନ ପ୍ରକାରର ରାଗ, ଅଳଙ୍କାର ଓ ଯମକ ଆଦିର ସେ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ। ସେହିଭଳି ତାଙ୍କ ରଚିତ ‘ଅବନାରସ ତରଙ୍ଗ’ କାବ୍ୟଟି ବ୍ୟଞ୍ଜନ ବର୍ଣ୍ଣରେ ସ୍ୱରବଣ୍ଣର ସଂଯୋଗ ନହୋଇ ଲିଖିତ ଏକ ଅନବଦ୍ୟ ସୃଷ୍ଟି।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP