(ରାଗ-ବଙ୍ଗଳାଶ୍ରୀ)
ଆଦ୍ୟ ଯମକ
ଶୁଣ ହେ କୋବିଦେ ମୋଦେ ଏ ଯେ ରସ
ମଞ୍ଜରୀ ଦ୍ୱିତୀୟ ଗୁଚ୍ଛ
ପ୍ରଥମ ପୁଷ୍ପରେ ଯମକ ବିଧାନ
ମାନ କରୁଥାଇ ସ୍ୱଚ୍ଛ।୧।
ପୁରୁରବା ବସି ଉର୍ବଶୀ ବିଚ୍ଛେଦେ
ଏକାନ୍ତେ ସଶୋକ ହୋଇ।
ପୂର କାରା ପରା ତାହା ହାରା ଭାରା
ଗତ ପୀରତି ଚିତ୍ତୋଇ।୨।
ଆହାରେ ସ୍ଥିର ଯଉବନୀ ବନିତା
ମୃଚ୍ଛିଲୁ କି କରି ମୋତେ
ଆହାରେ ଗରଳ ଭ୍ରମ କରି ଗଲୁ
ଅନୁସରି ଥିଲି ତୋତେ।୩।
ନିହାର କର ଚନ୍ଦନ ଊରୁ ପରି
ଉକୁଟାଇ ପ୍ରତିନିଧି
ନିହାର କରି ଯେ କୋଳ କରିଥାଉ
ନ ରଖିଲୁ ତ ସେ ବୁଦ୍ଧି।୪।
ବାହାରେ ତୋହର ଜଗତ ଭିତରେ
ନ ଦିଶଇ କିଛି ଆଉ
ବାହାରେ ତୋହର ଜଗତ ଭିତରେ
ନ ଦିଶଇ କିଛି ଆଉ
ବାହାରେ ଦଣ୍ଡେ ଅନ୍ତର ହୋଇବାକୁ
ନିରନ୍ତରେ ବାନ୍ଧିଥାଉ।୫।
ସୁମନା ସୁମନା ପୂର ମଣ୍ଡନା ତୁ
ଭାଗ୍ୟବଶେ ଲଭିଥିଲି।
ରଙ୍କୁ ବଙ୍କୁ ନେତ୍ରା କେ ନିଧି ହରିଲା
ଜୀବନ ଥାଉ ଥାଉ ତ ମଲି।୬।
ରସିକା ରସିକା ଲତା ରସଧିକା
କରେ ତୋ ଅଧର ମଧୁ
ଭ୍ରମର ଭ୍ରମର ପରାୟେ ମୁଁ ଛାଡ଼ି
ନ ପାରଇ ପ୍ରାଣବନ୍ଧୁ।୭।
କାମ କାମନା ମୋ ପୂର୍ଣ୍ଣ କରିଥିଲୁ
ରସବତୀ ବର ତୁହି।
ସାର ସାରସାକ୍ଷି ସ୍ୱର୍ଗ ମଧ୍ୟେ ଆଉ
ଖୋଜିଲେ ପାଇବି ନାହିଁ।୮।
ହରି ହରିଣାଙ୍କବଦନୀ ବାସକୁ
ପ୍ରଦୀପ ଜାଳି ମୁଁ ସୁଖେ।
କରି କରୀଗତି ଶୋଭା ଦରଶନୀ
ମୋ ସମ ନାହିଁ କେ ଲେଖେ।୯।
-୦-
ଉକ୍ତ କବିତାଟି ଓଡ଼ିଆ ଗବେଷଣା ପରିଷଦ ପକ୍ଷରୁ ୧୯୯୫ ମସିହାରେ ପ୍ରକାଶିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ରସମଞ୍ଜରୀ’ କାବ୍ୟର ଦ୍ୱିତୀୟ ଗୁଚ୍ଛ ପ୍ରଥମ ପୁଷ୍ପରୁ ସଂଗୃହୀତ।
