ଅର୍ଜୁନ ବୋଲଇ ଗୋସାଇଁ
ଭୋ ପ୍ରଭୁ ଶୁଣ ଭାବଗ୍ରାହୀ॥

କହିବା ହେଉ ଦାମୋଦର
ଗୁପ୍ତଗୀତାର ଅର୍ଥ ସାର॥

ଯନ୍ତ୍ର ସ୍ଥାପିଣ ଜନାର୍ଦ୍ଦନ
ଯେ ସବୁ କହିଲ ଆପଣ॥

ଏ ସର୍ବ ଶରୀର ମୋହର
ଫିଟାଇ କହ ଦାମୋଦର॥

କହନ୍ତି ପ୍ରଭୁ ଭାବଗ୍ରାହୀ
କିସ ପଚାରୁ ଭକ୍ତ ତୁହି॥

ଅର୍ଜୁନ ବୋଲଇ ଗୋସାଇଁ
କହିବ ଯନ୍ତ୍ର ଅର୍ଥ ଫେଇ॥

ଶରୀରେ ହସ୍ତ ମାରିଦେବ
ମୋ ମନ ପ୍ରତ୍ୟୟ ହୋଇବ॥

ଷଟଚକ୍ରହିଁ ବସାଇବ
ପ୍ରତି ପ୍ରତିକେ କହି ଦେବ॥

କେ କେଉଁ ଚକ୍ରରେ ବସଇ
ବ୍ରହ୍ମ ଯେ ଲିଙ୍ଗ ନାଭି କାହିଁ॥

ହୃଦୟ କଣ୍ଠ ଲଲାଟରେ
କେତେ ଅକ୍ଷର କେଉଁଠାରେ॥

କେତେ ପବନ ଏ ଶରୀରେ
ବହୁଛି କେମନ୍ତ ପ୍ରକାରେ॥

ଶରୀରେ ଭେଦାଇ କହିବ
ତେବେ ସେ ମନେ ପ୍ରତେ ଯିବ॥

କହନ୍ତି ପ୍ରଭୁ ଭାବଗ୍ରାହୀ
ଶୁଣ ଅର୍ଜୁନ ମନଦେଇ॥

ଅତି କଠୋର ଗୁପ୍ତ ଜ୍ଞାନ
କହିବା ତୋତେ ହୋ ଅର୍ଜୁନ॥

ଶୁଣ ଅର୍ଜୁନ ମନଦେଇ
ଗୁହ୍ୟ ଲିଙ୍ଗ ଯେ ନାଭି କାହିଁ॥

ହୃଦୟ କଣ୍ଠ ଯେ ଲଲାଟ
ସେ ସର୍ବ ଗୋଲାହାଟେ ଭେଟ॥

ତାହା କହିବା ତୋତେ ଫେଇ
ତୋ ତାହୁଁ ମୋର ଭକ୍ତ ନାହିଁ॥

ଗୁହ୍ୟରେ ଚାରି ଯେ ଅକ୍ଷର
ଶୁଣ ଅର୍ଜୁନ ମହାବୀର॥

ବ ଶ ଷ ସ ଯେ ଚାରି କହି
ଗୁହ୍ୟ କମଳ ଏ ବୋଲାଇ॥

-୦-

ଉକ୍ତ କବିତାଟି ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଦ୍ୱାରା ସଙ୍କଳିତ ତଥା ଡଃ ବିଜୟ ସେନାପତି, ବିଷ୍ଣୁପ୍ରିୟା ସାହୁ ଓ ବନ୍ଦିତା ସାହୁଙ୍କ ଦ୍ୱାରା ୨୦୧୨ ମସିହାରେ ପ୍ରକାଶିତ ‘ବଳରାମ ଦାସଙ୍କ ରଚନା ସମ୍ଭାର’ ପୁସ୍ତକର କବିଙ୍କ ରଚିତ ‘ଗୁପ୍ତ ଗୀତା’ର ତୃତୀୟ ଅଧ୍ୟାୟରୁ ସଂଗୃହୀତ।

‘ଗୁପ୍ତ ଗୀତା’ ସଙ୍କଳନରେ ମନୁଷ୍ୟ ଶରୀର ମଧ୍ୟରେ ଥିବା ଈଶ୍ୱରୀୟ ଶକ୍ତି ଏବଂ ଆତ୍ମା-ପରମାତ୍ମାଙ୍କ ସମ୍ପର୍କକୁ ସରଳଭାବେ ଦର୍ଶାଯାଇଛି।