(ଲାବଣ୍ୟବତୀର ବେଶ ବର୍ଣ୍ଣନା)
(ରାଗ – ଚିନ୍ତା ଦେଶାକ୍ଷ। ରସ – କୁଲ୍ୟାବାଣୀ)
ଏଥୁ ଅନ୍ତେ ଶୁଣ ରସିକ ଜନେ
ଦିନେ ବିଚାର କଲେ ସଖୀମାନେ
ଆମ୍ଭ ସଜନୀ ତ ସୁନ୍ଦରୀସାର
ନାହିଁ ନଥିଲା ନୋହିବ ସଂସାର ସେ
ପୁଣି ତ ଶୋଭା ବୟସେ ଯେ।
ଆମ୍ଭ ଲୋଚନକୁ କବି ବଚନକୁ
ପବିତ୍ର କରିବା ବେଶେ ଯେ।୧।
ଏମନ୍ତ ଭାବି ଜଣାଇଲେ ଯାଇଁ,
ଜନନୀ ତର୍ଜିଲେ ଆଜ ଡକାଇ,
କି କର ତୁମ୍ଭେ ଜେମା ପାଶେ ଥାଇ,
ନିତି ସୁବେଶ ନକର କିପାଁଇ
କେ ଜାଣେ କାହା ମାନସ ଗୋ।
ତୁ ମନେ କରିଛୁ ଭୂଷଣ ଭୂଷା ମୁଁ
କାହିଁକି ହୋଇବି ବେଶ ଗୋ।୨।
ରସ ବିଷୟ ଶ୍ରବଣ କରିବା,
ବନ୍ଧ ପଟଳ ପଟକୁ ଚାହିଁବା,
ଦିବ୍ୟ ଅଳଙ୍କାର ମଣ୍ଡନ ହେବା,
ଏତେ କଥାରେ ବଶ ହୋଏ ଯୁବା ଯେ।
ଶୁଣିଣ ସ୍ୱୀକାର କରି ଯେ
ବ୍ୟାଧି-ବନ୍ତର ବାଞ୍ଛିତ ଉପଚାର
ବୈଦ୍ୟ ବିହିଲାର ପରି ଯେ।୩।
ଭଙ୍ଗୀରୁ ଜାଣିଲେ ସଜନୀ ବ୍ରାତ,
କଲା କୋମଳ ଅଙ୍ଗୀ ଅଙ୍ଗୀକୃତ,
ତାଙ୍କ ନୟନ ବିକାରରୁ ଜାଣି,
ଚତୁରୀ ପରିବାରୀମାନେ ଆଣି ଯେ।
ଚାଙ୍ଗଡ଼ା ଭୂଷଣ ପେଡ଼ି ଯେ।
ଯତନ ରତନ ମଣ୍ଡନ ବସନ
ବାଛିଲେ ସଜନୀ ଫେଡ଼ି ଯେ।୪।
ମଞ୍ଜୁ ବିଜୁରାଜି ପରାୟେ ରାଜି,
ଚାହିଁଲେ ନୟନ ହୁଅଇ ବିଜୁ;
ଅଳକା କୋଷେ ଥିବ ଅବାତୁଲ୍ୟ,
ହେଜି କରିବ ଧାତା ଅବା ମୂଲ୍ୟ ସେ।
ଏକାଳେ ସଜାଡ଼ି ଆଣି ଯେ।
ଫୁଲ ଚାଙ୍ଗଡ଼ା ଚିତ୍ରକେ ପେଡ଼ି ପେଡ଼ା
ସୁବାସ ତରଳ ପାଣି ଯେ।୫।
-୦-
ଉକ୍ତ କବିତାଟି ଇନ୍ଦିରା ଦେବୀଙ୍କ ଦ୍ୱାରା ୧୯୮୩ ମସିହାରେ ପ୍ରକାଶିତ ତଥା ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ୱାରା ବ୍ୟାଖ୍ୟା କରାଯାଇଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ଲାବଣ୍ୟବତୀ’ ର ଚତୁର୍ଥ ଛାନ୍ଦରୁ ସଂଗୃହୀତ।