ରାଗ-ଦୀର୍ଘ ଛନ୍ଦ, ତାଳ-ତ୍ରିପୁଟା

କହୁଛି ଘେନ ରେ ମନ!
ଅନ୍ୟେ କିବା ପ୍ରୟୋଜନ?
ସଦା ଚିନ୍ତ ନିତ୍ୟ ବୃନ୍ଦାବନ।
ଦିବ୍ୟ-ଚିନ୍ତାମଣି-ଧାମ,
କର ତୁ ତହିଁ ବିଶ୍ରାମ
ଯେ ନିଭୃତ-କୁଞ୍ଜ-ନିକେତନ॥ ।୧।

ଗୋବର୍ଦ୍ଧନ ଗିରିବର
ସୁଖେ ପ୍ରଦକ୍ଷିଣ କର
ମୁଖେ ଗାଇ ସେ ଲୀଳା ପ୍ରସଙ୍ଗ।
ଗୋବିନ୍ଦ କୁଣ୍ଡରେ ବୁଡ଼ି,
ଇନ୍ଦ୍ର ଯଜ୍ଞସ୍ଥଳେ ଗଡ଼ି
ଧୂଳି-ଧୂସରିତ କର ଅଙ୍ଗ॥ ୨।

ଯମୁନା ପୁଳିନ ବନ,
ବୁଲି କର ଦରଶନ
ଧୀର ସମୀର ଶ୍ରୀ ବଂଶୀବଟେ।
ଆନନ୍ଦେ କରି ବିଶ୍ରାମ,
ବୋଲ ‘ଜୟ ରାଧେ ଶ୍ୟାମ’,
କୁଟୀର ବନାଅ କେଶୀ ଘାଟେ॥ ।୩।

ଦ୍ୱାଦଶ କାନନ ଯାକ,
କୃଷ୍ଣ ଲୀଳାସ୍ଥାନ ଦେଖ
ଅଦ୍ୟାବଧି ରହିଅଛି ଚିହ୍ନ।
ସବୁ ତୁ ପ୍ରତ୍ୟେକ୍ଷେ ଦେଖ,
ଦୁଶ୍ଚିନ୍ତା ମନୁଁ ଉପେଖ
ଗୁରୁ ଆଜ୍ଞାରୁ ନ ହୁଅ ଭିନ୍ନ॥ ।୪।

ଶ୍ରୀକୃଷ୍ଣ ମାନସ ନଦୀ
ନନ୍ଦୀଶ୍ୱର ପୁର ଆଦି
ଭ୍ରମଣ କର ତୁ ଠାବେ ଠାବେ।
ସିଦ୍ଧ ସାଧକ ବୈଷ୍ଣବେ,
ରହିଛନ୍ତି ବ୍ରଜଭାବେ
ସେ ସଙ୍ଗ ଆଚର ଭକ୍ତି ଭାବେ॥ ।୫।

ସେ ଚିନ୍ମୟ ଭୂମି ଜାଣ,
ତହିଁ ବିସର୍ଜିଲେ ପ୍ରାଣ
ହୋଇଯିବୁ କାରଣ ନିଶ୍ଚୟ।
ଗୋପାଳକୃଷ୍ଣକୁ ଖାଲି,
ଜଞ୍ଜାଳେ ନ ପକା ଠେଲି
ଯୁଗଳ ଚରଣେ ହୁଅ ଥୟ॥ ।୬।

-୦-

ଉକ୍ତ କବିତାଟି ଦାଶରଥି ପୁସ୍ତକାଳୟ, କଟକ ଦ୍ୱାରା ପ୍ରକାଶିତ ତଥା ବୈଷ୍ଣବ ଚରଣ ଦାସ ଗୋସ୍ୱାମୀଙ୍କ ଦ୍ୱାରା ସଂଶୋଧିତ ଓ ସମ୍ପାଦିତ ‘ଗୋପାଳକୃଷ୍ଣ ଗ୍ରନ୍ଥାବଳୀ’ ପୁସ୍ତକରୁ ସଂଗୃହୀତ।