ବନ୍ଦଇ ଯେ ଗଣନାଥ ଗଉରୀ ତନୟେ
ବିଘ୍ନ ବିନାଶନ ନାମ ହୃଦେ ପାପ କ୍ଷୟେ॥
ବନ୍ଦଇ ଗିରିଜା ସୂତ ତବ ପାଦ ତଳେ
ଶରଣ ପଶନ୍ତେ କ୍ଷୟେ ସର୍ବ ଅମଙ୍ଗଳେ॥
ତୋର ନାମ ଧରି ଯେହୁ କରେ ଅନୁକୁଳ
ସୁଗତି ଲଭିଣ ସେହି ପାଇ ଦିବ୍ୟଫଳ॥
ତୋର ହୃଦେ ପଶିକରି ଜପିଲେ ଶଙ୍କର
ବ୍ରହ୍ମଜ୍ଞାନ ଲଭିଣ ହୋଇଲେ ଦିଗାମ୍ବର॥
ତୋର ନାମ ଧରି ଯେହୁ କରେ ଅନୁକୁଳ
ଜଳ ସ୍ଥଳ ଅନଳରେ ଜୟ ହୁଏ ତାର॥
ଘଟେଶ୍ୱର ନାଥ ତୁ ଯେ ଅରୂପ ଅନନ୍ତ
ସ୍ୱର୍ଗବାସୀ ଦେବଗଣ ନ ପାଇଲେ ଅନ୍ତ॥
ଅବ୍ୟୟ ହୋଇଲୁ ଜାତ ଅକାରେ ତୋ ନାମ
ଗୁରୁ ବ୍ରହ୍ମ ମୂରତି ତୁ ଗୁରୁ ପରଂବ୍ରହ୍ମ॥
ଜଟାରେ ସୁରାଦିକୁଳ ଇନ୍ଦ୍ରାଦି ସ୍ତବନ
ଲକ୍ଷେ ଚନ୍ଦ୍ର ଶୋଭିତ ନ ଗଚ୍ଛେ ପୁନ ପୁନ॥
ନେତ୍ରାଞ୍ଚଳେ ଲଲାଟେ ଚନ୍ଦନ ପାଟି ଥାଇ
ଢଳ ଢଳ ନୟନକୁ ଶୋଭିତ ଦିଶଇ॥
କର୍ଣ୍ଣରେ ମର୍କତରାଗ କୁଣ୍ଡଳ ଶୋଭିତ
କଳାମେଘେ ବିଦ୍ୟୁ ଯେହ୍ନେ ନୋହଇ ଗଣିତ॥
ନାସା ତିଳ ପୁଷ୍ପରୁ ଅଟଇ ଠାଣି ମାଣି
ଅଧରରେ ବାଳଅର୍କ ଖଟିଅଛି ଜାଣି॥
କଣ୍ଠରେ ତଡ଼ିତମାଳ ଦିଶେ ଶୋଭାବନ
ଦଧି ସମୋଦ୍ରରେ ଚନ୍ଦ୍ର ଯେମନ୍ତ ଶୋଭନ॥
କଣ୍ଠରୁ ଲମ୍ବିତ ହାର ହୃଦ ପରିଯନ୍ତେ
ଯୋଗୀଜନ ମନହର ଅଟ ଗଣନାଥେ॥
କରେଣ ଆୟୁଧମାନ ଖଡ଼ଗ ଅଙ୍କୁଶ
ଗଣାଦି ଉପରେ ଗଣ ପରମ ପୁରୁଷ॥
କଟୀରେ କଚଟି ଶୋହେ ହୀରାକଣି ଜିଣି
ସ୍ୱ ଅଙ୍ଗୁ ଜନମ ହେଲୁ ଅଗ୍ରେ ଶିରୋମଣି॥
ପୟରେ ନେପୁର ଶୋହେ ଧୁନିହିଁ ମଧୁର
ଶ୍ରୁତି ମଧ୍ୟେଁ ‘ଅ’ ଜ୍ଞାନ କରନ୍ତି ସୁରନର॥
ଶୁକ୍ଳବାସ ପରିଧାନ କଟୀରେ ଜଡ଼ିତ
ଶରଣ ମାଗଇ ପାଦେ ବଳରାମ ଦାସ॥
ଅଷ୍ଟାଦଶ ପୁରାଣ ଯେ ବ୍ୟାସ ଅବତାରେ
ସଂସ୍କୃତକୁ ପରାକୃତ କରି ବେବହାରେ॥
ଭାଷାରେ କରିବି ଗ୍ରନ୍ଥ ଆଜ୍ଞା ମୋତେ ହେଉ
ପ୍ରସନ୍ନେ ଲଭିବ ବୋଲି ବର ତୁମେ ଦେଉ॥
ଯେମନ୍ତ କରିଣ ହୃଦେ ଲଙ୍ଘିଲି ସାଗର
ଜ୍ଞାନ ନାହିଁ ଅଜ୍ଞାନେ ଭାସୁଛି କଳେବର॥
-୦-
ଉକ୍ତ କବିତାଟି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସାଂସ୍କୃତିକ ବ୍ୟାପାର ନିର୍ଦ୍ଦେଶାଳୟ ଦ୍ୱାରା ୧୯୭୮ ମସିହାରେ ଦୁଃଖିଶ୍ୟାମ ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରକାଶିତ ବଳରାମ ଦାସଙ୍କ ରଚିତ ‘ବ୍ରହ୍ମ ପୁରାଣ’ର ପ୍ରଥମ ଅଧ୍ୟାୟରୁ ସଂଗୃହୀତ।
ପଞ୍ଚସଖା ଯୁଗର ଅନ୍ୟତମ କବି ବଳରାମ ଦାସଙ୍କ ବିଭିନ୍ନ ରଚନା ମଧ୍ୟରୁ ବ୍ରହ୍ମ ପୁରାଣ ଅନ୍ୟତମ। ଏଥିରେ କବି ବ୍ରହ୍ମର ସ୍ୱରୂପ ଏବଂ ବ୍ରହ୍ମାଣ୍ଡ ସଂରଚନା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।
