ସୂତ କହନ୍ତି ତୋଷମନେ
ଶୌନକ ଆଦି ମୁନିଜନେ॥

ସୂତ ଉବାଚ

ବ୍ରହ୍ମା ବରୁଣ ଇନ୍ଦ୍ର ଶିବ
ମରୁତ ଆଦି ଯେତେ ଦେବ॥

ଦିବ୍ୟ ଯେ ସ୍ତୁତିମାନଙ୍କରେ
ସ୍ତୁତି କରନ୍ତି ଭାବଭରେ॥

ଅଙ୍ଗ ଉପାଙ୍ଗ ପଦକ୍ରମ
ଉପନିଷଦ ସମେତେଣ॥

ସାମଗାୟନେ ବିପ୍ରଜନେ
ମହିମା ଗାବନ୍ତି ବଦନେ॥

ଧ୍ୟାନରେ ତଦଗତ ହୋଇ
ପରମଯୋଗୀ ଯାହା ଧ୍ୟାୟୀ॥

ଆତ୍ମା ସ୍ୱରୂପେ ଦେଖୁଛନ୍ତି
ଯ ଅନ୍ତ କେହି ନ ଜାଣନ୍ତି॥

ସେ ବ୍ରହ୍ମ ସ୍ୱରୂପ ଈଶ୍ୱର
ତାହାଙ୍କୁ ମୋର ନମସ୍କାର॥

କ୍ଷୀର ସମୁଦ୍ର ମନ୍ଥନରେ
ପୃଷ୍ଠେ ମନ୍ଦର ଗିରିବରେ॥

ଭ୍ରମିଲା ଦଧିଭାଣ୍ଡ ପ୍ରାୟେ
ସମୁଦ୍ର ମନ୍ଥନ ସମୟେ॥

ଦେବ ବରଷେ ଅନୁଦିନ
ସହସ୍ରେ ବରଷ ମନ୍ଥନ॥

କଣ୍ଡୁ ଯେ କୁର୍ମ ପୃଷ୍ଠେ ଥିଲା
ଘର୍ଷଣେ ସୁଖ ଜନମିଲା॥

ନିଦ୍ରା ଉପୁଜେ ସୁଖଭରେ
ସେ ନିଦୁଁ ପବନ ସଞ୍ଚରେ॥

ଘୋର ନିଶ୍ୱାସ ଗତାଗତେ
ସେ ବିଶ୍ୱବାୟୁ ମହାଭୂତେ॥

ସେ ସର୍ବ ଜୀବ ରକ୍ଷା ହେତୁ
ଯାରେ ବଞ୍ଚନ୍ତି ସର୍ବଜନ୍ତୁ॥

ଯାର ନିଶ୍ୱାସ ପ୍ରକ୍ଷେପଣ
ବାଜି ସମୁଦ୍ର କମ୍ପମାନ॥

ସେ ଜଳେ ଲହରୀ ଉଦ୍‌ଗତ
ଏବେ ହେଁ ନୋହିଛି ନିବର୍ତ୍ତ॥

ଅନ୍ୟୋନ୍ୟେ ତଟେ ପ୍ରକ୍ଷେପଇ
ସେ କୁର୍ମରୂପୀ ବିଶ୍ୱଦେହୀ॥

ତାଙ୍କୁ ମୋହର ନମସ୍କାର
ସେ ଦେବଦେବଙ୍କ ଈଶ୍ୱର॥

ପୁରାଣମାନଙ୍କ ନିର୍ଣ୍ଣୟ
ଯେ ସଂଖ୍ୟା ତହିଁର ବିଷୟ॥

ଏହା ଶୁଣିଲେ ଯେତେ ଫଳ
ପୁରାଣଦାନର ସୁଫଳ॥

ପୁରାଣ ଅଷ୍ଟାଦଶ ସାର
ଚାରିଲକ୍ଷରେ ସେ ବିସ୍ତାର॥

ସହସ୍ର ସଂଖ୍ୟାରେ ପ୍ରମାଣ
ଅପରେ ଶତାଧିକ ପୁଣ॥

ବ୍ରହ୍ମପୁରାଣ ଦଶସସ୍ର
ପଦ୍ମ ଅଣଷାଠି ସହସ୍ର॥

ଆବର ପୁଣି ପାଞ୍ଚଶତ
ଏହି ପୁରାଣ ସଂଖ୍ୟା ଖ୍ୟାତ॥

-୦-

ଉକ୍ତ ପଦ୍ୟାବଳୀ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୨୦୨୪ ମସିହାରେ ପ୍ରକାଶିତ ଜଗନ୍ନାଥ ଦାସ କୃତ ଶ୍ରୀମଦ୍‌ଭାଗବତର ଦ୍ୱାଦଶ ସ୍କନ୍ଧ, ପ୍ରଥମ ଅଧ୍ୟାୟରୁ ସଂଗୃହୀତ।

ଓଡ଼ିଆ ଭାଷାରେ ଲିଖିତ ଶ୍ରୀମଦ୍‌ଭାଗବତ ମୁଳ ସଂସ୍କୃତ ଭାଷାର ଲିଖିତ ଶ୍ରୀମଦ୍‌ଭାଗବତ ଅନୁକରଣରେ ଜଗନ୍ନାଥ ଦାସଙ୍କ ଦ୍ୱାରା ଲିଖିତ ହୋଇଥିଲା। ଅନେକ ବିଦ୍ୱାନ ଏବଂ ସମୀକ୍ଷକଙ୍କ ମତରେ ଶ୍ରୀମଦ୍‌ଭାଗବତର ଏକାଦଶ ଓ ଦ୍ୱାଦଶ ସ୍କନ୍ଧ ଜଗନ୍ନାଥ ଦାସଙ୍କ ଶିଷ୍ୟ ମହାଦେବଙ୍କ ଦାସଙ୍କ ଦ୍ୱାରା ରଚିତ ହୋଇଥିଲା।