ଏଥୁ ଅନନ୍ତରେ ଶୁଣ ଆଗୋ ହୈମବତୀ
ଏ ଗ୍ରନ୍ଥ ଶୁଣିଲେ ନିଶ୍ଚେ ହୋଇବୁ ମୁକତି॥

ଏକ ମନେ ଯେଉଁ ପ୍ରାଣୀ ଏହାକୁ ଶୁଣଇ
ପାତକ ବିନାଶ ହୁଏ ସ୍ୱର୍ଗେ ବସେ ସେହି॥

ଅନ୍ଧ ଚକ୍ଷୁ ଦାନ ପାଏ ଶୁଣି ଏ ପୁରାଣ
ଦରିଦ୍ର ଶୁଣିଲେ ହାଦେ ଲଭେ ବହୁଧନ॥

ରାମାୟଣ ଗ୍ରନ୍ଥ ଏହୁ ରସ ମଧ୍ୟେ ସାର
ଏକଲୟେ ଶୁଣିଲେ ଯେ ହୋଇବ ନିସ୍ତାର॥

ଶ୍ରୀ ହିଙ୍ଗୁଳା ଆଜ୍ଞାରେ ମୁଁ କରଇ ଲିଖନ
ଦୋଷ ମୋର ନ ଧରିବ ହେ ପଣ୍ଡିତ ଜନ॥

ସେ ଯାହା କହନ୍ତି ମୋତେ ମୁଁ ତାହା ଲେଖେ
ମୂର୍ଖ ଅପଣ୍ଡିତ ମୁହିଁ ଜ୍ଞାନ ମୋର ନାହିଁ॥

ଶ୍ରୀରାମ ଚରିତ ଏ ଅପୂର୍ବ ଗ୍ରନ୍ଥ ସାର
ଶ୍ରୀରାମ ସୁମରି ନରେ ଭବୁ ହୁଅ ପାର॥

ଶ୍ରୀରାମଙ୍କ ନାମ ଗୋଟି ନିରନ୍ତରେ ଘୋଷ
ସେ ରାମେ ଶରଣ ନିତ୍ୟେ ଏ ଶାରଳା ଦାସ॥

ଏଥୁ ଅନନ୍ତରେ ଦେବୀ ପାର୍ବତୀ ଉଠିଲେ
ଶୂଳପାଣିଙ୍କର ବେନି ଚରଣ ଧଇଲେ॥

ବୋଇଲେ ମୁକତି ମୋତେ କର ସୁରରାଣ
ବୁଝାଇ କହନ୍ତୁ ମୋତେ ଏହି ରାମାୟଣ॥

ଘୋର ତପ ଆରମ୍ଭି ବସିଲେ ରଘୁନାଥ
ତଦୁଅନ୍ତେ କି ହେଲା କହ ଆହେ ପ୍ରାଣନାଥ॥

ବଦନ୍ତି ଈଶ୍ୱର ଶୁଣ ଗୋ ଦେବୀ ପାର୍ବତୀ
ଘୋର ତପେ ମଗ୍ନ ହେଲେ ପ୍ରଭୁ ରଘୁପତି॥

ଏମନ୍ତ ସମୟେ ଶୁଣ ଅଯୋଧ୍ୟା ବୃତ୍ତାନ୍ତ
କାଠଆଣି ଯାଇଥିଲା ବୀର ହନୁମନ୍ତ॥

ଘେନିଣ ଚନ୍ଦନ କାଠ ପବନର ବଳା
ଜାନକୀ ଚରଣ ତଳେ ଓଳଗି ହୋଇଲା॥

କରଯୋଡ଼ି ପଚାରେ ଅଞ୍ଜନାର ସୂତ
କେବଣ ସ୍ଥାନରେ ବିଜେ ଦେବ ରଘୁନାଥ॥

ଜାନକୀ ବୋଇଲେ ଶୁଣ ଆରେ ହନୁମାନ
ବିଲଙ୍କାକୁ ବିଜେ କଲେ ଶ୍ରୀରଘୁନନ୍ଦନ॥

ଲକ୍ଷେଶିରା ପୁତ୍ର ସଙ୍ଗେ କରିବେ ସମର
ଏକା ଯାଇଛନ୍ତି କରେ ଧରି ଧନୁଶର॥

ଶୁଣି ସନ୍ତାପିତ ହୋଇଲା ପବନର ସୂତ
ବିଲଙ୍କା ଯିବାକୁ ସଜ ହେଲା ହନୁମନ୍ତ॥

ଅଯୋଦ୍ଧା ନଗର ମଧ୍ୟୁ ହୋଇଲା ବାହାର
ଗଗନ ମାର୍ଗରେ ବିଜେ କଲା ହନୁମାନ,
ଚିତ୍ରକୁଟ ପର୍ବତେ ମିଳିଲା ବହନ॥

ଫଳମୂଳ କିଛି ତହିଁ କରିଣ ଆହାର
ସେ ଦିନ ରହିଲା ସୁଖେ ପବନ କୁମର॥

ଦକ୍ଷିଣ ମୂରତି ହୋଇ ହୋଇ ତହୁଁ ପୁଣି ଗଲା
ସ୍ୱର୍ଣ୍ଣମୟ ଲଙ୍କାପୁର ସୀମାରେ ମିଳିଲା॥

ନଗ୍ରଲୋକମାନେ ଦେଖି କାତର ହୋଇଲେ
ବିଭୀଷଣ ଆଗେ ଯାଇ ଚାରେ ଜଣାଇଲେ॥

ଭୋ-ଦେବ ଶୁଣିବା ହେଉ ବୀର ଲଙ୍କେଶ୍ୱର
ହନୁମନ୍ତ ଆସି ପ୍ରବେଶିଲା ଲଙ୍କାପୁର॥

ଶୁଣି ବିଭୀଷଣ ମନେ ହେଲା ଛନ୍ନ ଛନ୍ନ
କି ନିମନ୍ତେ ଆସିଅଛ ବୀର ହନୁମାନ॥

କି ଅବା ସନ୍ଦେଶ ଦେଇଛନ୍ତି ରଘୁବୀର
କରଯୋଡ଼ି ପଚାରିଲେ ଲଙ୍କାର ଠାକୁର॥

ଅଯୋଧ୍ୟା ନଗର ଅବା ନ ପାଇଲେ ରାମ
କି ଅବା ପଥରେ କରି ଅଛନ୍ତି ବିଶ୍ରାମ॥

ଏଥୁ ନେବାକୁ କି ଅବା ପେଷିଛନ୍ତି ତୋତେ
ସଂକ୍ଷେପି କହିଲେ ହନୁ ଯିବଇ ପରତେ॥

କହେ ହନୁମନ୍ତ ଶୁଣି ଆହେ ବିଭୀଷଣ
ବିଲଙ୍କା ଦେଶକୁ ବିଜେ କରିଛନ୍ତି ରାମ॥

ଏକା ଗଲେ ଶ୍ରୀରାମ ସଙ୍ଗେ କେହି ନାହିଁ
ସେ କାରଣୁ ବିଲଙ୍କାକୁ ଯାଉଅଛି ମୁହିଁ॥

ଏହା ଶୁଣି ବିଭୀଷଣ ବିକଳ ହୋଇଲା
ଏକାକୀ କିମ୍ପାଇ ଗଲେ କୌଶଲ୍ୟାର ବଳେ॥

ଦଣ୍ଡବଳ ଘେନି କି ମୁଁ ଯିବି ହନୁମାନ
ରାଜା ସଙ୍ଗେ ସଙ୍ଗେ ଯୁଝିବେକି ସେ ରଘୁନନ୍ଦନ॥

-୦-
ଉକ୍ତ କବିତାଟି ସନ୍ନ୍ୟାସୀ ପୁସ୍ତକାଳୟ ଦ୍ୱାରା ପ୍ରକାଶିତ ଶୂଦ୍ରମୁନି ସାରଳା ଦାସଙ୍କ ‘ବିଲଙ୍କା ରାମାୟଣ’ ର ତୃତୀୟ ଅଧ୍ୟାୟ ଅନ୍ତର୍ଗତ ହନୁମାନର ବିଲଙ୍କା ଯାତ୍ରା ପ୍ରସଙ୍ଗରୁ ସଂଗୃହୀତ।

ସାରଳା ଦାସଙ୍କ ରଚିତ ବିଲଙ୍କା ରାମାୟଣ ‘ରାମାୟଣ’ କଥାବସ୍ତୁ ସମ୍ପର୍କୀତ ଅନ୍ୟତମ ଗ୍ରନ୍ଥ। ଏଥିରେ ଶିବ ଓ ପାର୍ବତୀଙ୍କ କଥୋପକଥନ ମାଧ୍ୟମରେ ସହସ୍ରଶିର ବିଶିଷ୍ଟ ବିଲଙ୍କାରେ ରହୁଥିବା ରାବଣର ବଦ୍ଧ କାହାଣୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।