ପଡ଼ିଲ କି ପରମାଦେ,
ନନ୍ଦସୁତ ମୋତେ ଲାଗିଲା ବାଦେ
ରଜନୀ ଦିବସ ସଜନୀ ତା ବଶ ହୋଇ
ବାଇ ହେଲି ମୁରଲୀ ନାଦେ।୧।
ଯେତେବେଳେ ମୁହିଁ ପାଣି ଆଣିଯାଇ
ଜଗି ବସିଥାଇ ବିଜନ ପଦେ
ଛଟକ ମଟକେ ସରାଗେ ମୋ ଆଗେ
ଅତକେ କହିବାଯାଏ ମୁଁ ପଦେ।୨।
ମନ୍ଦ ନଣନ୍ଦ ଯା ବାଦ ଉପୁଯାଏ
ନନ୍ଦ ନନ୍ଦନର ପ୍ରୀତି ଦୁର୍ବାଦେ
ଦୂରେ ତାକୁ ଦେଖି ଦରେ ବୁଜି ଆଖି
ଘରେ ପଶିଯାଇ ମନ ବିଷାଦେ।୩।
ଅତି ସରାଗରେ ଅନାଇଁ ଯାଏ ଯା
କହ୍ନାଇ ଅଧର ଭିଡ଼ିଣ ରଦେ
ଧରତିରେ ତାର ବରତି ଯିବ କେ
ସୁରତି ଇଚ୍ଛିବ ଜରତୀ ହୃଦେ।୪।
ଦିଶେ ଦିଶେ ସହି ଦିଶେ ମୋତେ ସେହି
ତା ବେଶ ସପନେ ଦେଖଇ ନିଦେ
ବ୍ରଜନାଥ ବୋଲେ ଲାଜ ଦୂର କଲେ
ଆଜ ବୃନ୍ଦାବନେ ମାତିବୁ ମୋଦେ।୫।
-0-
ଉକ୍ତ କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୬୫ ମସିହାରେ ପ୍ରକାଶିତ ‘ବ୍ରଜନାଥ ଗ୍ରନ୍ଥାବଳୀ’ ପୁସ୍ତକର ‘ଜଣାଣ ଓ ସଙ୍ଗୀତ’ ବିଭାଗରୁ ସଂଗୃହୀତ।