ସବୁ ଶୁଣି ଗମ୍ଭୀର ହୋଇ ନିଧି ମିଶ୍ରେ କହିଲେ-“ତା ପାପ ତାକୁ ଦେଖେଇବ ନାଇଁ ତ ଯିବ କୁଆଡ଼େ? ଶୁଦ୍ଧ ନ ହେଲେ କି ଗୋହତ୍ୟା ପାପ ଛାଡ଼େ? ଯେତେ କହିଲୁ, ଆମ କଥା ଗନ୍ଧେଇଲା। ଟଙ୍କା ଦଶୁଟା ଖର୍ଚ୍ଚ କରି ବ୍ରାହ୍ମଣ ଭୋଜନଟା କରାଇ ଶୁଧିଅ ହେଇ ଯାଇଥିଲେ ଆଜି ସେ ସୁରୁଖୁରୁରେ ଝାଡ଼ି ଝୁଡ଼ି ହେଇ ବସିଥାନ୍ତା। ଧର୍ମ କ’ଣ କୁଆଡ଼େ ଯାଇଛି?”

ପରୀକ୍ଷିତ ବ୍ରହ୍ମା କହିଲେ-ଆଜିକାଲି ଶାସ୍ତ୍ରପୁରାର କଥା କିଏ କ’ଣ ମାନୁଚନ୍ତି ମିଶ୍ରେ? ଦେଖୁନ, ମଲାବେଳେ କେମିତି ଗୋରୁ ପରି ବୋବାଉଚି? ତାକୁ ଆସି କାଳ ପୂରିଲାଣି। ତା ପାପ ତା ଆଗେ ଆଗେ ଯାଉଚି ନା ଲୁଚୁଚି?

ନିଛାଟିଆ ପାହାଡ଼ ଉପରେ ପହଲିର କଙ୍କାଳ। ଗୋଟାଏ ଭୟାନକ କଳ୍ପନାର ପ୍ରେତାତ୍ମା ତା ମନ ଉପରେ ଲମ୍ବ ଲମ୍ବ ଛାଇ ପକେଇ ମାଡ଼ି ବସିଚି। ସେଥିରୁ ତାର ଉଦ୍ଧାର କାଇଁ? (ତା ସଙ୍ଗରେ ଏକଜୁଟ ହେଇଚନ୍ତି ବହୁ ଦିନର ଭୋକ, ଉପାସ, ଅଭାବ, ଯନ୍ତ୍ରଣା ଆଉ ଅପମାନ। ସମସ୍ତେ ମିଳି ତାହା ମନଟାକୁ ଚୂନା ଚୂନା କରି ପେଷି ଦେବାକୁ ବସିଛନ୍ତି।)

ପହଲି ଦେଖୁଚି ତା ଆଗରେ ଘରଦ୍ବାର, ସ୍ତ୍ରୀ-ପରିବାର, ଜ୍ଞାତି-କୁଟୁମ୍ବ କେହି ନାହାନ୍ତି। ଅଛି ଖାଲି ଗୋଟିଏ ଫାଙ୍କା ନିଶୂନ…….। ଆଉ ଅଛି ଗୋଟିଏ ମସ୍ତବଡ଼ ପୋଥି-ପୃଷ୍ଠାରେ ତାର ଲେଖା ହୋଇଚି ବଡ଼ ବଡ଼ ଯମଦୂତଙ୍କ ଛବି, କଳା କଳା ଆଖି, ଗୋଜା ଗୋଜା ଶିଙ୍ଗ।

ସେ ପୋଥିର ଅକ୍ଷରଗୁଡ଼ାକ ଗୋଟେ ଗୋଟେ ଯିମିତି ଘୋରଣା ଚକି…….

ପହଲିର ମନେ ହୁଏ, ସେ ଗୋରୁ ମାରି ନାଇଁ ଯେ, ତା ନିଜ ବେକରେ ଛୁରୀ ବସେଇଚି।

ପହଲିର ଅଚଳ ତାବଦା ମନଟା ଆଉ ହଲଚଲ ହୋଇପାରୁ ନାଇଁ। ସବୁ ତାକୁ ମାଡ଼ି ମାଡ଼ି ପଡ଼ୁଚି, ଚାରିଆଡ଼ ଖାଲି ତାକୁ ଖାଁ ଖାଁ ଜଣାଯାଉଚି।

ବେତନଟୀର ଘଞ୍ଚ ଅରମା ଭିତରୁ ଡାମରାକାଉ ଡାକିଯାଏ-କା-କା-କା। ବଣ, ନଟା, ମୁଣ୍ଡିଆ ସମସ୍ତେ ଯେମିତି ଜୀଅନ୍ତା ମଣିଷ ପରି ତୁହାଇ ତୁହାଇ ତା କାନ ଭିତରେ ଡାକିଯାଆନ୍ତି-ଆ-ଆ-ଆ।
ପହଲି ଦେଖିଲା ତଳ ଗାଆଁ ରମା ଗଉଡ଼ର ମଡ଼ାଟା। ତା ମଲା ମୁହଁରେ ଟହଟହ ଉଛୁଳା ହସ।

ଆଉ ଦୂରରେ ଗୋଟାଏ କ’ଣ ସଅଁ ସଅଁ ହୋଇ ଚରୁଚି!!!’

ପହଲି ଭୟରେ ଚିରିଚିରେଇ ଉଠି ବେହୋସ ହୋଇ ତଳେ ଗୋଟାଏ ମୁନିଆ ପଥର ଉପରେ କଚାଡ଼ି ହୋଇ ପଡ଼ିଲା।

ତହିଁଆରଦିନ ପତର ଗୋଟେଇ ଯାଇଥିବା ପିଲାଏ ଆସି ଗାଆଁରେ ରାଷ୍ଟ୍ରକଲେ- ପହଲି ସୁକୁ ସୁକୁ ହୋଇ ଢୁକଉଚି; ଏଇନା କି ଆଉ ଟିକେ…….।

ଛେଳି ଜଗୁଆଳି ନୋକା ଯାଇ ସାହି ମଝିରେ ହାତ ଗୋଡ଼ ହଲାଇ କହିଲା-

ଦି’ଟା ଯମଦୂତ ପହଲିକୁ ଜଗି ବସିଛନ୍ତି। ମୁହଁଗୁଡ଼ାକ ତାଙ୍କର ବଳଦ ପରି। ସେ ‘ଧୋ’ ‘ଧୋ’ କରିଦେବାରୁ ସେମାନେ ପଳାଇଗଲେ।

ଗାଅଁ ର ଦି’ଚାରି ଜଣ ଭେଣ୍ଡିଆ ଯାଇ ଦେଖିଆସିଲେ ଗୋଟେ ପଥର ସନ୍ଧିରେ ମୁଣ୍ଡ ଗେଞ୍ଜି ପହଲି ପଡ଼ିଛି। ତା ଖପୁରିରୁ ଫାଳେ ଉଡ଼ି ଯାଇ ଦହି ବାହାରିପଡ଼ିଛି।

ଖବର ପାଇ ସେଇ ରାତିରେ ଗେଲିବୋଉ ଆଇଲା। ସେ ଗିରସ୍ତକୁ ଶୁଦ୍ଧ କରି ଗୋରୁମରା ପାତକରୁ ଉଦ୍ଧାର କରିବା ଲାଗି ବାପଘରୁ କିଛି ଟଙ୍କା ଧରି ଆଇଥେଲା। ସେଇ ରାତିରେ ତାକୁ ଟିକେ ପହଲି ପାଖକୁ ନେଇଯିବା ପାଇଁ ସେ କେତେ ଲୋକଙ୍କ ପାଖରେ ନେହିନେହୁରା ହେଲା। ମାତ୍ର ଏଡ଼େ ବଡ଼ ଗାଆଁଟାର ଜଣେ ହେଲେ କେହି ରାତି ଅଧରେ ମୁଣ୍ଡିଆ ଉପରକୁ ଯିବାକୁ ମଙ୍ଗିଲେ ନାହିଁ।

ବଡ଼ିସକାଳୁ ଗେଲିବୋଉ ମୁଣ୍ଡିଆ ଉପରକୁ ଯାଇ ବାଉରାଣୀ ପିଲାଙ୍କଠାରୁ ସନ୍ଧାନ ନେଇ ଦେଖିଲା ପହିଲି ମରିଗଲାଣି। ତା ପାଟିରୁ ଫେଣ ବାହାରି ପଡ଼ିଚି, ଆଖି ଖୋସି ହୋଇଯାଇଛି। କାନ ପାଖ ଖପୁରିରୁ ଫାଳେ କେନା କେନା ହେଇ କୁଆଡ଼େ ଉଡ଼ିଯାଇଚି।

ତା ଆଖିରୁ ଲୁହ ମରିଯାଇଥିଲା। ସେ କେବଳ ବଲବଲ ହେଇ ସେ ଆଡ଼ିକି ଅନାଇ ରହିଲା।

ଅଣଶୁଧିଆ ପହଲିର ମୁର୍ଦ୍ଦାର କେମିତି ଉଠିବ, ଏ କଥା ନେଇ ଗାଆଁରେ ଭାରି ଯୁକ୍ତିତର୍କ ଚାଲିଥିଲା।

ଗେଲିବୋଉ ଗିରସ୍ତକୁ ଶୁଦ୍ଧ କରିବା ପାଇଁ ବାପଘରୁ ଆଣିଥିବା ଦଶଟି ଟଙ୍କା ପଣତ କାନିରୁ ଫିଟାଇ ଗାଆଁର ମୁରବିମାନଙ୍କ ହାତକୁ ବଢ଼ାଇଦେଇ ଲମ୍ବ ହେଇ ସମସ୍ତଙ୍କ ଗୋଡ଼ତଳେ ପଡ଼ିଗଲା।
ବ୍ରାହ୍ମଣ ଗୋସାଇଁ ଆଉ ଜାତିଭାଇମାନେ ଖୁସି ହୋଇ ପହଲିର ମୁର୍ଦ୍ଦାରକୁ ଆଶୀର୍ବାଦ କଲେ।
-o-


‘‘ଏହି ଗଳ୍ପ ଏବଂ ଉପରୋକ୍ତ ଚିତ୍ରଟି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୧୯୮୦ ମସିହାରେ ପ୍ରକାଶିତ ‘ଗଳ୍ପ ଏକାଙ୍କିକା’ ପୁସ୍ତକରୁ ସଂଗୃହୀତ।’’

Pages: 1 2 3 4 5