ଗେଲିବୋଉକୁ ଫୁଙ୍କିଦେଲେ ପଡ଼ିଯିବ। ଖାଲି ହାଡ଼ ଦି’ଖଣ୍ଡ ଦେଖାଯାଉଛି । ସେ ସ୍ତ୍ରୀକୁ ବାପଘରକୁ ପଠାଇଦେଲା।
ପହଲିର ଦିନେ ଚୁଲି ଜଳିଲେ ଦି’ଦିନ ଖାଡ଼ା ଉପାସ। ଦୋକାନୀ ଧୋବି ସାହୁ କାଢ଼ିଆ ଦବାକୁ ନାହିଁ କରିଦେଲାଣି। ପହଲିକୁ ବୁଦ୍ଧି ଦିଶୁ ନାହିଁ।
ଦୁଃଖ ଅଭାବ ହୀନଛକରା ସହି ସହି ପହଲିର ମୁଣ୍ଡ ଖରାପ ହୋଇଗଲାଣି। ସେ ପୁରସ୍ତମ କ୍ଷେତ୍ରରେ ଏତେ ଟଙ୍କାପଇସା ଖର୍ଚ୍ଚ କରି ମନର ଯେଉଁ କଳା ଦାଗଟା ନିଭାଇ ଦେଇ ଆସିଥିଲା, ତାହା ପୁଣି ଗହିଡ଼ିଆ ହୋଇ ତା ମନ ଉପରେ ଗାର କାଟିଲାଣି।
ଆଗ ପରି ପୁଣି ସେଇ, ଭୟଙ୍କର ସ୍ବପ୍ନ ତାକୁ ବେଳେ ବେଳେ ପାଗଳ କରି ପକାଉଚି। ସେ ବେଳେ ବେଳେ ଚମକି ଉଠୁଛି। ତାର ମନେ ହେଉଚି, ଗୋଟାଏ କ’ଣ କାଳିଆ ହୋଇ ଯିମିତି ସଁ ସଁ ହୋଇ ତା ଚାରିପଟେ ଚରି ବୁଲୁଚି। ସେ ରାତିରେ ସ୍ବପ୍ନ ଦେଖୁଚି, ଗୋଟାଏ ମାରଣା ବଳଦ ତାକୁ ଯେପରି ଶିଙ୍ଗରେ ଭୁଷିଦେବା ଲାଗି ଲାଞ୍ଜ ଠିଆ କରି ଧାଇଁ ଆସୁଛି। ସେ ସପନରେ ବିଳିବିଳେଇ ଉଠୁଛି-“ହେଇ ଆଇଲା, ଭୁଷିଦେବ, ଭୁଷିଦେବ, ପଳାଅ, ପଳାଅ…।”
ପହଲିର ସବୁ ଯାଇ ବାକି ଯାହା ଥିଲା, ସେଇ ଭଙ୍ଗା ଘରଖଣ୍ଡିକ ମଧ୍ୟ ଶେଷ ଥର ଖଜଣା ଦେଇ ନ ପାରିବାରୁ ନିଲାମ ହୋଇଗଲା। ତାର ଏଡ଼େ ବଡ଼ ଦୁନିଆଁରେ ମୁଣ୍ଡ ଗୁଞ୍ଜିବାକୁ ବାଡ଼ିଗୋବରେ ଗୋବେ ହେଲେ ଥାନ ରହିଲା ନାହିଁ। ଘର ଖଣ୍ଡକ ନିଲାମ ହେଲାବେଳେ ପହଲି ବକ୍ ବକ୍ ହୋଇ ଅନାଇଁ ରହିଥିଲା। ତା’ ପାଟିରେ ଉଁ କି ଚୁଁ କଥା ଫିଟୁ ନ ଥିଲା। ତାକୁ ଯେତେବେଳେ ଜଣାଇ ଦିଆଗଲା ଯେ, ଏଣିକି ଆଉ ସେ ଘରେ ରହିପାରିବ ନାଇଁ, ସେତେବେଳେ ସେ ଚୁପ୍କରି ଉଠି ଛିଡ଼ା ହେଲା।
ତାପରେ ଗୋଟାଏ ଶାବଳ ନେଇ ହାଣ୍ଡିଶାଳଘରୁ ତାର ଇଶାଣ ବେଦୀ ଆଉ ବାଡ଼ିପଟ କାନ୍ଥରୁ ତାର ମଲା ଝିଅ ଗେଲିର ଷଠି ଗାତଟାକୁ ତାଡ଼ିନେଇ ଆସି ଧୀରେ ଧୀରେ ସେ ଘର ଛାଡ଼ି ପଦାକୁ ବାହାରିଲା। ସେ ଯେ ଗଲା, ଆଉ ଥରେ ହେଲେ ସେ ଫେରି ଅଇଲା ନାହିଁ।
ବାପା ଅଜା ଅମଳର ଘର ଖଣ୍ଡକ ଯିବା ପରେ ପହଲିର ମନର ଅବସ୍ଥା ଆହୁରି ଖରାପ ହୋଇଗଲା। ସେ ଏ ଓଳି, ସେ ଓଳି ହୋଇ କୌଣସି ପ୍ରକାରେ ରାତି କଟାଇ ଦେବାକୁ ଲାଗିଲା।
ଘର ମଝିରେ ଥିବା ଝଙ୍କା ସଜନା ଗଛଟି ପହଲିର ଭାରି ପ୍ରିୟ। କୁଢ଼ କୁଢ଼ ଅଇଁଠା ପାଉଁଶ ତା ମୂଳରେ ଅଜାଡ଼ିଚି ସେ। ସଜନା ଗଛରେ ଛୁଇଁ କେରା କେରା ଫଳି ତଳେ ଝଡ଼ିଛି ପଛକେ, ସେଥିରୁ ଗୋଟେ ତୋଳିଆଣି ପଖାଳ ଖାଇବା ପାଇଁ ତା ହାତ ଯାଇ ନାଇଁ ସହଜରେ। ତା’ରି ଛାଇରେ ବସି କେତେ ଜହ୍ନରାତି ସେ କଟାଇ ଦେଇଚି। ଦାଣ୍ଡରେ ଠିଆ ହୋଇ ଦିନେ ଦିନେ ପହଲି ସେଇ ଗଛଟା ଆଡ଼କୁ ଚାହେଁ-ତା ମୂଳରେ ଟିକିଏ ଯାଇ ବସିବା ପାଇଁ ତାର ଭାରି ଇଛା ହୁଏ। କିନ୍ତୁ ସେ ଫେରିଆସେ। ସାଆନ୍ତ ଘରର ଜଗୁଆଳଟା ତାକୁ ଦେଖି ଥଟ୍ଟା କରି କହେ, ‘କିବେ, ଗୋରୁମରା ପହଲି!”
ପହଲିର ମନେ ପଡ଼େ, ତା ଘର ପଛପଟ ପିଣ୍ଡାତଳେ ବୁଦା ବୁଦା ହେଇ କାନସିରି ଶାଗ ମଡ଼ିଥିବ। କୂଅମୂଳେ ସେଇ ସଦାବିହାରୀ ଆଉ ଗୋଡ଼ିବାଣ ଗଛଗୁଡ଼ାକ ବୋଧହୁଏ ଫୁଲରେ ନେଥି ହୋଇ ଯାଉଥିବ। ତାର ମନ ଡାକେ କେମିତି ଟିକିଏ ଯାଇ ସେ ଏସବୁ ଗୁଡ଼ାକ ଥରେ ଆଖି ପୂରାଇ ଦେଖି ଆସନ୍ତା କି !
ତା ଭଙ୍ଗା ଛାତି ଭିତରେ କୋହ ଉଠେ। ତା ମନଟା ଚୂନା ଚୂନା ହେଇ ଭାଜିପଡ଼େ। ସେ ଚେଇଁ ଚେଇଁ କେତେ କ’ଣ ବିକଟାଳ ସ୍ବପ୍ନ ଦେଖେ। ବାଉଳି ଚାଉଳି ହୁଏ। ତାର ମନେ ହୁଏ, ସେ ଯିମିତି ୟା ଭିତରେ କେଉଁଦିନ ମରିଗଲାଣି।
ଘର ନିଲାମ ହବାର ମାସ ଗୋଟାକ ପରେ ସାହିବାଲା ଦିନେ କଥାବାର୍ତ୍ତ ହେଲେ-ପହଲି ପଧାନ ପାଗଳ ହୋଇଗଲାଣି। ଗୁହମୂତ ସାଲୁବାଲୁ ହେଇ ଏଣେ ତେଣେ ବୁଲୁଚି; ଆଉ ମଣିଷ ଦେଖିଲେ କହୁଚି-“ହେଇ ଆଇଲା, ଆଇଲା, ଭୁଷିଦେବ, ଭୁଷିଦେବ, ହୁସିଆର!”
ପାହାଡ଼କୁ ଜାଳେଣି କାଠ ଗୋଟେଇବା ଲାଗି କେତେ ଜଣ ବାଉରାଣୀ ଟୋକୀ ଯାଇଥିଲେ। ସେମାନେ ସଞ୍ଜ ବେଳେ ଧୋବି ସାହୁ ଦୋକାନ ମୁଣ୍ଡରେ କଥାଭାଷା ହେଉଥିଲେ-ପହଲି ପାହାଡ଼ ଉପରେ ବସିଚି-ଖାଲି ବଳଦଙ୍କ ପରି ବୋବାଳି ଛାଡ଼ୁଛି-ଆଉ କହୁଚି, “ହେଇ ଆଇଲା, ଆଇଲା, କେଡ଼େ କେଡ଼େ ଶିଙ୍ଗ ହେଇଚି, ଖାଲି ସଁ ସଁ ହଉଚି, ମୁଁ ମରିଗଲି, ମୁଁ ମରିଗଲି ସାଆନ୍ତେ।”