ପୁରୀ ବଡ଼ଦାଣ୍ଡ। ଶହ ଶହ କୁଷ୍ଠରୋଗୀଙ୍କ ମେଳରେ ପହଲି ବି ବସି ଖପରା ଖଣ୍ଡିକ ପତାଇ ଭିକ ମାଗୁଚି। ବଡ଼ ଦେଉଳ ଉପରେ ବଡ଼ ଠାକୁରଙ୍କ ତିନସରିଆ ନେତ ଉଡ଼ୁଥାଏ। ପହଲି ଏକା ରାହାରେ ସେଇ ଆଡ଼ିକି ଅନାଇଁ ରହେ। ତା ମନରେ ପୁରୀ ବଡ଼ଦାଣ୍ଡ ଛୁଇଁବା ଦିନୁ ଟିକିଏ ସାହାସ ଆସିଲାଣି। ସେ ଆଉ ପୂର୍ବପରି ବିଳିବିଳେଇ ଉଠୁନାଇଁ, କି ଠିଆରେ ଭୟଙ୍କର ସ୍ବପ୍ନ ଦେଖି ଚମକି ପଡ଼ୁ ନାହିଁ। ପାଖରେ ଶୋଇଥିବା କୁଷ୍ଠ ରୋଗିଣୀଟା ହୁଏତ ପଚାରେ, “ଆଉ କେତେ ଦିନ ତୁ ହାଡ଼ ବାନ୍ଧିବୁ ମଉସା?” ପହଲି ହାତ ଆଙ୍ଗୁଠି ଗଣି ଠାରିଦିଏ, “ଆଉ ସାତ ଦିନ।”
ସାତ ଦିନ ପରେ ପହଲି ଗାଁକୁ ଫେରିଆସିଲା। ସେ ଗେଲିବୋଉର ରସଖଡ଼ୁ ଓ ବାସନକୁସନ, ବିକି ଟଙ୍କା ପାଞ୍ଚଟା ଅଣ୍ଟାରେ ଖୋସି ପୁରସ୍ତମ ଯାଇଥେଲା। ଘରଯାକର ସବୁ ଦରବ ବିକି ସେ ପୁରସ୍ତମରେ ପାତକ ଛଡ଼ାଇ ଆସିଛି।

ମାସେ ଏକୋଇଶ ଦିନ ପୂରିଲା ଦିନ ସେ ପଞ୍ଚଗବ୍ୟ ହୋଇ, ବ୍ରାହ୍ମଣଭୋଜନ କରାଇ, ମୁକ୍ତିମଣ୍ଡପର ଗୋସାଇଁ ମହାପୁରୁଷମାନଙ୍କୁ କିଛି କିଛି ଅଣ୍ଟାଖୋସା ଦେଇ ସେମାନଙ୍କର ପାଦଧୂଳି ଆଉ ଆଶୀର୍ବଦ ନେଇ ଘରକୁ ଫେରିଆସିଲା। ଆସିଲାବେଳେ ଗେଲିବୋଉ ପାଇଁ ମାହାର୍ଦ କୁଡ଼ିଆଏ ଆଉ ଶୁଖିଲା ନିର୍ମାଲ୍ୟ କେତେ ମୂର୍ତି ମଧ୍ୟ ଆଣିବାକୁ ଭୁଲି ନ ଥିଲା। ଘରଫେରନ୍ତା ପହଲିର ପାଦ ତଳେ ଲାଗୁ ନ ଥିଲା। ତା ମନଟା ଖାଲି ଖୁସିବାସିରେ ଉଛୁଳି ଉଠୁଥିଲା।

ମାଈ ସଞ୍ଜର କଅଁଳ ଅନ୍ଧାର ଗାଆଁ ଉପରେ ତାର ପାତଳ ଖଣ୍ଡୁଆ ଘୋଡ଼ାଇ ଦେଇଥାଏ। ଗାଆଁ ମୁଣ୍ଡ ମାହାଳ ଗଛ ଉପରେ ମହୁମାଛିମାନଙ୍କର ସଞ୍ଜସଭା ବସିଥାଏ। ଗେଲିବୋଉ ତାର ଭୋକିଲା ମୁହଁ ଉପରେ ଲୁଗାପଣତ ଢାଙ୍କିଦେଇ ବୃନ୍ଦାବତୀଙ୍କ ପାଖରେ ସଞ୍ଜବତୀଟି ରଖି ଦଣ୍ଡବତ ହବାବେଳକୁ ପଛରୁ ପହଲି ଡାକିଲା-“ଘରଦ୍ବାରା ସବୁ ଭଲ ଅଛି ତ ଗେଲିବୋଉ?”

ଗେଲିବୋଉ ଯାହା ଜବାବ ଦେଲା। ସେଥିରେ ପହିଲିର ହାଲୁକ ଶୁଖିଗଲା। ତାର ଘରଫେରନ୍ତା ଖୁସିବାସି ଆଖିପିଛୁଳାକେ କୁଆଡ଼େ ଉଭେଇଗଲା। ଘରେ ପନ୍ଦର ଦିନ ହବ ଚାଉଳ ନାଇଁ, ମାଣ୍ଡିଆତକ ଛେଳି ଖାଇଗଲେ। ତିନି ଦିନ ତଳେ ଯେଉଁ ଶୀତଦିନିଆ ଅକାଳ ଝଡ଼ ହୋଇଥିଲା ସେଥିରେ ହାଣ୍ଡିଶାଳ ଘର କାନ୍ଥଟା ଭୁଷୁଡ଼ି ପଡ଼ିଚି। ଆଉ ଭାଗବିଲରୁ ଯେଉଁ ଧାନତକ ଅମଳ ହୋଇଥିଲା ତାକୁ ଜମିଦାର ସାଆନ୍ତେ, ସେ ପୁରସ୍ତମ ଯାଇଥିବାବେଳେ ଆଗତ ସାଲର ବାକି ଖଜଣା ବାବଦକୁ ଜବତ କରି ନେଇଛନ୍ତି। ଗତ ସାଲର ଖଜଣା ମାସକ ଭିତରେ ନ ଦେଲେ ପୁଣି ଘରଦ୍ବାର କୋରଖ କରିବେ ବୋଲି ଧମକ ଦେଇଚନ୍ତି।

ମୁଣ୍ଡରେ ହାତ ଦେଇ ପହଲି ସବୁ ଶୁଣିଲା। କିଛି କହିଲା ନାହିଁ। ସେ ରାତିଟା ପୁରୀରୁ ଆଣିଥିବା ମାହାର୍ଦରେ ଏକରକମ କଟିଗଲା।

ସକାଳୁ ପହଲି ଦେଖିଲା, ଚୁଲିକି ହାଣ୍ଡି ଯିବାକୁ ଚାଉଳ ନାଇଁ, ପନିପରିବା ତ ଦୂରର କଥା। ହାଣ୍ଡିଶାଳ ଘରେ କାନ୍ଥ ଭୁଷୁଡ଼ି ପଡ଼ି ମାଟି ଗଦା ହୋଇଛି। ଗୋଟାଏ କଣରେ ମସ୍ତ ବଡ଼ ଉଇ ହୁଙ୍କା ମୁଣ୍ଡ ଟେକି ଛିଡ଼ା ହେଲାଣି। ହାଣ୍ଡିକୁଣ୍ଢେଇ ହେଇ ଯାହା ଦି’ଖଣ୍ଡ ଥିଲା, ତାହା କାନ୍ଥରୁ ମାଟି ଖସି ଚୂନ୍‌ଚାନ୍‌ ହୋଇଯାଇଚି। ଘର ଭିତରେ ଖପରା ଖଣ୍ଡି ଖଣ୍ଡି ହଉଚି।

ପହଲି ଦି’ମାସ କାଳ ପଡ଼ିଆ ହୋଇ ପୁରସ୍ତମରେ ବସିଥିଲା-ଘରେ ଫଟା ପାହୁଲାଟାଏ ବି ନାଇଁ। ବନ୍ଧାଛନ୍ଦା ବା ବିକାକିଣା କରିବା ପାଇଁ ଯାହା ଭଙ୍ଗା ଦଦରା ହୋଇ ଦି’ ଖଣ୍ଡ ଜନିଷପତ୍ର ଥିଲା, ସେ-ସବୁ ତ ପହଲି ବିକି ଭାଙ୍ଗି ପୁରୀରୁ ଗୋହତ୍ୟା ପାତକ ଛଡ଼ାଇ ଆସିଛି। ବାକି ଅଛି କ’ଣ ଯେ, ସେଥିକି ଆଜି ସେ ହାତ ବଢ଼ାଇବ? ମାଇପ ହାତରେ ଖାଲି ଶଙ୍ଖା ପଟିଏ-ଦିନକୁଦିନ ବେଶି ବେଶି ହୁଗୁଳା ହୋଇ-ଯାଉଚି।

ସକାଳୁ ପହଲିକୁ ଦେଖି ଗାଁ ବ୍ରାହ୍ମୁଣେ ଧାଇଁଲେ; ଭୋଜନି ଦବାକୁ ହବ। ଗାଁ ବ୍ରାହ୍ମୁଣ ଶୁଦ୍ଧ ନ କଲେ କୁଆଡ଼େ ପାତକ ଛାଡ଼ିବ ନାହିଁ। ଜମିଦାରଙ୍କ ପିଆଦା ଆସି ଦୁଆରେ ବସିଲା। ଗତ ସାଲର ଖଜଣା ପରିଶୋଧ ନ କଲେ ସାଆନ୍ତେ ମକଦ୍ଦମା କରିବେ। ଜାତିଭାଇ ଧରି ବସିଲେ, ଜାତିଭାତ ଦେଇ ଶୁଧିଅ ହବାକୁ ପଡ଼ିବ।

ପହଲି ମୂଲ ଲାଗିବାକୁ ବାହାରିଲା; ମାତ୍ର ପୁଷ ମାସ, ଧାନକଟା ପରେ ପାଇଟି କାହୁଁ ଜୁଟିବ? ତା ଛଡ଼ା ପହଲି ଲକ୍ଷ୍ୟ କଲା ଯେ, ଗାଁ ଲୋକେ ତାକୁ ଦେଖି ଆଜିକାଲି କିମିତି ନାକ ଟାଉଁ ଟାଉଁ କରୁଛନ୍ତି। ଜଣେ ସେଦିନ ତାକୁ ବଡ଼ ପାଟି କରି ଶୁଣାଇଦେଲା-“ଗୋରୁମରାଟାକୁ ଛୁଇଁଲେ ଛୁଆଁ ଲାଗିବ।” ପହଲି ସେହି ଦିନୁ ଆଡ଼ଛଡ଼ା ହୋଇ ରହିଚି, କାହାରି ସାଥିରେ ବଳେ ପଶି ମିଳାମିଶା କରୁ ନାଇଁ।

ଜାତିଅଣା ଭାତ ଦେଇ ନ ପାରିବାରୁ ପହଲି ଅଜାତିଆ ହେଲା। ସବୁଆଡ଼ୁ ବାସନ୍ଦ। ବ୍ରାହ୍ମଣ ଗୋସେଇଁମାନେ ଅଡ଼ି ବସିଲେ। ଧୋବା, ଭଣ୍ଡାରି, ନିଆଁ ପାଣି ସବୁ ମନା ହୋଇଗଲା। ପହଲି ଏକଘରିଆ ହୋଇ ରହିଲା।

ପହଲିର ଶାଳଗଜା ପରି ଦିହଟା ଚାହୁଁ ଚାହୁଁ ଆସି କଣ୍ଟା ହୋଇଗଲାଣି।

Pages: 1 2 3 4 5