
ମୃତ୍ୟୁଞ୍ଜୟବାବୁ ସବୁଦିନ ଭଳି ବାସ୍କେଟ୍ ଧରି ବଜାର ବାହାରିଲେ। ଘରଣୀ ତାଲିକା କରିଦେଇଛନ୍ତି-ବାଇଗଣ, ସାରୁ, ଖଡ଼ା, ବୋଇତି କଖାରୁ, ଜହ୍ନି ଇତ୍ୟାଦି। ତାଲିକା ଦେଖିବାକୁ ତାଙ୍କର ଆଗ୍ରହ ନାହିଁ। ସେହି ଚିରାଚରିତ ବୈଚିତ୍ର୍ୟହୀନ ଘାସ ଗୁଳ୍ମାଦିର ସ୍ବାଦ, ଥୋଡ଼ ବଡ଼ି ଖଡ଼ା-ଖଡ଼ା ବଡ଼ି ଥୋଡ଼; ସା ରି ଗା ମା ପା ଧା ନି ସା-ସା ନି ଧା ପା ମା ଗା ରି ସା। ପାଟିକି ଅରୁଚି ଧରିଲା। ବଜାରରେ ପୋଟଳ ପଡ଼ିଲାଣି। ବେଶ୍ ଟାଣ ଟାଣ ସବୁଜ ଲମ୍ବା ପୋଟଳ। ମଝିରୁ ଦୁଇ ଫାଳ କରି କାଟି ତେଲରେ ଛାଣି କିମ୍ବା ଗରମ ମସଲା ଦେଇ ଝୋଳ କରିଦେଲେ ଚମତ୍କାର ଭାତ ଖାଇ ହୁଏ।
ମାତ୍ର ଗୃହଣୀଙ୍କୁ ପୋଟଳ କଥା କହିଲେ ସେ କାମୁଡ଼ି ଗୋଡ଼ାଇବେ। “ଆରେ ଯା’ ମ, ଭାରି ପୋଟଳ ଖାଇଲାବାଲା। ଟଙ୍କା ଦୁଇ ଶହ ଦରମା-ସାତ ପ୍ରାଣୀ କୁଟୁମ୍ବ-ଚାଉଳ କେ.ଜି. ଟଙ୍କାଏ ତିରିଶ ପଇସା, ଡାଲି ଦୁଇ ଟଙ୍କା ଉପରେ। ପନ୍ଦର ତାରିଖ ଗଡ଼ିଗଲେ ଧାର ପାଇଁ ୟା ଦୁଆର, ତା ଦୁଆର। ଶାଢ଼ୀ ଖଣ୍ଡେ ନାହିଁ ଯେ, ସାତସିଆଁ କରି ଧୋଇ ଶୁଖେଇ ପିନ୍ଧୁଛି। କୁନାର ଗଣିତ ବହି ନାହିଁ, କୁନୀର ଫ୍ରକ୍ ନାହିଁ, ମୁନାର ପ୍ୟାଣ୍ଟ୍ ନାହିଁ, ମୁନୀର କଲମ ନାହିଁ। ପୋଟଳ ଖାଇବ? ପୋଟଳ? ଜିଭରେ ଫେର୍ ସେ ଦ୍ରବ୍ୟର ନାଁ ଧରୁଛ?”
ଗୃହଣୀଙ୍କ ପୋଟଳଚିରା ଆଖିକୁ ଥରେ ମାତ୍ର ଚାହିଁ ମୃତ୍ୟୁଞ୍ଜୟବାବୁ ତତକ୍ଷଣାତ୍ ତହିଁରୁ ଦୃଷ୍ଟି ଫେରାଇ ଆଣିଲେ। ଆଖି ବୁଜି ମନେ ମନେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ। ଓଃ କାହିଁକି ଭଲା ଜିଭରେ ସେ ସେହି ନାମଟି ଧରିଲେ? କିନ୍ତୁ ସେ ସମ୍ଭାଳି ପାରୁଛନ୍ତି କେଉଁଠି? ଜିଭର ତ କାମ ସେଇଆ। ଚାଖିବ-ନ ହେଲେ ନାମ ରଟିବ।
ଠିକ୍ ଏମିତି ଅବସ୍ଥାରେ ଗୃହିଣୀଙ୍କୁ କିଛି କହିବା ଲାଗି ତାଙ୍କର ସାହସ ପାଏ ନାହିଁ। ଦେଖିବାକୁ ମୁଣ୍ଡର ବାଳ ଚନ୍ଦା, ଦୁଇଟି ଆଖି କୋଉ କୋରଡ଼ ଭିତରେ। ଦାନ୍ତଗୁଡ଼ାକ ପଦାକୁ ବାହାରି ଆସିଥାଏ। ରାଗିଲାବେଳେ ସେଗୁଡ଼ାକ ଭୟଙ୍କର ଦିଶନ୍ତି।
ତଥାପି କୁନାବୋଉ ସ୍ବାମୀସୋହାଗର ଜ୍ୱଳନ୍ତ ନିଦର୍ଶନ ସ୍ବରୂପ ମସ୍ତବଡ଼ ସିନ୍ଦୂର ଟୋପାଟାଏ ମଥାରେ ଲଗାଇଥାନ୍ତି। ତାହା ଆହୁରି ଭୀଷଣ ଦିଶେ, ଏ ବେଳରେ ସ୍ବାମୀ ମୃତ୍ୟୁଞ୍ଜୟବାବୁଙ୍କ ଆଖିକି।
ହଠାତ୍ ମନେ ପଡ଼ିଗଲା ମୃତ୍ୟୁଞ୍ଜୟବାବୁଙ୍କର ଏଇ କୁନାବୋଉ ସହିତ ତାଙ୍କ ଅତୀତ ଜୀବନ ଓ ଯୌବନର ମଧୁମୟ ଘଟଣାବଳୀ। ମାତ୍ର ସେସବୁ ସ୍ବପ୍ନ କି ବାସ୍ତବ, ବର୍ତ୍ତମାନ ଠଉରାଇ ହେଉ ନାହିଁ। ଏ ଜୀବନ ଏମିତି, ଯୌବନ ତା’ଠାରୁ ବଳି। ଶେଷକୁ ଏ ମହର୍ଗ କାଳ। ଏ କାଳେ ଜୀବନ କେବଳ ବାସ୍ତବକୁ ବୁଝିପାରେ, ସ୍ୱପ୍ନକୁ ନୁହେଁ।
ମୃତ୍ୟୁଞ୍ଜୟବାବୁ ବାସ୍କେଟ୍ ଧରି ପାହାଚକୁ ଗଡ଼ୁଛନ୍ତ, ବଡ଼ଝିଅ କହିଲା-“ବାପା, ଆଜି ମାଛ ଆଣିବ?”
ତା’ ପାଟିରୁ ‘ମାଛ’ ବହାରିଛି କି ନାହିଁ, କୁନାବୋଉ ରୋଷେଇ ଘରୁ ଚିହିଁକି ଆସି ଗର୍ଜି ଉଠିଲେ-“ଏତେ ମାଛ ଖାଆନା ମ! ଆଉ ଯଦି ହଜାରିକିଆ ବାପାର ଝୁଅ ହୋଇଥାଆନ୍ତୁ ନା…! ଦେଖ, ଯାହା ତାଲିକା ଦେଇଛି, ସେଇଆ ଆଣିବ କହି ଦେଉଛି। ମାଛ ଖାଇବ ମାଛ-ମାଛ ଖାଉଛି ମୋ ଭାଇ କଣ୍ଟ୍ରାକ୍ଟର। ସେ ମାଛ ଖାଉଛି, ତା’ ପିଲାଙ୍କୁ ଖୁଆଉଛି।”
ମୃତ୍ୟୁଞ୍ଜୟବାବୁ ବାତ୍ସଲ୍ୟରସ ଭିତରେ ବୁଡ଼ିଯାଇଥାନ୍ତେ; ମାତ୍ର କୁନାବୋଉର ଆଚରଣରେ ସେ ବୁଡ଼ି ଉଠି ଏକାବେଳକେ କୂଳରେ ଲାଗିଗଲେ। ତା’ ପରେ ସେ ଏକମୁହାଁ ସଡ଼କକୁ ଉଠିଲେ ସାଇକେଲରେ। ତାଙ୍କ ଆଖି ଆଗରେ ପଡ଼ିଲା ପୁଲିସଙ୍କ ପରେଡ଼୍ ପଡ଼ିଆ, ଖୁବ୍ ବଡ଼, ଆଖି ପାଏନା। ସେଠି ତାଙ୍କ ବଡ଼ ପୁଅ କୁନା ଗୋଟେ ସାଇକେଲ ଟାୟାର ଧରି ଗଡ଼େଇ, ତା ପଛରେ ଅନ୍ଧ ଭଳିଆ ଦଉଡ଼ୁଛି।
ସଞ୍ଜ ବୁଡ଼ୁ ବୁଡ଼ୁ ହେଉଛି, ଏଣେ ପଶ୍ଚିମ ଦିଗରେ ଖଣ୍ଡିଏ କଳାମେଘ ଉଠି ଆସୁଛି। ମୃତ୍ୟୁଞ୍ଜୟବାବୁ ତୋଫାନ ଆଶଙ୍କା କରି କୁନାକୁ ଡାକ ଛାଡ଼ିଲେ-“ହେ କୁନା! ଯାଃ ଯାଃ ପଳା ଘରକୁ। ଭୀଷଣ ବତାସ ମାଡ଼ି ଆସୁଛି-ଘରକୁ ପଳାଇ ଯା।”
ମୃତ୍ୟୁଞ୍ଜୟବାବୁ ବାଟରେ ଦେଖିଲେ, ଚନ୍ଦ୍ରମୋହନବାବୁ ମଧ୍ୟ ବ୍ୟାଗ୍ ଧରି ସାଇକେଲରେ ଗାଁ ପଟୁ ଆସୁଛନ୍ତି। ବାଃ, ଭଲ ହେଲା ବଜାର କରିବା ଭଳି ଅପ୍ରୀତିକର କର୍ମ ସହିତ ଯଦି ଚନ୍ଦ୍ରମୋହନବାବୁଙ୍କ ଭଳି ରସିକ, ସହୃଦୟ ବନ୍ଧୁଙ୍କର ସାହଚର୍ଯ୍ୟ ମିଳେ, ତେବେ ଭାଗ୍ୟ ବୋଲି ବୁଝିବାକୁ ହେବ।
ନମସ୍କାର ଆଦାନ ପ୍ରଦାନ ପରେ ଦୁହେଁ ପାଖାପାଖି ଚାଲିଲେ ନାନାଦି ବିଷୟରେ ଆଲୋଚନା କରି। ଚନ୍ଦ୍ରମୋହନବାବୁ ଟିକିଏ ଭୋଜନବିଳାସୀ, ବେଶି ରୋଜଗାର କରନ୍ତି। କର୍ତ୍ତବ୍ୟନିଷ୍ଠ କର୍ମଚାରୀ ସେ-ସାହାଯ୍ୟକାରୀ ସାମାଜିକ ବନ୍ଧୁ ମଧ୍ୟ।
“ଚଞ୍ଚଳ ଫେରିଆସିବା। ଆପଣଙ୍କର ବୋଧହୁଏ ବହୁତ କିଛି ବଜାର କରିବାର ଅଛି।”
ଚନ୍ଦ୍ରମୋହନବାବୁ ଅଳ୍ପ ହସି କହିଲେ, “ନା, ନା, ଆଜି ମୁଁ କିଛି କିଣିବି ନାହିଁ। ଶୁଣିଲି, ବଜାରକୁ ସୀତାସାଗର ବନ୍ଧରୁ ରୋହି ଆସିଛି। ସୀତାସାଗର ରୋହି ଖାଇଛନ୍ତି?”
ମୃତ୍ୟୁଞ୍ଜୟବାବୁ ଦୀର୍ଘଶ୍ବାସ ପକାଇଲେ।