
ବେକରେ ହାଡ଼ ବାନ୍ଧିଲା। ଦାନ୍ତରେ ତିରଣ ଦେଲା। ଜିଭ ଥାଉ ଥାଉ ଖନା ହୋଇ ପହଲି ପଧାନ ବାରଦୁଆର ଶୁଣ୍ଢିପିଣ୍ଡା ବୁଲି ଖପରା ପତେଇଲା।
କଳା ମିଚି ମିଚି ଅନ୍ଧାର ମଝିରେ ତାର ଶଣ୍ଢା ଶଣ୍ଢା କାଳିଆ ବାହା ଦି’ଟାକୁ ଉପରକୁ ଟେକି ଗାଅଁ ମୁଣ୍ଡ ଦୋକାନ ପାଖରେ ବସି ପହଲି ଗଅଁ ଗଅଁ ହୋଇ ସମସ୍ତିଙ୍କି ମନକଥା କହିବାକୁ ଚେଷ୍ଟାକରେ, ନାନା ଅବଲ୍ୟ କାଢ଼ି ଗ୍ରାହକମାନଙ୍କ ଅଣ୍ଟାରୁ ପଇସାଏ ଅଧଲାଏ ଖସେଇବ ବୋଲି ବାହାରେ। କିଏ ଦିଏ, କିଏ ବା ମୁହଁ ମୋଡ଼ି ଚାଲିଯାଏ। ଅଧିକାଂଶ ତା ଆଡ଼ିକି ଦାନ୍ତ ଦି’ ଧାଡ଼ିକ ଦେଖାଇ ଖିଁ ଖିଁ ହୋଇ ହସନ୍ତି-ଖତେଇ ହୁଅନ୍ତି। ପହଲି ମାଟିରେ ଗଡ଼େ, ବାଳ ମୁକୁଳା କରି ହାତ ଠାରି କେତେ କ’ଣ କହେ। ସମସ୍ତେ କହନ୍ତି, ପହିଜ କରୁଚି।
ତାର କାଳିଆ ଦିହ, କୋତରା ଲୁଗା, ଆବୁଡ଼ାଖାବୁଡା ଓସାରିଆ ଛାତିଟା କଳା ରାତି ସଙ୍ଗରେ ମିଶିଯାଇ ଜମା ବାରି ହୁଏ ନାହିଁ।
ଅଝଟ ପିଲାଏ ମା’ଠୁଁ କ୍ଷୀର ନ ଖାଇଲେ ମା’ ମାନେ ଭୟ ଦେଖାଇ କହନ୍ତି-“ହେଇ, ହେଇ, ଅନ୍ଧାରୁଆ ଆଇଲାଣି। ଗାଆଁ ମୁଣ୍ଡେ ବସି ଜିଭ ହାଲୁ ହାଲୁ କରୁଚି।”
ପହଲି ପୁରସ୍ତମ ଯିବ। ବାଟରେ ସଞ୍ଜ ହୋଇଗଲେ ସେ ପାଖ ଗାଁରେ ରାତିକ ପାଇଁ ଥାକିଯାଏ। ଦିଅଁ ବୁଡ଼ିଯିବା ଆଗରୁ କ’ଣ ଦି’ଟା ପାଟିରେ ପକାଇ ଦେଇ କାହା ପିଣ୍ଡାରେ କୁଟା ଗୋଛାଏ ପାରି ଚାରିକାତ ନମ୍ବେଇ ପଡ଼ିଯାଏ। ସେ ଯେଉଁ ଗାଆଁକୁ ଯାଏ-ସେ ଗାଆଁରେ ଅନ୍ଧାରୁଆ ଆସିଚି ବୋଲି ଚାରିଆଡ଼େ ହୁରି ହକରା ପଡ଼ିଯାଏ। ତା ପଛରେ ଟୋକାଏ ତାଳିମାରି ଗୋଡ଼ାନ୍ତି। ବୁଲାକୁକୁରଗୁଡ଼ାକ ଘେଉ ଘେଉ ହୋଇ ତାକୁ ଖେଙ୍କାରି ମିଶନ୍ତି, ପୁଣି ସୁଁ ସୁଁ କରି ତା’ ଗୋଡ଼ ସନ୍ଧିରେ ପଶି ପରସ୍ତେ ତାକୁ ଶୁଙ୍ଘିଯା’ନ୍ତି। ଅନ୍ଧାରୁଆ ଦିନଯାକ ବାଟ ଚାଲେ-ସଞ୍ଜବୁଡ଼େ ଭିକ ମାଗେ।
ଅନ୍ଧାର ରାତି। ପେଟରେ ହେଲା ମାଇକିନିଆ ପରି କଳା ମେଘର ତଳି ପେଟଟା ଓହଳି ପଡ଼ିଚି। ତାରି ଭିତରେ ଚଳନ୍ତା ଅନ୍ଧାର ପରି ବାଡ଼ି ଖଣ୍ଡକ ଧରି ଅନ୍ଧାରୁଆ ଚାଲେ….।
ବେଳେ ବେଳେ ଅନ୍ଧାରୁଆ ସ୍ବପ୍ନ ଦେଖେ —।
ପାଚିଲା ଖେତରେ ନହଡ଼ା ମାରୁଚି। ଭେଣ୍ଡିଆ ଭେଣ୍ଡିଆ ଧାନ ଗଛର ଅସୁମାରି ସାରୁ ସିଆର ଭିତରେ ତମ୍ପ ସାପ, କଙ୍କଡା ବିଛା ଆଉ ତେଲୁଣୀ ପୋକଙ୍କର ମେଳା ବଇଚି। ଚାରିଆଡ଼େ ଆଇଁଷିଣିଆ ଗନ୍ଧ ପାଇ ମାଟିଆ ଚିଲଗୁଡ଼ାକ ଚେକି ଚେକି ହେଇ ଉପରେ ଉଡ଼ୁଛନ୍ତି।
ସେଇ ମେଘ ଅନ୍ଧାର ରାତିରେ ବିଲ ମଝିରେ ଗୋଟାଏ ଭାଡ଼ି ତିଆରି କରି ଅଟା ଖଣ୍ଡେ ଜାଳି ପହଲି ବିଲ ଜଗିଚି।
ଧାନଗଛ ମୂଳରେ କୁଢ଼ା ହୋଇଚି କୁଢ଼କୁ କୁଢ଼ ଖତ। ଖତ ତ ନୁହଁ, ହାଡ଼। ପହଲିର ହାଡ଼-ତା ସ୍ତ୍ରୀ ଗେଲିବୋଉର ହାଡ଼…….।
ପହଲିର ମନେ ପଡ଼େ, କାଲମରା ଜାଡ଼ଦିନେ କିମିତି ବଡ଼ି ଅନ୍ଧାରୁ କେଉଟ ଘରର ଚୂଡ଼ା ପାହାର ନ ଶୁଭୁଣୁ ଗେଲିବୋଉ ଥୁରୁ ଥୁରୁ ହୋଇ ଟାଙ୍ଗି, ଟୋକର, ତୋଟା, ପାଟ ବୁଲି ଗାଣ୍ଡୁଆକୁ ଗାଣ୍ଡୁଆ ଗୋବର ବୋହିଆଣି ବାଡ଼ିପଟ ଖତଗଦାରେ ଜମା କରେ…….। ଆଉ ପହଲି ନିଜ ଦିହରୁ ନହୁ ପାଣି କରି ସେଇ ଖତତକ କୁଟି ଓଦର ଓଦର କରି ନେଇ ବିଲରେ ଜମା କରିଦେଇ ଆସେ……।
ଖାଲି ସେତିକି ନୁହେଁ, ପଥର ପରି ଟାଣ ବିଲ ମାଟିରେ ଲଙ୍ଗଳ କଣ୍ଟି ଧରି ହଳ କଲାବେଳେ ଯେ କି କଷ୍ଟ, ତା ମନେ ପଡ଼ିଲାବେଳେ ପହଲିର ହାଡ଼ ଭିତର କ’ଣ ହୋଇଯାଏ। ତାଳୁ ଉପରେ ନଆଁ ପିଣ୍ଡୁଳା ପରି ସୂର୍ଯ୍ୟ-ତଳେ ତତଲା ମାଟି, ଗୋଡ଼ ଦି’ଟା ସିଝିଯାଇ ପରସ୍ତକୁ ପରସ୍ତ ଚମ ଛାଡ଼ିଯାଇଚି…..।
ପହଲିର ଏତେ ହାଡ଼ଭଙ୍ଗା ରକ୍ତମିଶା ମିହନ୍ତକୁ ସାର୍ଥକ କରି ଯେଉଁଦିନ ପାଚିଲା ଖେତର ଅସୁମାରି ଧାନଗଛ ଗହଳରେ ମାଈ ପବନର ନୁଚୁକାଳି ଖେଳ ଲାଗିଲା, ସେ ଦିନ ପହଲି ଜୀବନରେ ଏକ ମଉଚ୍ଛବ। ସେସବୁ ଭୁଲି ଅନାଇଁ ରହିଲା ସେ ଦରପାଚିଲା କିଆରୀ ଆଡ଼କୁ।
ତା’ପରେ ଦିନେ-
ପହଲି ଭାବିଲା।
କିଟିମିଟିଆ ଅନ୍ଧାର। ମଗୁଶିର ମାସ ହିମାଳ ପବନ କଲିଜା ଭିତର ଥରାଇ ଦେଇ ଯାଉଚି। ପହଲି ଭାଡ଼ି ଉପରେ ହେଁସ ଖଣ୍ଡେ ଘୋଡ଼ିହୋଇ ପେଟେଇ ପଡ଼ି ଶୋଇ ବଟୁଆରୁ ଚୂନପତ୍ର ଟିକିଏ ଆଣି ନେଡ଼ିରେ ଦଳୁଚି। ବିଲ ଭିତରେ ଚାବୁରୁ ଚାବୁରୁ ଶବ୍ଦ ଶୁଣାଗଲା। ପାଣି କାଦୁଆରେ ଧାନଗଛଗୁଡ଼ାକୁ ଚକଟି ଦେଇ ଗୋଟାଏ କିଏ ଚାରିଆଡ଼ ମନ୍ଥି ଦେଇଯାଉଚି ଯିମିତି ଅବା! ପହଲି ଭାବିଲା ବାରହା କି ଭାଲୁ ହେବ ପରା!
ସେ ରାଗରେ ଖଣ୍ଡେ ମୂଳି ବାଉଁଶ ଧରି ଉଠିଲା।
ଧାନ ଗଛର କାଳିଆ ଛାଇ ଚିରି ପାଣିସିଆରଗୁଡ଼ାକ ଚିକ୍ ଚିକ୍ ଦୁଉଚି। ବହଳିଆ ମେଘ ଅନ୍ଧାର ଭିତରେ ପହଲି ଆଖିରେ ପଡ଼ିଗଲା ଗୋଟାଏ ମସସ୍ତବଡ଼ କାଳିଆ ଜନ୍ତୁ। ନାକପୁଡ଼ାରେ ଅଣଚାଶ ପବନ ବହୁଚି।
ପହଲି ତା ପଛେ ପଛେ ଗୋଡ଼ାଇଲା। ମାତ୍ର ସେଇ କାଳିଆ ଛାଇଟା ଧାନଗଛଗୁଡ଼ାକୁ କୁଦି ଚକଟି ଦୌଡ଼ି ଏଣେତେଣେ ପଳାଇ ଗଲା।