
ଚନ୍ଦା ମୁଣ୍ଡଟାକୁ ବାଁ ହାତରେ ଆଉଁସି ମୁହଁ ତଳକୁ କରି ଗଣିଲାପରି ପାଦ ପକାଇ ମାଗୁଣିଆ ତା ଅଗଣା ଭିତିରେ ବୁଲୁଥିଲା। ସେଥିରୁ ଜଣାପଡୁଥିଲା, ସେ କ’ଣ କରିବ ଠିକ୍ କରିପାରୁ ନ ଥିଲା। ଅଗଣା ପାଖ ପିଣ୍ଡାରେ କତରାଲଗା ହୋଇ ପଡ଼ିଥିବା ପ୍ରଣୟିନୀର ମୁହଁକୁ ବେଳେ ବେଳେ ସେ ଚାହୁଁଥିଲା ସତ, ମାତ୍ର ଚାହିଁବା ସଙ୍ଗେ ସଙ୍ଗେ ସେଆଡୁ ମୁହଁ ହଠାତ୍ ଅନ୍ୟ ଆଡ଼କୁ ଫେରାଉଥିଲା। ଯିବ କି ନ ଯିବ, କହିବ କି ନ କହିବ, କରିବ କି ନ କରିବ ଏଇ ଗୋଟିକ ଦ୍ୱନ୍ଦ୍ୱ ତା’ ଭିତରେ ଗତ କେତେ ଘଣ୍ଟା ହେଲା ଚାଲିଥିଲା।
ବେଳେ ବେଳେ ଦୀର୍ଘ ନିଃଶ୍ୱାସଟାଏ ପକାଇ ପଦେ ମାତ୍ର କହୁଥିଲା-‘ନା’। ସକାଳ ପହରୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିବା ଭିତରେ ଏଇ ‘ନା’ ପଦକ ସେ ଅତି ଉଣା ପଚାଶ ଥର କହିଥିବ। ତଥାପି ସେ ଶେଷ ନିଷ୍ପତ୍ତିରେ ପହଞ୍ଚି ପାରିଲା ନାହିଁ। ତା ମନର ଏଇ ଦୋ ଦୋ ପାଞ୍ଚ ଅବସ୍ଥାର ଅବସାନ କେବେ ହେବ, କିପରି ହେବ, ସେ ନିଜେ ବୁଝିପାରୁ ନ ଥିଲା। ବୁଝିପାରୁ ନ ଥିଲା ବୋଲି ସେ, ବେଳେ ବେଳେ ପ୍ରଣୟିନୀ ମୁହଁକୁ ଚାହୁଁଥିଲା ଉତ୍ତର ପାଇଁ। ଉତ୍ତର ପାଇବା ପୂର୍ବରୁ ତା’ମନରେ ପୁଣି କ’ଣ ଭାବାନ୍ତର ଆସୁଥିଲା, ଆଉ କାହାର ନିଷ୍ପତ୍ତିକୁ ସେ ଗ୍ରହଣ କରିବ ନାହିଁ ବୋଲି ଠିକ୍ କରୁଥିଲା।
ମାଗୁଣିଆ ଏପରି ଭାବରେ ବିଚଳିତ ହେବାର କାରଣ ଯେ ନ ଥିଲା, ତା’ ନୁହେଁ। ଏପରି ଭାବିଲାବେଳେ ଦର୍ପଣପରି ତା’ ଜୀବନରେ ଦୀର୍ଘ ତିରିଶ ବର୍ଷ ତଳର କଥା ଆଗେ ଆଗେ ତାକୁ ଦେଖାଯାଉଥିଲା। ସତେବେଳେ ତାର ଏ ବେଶଭୂଷା ନ ଥିଲା। ଦୀନ ଦରିଦ୍ରପରି ସେ ପର ଦୁଆରୁ ମାଗିଆଣି ଚଳୁ ନ ଥିଲା। ଧନୁର୍ଦ୍ଧର ଭେଣ୍ଡା ଥିଲା ସେ। ବାହା ପିଟି ରୋଜଗାର ତ କରୁଥିଲା, ପୈତୃକ ସମ୍ପତ୍ତିକୁ ଦୁଇ ଭାଇ ମିଶି ରକ୍ଷଣା-ବେକ୍ଷଣ କରି ଗାଁ ଭିତରେ ଖୁବ୍ ପ୍ରତିପତ୍ତି ଅର୍ଜନ କରିପାରିଥିଲେ। ଯୋଡ଼ାକୁ ଘୋଡ଼ା ସରି ନୁହେଁ-ଏଇ କଥାକୁ ଦୁଇ ଭାଇ ମିଶି ପ୍ରମାଣ କରୁଥିଲେ। ଦୁଇ ଭାଇଙ୍କର ବାହୁବଳ, କହିବାକୁ ଗଲେ, ଭାଗ୍ୟବଳ ଏତେ ଜୋର୍ ଥିଲା ଯେ, ଗାଆଁ ରେ ତ ସମସ୍ତେ ତାଙ୍କୁ ଖାତିର କରୁଥିଲେ, ବାଦବିବାଦ, କଳିଗୋଳବେଳେ ଡରୁଥିଲେ ମଧ୍ୟ।
ମାଗୁଣିଆ ତାର ଦଦରା କାନ୍ଥ, ବାଡ଼ି ଓ ଚାଳଘର ଭିତରେ ଯେ ବୁଲୁଥିଲା, ସେ କଥା ସେ ଭୁଲି ଯାଇଥିଲା। ତାକୁ ଦିଶୁଥିଲା ଗୋଟିଏ ଗୌରବମୟ ଗ୍ରାମ ପରିବାରର ଉଜ୍ଜ୍ୱଳ ଛବି। ପରିବାରର ଅସ୍ତଛବି ଯେତେବେଳେ ତା ଆଖିକୁ ଦେଖାଯାଉଥିଲା, ସେତେବେଳେ ସେ ଘୃଣାରେ ଲଜ୍ଜାରେ, ଅପମାନରେ ମୁଣ୍ଡ ପୋତିଦେଉଥିଲା, ହତାଶ ଭାବରେ ଆକାଶକୁ ଚାହୁଁଥିଲା। ସେ ଦେଖୁଥୁଲା ଅତୀତ। କେବେ ଅତୀତରେ ଗାଁ ପଧାନଘରର ଭାଇଭାଗବଣ୍ଟାରେ ଯେତେବେଳେ ଭାଇ ଭାଇ ହଣାହଣି ହେବାର ଆଶଙ୍କା ହେଲା, ଏଇ ଦୁଇ ଭାଇ ମାଗୁଣିଆ ଓ ତାର ବଡ଼ ଭାଇ ମଝିରେ ବେକ ଦେଖାଇ ଠିଆହୋଇପଡ଼ି ସେଥିର ସମାଧାନ କରିଦେଇଥିଲେ।
ମାଗୁଣିଆ ଦେଖିଲା, ତା’ ମାନସଚକ୍ଷୁରେ ଅତୀତର ଏହିପରି ଅନେକ କଥା। ଗାଁ କୋଠା ପୋଖରୀରୁ ରଥସାଆନ୍ତଙ୍କ ବଡ଼ ପୁଅ ପାଣି ହାଣି ବିଲରେ ମଡ଼ାଇଲା ବୋଲି ଦାଶଘର ଠେଙ୍ଗା ଧରି ଠିଆହେଲେ। ସେତେବେଳେ ଏଇ ମାଗୁଣିଆର ଯୁଆନ୍ ପିଠି ଦାଶଘର ଠେଙ୍ଗାକୁ ତିନିଥର ଥାନ ଦେଇ ଗାଁଟାକୁ ମାଲିମକଦ୍ଦମାରୁ ରକ୍ଷା କରିଥିଲା।
ମାଗୁଣିଆ ଆଖିକୁ ଦେଖାଗଲା ଗାଁର ଜେନାଘର ବଡ଼ ବୋହୂର ଦୁର୍ଦ୍ଦଶା କଥା। ଜେନାଙ୍କ ବଡ଼ପୁଅ ଅକାଳରେ ମଲା ପରେ ତା’ ସ୍ତ୍ରୀକୁ ନାନା ଦୋଷ ଦେଇ ଘରୁ କାଢ଼ିଦିଆଗଲା। ସେତେବେଳେ ଏଇ ମାଗୁଣିଆ ପୁରୀ ଯାଇ ମହାପ୍ରସାଦ କଡ଼ୁଆ ଆଣି ଶାଶୁ-ବୋହୂଙ୍କ ଭିତରେ ପରମ ବିଶ୍ବାସ ଜନ୍ମାଇ ଗୋଟିଏ ବଂଶକୁ ଦୁର୍ଦ୍ଦଶାରୁ ରକ୍ଷା କରିଥିଲା।
ଏଇପରି ଅନେକ କଥା ମାଗୁଣିଆର ମନେପଡ଼ିଲା। ମାତ୍ର ଏବେ ମାଗୁଣିଆ ଦେଖିଲା ତା’ ଭାଇର ଶବ ପହରେ ହେଲା ପଡ଼ିଚି। ତାଙ୍କୁ ନେବାପାଇଁ ଗାଆଁର କେହିହେଲେ ବାହାରୁନାହଁନ୍ତି। ଭାଇ! ମାଗୁଣିଆର ଭାଇ-ଏଇ କଥା ବିଚାରି ଦେଲାମାତ୍ରେ ତାର ରୋମ ଟାଙ୍କୁରି ଉଠିଲା। ବିଚାରିଲା ପୁଣି ଭାଇ ମୋର! ମୁଁ ପୁଣି ଭାଇ ତାର! ଏ ଦରିଦ୍ର ବେଶ, ଏ ନିରନ୍ନ ପରିବାର, ଏ ବୁଭୁକ୍ଷୁ ସଂସାରକୁ ନେଇ ପୁଣି ତାକୁ ଭାଇ ବୋଲି ଡାକିବି? ଶେଷରେ ମାଗୁଣିଆ କହିଲା ‘ନା’। ଏଇ ଶେଷ ‘ନା’ ପଦକ ମାଗୁଣିଆର ମୁହଁରୁ ଏପରି ଜୋରରେ ବାହାରିଲା ଯେ, ବାରଣ୍ଡାରେ ମୁହଁ ମାଡ଼ି ପଡ଼ିଥିବା ତାର ମୁମୂର୍ଷୁ ପତ୍ନୀ ଆଖି ଫିଟାଇ ଚମକିଲା ପରି ଚାହିଁଲା। ମାଗୁଣିଆ ମଧ୍ୟ ନିଜ ପାଟିର କଥା ନିଜେ ଶୁଣି ଚମକି ପଡ଼ିଲା।