ଗୋଟିଏ ଧାନଗଛ ନଷ୍ଟ ହୋଇଯିବା ସଙ୍ଗେ ସଙ୍ଗେ ପହଲି ଦିହରୁ ପୋଷେ ରକ୍ତ ଶୁଖି ଯାଉଥିଲା।
ଆଗରେ ଗୋଟାଏ ଖାଲ। ଜନ୍ତୁଟା ଆଉ ଯାଇପାରିଲା ନାଇଁ-ମୁହଁ ବୁଲାଇ ପଛକୁ ଫେରି ଅଇଲା। ପହଲିର ବାଉଁଶ ଠେଙ୍ଗା ଦୁମ୍କରି ବାଜିଲା ତା’ ତାଳୁରେ-ଠିକ୍ ତା ତାଳୁ ଉପରେ।
ପହଲି ବିଜୁଳି ଆଲୁଅରେ ଦେଖିପାରିଲା, ଦି’ଟା ବଡ଼ ବଡ଼ ମୁନିଆଁ ଶିଙ୍ଗ କେନା ମେଲାଇ ଉପରକୁ ବାହାରିଚି।
ଲାଞ୍ଜ ଟେକି, ଫଁ ଫଁ ନିଶ୍ବାସ ଛାଡ଼ି ଜନ୍ତୁଟା ପଳାଇଗଲା କାଇକାଛିଆ ହେଇ ଏକମୁହଁରେ। ପହଲି ଶୁଣିପାରିଲା, କିଛି ଦୂର ଯାଇ ସେଇଟା ଗୋଟାଏ କଣ୍ଟାବୁଦାରେ ଭୁଷ୍କିନା ପଡ଼ିଗଲା-ଆଉ ପଙ୍କ କାଦୁଅ ଭିତରୁ ଉଠି ପାରିଲା ନାହିଁ।
ପହଲି ଭାଡ଼ିକି ଫେରିଆସି ନିଶ୍ଚିନ୍ତରେ ଶୋଇଲା। ସେ ରାତିରେ ଶୋଇ ଶୋଇ ସ୍ବପ୍ନ ଦେଖିଲା, ଗୋଟାଏ ମସ୍ତବଡ଼ କାଳିଆ କଙ୍କାଳ, ଚାରିପଟେ ତାର କାଉ ବେଢ଼ିଛନ୍ତି। ଗୋଟାଏ ଭୋକିଲା ଶାଗୁଣା ସେଇ ମଢ଼ର ନାହିମୁଣ୍ଡା ଭିତରେ ଥଣ୍ଟ ପୂରେଇଚି। ସେଇ ମଢ଼ର ଚାରିଟାଯାକ ଖୁରାକୁ କିଏ ହାଣିଦେଇଚି କୁରାଢ଼ୀରେ ଚୋଟ ଚୋଟ କରି।
ପୁରୋହିତେ ପୋଥି ଦେଖି କରି କହିଲେ, ତିନି ପାଦ ଦୋଷ ଲାଗିଚି। ପୁରସ୍ତମ ଯାଇ ମୁକ୍ତିମଣ୍ଡପରେ ପ୍ରାୟଶ୍ଚିତ୍ତ ନ କଲେ ଏ ପାତକ ଛାଡ଼ିବ ନାଇଁ। ପ୍ରାୟଶ୍ଚିତ ନ କଲା ଯାଏ ଦାନ୍ତରେ ତିରଣ ଦବ, କଥା କହିବ ନାଇଁ।
ଗାଁଯାକ ଫୁସ୍ ଫୁସ୍ ହେଲେ-ପହଲି ହାଡ଼ ବାନ୍ଧିବ, ଗୋରୁ ମାରିଚି। ସେ ଦିନର ପହଲି ଆଉ ଆଜିର ଅନ୍ଧାରୁଆ, କେତେ ତଫାତ୍!
ପହଲି ଭାବେ, ସେ ଦିନ ପଦ୍ମପୁରାଣ ପଢ଼ି ପୁରୋହିତ ନିଧି ମିଶ୍ରେ ତାକୁ କ’ଣ କହିଥିଲେ। ଭୟରେ ମହୁଁଟା ତାର ଚୋଚଲା ପଡ଼ିଯାଏ। ତା ଆଖି ଆଗରେ ନାଚିଯାଏ ଗୋଟାଏ ମସ୍ତ ବଡ଼ ଜଳନ୍ତା ଚୁଲୀ-ବଡ଼ ବଡ଼ ହଣ୍ଡାରେ ତେଲ କଡ଼ କଡ଼ ହୋଇ ଫୁଟୁଚି। ସେ ଏ ପଟକୁ ସେ ପଟକୁ ଚାହେଁ। ଥରିଉଠେ। ପୁଣି ତା ଆଖି ଆଗରେ ନାଚିଯାନ୍ତି ଦୁଇଟା ଯମଦୂତ। ସେ ଦିନ ତାଙ୍କରି ଚିତ୍ର ତାକୁ ପୁରୋହିତ ଆପଣେ ଦୟାକରି ପୁରାଣରୁ ବାହାର କରି ମିଞ୍ଜି ମିଞ୍ଜି ଆଲୁଅରେ ଦେଖେଇ ଦେଇଥିଲେ। ତାର ସେ ତିନି ରଙ୍ଗିଆ ଚିତ୍ରପଟଟା ମନେପଡ଼େ। କେଡ଼େ କେଡ଼େ ଆଖି, କିମିତି ଶିଙ୍ଗ, ହାତ ଦି’ଟା କେମିତି ମାଙ୍କଡ଼ ହାତ ପରି ରୁମ ସାଲୁବାଲୁ ହେଇଚି! ନଖଗୁଡ଼ାକ କେମିତି ମୁନିଆଁ ମୁନିଆଁ! ସେ ଡରୁଆ ପିଲାଙ୍କ ପରି ନିଦରେ ବିଳିବିଳେଇ ଉଠେ-
“ଆଇଲା, ଆଇଲା, ହେଇ ଆଇଲା !”
ଦିନେ ଦିନେ ବାଟ ଚାଲୁ ଚାଲୁ ନିଛାଟିଆ ଦି’ ପହରରେ ସେ ଥକ୍କା ହୋଇ ଗୋଟାଏ ଗଛମୂଳରେ ବସିପଡ଼େ। ଚାରିଆଡ଼ ଶୂନଶାନ୍-ଖାଁ ଖାଁ କରୁଥାଏ। ତାର ମନେପଡ଼େ ତଳ ଗାଁ ରାମା ଗଉଡ଼ର କଥା। ଗୋରୁ ମାରି ଲୁଚେଇଥିଲା; କିନ୍ତୁ ମଲାବେଳକୁ ଜିଭରେ ଘା’ ହୋଇଗଲା, ପୋକମାଛି ହେଲା, ନାଙ୍ଗୁଡା ପୋକ ପାଟିରେ ସାଲୁବାଲୁ ହୋଇ ଚାଲିଲେ। କେତେ ଗୁହମୂତ, ରକ୍ତ ପୂଜ ହୋଇ ସେ ଘାଣ୍ଟି ଚକଟି ହେଲା। ତେବେ ହେଲେ କ’ଣ ତାର ପ୍ରାଣ ଗଲା!
ଶେଷରେ ସାହିଲୋକେ ପଚାରିଲେ-“କିରେ ରାମା, କ’ଣ କରିଚୁ କହିଦେ। ନୋହିଲେ ସହଜରେ କଣ ପ୍ରାଣ ଯିବ?” ରାମା ମାନିଗଲା। ଗୋରୁ ମାରିଥିବା କଥା କହିଦେବା ମାତ୍ରକେ ତାର ହିକ୍କା ଉଠିଲା। ତିନି ଥର ଗୋରୁଙ୍କୁ ପରି ହମ୍ବାଳି ଛାଡ଼ି ତାଠୁଁ ପ୍ରାଣବାୟୁ ଉଡ଼ିଗଲା……..।
ପହଲି ଆଉ ଭାବିପାରେ ନାଇଁ। ତାକୁ ଶୁଣାଯାଏ, ଗୋଟାଏ ମାରଣା ଗୋରୁ ଯିମିତି ଖୁବ୍ ଦୂରରେ ହେଣ୍ଟରା ଛାଡ଼ିଛି। ସେ ଭୟରେ ଗଛଟାକୁ କୁଣ୍ଢାଇ ଧରେ।
ନିକଟରେ ହୁଏତ ଗୋଟିଏ ଦିଓଟି ଗାଈ ଚରୁଥାନ୍ତି। ଧଳା, କଳା, କସରା ବାଛୁରୀଗୁଡ଼ିକ ଚିଲା ମାରି ତାଙ୍କ ଚାରିପାଖେ ନାଚୁଥାନ୍ତି। ପହଲିର ମନେ ହୁଏ, ସେମାନେ ଯିମିତି ତାଙ୍କୁ ଶିଙ୍ଗ ଉଞ୍ଚେଇ ମାରିବାକୁ ଆସୁଚନ୍ତି। ସେ ବାଡ଼ିଖଣ୍ଡିକ ଧରି ଛିଡ଼ା ହୁଏ-ଭୟତ୍ରସ୍ତ ଆଖିରେ ଇଆଡ଼ିକି ସିଆଡ଼ିକି ଚାହେଁ।
ଦିନେ ଦିନେ ରାତିରେ ପହଲି ସପନ ଦେଖେ-ଗୋଟଏ ମଲା କାଳିଆ ଗୋରୁ ପେଟ ଫୁଲେଇ ତାଙ୍କ ଅଗଣାରେ ଶୋଇଛି। ତା ପେଟ ଭିତରେ ଗୋଟାଏ କଅଁଳା ବାଛୁରୀ। ଗେଲିବୋଉ ଚଉରାମୂଳରେ ବସି ତୁନି ହୋଇ କାନ୍ଦୁଚି। ଆଉ ତାର ମଲା ପିଲା ଗେଲିଟା ପୁଣି ବଞ୍ଚିଲାଣି। ସେ ବାଆ ବାଆ ବୋଲି ଚାରିଆଡ଼େ ତାକୁ ଖୋଜି ବୁଲୁଛି। ପହଲିର ନିଦ ଚାଉଁକିନା ଭାଜିଯାଏ। ସେ ଉଠି ବସେ। ଦୂରରେ ଶୁଣାଯାଏ ଯିମିତି ସଁ ସଁ ହୋଇ ଗୋଟାଏ କ’ଣ ଚରୁଛି।
ଦିନେ ଦିନେ ବାଟ ଚାଲୁ ଚାଲୁ ହଠାତ୍ ପହଲି ଥକ୍କା ମାରି ଛିଡ଼ା ହୋଇଯାଏ। ତାର ମନେ ହୁଏ, ପଛରୁ ତାକୁ ଯିମିତି କିଏ ଡାକୁଚି। ଗୋଜିଆ ଗୋଜିଆ ଶିଙ୍ଗ-ହାତରେ ଗୋଟାଏ ବାଘୁଆ ଫାଶପକା ଦଉଡ଼ି। ତାର ମନେ ପଡ଼ିଯାଏ ରାମା ଗଉଡ଼ର ମୁହଁ। ରକ୍ତ, ପୂଜ, ଲାଙ୍ଗୁଡ଼ିଆ ପୋକ। କିନ୍ତୁ ମନକୁ ମନ ବୁଝାଇ ସେ ପୁଣି ବାଟଚାଲେ। ଶହେ ଥର ବଡ଼ ଠାକୁରଙ୍କ ନାଁ ସୁମରଣା କରେ।