
ବଡ଼ି ବଢ଼ି ଆସିଛି, କାଠଯୋଡ଼ିରେ ପାଣି ଛବିଶ ଫୁଟ। କୁଆଖାଇ ବଡ଼ ସଡ଼କକୁ ଚାଟୁଛି। ଧର୍ମଶାଳା, ଆଳି, ଭଦ୍ରଖ, ଭଣ୍ଡାରିପୋଖରୀ କୁଆଡ଼େ କୁଆଡ଼େ କ’ଣ ପ୍ରଳୟ ହେଲାଣି, ଖବର କଉଁଠୁ କିଛି ମିଳୁନାହିଁ। ଚାକର ଭଗିଆ କହିଲା, “ମାରକେଟରେ ଲୋକେ କୁହାକୁହି ହେଉଛନ୍ତି, ସେ ଶୁଣି ଆସିଛି।” “ଆମର ସେ ଆଳି ମା’, ଡାଆଣିଆ ବଙ୍ଗଳାକୁ ଯାଉ ଯାଉ ବାଁ ହାତି। ଥିବଟି ମା’! ସେ ବରାହ ଜାଣେ।” ଚାକର ଭଗିଆ ମାଂସ କିଣି ଆଣିଛି।
“ନାଲି ମୋହର ଦେଖି ଆଣିଲୁଟିରେ?”
“ହଁ ମା! କୁଆଡ଼େ ଗୋରୁ ଗାଈ ମଣିଷ ବି ଭାସି ଯାଇଚିନି।”
“ହଇରେ ସସ୍ କାହିଁ? ଯା’ ଆଉ ଥରେ ଯା’।”
ସେ ଘରୁ ଘାଗଡ଼ା ଗଳାରେ ପାଟି ଶୁଭିଲା, “ବଟର୍ ଆଣିଚି କି ନାହିଁ?” ଡରି ଡରି ଭଗିଆ କହିଲା, ତୁନି ତୁନି, “ଭୁଲିଗଲି ମା’, ଏଇ ନଈ ବଢ଼ି ଖବରଟା ଶୁଣି। ହଉ ହେଲା, ଆଉ ଥରେ ପଛେ ଯାଉଚି-”
ମେଦିନୀ ଦେବୀ ତାଙ୍କ ମାଉଁସିଆ ଗାଲକୁ ଝାଡ଼ି ଦେଇ କହିଲେ, “ତୁ ଚୁଲୀପଶାଟା ତ ସେମିତିଆଟା, ପାଞ୍ଚଟା ଆଣିଲେ ସାତଟା ଭୁଲିଯିବୁ। ବଟର୍ ତ ଆଣିଲୁ ନାଇଁ, ଅଇଛା ବାବୁଙ୍କୁ ପାଉଁରୁଟି ଟୋଷ୍ଟ୍ ଦେବି କେମିତି? ତୁ ମଣିଷଟା, ଯା’ ଯା’ ଧାଁ-”
ବିଦ୍ୟାଭୂଷଣ ଓରଫ ଚୁଙ୍ଗିବାବୁ ଦାଣ୍ଡଘରେ ସୋଫା ପିଠିକି ଆଉଜି ପଡ଼ି ଖବର କାଗଜ ପଢ଼ୁଥାନ୍ତି। ରେଡ଼ିଓ ଖୋଲାଥାଏ, ସାଉଣ୍ଡ୍ ଦିଆଯାଇଥାଏ ଅତି ଧୀର ହୋଇ। ଦୂର ଦିଲ୍ଲୀ ସହରରେ ରେଡ଼ିଓ ଘରେ ସଙ୍ଗୀତରେ ଉନ୍ମାଦିନୀ ହେଲାପରି ସ୍ୱରରେ ଛାଟିପିଟି ହେଉଥାଏ କେଉଁ ପ୍ରସିଦ୍ଧ ଗାୟିକା। ଚୁଙ୍ଗିବାବୁ ତୁଣ୍ଡରେ ଥାଏ ଖଣ୍ଡିଏ ସିଗାରେଟ୍, ପାଖରେ ଗୋଲ ବେତ ଟେବୁଲ ଉପରେ ସିଗାରେଟ୍ ଟିଣ ଥୁଆ ହୋଇଥାଏ। ମୁଗ ବର୍ଣ୍ଣର ସକାଳ, କାଉନ୍ଦା ଝିପି ଝିପି।
ହଁ ଖବର କାଗଜରେ ବଢ଼ି କଥା କିଛି ଲେଖିଛି। ହାଲ୍ତ ଏତିକି, ବେଶି କିଛି ଜଣା ପଡ଼ିନାହିଁ, ସାହାଯ୍ୟ ତ ନିଶ୍ଚୟ ଦିଆଯିବ, ଯେତେ ଯାହା କରିବା କଥା ସବୁ କରାଯିବ। ତେବେ, ୟେ ଓଡ଼ିଶାରେ ବଢ଼ିଟା ଅପରିହାର୍ଯ୍ୟ, ବଢ଼ିରେ ବଢ଼ିରେ ଏ ଦେଶଟା ତିଆରି ହୋଇଛି କିନା, ତା’ ଛଡ଼ା ବଢ଼ିର ଅସୁନ୍ଦର ମୂର୍ତ୍ତିଟା ଦେଖି ତା’ ଉପକାରଟା ଭୁଲିଗଲେ ଚଳିବ ନାହିଁ, ଜମିରେ କେତେ ପଟୁ ପକାଏ! ଜମିକି କେତେ ସାର ଯୋଗାଏ! ନାନା ବଡ଼ ବଡ଼ ଭଲ ଏମିତି କେତେ କେତେ ମନ୍ତବ୍ୟ ଦେଇଛନ୍ତି।
ଚୁଙ୍ଗିବାବୁ ମନକୁ ମନ କହିଲେ- “ହୁଁ।”
ଘର ବାହାରର କାଉନ୍ଦା ପାଗ ଘର ଭିତରର ଉଷୁମକୁ ସତେକି ଆହୁରି ଉପଭୋଗ୍ୟ କରି ଦେଇଥିଲା। ଲମ୍ୱେଇ ଲମ୍ୱେଇ ଡାକ ଛାଡ଼ିଲେ-“କଣ ଚା’ ଦେଉଛ?”
ଘର ଭିତରୁ ମଧୁରିଆ ସ୍ୱରରେ ଶୁଭିଲା “ହୁଁ ହୁଁ ଯାଉଚି ଯାଉଚି-।” କଳା ମେଘଟା ହଠାତ୍ ଫୁଲିଉଠୁଛି ଆଖି ଆଗରେ, କୋଠା, ଗହଳି ଗଛର ମହୁଡ଼ ଟପି ସାମନାରେ ସେ ଆକାଶରେ। ତା’ର ଦୁଇଟା ବଡ଼ ବଡ଼ ଧଳା ନିଶ ଉପରକୁ ଉଠି ପୁଣି ତଳକୁ ଓହଳି ପଡ଼ିଛି। ତ୍ରିପଣ୍ଡ କଳା ମୁହଁରେ ଦି’ଟା ବଡ଼ ବଡ଼ ମୋଟା ମୋଟା ଧଳା ବାଙ୍କୁଲି ନିଶ। ବାଃ।
ଚୁଙ୍ଗିବାବୁଙ୍କର ନୂଆ ଖିଆଲ୍ ମନେ ପଡ଼ିଲା। ଆସନ୍ତା ଗୋଟିଏ ଭଜା କୁକୁଡ଼ା, ସତେକି ଗୋଟାସୁଦ୍ଧା, ତା’ ପେଟ ଭିତରେ ପୁରା ହୋଇଥାନ୍ତା ଆଉ ଗୋଟିଏ ସାନ କୁକୁଡ଼ା। ତା’ ପେଟ ଭିତରେ ଭିତରେ ଥାଆନ୍ତି ସିଝା ଡିମ୍ବ, କିସ୍ମିସ୍, ଅଖରୋଟ୍,- କେମିତି ଲାଗନ୍ତା? ସେ କୁକୁଡ଼ା ପାଖେ ଅନ୍ୟ ପ୍ଲେଟରେ ଥାଆନ୍ତା ପେନ୍ଥାଏ ଅଙ୍ଗୁର, ନାଲି ନାଲି ଆପଲ୍, ପ୍ଳମ୍, ଆଉ ଗୋଟାଏ ପ୍ଲେଟରେ ପୁଡ଼ିଂ, ଭଲା ଜାଗାଟାଏ ୟେ, ପଇସା ଥିଲେ ବି ଖାଇବାକୁ ଜିନିଷ ମିଳେ ନାହିଁ।
ଅପେକ୍ଷା କରିବାକୁ ପଡ଼ିବ। ଶିଳ୍ପର ପ୍ରସାର ହେବ। ସହରମାନ ଆହୁରି ବଢ଼ିବ, ତା’ପରେ ଡେରି ହେଉଛି। ଚାହା ଜଳଖିଆ ଆସୁନାହିଁ। କପ୍ ପ୍ଲେଟ୍ର ଟୁଁ ଟାଁ ଶୁଭିଲାଣି, ତା’ ସଙ୍ଗେ ସଙ୍ଗେ ଦିପଟ ସୁନା କାଚର ଝଣ ଝଣ। ମେଦିନୀର କଚଟି ଗୋଲ। ଗୋଳିପାଣି ପରି ଚାହା ଉପରୁ ବାମ୍ଫ। ଇସ୍, ଏ ବରଷା, ଆଉ ଏ ନଈ ବଢ଼ିଟା!
“ୟେ କ’ଣ? ଖାଲି ଚା’? ଗ ରମ ପାଣି?”
ମେଦିନୀ ହସିଲେ। ଗୋଜିଆ ଗୋଜିଆ ଦାନ୍ତ। ଧଳା ଜିକ୍ ଜିକ୍। ଏକା ମଛାକେ। ଆଉ ସେହି ଓଠ ଯୋଡ଼ିକ। କାନ ତଳେ ଓହଳିଛି ସୁନାର ଗୋଲ ବିଜୁଳି। ମେଦିନୀର ଦେହର ଚିହ୍ନା ବାସ୍ନା ଆସି ହାବୁକା ମାରୁଛି,
-ନା, ଖାଲି ତା’ ଦେହର ନୁହେଁ, କେତେ କାର୍ଯ୍ୟାଳୟରେ କେତେ ଲୋକଙ୍କ ଶ୍ରମରେ ତିଆରି ବାସ୍ନା। ଦେହ ଲାଗି ସାବୁନ, ମୁଣ୍ଡ ଲାଗି ତେଲ, ମୁହଁ ଲାଗି ପ୍ରସାଧନ। ଚୁଙ୍ଗିବାବୁ ଥୋଇ ଦେଇ ହିନ୍ଦୀ ସଙ୍ଗୀତ ଗୁଣୁ ଗୁଣୁ ହୋଇ ଅଧା ହସିଲା ଭଙ୍ଗୀରେ ଭିତରପଟୁ କବାଟଟି ବନ୍ଦ କରିବାକୁ ଉଠି ଠିଆ ହେଲେ। ହରିଣୀ ପରି ଖେପା ମାରି ମେଦିନୀ ହସି ହସି ଧାଇଁଗଲେ ଦୁଆର ମୁହଁକୁ। କହିଲେ “ଥାଉ ଥାଉ- ମୋର ତେଣେ କେତେ କାମ ପଡ଼ିଛି।”