ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ବଂଶୀ ଓ ବନ୍‌ଶୀ

ବିସ୍ତୃତ ଏକ ପ୍ରାନ୍ତର ବକ୍ଷରେ କ୍ଷୁଦ୍ର ଜଳପୂର୍ଣ୍ଣ ସରୋବରଟିଏ। ଅନତିଦୂରରେ, ପଥ ପାର୍ଶ୍ବରେ ଗୋଟିଏ ଭଗ୍ନସ୍ତୂପାକୃତି ଦେବାଳୟ। ମୃତଗୌରବ ଦେବାଳୟର ଜୀବନ୍ତ ପ୍ରତୀକ ସ୍ବରୂପ ତାର ଜୀର୍ଣ୍ଣ ଚୂଡ଼ା ଭିତରୁ ଅଶ୍ବତ୍‌ଥ ବୃକ୍ଷଟିଏ ନିର୍ବିଘ୍ନରେ ବଢ଼ି ଉଠୁଚି।

ସରୋବର ବନ୍ଧର ଝଙ୍କରା ବଟମୂଳରେ ବସିଛନ୍ତି ଦୁଇଟି ପ୍ରାଣୀ-ଜଣେ ତରୁଣ, ଜଣେ ତରୁଣୀ। ତରୁଣ ବନ୍‌ଶୀ ଛାଡ଼ିଚି! ଆଖି ତାର ଜଳ ଅସ୍ତରଣ ଉପରେ ଲାଖି ରହିଚି। ପ୍ରାନ୍ତର ଶେଷରେ ଆରକ୍ତ ଚକ୍ରବାଳ ଉପରକୁ ତରୁଣୀ ଚାହିଁଛି ଶୂନ୍ୟ ଦୃଷ୍ଟିରେ। ପୌର୍ଣ୍ଣମାସୀ ସନ୍ଧ୍ୟା ଆସନ୍ନପ୍ରାୟ।

ଶାନ୍ତ ଉଦାର ପରିବେଶ। ବାୟୁମଣ୍ଡଳ ବିଚଳିତ କରି କେଉଁ ଦୂର ଅଜ୍ଞାତ ସ୍ଥାନରୁ ବଂଶୀ ବାଜିଲେ। ତରୁଣୀ ଦେହରେ ବିଜୁଳିଭଳି ଏକ ଶିହରଣ ଖେଳିଯାଏ।

ଆଗ୍ରହିତ ସ୍ବରରେ ସେ କହେ,
‘‘ଶୁଣୁଚ, ବଂଶୀ ବାଜୁଚି।’’
ତରୁଣ ନୀରବ।
କିଛିକାଳ ନୀରବରେ ବିତିଯାଏ।
ବଂଶୀସ୍ବନରେ ଆକୁଳତା ସଞ୍ଚରୁଚି।
ଆତୁର କଣ୍ଠରେ ତରୁଣୀ ପୁଣି କହେ,
‘‘ଶୁଣୁଚ, ବଂଶୀ ବାଜୁଚି?’’

ଜଳ ଆସ୍ତରଣ ଉପରେ ଦୃଷ୍ଟି ନିବଦ୍ଧ, ବିଶ୍ବାସଭରା କଣ୍ଠରେ ତରୁଣ କହେ,
‘‘ଦେଖୁଚ, ମାଛର କୌତୁହଳ କିପରି ବଢ଼ୁଚି। ବନ୍‌ଶୀର ଭେଦ ବୁଝିବା ପାଇଁ କଣ୍ଟାଟିକୁ ବାରମ୍ବାର ପରିକ୍ରମା କରୁଚି। ଉଗ୍ର କୌତୁହଳର ପ୍ରରୋଚନାରେ ଶେଷରେ କଣ୍ଟାଟିକୁ ଗିଳି ବସିବ।’’

କାହାକୁ ଯେପରି ବଂଶୀ ତୁହାଇ ତୁହାଇ ଡାକୁଚି। ସେ ଡାକରା ସ୍ଥାନ କାଳପାତ୍ରର ଅତୀତ। ତରୁଣୀ ଭାବବିହ୍ବଳ ହୋଇପଡ଼େ। ତାର ଶୂନ୍ୟଦୃଷ୍ଟି ଏକ ଅପୂର୍ବ ତନ୍ମୟତା ଭିତରେ ବୁଡ଼ିଯାଏ।

ତରୁଣ ମୁହଁରେ ଉତ୍କଣ୍ଠା ଝଲକି ଉଠିଚି।
‘‘ମାଛ ଏଥର କଣ୍ଟାଟିକୁ ନିଶ୍ଚୟ ଗିଳିବ। ଫେରିଯିବାର ଶକ୍ତି ଆଉ ତାର ନାଇଁ। କି ଏକ ଅମୋଘ ଆକର୍ଷଣରେ ସେ ଜଡ଼ିତ ହୋଇଯାଇଚି।’’
ଚନ୍ଦ୍ରାଲୋକର ମାୟା ଧୀରେ ଧୀରେ ଉନ୍ମୋଚିତ ହେଉଚି।
ଦେବାଳୟ ଚୂଡ଼ାର ଅଶ୍ବତ୍‌ଥ ଶାଖାରେ ନିଶାଚର ପକ୍ଷୀଟାଏ ରହି ରହି ଚିତ୍କାର କରୁଚି।

ସରୋବର ବକ୍ଷରେ ଚନ୍ଦ୍ରକିରଣ ଝଲମଲ ହେଉଚି।
ରଙ୍ଗମଞ୍ଚର ଆଲୋକ ଆପ୍ଳୁତ ନର୍ତ୍ତକୀ ଭଳି ବିଜନ କଇଁଟିଏ ସମ୍ଭ୍ରମରେ ପାଖୁଡ଼ା ମେଲୁଚି।

ତରୁଣ ବନ୍‌ଶୀ ଉଠାଇ ଆଣେ। ଶୁଭ୍ର ମାଛଟିଏ ଛଟପଟ ହେଉଚି ବନ୍‌ଶୀ ଅଗ୍ରରେ। କଣ୍ଟାଟି ତାର ଗଳଦେଶ ବିଦ୍ଧ କରିଚି।
ତରୁଣୀର ମୂର୍ଚ୍ଛିତ ଦେହ ତରୁଣ କୋଳରେ ଢଳିପଡ଼େ।

ପାଠକୀୟ ଆଦୃତି

290 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ବ୍ରହ୍ମାନନ୍ଦ ପଣ୍ଡା

ସମ୍ପୂର୍ଣ୍ଣ ନୂତନ ଶୈଳୀର ଗଳ୍ପ ଲେଖକ ହିସାବରେ ବ୍ରହ୍ମାନନ୍ଦ ପଣ୍ଡାଙ୍କ (୧୯୨୨-୧୯୯୭) ନାମ ଉଲ୍ଲେଖଯୋଗ୍ୟ। ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମେ ସେ ବହୁସଂଖ୍ୟକ ଆଭାସଧର୍ମୀ କୁନି ଗଳ୍ପ ଲେଖିବାର ପ୍ରୟାସ କରିଛନ୍ତି।

ରାଜନୈତିକ ଚିନ୍ତାଭିତ୍ତିକ ଓ ବ୍ୟକ୍ତିଗତ ଅହଂସିକ୍ତ କାହାଣୀଗୁଡ଼ିକ ତାଙ୍କ ଲେଖନୀରେ ରୁଦ୍ଧିମନ୍ତ ହୋଇପାରିଛି। ଲେଖକଙ୍କ ଗଳ୍ପଗୁଡ଼ିକ ଜୀବନର ବିଭିନ୍ନ ସ୍ତର ଓ ସାମାଜିକ ଚରିତକୁ ନେଇ ପର୍ଯ୍ୟବସିତ। ମାନବିକ ଅନୁଭୂତିକୁ ନିରାଭରଣ ଶୈଳୀ ଓ ଆଭାସଧର୍ମୀ କଥନିକା ମାଧ୍ୟମରେ ଲେଖକଙ୍କ ଅଧିକାଂଶ ଲେଖା ପ୍ରକାଶ କରିବା ହେଉଛି ବିଶେଷତ୍ୱ।

ସେ ଏକାଧାରରେ ଜଣେ ରାଜ ନେତା, ସମାସେବୀ, ସାହିତ୍ୟିକ ଓ ଆଧ୍ୟାତ୍ମିକ ସାଧକ ଥିଲେ। ଜଣେ ଅନୁବାଦକଭାବେ ମଧ୍ୟ ସେ ନିଜର ପ୍ରଜ୍ଞା ଓ ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କର ପ୍ରକାଶିତ ଗଳ୍ପଗ୍ରନ୍ଥ ମଧ୍ୟରେ ‘ସାଧାରଣ ସତ୍ୟ’,‘କଳା ଓ କଳ୍ପନା’, ‘ଆତ୍ମ ପରିଚୟ’, ‘ପ୍ରାନ୍ତ ଯମକ’ ଆଦି ଅନ୍ୟତମ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ମୁକ୍ତାଦେଈ

ଅସ୍ତବ୍ୟସ୍ତ ହୋଇ ବୋଉ ଚୁଆରୁ ଗରାଏ ପାଣିନେଇ ଘର ଭିତରକୁ ଦଉଡ଼ି ଦଉଡ଼ି ଆସୁଥିଲା, କିନ୍ତୁ ଶେଷରେ ଗରାକ ପାଣି ପ୍ରତିବନ୍ଧକ ହେଲା, ସେ ପାହାଚ ଚାରିଟା…

ବ୍ୟାଘ୍ରାରୋହଣ

ରାଜଧାନୀ ସନ୍ନିକଟସ୍ଥ ରାଜ ଉଦ୍ୟାନରେ ପ୍ରଭାତରେ ଦେଖାଗଲା ଏକ ଅଦ୍ଭୂତପୂର୍ବ ଦୃଶ୍ୟ। କେତେ ରାତ୍ରି ଧରି କ୍ରମାଗତ ଭାବରେ ସୁନ୍ଦର ଉଦ୍ୟାନରେ ବିଭ୍ରାଟ ସୃଷ୍ଟି କରୁଥିବା ଗୋଟିଏ…

ଦେଢ଼ପଇସା

୧୯୩୨ ସାଲ। ଲବଣ ସତ୍ୟାଗ୍ରହୀ ଭାରତର ବିଭିନ୍ନ ସ୍ଥାନରେ ଜେଲବରଣ କରିଚନ୍ତି। ଗୋଟାଏ ବଡ଼ରକମର ସଂଘର୍ଷ ଆଗରେ ବିଫଳ ହେଇ ଗୋରାଶାସକ ଯୋଜନାକରି ଜନସାଧାରଣଙ୍କୁ ଉତ୍ତ୍ୟକ୍ତ କରୁଚି।…

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP