ଚେମବାବୁ ଚୁଙ୍ଗିବାବୁଙ୍କ ସାଙ୍ଗ। ଆଉ ସେଇଟା ଯାହା ଭାସିଗଲା ସେ ବିଚରା ଧଳା ବୁଢ଼ୀ ଛେଳିଟିଏ, କେମିତି ଏ ପାଣିରେ ପଶି ଯାଇଥିଲା, ମରି ଯାଇଛି। ଚୁଙ୍ଗିବାବୁ ଓ ଭଗିଆ ଉଭୟେ ବୁଝାଇଲେ।
ଭଗିଆର ଦୃଷ୍ଟି ବି ସେହି ଖବରକାଗଜର ଛବିଗୁଡ଼ାକ ଉପରେ ପଡ଼ିଥାଏ। ସେ ତାକୁ ଓଲଟାଇ ଓଲଟାଇ ଦେଖୁଥାଏ। କହିଲା, “ହେ ମହାପୁରୁ- ୟେ କେଡ଼େ ଭୟଙ୍କାରିଆ-ଏଡ଼େ ବଡ଼ ଅସୁରୁଣୀ ବଢ଼ି କାହିଁ କେବେ ଦେଖା ନଥିଲା- ସବୁ ସରିଗଲା-ସରିଗଲା-”
ଚୁଙ୍ଗିବାବୁ ଦୀର୍ଘଶ୍ୱାସ ପକାଇ କହିଲେ ‘ଆହା-’
କିଆର ମୁଣ୍ଡ ଆଉଁଷୁ ଆଉଁଷୁ ମେଦିନୀ ଦେବୀ ସେହି ଛବିକୁ ଅନାଇଥାନ୍ତି, ଛାତି ଥରେଇ ଥରେଇ ତୁହାକୁ ତୁହା ଫଁ ଫଁ ଦୀର୍ଘଶ୍ୱାସ ଉଠୁଥାଏ, ହୃଦୟ ଭିତରେ କେଉଁଠି କ’ଣ କାନ୍ଥବାଡ଼ ଭାଙ୍ଗି ପଡ଼ିଛି, ମୁଣ୍ଡ ତଳକୁ ଓହଳି ପଡ଼ିଛି, ସତେ କି ଛୁଆଟିକି ଧରି ସେ ଆପେ ଏହି ପ୍ରଳୟ ବଢ଼ି ଭିତରୁ ପଳାଇ ଆସିଛନ୍ତି, ଆଉ ସମସ୍ତେ ରହିଯାଇଛନ୍ତି ସେଠି, ଆପଣାର ଯେତେ ମଣିଷ, କେତେ ଜୀଅନ୍ତା, କେତେ ମଲା।
ଚୁଙ୍ଗିବାବୁଙ୍କ ମୁହଁକୁ ଅନାଇଁ କ୍ଷୀଣ କରୁଣ ସ୍ୱରରେ ସେ କହିଲେ-
“ଶୁଖିଲାରେ ସୁସ୍ଥରେ ରହି ତୁଣ୍ଡରେ ଖାଲି ପଦେ ଆହା ପଦ। ଆଉ କିଛି ତୁମର କରିବାର ନାହିଁ?”
ତାଙ୍କର ଆଖିରେ ଥିଲା ତୀବ୍ର ଜଳନ୍ତା ଭର୍ତ୍ସନା।
ଚୁଙ୍ଗିବାବୁ ଚମକି ପଡ଼ି ବିଳିବିଳେଇଲା ପରି କହିଲେ, “ଏଁ!” ଆଉ ଭଗିଆ ଆଁ କରି ଅନାଇଥିଲା, ସତେକି ତାର ଫାଙ୍କ ଫାଙ୍କ ଲମ୍ବ ଲମ୍ବ ଦାନ୍ତଗୁଡ଼ାକ ସବୁ ପଦାକୁ ବାହାରି ପଡ଼ିଥାଏ, ତାର ଆନନ୍ଦ ସଙ୍ଗେ ମିଶି ଯାଇଥାଏ କାବା କାବା ଭାବ।
-୦-