“ଓଃ! କାମ କାମ!-”
“ନାହିଁ କଣ ତା’ ମନକୁ ହେବ?”
“କିଆ କାହିଁ?” କିଆ ତାଙ୍କର ପାଞ୍ଚବର୍ଷର ଝିଅ।

“ତା’ ସାଙ୍ଗ ଘରକୁ ବୁଲିଯାଛି, ଏଇ ଗୌରାଙ୍ଗବାବୁଙ୍କ ଘରକୁ ମ।”
“ବର୍ଷାରେ ଛାଡ଼ି ଦେଲ?”
“ତାକୁ କ’ଣ ରୋକି ହେବ? ପାହାନ୍ତି ପହରୁ ଲାଗେଇଚି। ଯିବି ଯିବି ଯିବି। ଛତା ନେଇଚି। ସାଙ୍ଗରେ ଦନେଇ ଯାଇଚି। ଯାଉ ଖେଳୁ ଟିକିଏ ପିଲାଲୋକ।”
“ଆଉ ନଟ?” ଦଶ ବର୍ଷର ପୁଅ, ସାହେବୀ ଇସ୍କୁଲରେ ପଢ଼େ।

“ତାଙ୍କର ପରା ଆଜି ସକାଳୁଆ। ଡ୍ରାଇଭର ଅଧଘଣ୍ଟାଏ ହେବ ନେଇଗଲାଣି।”

ଚାରିଆଡ଼େ ଅନ୍ଧାର କରି ବର୍ଷାଟା ଭାରି ଜୋର୍‌ରେ ହେଲାଣି। ବାପ୍‌ରେ କି ତୋଡ଼! ଚୁଙ୍ଗିବାବୁ ରେଡ଼ିଓ ଚାବି ମୋଡ଼ି ଦେଲେ। ସ୍ୱର ଦିଲ୍ଲୀରୁ ଖସିଆସିଲା ଓଡ଼ିଶାକୁ। ରେଡ଼ିଓ ସମ୍ବାଦ ଦେଉଛି। ଏପରି ବଢ଼ି ଜୀଅନ୍ତା ଲୋକଙ୍କ ଜାଣିବା ଭିତରେ କେବେ ଆସି ନଥିଲା। ଘାଇମାନ ଫିଟି ଯାଇଛି। ଚାରିଆଡ଼ ଜଳାର୍ଣ୍ଣବ ହୋଇଛି। ବହୁ ଗୃହପାଳିତ ପଶୁ ହାନି। ମନୁଷ୍ୟ ବି ମରିଛନ୍ତି। ଗାଁ’କୁ ଗାଁ’ ନିଶ୍ଚିହ୍ନ। ଫସଲ ସଢ଼ିଗଲା। ହାଜର ହଜାର ସଂଖ୍ୟାରେ ଲୋକେ ବାସହୀନ, ଆହାରହୀନ। କଲିକତା ମାନ୍ଦ୍ରାଜ ରେଳପଥ ସ୍ଥାନେ ସ୍ଥାନେ ଭାଙ୍ଗିଯାଇଛି, ବାଟ ବନ୍ଦ।

ଝମ୍‌ ଝମ୍‌ ବର୍ଷାରେ ବୁଡ଼ି ସାଇକେଲ ଚଢ଼ି ଆସି ପହଞ୍ଚିଲା ଭଗିଆ। ସେ ବଟର୍‌ ଆଣିଛି। ଦର ଦର ପାଣି ବୋହିଯାଉଛି।

“ଓଃ। ଏତେ ଡେରି କଲୁ?” ମେଦିନୀ କହିଲେ।

ଭଗିଆ କୈଫିୟତ୍‌ ଦେଲା, ଏ ଯୋଉ ବରଷା, ମୁହଁରେ ଠାଇ ଠାଇ ଚଟକଣି ବସେଇ ଦଉଚି, ସାଇକଲ୍‌ରେ ଆସୁ ଆସୁ ବାଟ ଦିଶୁନାହିଁ। ଭଗିଆର ପିନ୍ଧାଲୁଗା ତା’ ଚମରେ ଲାଖି ଯାଇଛି। ନାକ ଫୁଲାଇ ମୁହଁ ଭ୍ରୂକୁଣ୍ଡା କରି ମେଦିନୀ କହିଲେ, “ହଉ ତୁ ଯା’ ବଦଳି ପକେଇବୁ।”

ଲୁଗା ପାଲଟି ପକାଇ ଭିତର ପିଣ୍ଡାକୁ ଆସି ଭଗିଆ କହିଲା, “ଯାହାଙ୍କ ଘର ଭାସି ଯାଇଥିବ, କୋଉ ବନ୍ଧ ଉପରେ, କୁଦ ଉପରେ, ଓଦା ସଡ଼ସଡ଼ ହେଇ ବସିଥିବେ ମା! ଖିଆ ନାଇଁ, ପିଆ ନାଇଁ, ଚାରିଆଡ଼େ ପାଣି, ଆଉ ଏ ବରଷା ତାଙ୍କରି ଉପରେ ଆଜାଡ଼ୁଥିବ ଗଳଗଳ, ହାଇରେ ଦଇବ!”

ମେଦିନୀ କହିଲା, “ଆମ ଆଡ଼ କ’ଣ ହେଇଥିବ କେଜାଣି? କୋଉ ଏ ବଢ଼ିରେ ଯାଇ ହବ? କିଏ ବଞ୍ଚିଥିବ, କିଏ ମରିଥିବ। କହୁଚନ୍ତି ବଢ଼ି ପଛେ ପଛେ ମାଡ଼ିଆସିବ ବାଡ଼ି, ସେଉଠୁ ଆଉ କି ରକ୍ଷା ହବ। କହୁଛନ୍ତି ଶହ ଶହ ଗୋରୁ ଗାଈଙ୍କ ମଢ଼ ଭାସୁଚି ଯେ, ଗନ୍ଧରେ ପେଟରୁ ଭାତ ଉଠି ଆସୁଚି। କୂଅ, ପୋଖରୀ ତ ପାଣିରେ ବୁଡ଼ିଚି, ପିଇବାକୁ ସେଇ ଗୋଳିପାଣି।

ଘର ତ ଯାଇଚି, ଗଛ ମୂଳେ କାଦୁଅ ଉପରେ ବସା। ଭାତ ନା ଚୂଡ଼ା? ଯାହି ତାହି ପତର ଦେଖିଲେ ଚୋବେଇ ପ୍ରାଣ ଧରିଚିନି, କାନ୍ଥବାଡ଼ ବି ଖଣ୍ଡେ ନାଇଁ, ଯୁଆଡ଼େ ଦେଖିଲେ ଚିଲିକାମୟ, ପାଣି ପଶି ଯାଉଥିବ, କିଏ ଆସିପାରୁଚି ନା ଯାଇ ପାରୁଚି। ଏମିତି ଧୋଇରେ ଯିବ ,,,,କି ଫସଲଟା ଏଥର ହେଇଥିଲା ମା, ଯେମିତି ବିଆଳି କି ସେମିତ ନଳିତା। ଗଲା।”

“କାଇଁକି ସେମତି ଗୋଟାଏ ଗଡ଼ର ଗଡ଼ର ହଉଚୁ କହିଲୁ? ମନ ହଉଚି ତ ଯାଆ, ଏକା ଗୋଟାଏ ବଦଳା ଠିକଣା କରି ଦେଇଯିବୁ। ଆଉ ଦରମା ଫରମା ମାଗିବୁ ନାଇଁ, ମାସ ମଝିରେ ସେସବୁ କଥା ନାଇଁ।”

“ତମର କୋଉ ମାସ ପୂରିବାକୁ ପରେଇ ଅଛି ମା’? ଲକ୍ଷ୍ମୀଙ୍କ ଭଣ୍ଡାର ତମରି ହାତରେ ଅଛି, ଯେତେବେଳେ ମନକଲେ ହାତ ଅଗରେ। ହଁ, ସେ ମାକେଟରେ ଆହୁରି କ’ଣ କୁହାକୋହି ହଉଚନ୍ତି ମ’- ବଢ଼ିରେ ଯାହାଙ୍କର ସବୁ ଯାଇଚି, ତାଙ୍କ ପାଇଁ ସାହାଯ୍ୟ କରିବାକୁ ପାଣ୍ଠି ଠୁଳ, ହେଉଛି, ସେଥିପାଇଁ ଚାନ୍ଦା ଅସୁଲ ହେଉଛି-”

କଥାରେ ବାଧାଦେଇ ମେଦିନୀ କହିଲେ, “ସରକାର ତ ବଳେ ବୁଝିବେ, ଆଉ ଫେର୍‌ ଚାନ୍ଦା! ଆମେ ଇନ୍‌କମ୍‌ ଟିକସ୍‌ ଦଉନୁ କି?”

ଭଗିଆ କହିଲା, “ସରକାର ଦିଅନ୍ତୁ, ହେଲେ ମଣିଷ ଛଟପଟ ହେଲାବେଳେ ଆଉ ମଣିଷଙ୍କ ପ୍ରାଣ ସମ୍ଭାଳି ହଉଚି କଉଠି, ଯେ ଦଉଚି ସେ ତା’ ନିଜ ଆତ୍ମାଶାନ୍ତି ପାଇଁ ଦଉଚି। ତେଣେ ହଜାର ହଜାର ମଣିଷ ଭୋକଉପାସରେ କାଦୁଅରେ ଗଡ଼ୁଚନ୍ତି। ପିଲାଙ୍କ ପୁହଁରେ ମୁଢ଼ି ମୁଠିଏ ଦବାକୁ ନାହିଁ, ଏଣେ ଶୁଖିଲା ପାଚିଲାରେ ମଣିଷ ସୁସ୍ଥରେ ବସିଛନ୍ତି, ଭାବିଲା ବେଳକୁ ପାଟିକି କେମିତି ଆଧାର ଯିବ!

ଯାହା ହେଉ, ଯେ ଯାହା ପାରୁ, ଦବା ଭଲ। ସରକାର ପାଞ୍ଚ ଦେଲେ, ସେଇ ଲୋକଙ୍କ ସେବାରେ ତ ଲାଗିବ। ଏତେ ବେଳକେ ନ ଦେଲେ ଆଉ କେତେବେଳେ ଦବ? “ତମର ବି କିଛି ଦିଅ ମା’, ବାବୁଙ୍କୁ କହ!”

ମେଘଟା ପ୍ରବଳ ଜୋର୍‌ରେ କଚୁଛି। ଚାରିଆଡ଼େ ଅନ୍ଧାର ବିଲ୍‌ ବିଲ୍‌। ମେଦିନୀ କହିଲେ, ‘ତୋ କାମ ତୁ ବୁଝ୍‌ ଭଗିଆ, ଆଉ ବେଶି କଥା ଗପ ନା। ଓଃ! ଦାତାକର୍ଣ୍ଣ!”

Pages: 1 2 3 4 5