ଟେବୁଲ ପରେ ଜଳଖିଆ ସଜା ହୋଇ ଥୁଆ ହୋଇଛି, କିଛି ଟୋଷ୍ଟ୍‌, ବିସ୍କୁଟ, ସିଝାଅଣ୍ଡା, ଅମ୍‌ଲେଟ୍‌, କଟା ସେଓ। କତିରେ ଚା’। ଚୁଙ୍ଗିବାବୁ ଖାଉଛନ୍ତି। ମେଦିନୀ ଠିଆହୋଇ କଥା ଗପୁଛନ୍ତି। ମେଘ ଅନ୍ଧାର ଲାଗି ଇଲେକ୍ଟ୍ରିକ୍‌ ଆଲୁଅ ଜଳୁଛି। ମେଦିନୀ ହସିଦେଇ କହିଲେ, “ଶୁଣ ମ, ଆମ ଭଗିଆ କ’ଣ କହୁଚି…., ବଢ଼ି ହେଇଚି ଯେ, ସେ କହୁଚି ସମସ୍ତେ ଖାଲି ଖାଇବା ଭାତରୁ ଭାଗ ଦିଅନ୍ତୁ, ଚାନ୍ଦା ଦିଅନ୍ତୁ, ଅଜାଡ଼ି ପକାନ୍ତୁ। ବଢ଼ି ତ ରାଇଜଯାକକୁ ହେଇଚି, ସେଥିପାଇଁ କ’ଣ କେହି ଲଗା?”

ଗମ୍ଭୀର ହୋଇ ଚୁଙ୍ଗିବାବୁ କହିଲେ, “ସତରେ ବଡ଼ ବଢ଼ି ହେଇଚି, ଏମିତି ବଢ଼ି ଶହେବର୍ଷରେ ଦେଖା ନଥିଲା।”

ମେଦିନୀ ମୁହଁ ଫୁଲେଇ କୃତ୍ରିମ ଅଭିମାନରେ କହିଲେ, “ସେଦିନୁ ତମ ସାଙ୍ଗରେ ଲଗେଇଚି ଟିକିଏ ଚାଲ ନେଇଯିବ, ନଈବଢ଼ିଟା ଦେଖି ଆସିବା, ହଜାର ହଜାର ଲୋକ ଫୂର୍ତ୍ତିରେ ମଉଜରେ ଦେଖୁଛନ୍ତି, ଆମର ନୋହିଲା।”

ସେତକିବେଳେ ଚଡ଼ ଚଡ଼ ଢାଇ ହୋଇ ବିଜୁଳି ମାରିଲା, ଆଲୁଅ ନିଭିଗଲା, ପଙ୍ଖା ବନ୍ଦ ହୋଇଗଲା। ସକାଳ ନଅଟାବେଳେ ଝରକା ବାଟେ ଘର ଭିତରକୁ ପଶି ଆସିଲା ସତେକି ସଞ୍ଜ ଆଗର ମହଳଣ ପଡ଼ିଥିବା ମାନ୍ଦା ଆଲୁଅ। ଚୁଙ୍ଗିବାବୁ କହିଲେ, “ନଈବଢ଼ିରେ କଣଟାଏ ଦେଖିଲା ଭଳି ଅଛି ଯେ, ଖାଲି ଗୋଳିଆ ପାଣି ନା ଆଉ କିଛି? ଅନୁମାନ କର ଦୂର ଦିଗନ୍ତ ଯାକେ ଖାଲି ଗୋଳିଆ ଚାହା ପାଣି, ସେତିକି।”

ଦୁହେଁଯାକ ତୁନିତାନି ହୋଇ ବରଷାର ଧୂମାଳକୁ ଅନାଇଁ ଦେଖିଲେ। ଝରକା ସେପାଖେ ଦୁଇଶ ହାତଯାକେ ଛନଛନିଆ ଫୁଲ ବଗିଚା, ବରଷାରେ ଉଚ୍ଛୃଙ୍ଖଳ ହୋଇ ବୁଦାଗୁଡ଼ାକ, ଲଟାଗୁଡ଼ାକ ବଢ଼ି ଉଠିଛି।

ଚୁଙ୍ଗିବାବୁ କହିଲେ, “ଗଛକୁ ଭାରି ଭଲ, ଏମିତି ପାଣି ତା’ ଜୀବନରେ ପାଇ ନଥିଲା।”
ମେଦିନୀ ପାଟିକରି ଉଠିଲେ, “ଦେଖ ଦେଖ, ଫାଟକ ଏପାଖେ ସେପାଖେ ଏ କ’ଣ ନଈ ସୁଅ? ବାପ୍‌ରେ, ଏତେ ପାଣି!”
“ନଈଞ୍ଜୋରିଟା ଭାରି ବଢ଼ିଛି।”

“ଭଲ ପଟୁ ପକେଇଯିବ। ଯାହାହଉ ଏ ବାଲିଆ ମାଟିକୁ ପଟୁ ଦରକାର ଥିଲା।”
“ବାଲି ଚରି ପାରେ-”

“ନାଇଁମ, କୁଆଡ଼ କୁଆଡ଼ର ସାର ବୋହି ଆସିବ, ବଗିଚା ଭିତରେ ତ ଆଉ ସୁଅ ନାହିଁ, ପାଣି ଥମି ଥମି ଚାଲିବ।”
ହଠାତ୍‌ ଚମକିପଡ଼ି ଚୁଙ୍ଗିବାବୁ କହିଲେ, “ଦେଖ କଥା ନହସରେ ଭୁଲି ଯାଉଛେଁ, ଏତିକି ବରଷାବେଳେ କିଆ ଯାଇ ଗୌରାଙ୍ଗବାବୁଙ୍କ ଘରେ। ବିଜୁଳି, ମେଘ, ଏ ପାଗରେ କିଏ ଘରୁ ବାହାରେ? ଫୋନ୍‌ କଲ, କ’ଣ ସେ କରୁଛି?”

ମେଦିନୀ ଫୋନ୍‌ କଲେ। ଫୋନ୍‌ର ମୁହଁ ପାଖେ ଓଠଦେଇ କାନରେ ଫୋନ୍‌ ଲଗାଇ ଅଳ୍ପ ଢଳିଲା ପରି ମେଦିନୀ ଠିଆ ହୋଇଛନ୍ତି। ଅଧା ଦରୋଟି ଉଲ୍ଲାସମୟ ସ୍ୱରରେ କହୁଛନ୍ତି- ‘ହ୍ୟାଲୋ!’ ଚୁଙ୍ଗିବାବୁ ତାଙ୍କରି ଆଡ଼କୁ ଅନାଇଁ ରହିଛନ୍ତି। ହଠାତ୍‌ ମେଦିନୀଙ୍କ ମୁହଁ ବିବର୍ଣ୍ଣ ପଡ଼ିଗଲା। ଫୋନ୍‌ ଥୋଇ ଦେଇ କହିଲେ-
କୁଆଡ଼େ ଗଲା? ଦନେଇ କୁଆଡ଼େ ଗଲା? କୁଆଡ଼େ ଘଣ୍ଟାଏ ହେଲା ଆଇଲେଣି।’

ଚୁଙ୍ଗିବାବୁଙ୍କ ଛାତି ଭିତରଟା ଦବିଗଲା। ତା’ପରେ କହିଲେ “ଦନେଇଟା ହୁଣ୍ଡାଟାଏ ନା, ଭୁସ୍‌ କରି ପିଲାଟାକୁ କାଖେଇ ବାହାରି ପଡ଼ିଥିବ, ତା’ପରେ ଯେମତି ବରଷାର ତୋଡ଼ ଦେଖିଚି ସେମିତି ଆଉ କାହା ପିଣ୍ଡାରେ ଯାଇ ନାଖି ଯାଇଚି, ଆଉ କ’ଣ।” ଡାକିଲେ “ଭଗିଆ-ଭଗିଆ-”

ଭଗିଆ ଛତା ଧରି ବାହାରିଗଲା। ପୁଣି ଅଧଘଣ୍ଟାଏ। ଘରେ ଦିହେଁ ଛଟପଟ। ଆଉ ଦି’ଥର ଗୌରାଙ୍ଗବାବୁଙ୍କ ଘରକୁ ଫୋନ୍‌ ହେଲାଣି, ଆଖପାଖ ଅନ୍ୟାନ୍ୟ ବନ୍ଧୁମାନଙ୍କ ପାଖକୁ ଫୋନ୍‌ ସରିଲାଣି। ବର୍ଷା ଛାଡ଼ି ଆସୁଛି। ଖବର କାଗଜବାଲା ଆସି ଖବରକାଗଜ ଦେଇଗଲା। ଚୁଙ୍ଗିବାବୁ ବିରକ୍ତ ହୋଇ ପାଟି କଲେ, “ଏତେ ଡେରି? ଏମିତି ହେଲେ ଏ ଖବରକାଗଜ ଆଉ ଚଳିବ ନାହିଁ।”

“ଭାରି ବରଷା ହେଲା ଆଜ୍ଞା!” ଖବରକାଗଜବାଲା ଚାଲିଗଲା। ବିରକ୍ତିଟା ମୁଣ୍ଡ ଭିତରେ କୁହୁଳି କୁହୁଳି ଉଠୁଛି। ଚୁଙ୍ଗିବାବୁ ପାଟିକଲେ, “ଦୁନିଆ ସେଇଆ ହେଲାଣି। ଯେ ଯାଉଚି ଗଲା, ରହିଲା ସିଆଡ଼େ। ଡ୍ରାଇଭର୍‌ଟାକୁ ଦେଖ। ନଟକୁ ତ ଛାଡ଼ିଥିବ, ସେଇଠୁ ଗଲା କୁଆଡ଼େ? କୋଉଠି ବନ୍ଧୁ ସଂଖୋଳି ଯାଇଥିବ ତ। ଦରକାର ନାଇଁ ସେମିତି ଡ୍ରାଇଭର, ଆଜି ତାକୁ ବିଦା କରୁଚି ରହିଥା। ଭଗିଆଟା ତ ନବାବ୍‌।”

ଖବରକାଗଜଟା ପାଖରେ ପଡ଼ିଛି। ମେଦିନୀ ସେହିଆଡ଼କୁ ଅନାଇଛନ୍ତି। କହିଲେ “ଇସ୍‌!” ଫଟୋ ବାହାରିଛି, ନଈବଢ଼ି ଦୁର୍ଦ୍ଦଶାର ନାନା ଛବି। ଭଙ୍ଗା ପିଞ୍ଜରା ପରି ପଲା ତଳେ ଜୁଳୁ ଜୁଳୁ ହୋଇ ଅନାଇଁ ରହିଛି ଏହି ଯେଉଁ ବୁଢ଼ୀଟି, ସାମ୍ନାରେ ଚିଲିକା ପରି ପାଣି, ଓଡ଼ିଶା ଦେଶର ନଈବଢ଼ିର କରୁଣ କାହାଣୀ ସତେକି ତାଠିଁ ରୂପ ଘେନିଛି।

ହେଇ ସେଠି ପାହାଡ଼ ଉପରେ ମଳାଯାକର ଲୋକ, ମେଞ୍ଚାମେଞ୍ଚା ଠେଲା ଠେଲି, ଚାରିକରେ ଜଳାର୍ଣ୍ଣବ। ଦୂରକୁ ଦୂରକୁ ଲମ୍ବିଥିବା ସ୍ଥିର ପାଣିର ଦୃଶ୍ୟ, ସ୍ଥାନେ ସ୍ଥାନେ ଗଛର ଅଗ ଦିଶୁଛି, ସତେ କି ଗଛ ହିଁ ନୁହେଁ, ସାନ ସାନ ଘାସ ଅରମା। ଆରେ ବାପ୍‌ରେ! ଏଇ କ’ଣ ରେଲ୍‌ଲାଇନ! ନା ଏ କେଉଁ ହଡ଼ାର ପଞ୍ଜରା ହାଡ଼ ଶୂନ୍ୟେ ଶୂନ୍ୟେ ଝୁଲୁଛି। ଆଉ ଏଇପରା ଡଙ୍ଗା,- ଗୁଡ଼ ରନ୍ଧା କରେଇ, ହାଣ୍ଡିଭେଳା। ବହୁତ ଫୋଟୋ। ଆଉ ଏ କ’ଣ?

Pages: 1 2 3 4 5